ଇମେଲ୍‌ର ଇତିହାସ

News Story - Posted on 2016-03-14

ବିମଳ ପ୍ରସାଦ

 

ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଥାନାନ୍ତର ସହ ତାଙ୍କର ଠିକଣା ଓ ଫୋନ୍ ନମ୍ବର ଇତ୍ୟାଦି ବଦଳି ଯାଏ । କିନ୍ତୁ ଯାହା ବଦଳେ ନାହିଁ, ତାହା ଭିତରେ ରହିଛି ଇମେଲ୍ ଠିକଣା । ସେଥିପାଇଁ କୁହାଯାଏ ଇମେଲ୍ ଆଇଡ଼ି । ଆଇଡି ଅର୍ଥ ପରିଚୟ । ଆଜିକାଲି ଇମେଲ୍ ଏତେ ଗୁରୁତ୍ୱପୂର୍ଣ ହୋଇପଡ଼ିଛି ଯେ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କର ଯୋଗାଯୋଗର ଏକ ଜରୁରୀ ସାଧନ ପାଲଟିଯାଇଛି । ଇମେଲ୍ ବ୍ୟବହାରକୁ ଏକ ପରିଭାଷା ଦେଇଥିଲେ ଆମେରିକୀୟ କଂପ୍ୟୁଟର ପ୍ରୋଗ୍ରାମର୍‌ ରେ ଟମ୍‌ଲିନ୍‌ସନ୍‌ @ ପ୍ରୟୋଗ କରି । ୨୦୧୬ ମାର୍ଚ ୫ ତାରିଖ ଶନିବାର ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ଇମେଲ୍ ପାଇଁ ତାଙ୍କର ଅବଦାନର ଅନ୍ତ ହେବ ନାହିଁ। ଏବେ ନଜର ପକାଇବା ଇମେଲ୍‌ର ସଂକ୍ଷିପ୍ତ ଇତିହାସ ଉପରେ ।

୧୯୬୫ - ମାସାଚୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଟି) ହିଁ ପ୍ରଥମେ ବାର୍ତା ଦେଣନେଣ ଓ ଫାଇଲ୍ ଟ୍ରାନ୍ସଫର ପାଇଁ ନିଜ ହତାରେ ଇଲେକ୍‌ଟ୍ରୋନିକ୍‌ ମେଲ୍‌ ବ୍ୟବହାର ଆରମ୍ଭ କରିଥିଲେ ।

୧୯୭୧ - ବାସ୍ତବରେ ଇମେଲ୍ ଆଇଡ଼ିର ଉଦ୍ଭାବନ ହେଲା, ରେ ଟମ୍‌ଲିନ୍‌ସନ୍‌ଙ୍କ @ର ପ୍ରୟୋଗରୁ । ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାର ଡିଫେନ୍ସ ଆଡ଼୍ ଭାନ୍ସଡ଼୍‌ ରିସର୍ଚ ପ୍ରୋଜେକ୍ଟ ଏଜେନ୍ସୀ (ଦର୍ପ) ଗୋଟିଏ ମେସିନ୍‌ରୁ ଆଉ ଗୋଟିଏ ମେସିନ୍‌କୁ ନିର୍ଦ୍ୱନ୍ଦ୍ୱରେ ବାର୍ତା ପ୍ରେରଣ କରି ପାରୁଥିଲା ।

୧୯୭୩ – ଇମେଲ୍‌ର ମାନକୀକରଣର ପ୍ରସ୍ତାବ ଆସିଲା । ପ୍ରେରକ ଓ ପ୍ରାପକ ଧାର୍ଯ୍ୟ କରିବାକୁ ବ୍ୟବସ୍ଥା ହେଲା । ଆଗରୁ ପ୍ରାପକର କିଛି ସଂଜ୍ଞା ନଥିଲା ।

୧୯୭୬ - କୁଇନ୍ ଏଲିଜାବେଥ୍ ୨ୟ, ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବରେ ଅର୍ପାନେଟ୍ ବ୍ୟବହାର କରି ଇମେଲ୍ ପଠାଇଲେ ।

୧୯୭୮- ଏରିକ୍ ସ୍ମିଡ଼ଟ୍ ‘ବର୍କନେଟ୍’ ଡିଜାଇନ୍ କଲେ ଯେଉଁଥିରେ ସିରିଆଲ୍ କନେକ୍ସନ୍‌ରେ ବାର୍ତା ଦେଣନେଣ ହୋଇପାରିଲା । (ଏରିକ୍  ପରବର୍ତୀ କାଳରେ ‘ଗୁଗଲ’କୁ ନେତୃତ୍ୱ ଦେବା ସହ ‘ଜିମେଲ୍‌’ର ଦେଖାରଖା କରିଥିଲେ ।

୧୯୭୯ - ଇମେଲ୍ ପାଇଁ ନ୍ୟୁଜର୍ସିର ‘‘ୟୁନିଭର୍ସିଟି ଅଫ୍ ମେଡ଼ିସିନ୍ ଏଣ୍ଡ୍ ଡେଣ୍ଟିଷ୍ଟ୍ରି’’ ପାଇଁ ବିଧିବଦ୍ଧ ଭାବରେ ଶିବ ଆୟାଦୁରାଇ ଏକ ପ୍ରୋଗ୍ରାମ୍ ଲେଖିଲେ, ଯାହାର ନାମ ଥିଲା ‘ଇମେଲ୍’ । ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ ବାର୍ତା ଦେଣନେଣ ୟୁନିଭର୍ସିଟି ମଧ୍ୟରେ ହୋଇପାରିଲା ।

୧୯୮୨ - ଏହି ଇମେଲ୍ ପ୍ରୋଗ୍ରାମ୍‌କୁ ସଂପୃକ୍ତ ୟୁନିଭର୍ସିଟି କପିରାଇଟ୍‌ କରିନେଲା ।

୧୯୮୮ - ମାଇକ୍ରୋସଫ୍ଟ ଇମେଲ୍‌ର ପ୍ରଥମ ରୂପ ବାହାରିଲା ମ୍ୟାକ୍ ଅପରେଟିଂ ସିଷ୍ଟମ୍ ପାଇଁ । ଯାହା ଦ୍ୱାରା ଆପଲ୍ ଟକ୍ ନେଟ୍ୱର୍କରେ ବାର୍ତା ଦିଆନିଆ ହୋଇପାରିଲା ।

୧୯୯୧ – DOS  ଓ Windows  ପାଇଁ ମାଇକ୍ରୋସଫ୍ଟ ଇମେଲ୍ ବାହାରିଲା । ଯାହାକି ପରବର୍ତୀ ସମୟରେ Outlook ଓ Exchange Mail ବ୍ୟବସ୍ଥା ପାଇଁ ସୁବିଧା ହେଲା ।

୧୯୮୯ - Compuserve କମ୍ପାନୀ ଆରମ୍ଭ କଲା ଇଣ୍ଟରନେଟ୍ ଭିତ୍ତିକ ଇମେଲ ସେବା, ଯାହାକି ଡାଏଲ୍ ଅପ୍ ଫୋନ୍ ଜରିଆରେ ଥିଲା ପ୍ରଥମ ଅନ୍‌ଲାଇନ୍‌ ସେବା । ଏଥିରେ ଅନ୍ୟ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ମଧ୍ୟ ପରସ୍ପରକୁ ଇମେଲ୍ ପଠାଇପାରିଲେ ।

୧୯୮୯ - ଆଇବିଏମ୍ ଜରିଆରେ ‘‘ଲୋଟସ୍ ନୋଟ୍ସ୍’’ ବଜାରକୁ ଆସିଲା ।

୧୯୯୦ - ଇମେଲ୍‌ରେ ସ୍ପାମ୍‌ର ପ୍ରାବଲ୍ୟ ଦେଖାଦେଲା ।

୧୯୯୪ - ସ୍ପାମ୍ ଉପରେ ଫୋଏନିକ୍ସର ଲରେନ୍ସ କାର୍ଟର ଓ ମାର୍ଥା ସିଗେଲ୍ ଏକ ପୁସ୍ତକ ଲେଖିଲେ ।

୧୯୯୨ - ବହୁମୁଖୀ ଇଣ୍ଟରନେଟ୍ ମେଲ୍ ଏକ୍ସଟେନ୍ସନ୍‌ର ଉଦ୍ଭାବନ ପରେ ଫାଇଲ୍ ଆଟାଚ୍‌ମେଣ୍ଟ୍‌ ସମ୍ଭବ ହେଲା । ଏପରିକି ଜମା ହୋଇଥିବା ମେଲ୍‌ଗୁଡ଼ିକୁ ଡିଲିଟ୍ କରାଯାଇପାରିଲା ।

୧୯୯୩ - ମାଇକ୍ରୋସଫ୍ଟ୍ର ପ୍ରଥମ ଆଉଟ୍‌ଲୁକ୍‌ ବାହାରିଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏଓଏଲ୍ ଓ ଡେଲ୍ଫି ସେମାନଙ୍କର ଇମେଲ୍ ବ୍ୟବସ୍ଥା ଆରମ୍ଭ କଲେ ।

୧୯୯୬ - ସବୀର ଭାଟିଆ ଓ ଜ୍ୟାକ୍ ସ୍ମିଥ୍ ବାହାର କଲେ ହଟ୍‌ମେଲ୍‌ (Hotmail) ନାମକ ଇମେଲ୍ ସେବା । ଏଥିରେ html ଆଧାରିତ ଇମେଲ୍ ସମ୍ଭବ ହେଉଥିବାରୁ ନାମକରଣ ଏପରି କରିଥିଲେ ।

୧୯୯୭ - ମାଇକ୍ରୋସଫ୍ଟ ହଟ୍‌ମେଲ୍‌କୁ କିଣି ନେଲା। ତାହାକୁ MSN Hotmail ନାମ ଦେଲା । ଏହି ବର୍ଷ ୟାହୁମେଲ୍ (Yahoo Mail) ମଧ୍ୟ ଧମାକାଦାର ଇମେଲ୍ ସେବା ଆରମ୍ଭ କଲା । ଏଥିପାଇଁ ଅନ୍ୟ ଏକ କମ୍ପାନୀର ରକେଟ୍‌ମେଲ୍‌କୁ ଅନୁସରଣ କରିଥିଲା ।

୧୯୯୮ - AOL ବ୍ୟବହାରକାରୀଙ୍କୁ ଇମେଲ୍ ପାଇବା କ୍ଷଣି ଶବ୍ଦ ଆକାରେ ସୂଚିତ କରିବାର ବ୍ୟବସ୍ଥା ହେଲା ।

୨୦୦୨ - ୟୁରୋପୀୟ ରାଷ୍ଟ୍ରସଂଘ ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନ୍ ଓ ଗୋପନୀୟତା ଉପରେ ଏକ ନିର୍ଦେଶନାମା ଜାରି କଲା ଯେଉଁଥିରେ ଅବାଞ୍ଛିତ ଇମେଲ୍ ବା ସ୍ପାମ୍ ଉପରେ କଟକଣା ରହିଥିଲା ।

୨୦୦୩ – ବ୍ଲାକ୍‌ବେରୀ ଏକ ସମନ୍ୱିତ ଇମେଲ୍ ଓ ଇଣ୍ଟରନେଟ୍ ସେବା ଭାବରେ ବଜାରକୁ ଆସିଲା ।

୨୦୦୪ - ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ୟୁରୋପ ଭଳି ନିୟମ ପ୍ରଣୟନ କଲା । Gmail ଏହି ବର୍ଷ ଆରମ୍ଭ ହେଲା ଏବଂ ଏହା ଗୁଗୁଲ୍ କର୍ମଚାରୀମାନଙ୍କର ଆଭ୍ୟନ୍ତରୀଣ ଇମେଲ୍ ସେବା ଥିଲା ।

୨୦୦୫ - ସ୍ପାମ୍ ରୋକିବାର ଓ ନିୟନ୍ତ୍ରଣର ଉପାୟ ବାହାରିଲା ।

୨୦୦୭ – Gmail ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଲାଗୁ ହେଲା । ଆପଲ୍ କମ୍ପାନୀର ପ୍ରଥମ ଆଇ-ଫୋନ୍ ବାହାରିଲା, ଯେଉଁଥିରେ ଇମେଲ୍ ସୁବିଧା ରହିଥିଲା ।

୨୦୧୫ - ପାରସ୍ପରିକ ଯୋଗାଯୋଗ ପାଇଁ ଇମେଲ୍ ସବୁଠୁ ଗୁରୁତ୍ୱପୂର୍ଣ ହୋଇଯାଇଛି ।

ଏବେ ଦୈନିକ ମେଲ୍ ସଂଖ୍ୟା ଏବେ ୪୪୦ କୋଟି ଥିବା ବେଳେ ଆକଳନ କରାଯାଉଛି ଯେ ୨୦୧୯ ମସିହା ବେଳକୁ ଏହି ସଂଖ୍ୟା ଦୈନିକ ୨୪୬୦୦ କୋଟିରେ ପହଞ୍ଚିଥିବ।

ଭୁବନେଶ୍ଵର, ଓଡ଼ିଶା, ଭାରତ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top