ନବୀନଙ୍କ ଭୋଟ୍ ସୂତ୍ର

News Story - Posted on 2018-04-15

ଦେବେନ୍ଦ୍ର ପୃଷ୍ଟି

 

ଓଡ଼ିଆରେ ଗୋଟେ କଥା ଅଛି- ବଡ଼ ଲୋକଙ୍କ ଆଗରେ ଥିବ, ନହେଲେ ପଛରେ ଥିବ । ସାଧାରଣ ଲୋକେ ବଡ଼ ଲୋକ କହିଲେ ଗୁଣବାନ ମହାନ ଲୋକଙ୍କୁ ବୁଝନ୍ତି ନାହିଁ । ସେମାନଙ୍କ ସାଧାରଣ ବୁଦ୍ଧିରେ ଧନବାନ ଲୋକମାନେ ହେଲେ ବଡ଼ ଲୋକ । ଧନୀ ଲୋକଙ୍କ ଆଗରେ ବା ପଛରେ ଥିଲେ ଗରୀବ ଲୋକଟିଏ ଦରକାରବେଳେ କିଛି କିଛି ସହାୟତା ପାଇଥାଏ ବା ପାଇବାର ଆଶା ଥାଏ । ଏଇ ବୁଦ୍ଧିରେ ବୋଧେ ଭୋଟ ଦିଅନ୍ତି ଓଡ଼ିଆ ଭୋଟର ।

 

ସେଥିପାଇଁ ଓଡ଼ିଶାରେ କାଙ୍ଗାଳଙ୍କ କୋଟିପତି ସରକାର ଚାଲିଛି । ରାଜ୍ୟର ୧୪୭ ବିଧାୟକଙ୍କ ମଧ୍ୟରୁ ୭୬ ହେଲେ କୋଟିପତି । ସମସ୍ତ ବିଧାୟକଙ୍କ ହାରାହାରି ସଂପତି ମୂଲ୍ୟ ହେଉଛି ୩.୨୨ କୋଟି ଟଙ୍କା । ଅଭାବୀ ଓ କାଙ୍ଗାଳ ମାନସିକତାର ଲୋକଙ୍କ ପାଇଁ ଧନ ହେଉଛି ବଡ଼ କଥା । ଧନର ସୂତ୍ର ସେମାନଙ୍କ ପାଇଁ ମୂଲ୍ୟହୀନ । ଦୁର୍ନୀତି ଉପାୟରେ ଧନ ଅର୍ଜନକୁ ସେମାନେ ନାପସନ୍ଦ କରନ୍ତି ନାହିଁ । ସେଥିପାଇଁ ବୋଧହୁଏ ୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଲକ୍ଷେ କୋଟି ଟଙ୍କାର ଜମି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି, ୭୦୦ କୋଟି ଟଙ୍କାର ଏନଆରଇଜିଏ ଦୁର୍ନୀତି ସମେତ ଜଳ, ଜଙ୍ଗଲ, ଖାଦ୍ୟ, କୃଷି, ବିଦ୍ୟୁତ, ଶିଳ୍ପ, ଅବକାରୀ, ଶିକ୍ଷା ଆଦି କ୍ଷେତ୍ରରେ ଘଟିଥିବା ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର କୌଣସି ପ୍ରଭାବ ଓଡ଼ିଶା ନିର୍ବାଚନ ଉପରେ ପଡ଼ିନାହିଁ । ସରକାରଙ୍କ ଦୁର୍ନୀତି ନେଇ ଯେତେ ଅଧିକରୁ ଅଧିକ ତଥ୍ୟ ପଦାକୁ ଆସିବାରେ ଲାଗିଛି ଶାସକ ଦଳର ଭୋଟ ସେତେ ଅଧିକ ବୃଦ୍ଧି ପାଇବାରେ ଲାଗିଛି ।

 

ଓଡ଼ିଶାରେ ଏବେ ପ୍ରାୟ ୮୬ ଲକ୍ଷ ପରିବାର ବା ୩ କୋଟିରୁ ଅଧିକ ଲୋକ ଟଙ୍କିକିଆ ଚାଉଳ କାର୍ଯ୍ୟକ୍ରମର ହିତାଧିକାରୀ । ୧୯୯୭ ମସିହାରେ କଂଗ୍ରେସ ସରକାର ସମୟରେ ଶେଷ ଥର ପାଇଁ ଦାରିଦ୍ର୍ୟ ସର୍ବେକ୍ଷଣ ହୋଇଥିଲା । ସେହି ତାଲିକାରେ ଥିବା ସମସ୍ତ ଲୋକଙ୍କ ସମେତ ଗତ ୧୮ ବର୍ଷ ଭିତରେ ଆଉ କିଛି ଲୋକଙ୍କୁ ଏହି ହିତାଧିକାରୀ ତାଲିକାରେ ଯୋଡ଼ି ଦିଆଯାଇଛି । ଏହି ପରିବାରଗୁଡ଼ିକ ମଧ୍ୟରୁ ଅନେକ ଲୋକ ବୃଦ୍ଧ ଓ ବିଧବା ଭତ୍ତା ଆଦି ପାଉଛନ୍ତି । ସେହି ପରିବାରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ଇନ୍ଦିରା ଆବାସ ଓ ରାଜୀବ ଆବାସର ହିତାଧିକାରୀ । ସେଇମାନଙ୍କ ଭିତରେ ପୁଣି ଅଛନ୍ତି ଅନେକ ଏମଜିଏନଆରଇଜିଏ ଶ୍ରମିକ ବା ଶ୍ରମପତ୍ର ଧାରକ । ସେମାନେ ବର୍ଷକୁ ୧୦୦ ଦିନର ସର୍ବନିମ୍ନ ମଜୁରୀ ପାଇଥାନ୍ତି । ଏହା ବର୍ଷକୁ ୧୨ ହଜାର ଟଙ୍କାରୁ ଅଧିକ । ସବୁ ଶ୍ରମିକ ଏହା ପାଆନ୍ତି ନାହିଁ ଓ କେତେକଙ୍କ ମଜୁରୀ ହଡ଼ପ ହୋଇଯାଏ, ତାହା ଅବଶ୍ୟ ଅଲଗା କଥା । ସେହିପରି ଇନ୍ଦିରା ଆବାସ ଓ ରାଜୀବ ଆବାସ ଯୋଜନାରେ ଲାଞ୍ଚ ଅଭିଯୋଗ ମଧ୍ୟ ନୂଆ କଥା ନୁହେଁ ।

 

ଏହି ବର୍ଗର ଲୋକଙ୍କ ପାଇଁ ସରକାର ଆହୁରି କେତେ କ’ଣ ଯୋଜନା କରିଛନ୍ତି । ଯେଉଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କଥା ପ୍ରଚାର ହେଉଛି ତାହା ସବୁ ମୁଖ୍ୟତଃ ଏଇ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଛତା, କମ୍ବଳ, ଯୋତା, ସାଇକେଲ, ପୋଷାକ, ମୋବାଇଲ ଫୋନ, କାଠ ଓ କୋକେଇ ଆଦି ନେଇ ଭୋଟ ଦେଇଥିବା ଲୋକମାନଙ୍କ ପାଇଁ ଗୋଦାବରୀଶ ମହାପାତ୍ରଙ୍କର ‘ଏ ଜାତି ତଥାପି ବଂଚିଛି’ ଗଳ୍ପ ମୂଲ୍ୟହୀନ ହୋଇଯାଇଛି । ଛତରଖିଆ ଓ ସ୍ୱାଭିମାନୀ ମଧ୍ୟରେ ଆଉ କିଛି ତଫାତ ନାହିଁ । ବସ୍ତୁତଃ, ଦୁର୍ନୀତି ପରି ଛତରରେ ଖାଇବା ମଧ୍ୟ ସମୃଦ୍ଧିର ଅନ୍ୟତମ ଉପାୟ ହୋଇଯାଇଛି । ଦରିଦ୍ର ଲୋକେ ବୁଝି ପାରନ୍ତି ନାହିଁ ଯେ ସ୍ୱାଭିମାନ ହେଉଛି ସ୍ୱାବଲମ୍ବନ, ଛତର ଖାଇବା ନୁହେଁ ।

 

ଦରିଦ୍ର ବର୍ଗ ବ୍ୟତିତ, ସରକାର ଅନ୍ୟ କେତେକ ବର୍ଗ ପାଇଁ ଗୁଡ଼ାଏ ‘ଦାନାର୍ଥେ ଚତୁର୍ଥୀ’ ଯୋଜନା କରି ଏକ ସୁଦୃଢ଼ ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି । ଗ୍ରାମବାସୀଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ନାବାର୍ଡ଼ ତରଫରୁ ଆରମ୍ଭ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜି ବିପ୍ଳବକୁ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟବହାର କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ପ୍ରାୟ ୬ ଲକ୍ଷ ମହିଳା ଏସଏଚଜି ଗଠନ କରାଯାଇଛି । ଏହି ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ଲିଙ୍କେଜ ଓ ଆର୍ଥିକ ଅନୁଦାନ ଦେଇ ସରକାର ଅବଶ୍ୟ ଗ୍ରାମାଞ୍ଚଳରେ ମହିଳା ଉଦ୍ୟୋଗ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । ଅନେକ ସମୟରେ ଏହିପରି ମହିଳା ଏସଏଚଜିରୁ ପରୋକ୍ଷରେ ବାର୍ଷିକ ୨୪-୩୬ ପ୍ରତିଶତ ସୁଧହାରରେ ଋଣ ନେଇ ଗରୀବ ଚାଷୀମାନେ ଦେବାଳିଆ ହୋଇଯାଉଛନ୍ତି ଏବଂ ଶେଷରେ ଆତ୍ମହତ୍ୟା କରୁଛନ୍ତି ତାହା ସରକାର ବୁଝନ୍ତି ନାହିଁ କି ସାଧାରଣ ଜନତା ।

 

ସେହିପରି ଯୁବକ ସଂଘ । ସେମାନଙ୍କୁ ବି ବାର୍ଷିକ ଖର୍ଚ୍ଚପାଣି ଦିଆଯାଉଛି । ଏବେ ତ ପୁଣି ବିଜୁ ଯୁବ ବାହିନୀ ଗଢ଼ା ଗଲାଣି । ଏଯାଏଁ ସରକାର ପ୍ରାୟ ୩ ଲକ୍ଷ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ନେତା ବନେଇବା ନାଁରେ କର୍ମୀ ସୃଷ୍ଟି କଲେଣି । ଅଙ୍ଗନବାଡ଼ି, ଆଶାକର୍ମୀ, ଗ୍ରାମସାଥୀ, ଶିକ୍ଷା ସହାୟକ, ମଧ୍ୟାହ୍ନ ଭୋଜନ ପାଚିକା, ସହାୟିକା ଆଦିଙ୍କୁ ନେଇ ଭୋଟ ବ୍ୟାଙ୍କ ସମୃଦ୍ଧ ହୋଇଛି । ମଝିରେ ମଝିରେ କିଛି କିଛି ପାଉଣା ବଢ଼େଇ ଏମାନଙ୍କୁ ସନ୍ତୁଷ୍ଟ କରାଯାଉଛି ଓ ଭୋଟବ୍ୟାଙ୍କକୁ ସୁଦୃଢ଼ କରାଯାଉଛି । ତେଣିକି ଅଙ୍ଗନବାଡ଼ି ଖାଦ୍ୟ ହଡ଼ପ ହେଉ ପଛେ, ଜନନୀ ସୁରକ୍ଷା ଯୋଜନାର ସୁଫଳ ନମିଳୁ ପଛେ, ମଧ୍ୟାହ୍ନ ଭୋଜନ ଖାଦ୍ୟରେ ଝିଟିପିଟି ପଡ଼ୁ ପଛେ, ଡାଲି ବଦଳରେ ପାଣି ଦିଆଯାଉ ପଛେ, ତାହାର କିଛି ଗୁରୁତ୍ୱ ନାହିଁ । ଲୋକଙ୍କ ସମୃଦ୍ଧି ଓ ସଶକ୍ତିକରଣ ବଦଳରେ ଦଳର ସମୃଦ୍ଧି ଓ ସଶକ୍ତିକରଣ ଯେଉଁସବୁ ଯୋଜନାର ଭିତିରି ଉଦ୍ଦେଶ୍ୟ ତାହା କାଙ୍ଗାଳିକରଣରେ ସହାୟକ ହୁଏ କି ନାହିଁ ସେକଥା ଅର୍ଥନୀତିଜ୍ଞମାନେ ତର୍ଜମା କଲେ ସତ କଥା ଜଣା ପଡ଼ିବ

 

ଉପରୋକ୍ତ ହିତାଧିକାରୀ ଓ ତୃଣମୂଳ ସ୍ତରୀୟ ସରକାରୀ କର୍ମୀଙ୍କ ପରିବାର ସଂଖ୍ୟା ମିଶି ୧ କୋଟି ହେବ । ଏହି ସଂଖ୍ୟକ ପରିବାର ମଧ୍ୟରେ ଅବଶ୍ୟ ଭିନ୍ନ ଭିନ୍ନ ଯୋଜନାରେ ଏକାଧିକ ହିତାଧିକାର ଥିବା ଅସମ୍ଭବ ନୁହେଁ । ଏମିତି ବହୁ ଘଟଣା ମଧ୍ୟ ପଦାକୁ ଆସିଲାଣି । ଗୋଟିଏ ପରିବାର ଇନ୍ଦିରା ଆବାସ, ଶ୍ରମପତ୍ର, ଭତ୍ତା ଆଦି ପାଇବା କିଛି ନୂଆ ନୁହେଁ । ସେହି ପରିବାରର ସଦସ୍ୟମାନେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିବା ହେବା ବି ଅସ୍ୱାଭାବିକ ନୁହେଁ । ସେମାନଙ୍କ ମଧ୍ୟରେ ପୁଣି ୱାର୍ଡ଼ ମେମ୍ବର, ସରପଂଚ ଓ ସମିତି ସଭ୍ୟ ବି ଥାଇ ପାରନ୍ତି ।

 

ଓଡ଼ିଶାରେ ପରିବାର ସଂଖ୍ୟା ସମୁଦାୟ ୧.୦୫ କୋଟି । ଜନସଂଖ୍ୟା ୪ କୋଟି ୨୦ ଲକ୍ଷ । ଭୋଟର ସଂଖ୍ୟା ୩ କୋଟି ଏପଟସେପଟ । କୌଣସି ଦଳ ଯଦି ଗୋଟିଏ ପରିବାରରୁ ଗୋଟିଏ ଭୋଟ ପାଏ ତେବେ କୋଟିଏ ଭୋଟ ମିଳିବ । କୋଟିଏ ଭୋଟ ପାଇଲେ ଓଡ଼ିଶାର ବିପୁଳ ସଂଖ୍ୟାଗରିଷ୍ଠତା ମିଳିଯାଏ । ୨୦୧୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପାଇଥିଲା ୯୩ ଲକ୍ଷ ୩୪ ହଜାର ୮୫୨ ଖଣ୍ଡ ଭୋଟ ବା ପଡ଼ିଥିବା ମୋଟ ଭୋଟର ୪୩.୪ ପ୍ରତିଶତ । ଆସନ ସଂଖ୍ୟା ୧୪୭ରୁ ୧୧୭ ।

 

୨୦୦୯ରେ ବିଜେପି ସହିତ ଦଶନ୍ଧିର ସଂପର୍କ ତୁଟାଇଥିଲା ବିଜେଡି । ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ୨ ଟଙ୍କିଆ ଚାଉଳ ଯୋଜନା । ସେହି ନିର୍ବାଚନରେ ବିଜେଡି ପାଇଥିଲା ୬୯ ଲକ୍ଷ ୩ ହଜାର ୬୪୨ ଖଣ୍ଡ ଭୋଟ । ଆସନ ସଂଖ୍ୟା ମିଳିଥିଲା ୧୦୩ । ୨୦୦୯ ଓ ୨୦୧୪ ନିର୍ବାଚନ ମଧ୍ୟରେ ଛତା, ଯୋତା ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୪ ପରେ ଅବଶ୍ୟ ଓଡ଼ିଶାରେ ଆଉ ବୋଧେ ଶୀତ ପଡ଼ୁନାହିଁ, ତେଣୁ କମ୍ବଳ କାର୍ଯ୍ୟକ୍ରମ ବନ୍ଦ ରହିଛି ।

 

ଓଡ଼ିଶାର ୨୮ ପ୍ରତିଶତ ଲୋକ ନିରକ୍ଷର । ଏମାନଙ୍କ ସଂଖ୍ୟା ୧.୨୦ କୋଟିରୁ ଅଧିକ । ଆଉ କୋଟିଏରୁ ଅଧିକ ଲୋକ ଅଳ୍ପ ଶିକ୍ଷିତ- ମ୍ୟାଟ୍ରିକ ତଳେ । ଏ ୨.୫ କୋଟି ଲୋକଙ୍କର ରାଜ୍ୟର ସାଧାରଣ ସମ୍ବଳ, ରାଜ୍ୟର ଅର୍ଥନୀତି, ରାଜ୍ୟ ପରିଚାଳନା, ଟିକସ ବ୍ୟବସ୍ଥା, ସମ୍ବଳ ପରିଚାଳନା, ଯୋଜନାର ଭଲ ଓ ମନ୍ଦ ଦିଗ, ଦୁର୍ନୀତି ଆଦି ପ୍ରସଙ୍ଗରେ ଚେତନା ଟିକେ ସ୍ୱାଭାବିକ ଭାବେ କମ୍ । ଭାରତୀୟ ଗଣତନ୍ତ୍ରର ଏହା ଏକ ଦୁର୍ବଳତା ଯେ, ସାଧାରଣତଃ ଏଇ ବର୍ଗର ଲୋକମାନେ ହିଁ ଅଧିକ ସଂଖ୍ୟାରେ ଭୋଟ ଦିଅନ୍ତି । ଶିକ୍ଷିତ, ମଧ୍ୟବିତ୍ତ ଓ ଧନୀ ବର୍ଗର ଲୋକମାନେ ଯେଉଁମାନେ ଏସବୁ ବିଷୟରେ ସଚେତନ ସେମାନେ ସାଧାରଣତଃ ଭୋଟ ଦିଅନ୍ତି ନାହିଁ ।

 

ରାଜ୍ୟରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଏବେ ପ୍ରାୟ ୪.୫ ଲକ୍ଷ । ଏମାନଙ୍କ ମଧ୍ୟରୁ ଅଳ୍ପ କେଇଟି ବର୍ଗର କର୍ମଚାରୀଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ସରକାରଙ୍କଠାରୁ ବିଭିନ୍ନ ଭାବରେ ଉପକୃତ । ଦରମା, ଭତ୍ତା, ପେନସନ ଆଦି ବଢ଼ି ଚାଲିଛି । କାମ ନକଲେ ବି ଦରମା ମିଳୁଛି । ଦୁର୍ନୀତି କଲେ ବି ଚାକିରି ଯାଉ ନାହିଁ । ଶହେ ଅଫିସର ଦୁର୍ନୀତି କଲେ ଜଣେ ଅଧେ କେହି ଧରା ପଡ଼ିଲେ ବଡ଼ କଥା । ଏବେ ପୁଣି ଅମଲାତାନ୍ତ୍ରିକ ସରକାର । ଅଫିସରମାନେ ରାଜୁତି କରୁଛନ୍ତି । ସେମାନଙ୍କ ମୁଖା ଓ ନାମକେ ବାସ୍ତେ ମୁଖ୍ୟ ହେଉଛନ୍ତି ମନ୍ତ୍ରୀ । ଅଫିସରମାନେ ଯେମିତି ଚଳାଉଛନ୍ତି ମନ୍ତ୍ରୀମାନେ ସେମିତି ଚାଲିଛନ୍ତି । କେଉଁ ଅଫିସରଙ୍କୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ପିତା ଲାଗେ? ତେଣୁ ଅଫିସର ଓ କର୍ମଚାରୀମାନେ ରାଜ୍ ଛାଡ଼ିବାକୁ ଚାହାନ୍ତି ନାହିଁ ।

 

ବୋଧହୁଏ ଅଫିସରମାନଙ୍କର ଏପରି ରାଜୁତି ଦେଖି ବିରୋଧୀ ଦଳ ତରଫରୁ ଅନେକ ଥର ଅଭିଯୋଗ ହେଲାଣି, ଏବେ ଜିଲ୍ଲାପାଳ ଓ ଏସପିମାନେ ଦଳର ଜିଲ୍ଲା ସଭପତି ଭାବେ କାର୍ଯ୍ୟ କରୁଛନ୍ତି । ସଚିବମାନେ ତ ମନ୍ତ୍ରୀଙ୍କ ମୂର୍ତ୍ତି!

 

ଏ ଭୋଟ ବ୍ୟାଙ୍କ ଭାଙ୍ଗିବ କେମିତି? ବିରୋଧୀ ଦଳଗୁଡ଼ିକ ଏ ନେଇ ଗଭୀର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top