ଅନନ୍ୟ ସଂସ୍କୃତି- ଗଂଜାମର ଦଣ୍ଡଯାତ୍ରା

News Story - Posted on 2018-04-13

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ ଜିଲ୍ଲା ଏହାର ଲୋକକଳା ଏବଂ ସଂସ୍କୃତିକୁ ନେଇ ରାଜ୍ୟ ସମେତ ଭାରତବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ମଧ୍ୟରେ ଦଣ୍ଡନାଚ ହେଉଛି ଅନ୍ୟତମ । ଦଣ୍ଡନାଚ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ । ଏହା ବହୁ ପୁରାତନ । ଆଜି ମଧ୍ୟ ଲୋକପ୍ରିୟ ହୋଇ ରହିଛି ।

 

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡୁଆ ଦଳ ମଧ୍ୟରେ କୁଲାଗଡ଼ ଦଳ, ନୂଆଗାଁ ଦଳ ଭଳି ଗାଲେରୀ ଦଣ୍ଡୁଆ ଦଳର ଦଣ୍ଡନାଚ ଅତି ଲୋକପ୍ରିୟ । ଉକ୍ତ ଦଣ୍ଡନାଚ ପ୍ରତିବର୍ଷ ଚୈତ୍ର ମାସରେ ହୋଇଥାଏ ଏବଂ ମହାବିଷୁବ ସଂକ୍ରାନ୍ତି (ମେରୁ ସଂକ୍ରାନ୍ତି) ତଥା ଓଡ଼ିଆ ନବବର୍ଷ ଦିନ ଶେଷ ହୋଇଥାଏ । ଦଣ୍ଡଯାତ୍ରା ଆରମ୍ଭ ଦିନ ଗ୍ରାମର ଦଣ୍ଡମନ୍ଦିରରେ ମାନସିକଧାରୀ ଦଣ୍ଡୁଆମାନେ ହଳଦିଆ ବସ୍ତ୍ର ପିନ୍ଧି ଏକତ୍ରିତ ହୋଇ ସଂକଳ୍ପ, ପୂଜାର୍ଚ୍ଚନା ଓ ଅଗ୍ନିପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରିବା ସହ ଦେହର ପଇତା ପକାଇ ମା’ ଦଣ୍ଡକାଳୀ ଓ ମହାଦେବଙ୍କୁ ଧରି ଢ଼ୋଲ, ମହୁରୀ ତାଳେ ତାଳେ ଗ୍ରାମ ପରିକ୍ରମା ସହ ଯାତ୍ରା ଆରମ୍ଭ କରିଥାନ୍ତି ।

 

ଏହି ଦଣ୍ଡନାଚରେ ମାନସିକଧାରୀ (ଦଣ୍ଡୁଆ) ଦଳ ମଧ୍ୟରୁ କିଛି ଦଳ ୨୧ ଦିନ ପାଇଁ ଆଉ କିଛି ଦଳ ୧୩ ଦିନ ପାଇଁ ସାମିଲ୍ ହୋଇଥାନ୍ତି । ଦଣ୍ଡୁଆ ମାନେ ନିଜର ମନସ୍କାମନା ପୂର୍ଣ୍ଣ ନିମନ୍ତେ ମା’ ଦଣ୍ଡକାଳୀ ଏବଂ ଭଗବାନ ଶିବଙ୍କ ଠାରେ ଏହି ଦିନମାନଙ୍କରେ ନିଜକୁ ସମର୍ପଣ କରିଦିଅନ୍ତି । ପ୍ରଚଣ୍ଡ ଖରାରେ ଖାଲିପାଦରେ ଏମାନେ ଗ୍ରାମଗ୍ରାମ ଏବଂ ସାହିସାହି ବୁଲିଥାନ୍ତି । ଯେଉଁ ପରିବାର ମା’ ଦଣ୍ଡକାଳୀଙ୍କ ଦଣ୍ଡନାଚ ନିଜ ଘର ଦାଣ୍ଡରେ କରିବା ପାଇଁ ମାନସିକ କରିଥାନ୍ତି, ସେମାନେ ଏହି ଦଣ୍ଡୁଆ ଦଳକୁ ନିମନ୍ତ୍ରିତ କରିଥାନ୍ତି । ଦଣ୍ଡନାଚ ଦିନ ପରିବାରର ସମସ୍ତେ ଉପବାସରେ ରହନ୍ତି ଏବଂ ରାତିରେ ଦଣ୍ଡୁଆ ମାନେ ପ୍ରସାଦ ସେବନ ପରେ ପ୍ରସାଦ ଗ୍ରହଣ କରନ୍ତି । ଏହିଦିନ ନିଜ ବନ୍ଧୁବାନ୍ଧବମାନଙ୍କୁ ମଧ୍ୟ ଘରକୁ ନିମନ୍ତ୍ରଣ କରିବା ସହ ସେମାନଙ୍କ ପାଇଁ ନୂଆବସ୍ତ୍ର ପ୍ରଦାନ କରିଥାନ୍ତି ।

 

ଦଣ୍ଡନାଚ ମୁଖ୍ୟତଃ ୩ ପ୍ରକାରର । ଦଣ୍ଡୁଆମାନେ ଦ୍ୱିପହରରେ ପ୍ରଚଣ୍ଡ ଖରାରେ ମାଟି ଉପରେ ଧୂଳିଦଣ୍ଡ, ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ ଏବଂ ନିଶାର୍ଦ୍ଧରେ ଅଗ୍ନିଦଣ୍ଡ ପ୍ରଦର୍ଶନ କରିବା ସହ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମା’ କାଳୀ ଏବଂ ଭଗବାନ ଶିବଙ୍କଠାରେ ପ୍ରାର୍ଥନା କରିଥାନ୍ତି । ଦଣ୍ଡନାଚରେ ମାନସିକଧାରୀ (ଦଣ୍ଡୁଆ)ମାନେ ଦିନସାରା ଉପବାସରେ ରହିଥାନ୍ତି । ଦଣ୍ଡନାଚ ପରେ ସନ୍ଧ୍ୟାରେ ମା’ ଦଣ୍ଡକାଳୀଙ୍କ ଆଳତୀ କରିଥାନ୍ତି ଏବଂ ମଧ୍ୟରାତ୍ରୀ ମସୟରେ ଯାହା ଘର ନିକଟରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ ତାଙ୍କ ପକ୍ଷରୁ ଦଣ୍ଡୁଆମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ଏହି ଅନ୍ନ ପ୍ରସାଦ ଖୋଦ ଦଣ୍ଡୁଆମାନେ ପ୍ରସ୍ତୁତ କରନ୍ତି ଏବଂ ତରକାରୀରେ କଟା ପରିବା ପଡ଼ିନଥାଏ ।

 

ମହତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ଦଣ୍ଡନାଚରେ ଓଡ଼ିଆ ସଂସ୍କୃତି, ପରମ୍ପରା ,କୃଷି ଏବଂ କୃଷକର ଚାଲିଚଳନି ସହ ବିଶେଷତଃ ଗ୍ରାମ୍ୟ ସଂସ୍କୃତି ପ୍ରତିଫଳିତ ହୋଇଥାଏ । ଦଣ୍ଡନାଚର ଶେଷଦିନରେ ଅର୍ଥାତ୍ ମେରୁ ସଂକ୍ରାନ୍ତି ଦିନ ଏହି ଦଣ୍ଡଯାତ୍ରାର ଅନ୍ତିମ ଚରଣରେ ପାଟଭୁକ୍ତା(ଦଣ୍ଡୁଆ ଦଳର ମୁଖ୍ୟ)ଙ୍କୁ ଅଗ୍ନିକୁଣ୍ଡ ଉପରେ ମୁଣ୍ଡ ତଳକୁ ଏବଂ ଗୋଡ଼ ଉପରକୁ କରି ଝୁଲାଯାଇଥାଏ । ଅଗ୍ନିଙ୍କୁ ଶାନ୍ତ କରାଯିବା ସହ ଏହି ପର୍ବର ସମାପ୍ତି ହୋଇଥାଏ । ଏହି ମେରୁ ଯାତ୍ରା ଶେଷ ହେବା ପରେ ଉପବାସଧାରୀମାନେ ପ୍ରସାଦ ସେବନ କରିଥାନ୍ତି । ଦଣ୍ଡଯାତ୍ରାର ୨୧ ଦିନ ଜିଲ୍ଲାରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିଥାଏ ଏବଂ କିଛି ଲୋକ ଏହି ୨୧ ଦିନ ଘରେ ଆମିଷ ମଧ୍ୟ ଖାଇନଥାନ୍ତି ।

 

ଦଣ୍ଡନାଚର ଅନ୍ୟ ଏକ ଆକର୍ଷଣ ହେଲା ପ୍ରଦିଦିନ ଦଣ୍ଡୁଆମାନେ ଯାହାଘର ନିକଟରେ ଦଣ୍ଡନାଚ କରନ୍ତି ମଧ୍ୟରାତ୍ରୀରେ ପ୍ରସାଦ ସେବନ ପରେ ନାଟଦଳ(ନାଟପୁଞ୍ଜା) ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି । ପୂର୍ବରୁ ରାଜାନାଟ, ରାମାୟଣ, ମହାଭାରତ ଭଳି ପୌରାଣିକ ଗାଥାକୁ ଅପେରା ତଥା ନାଟକ ମାଧ୍ୟମରେ ପରିବେଷଣ କରାଯାଉଥିଲା । କିନ୍ତୁ ଆଜିର ଆଧୁନିକ ସମାଜରେ ଗତ କିଛିବର୍ଷ ହେଲା ଏହି ସଂସ୍କୃତି ସଂପର୍ଣ୍ଣ ଦଣ୍ଡନାଚରେ ପାଶ୍ଚାତ୍ୟ ଅପସଂସ୍କୃତିର ମିଶ୍ରଣ ହୋଇଛି । ଯାହାଫଳରେ ଏହାର ପରିଭାଷା ଯଥେଷ୍ଟ ବଦଳି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଗୋଟିଏ ଗ୍ରାମର ଦଳ ସହ ଅନ୍ୟ ଏକ ଗ୍ରାମର ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଭାବେ ପାଶ୍ଚାତ୍ୟ ନୃତ୍ୟ ଏବଂ ବେଶଭୂଷା ଦଣ୍ଡନାଚ ପରମ୍ପରାର ଅବକ୍ଷୟ ଘଟାଇଛି । ଯାହାଫଳରେ କିଛି ଲୋକେ ଏହାକୁ ଉପଭୋଗ କରୁଥିଲେ ସୁଦ୍ଧା ବୁଦ୍ଧିଜୀବୀ ଏବଂ ଓଡ଼ିଆ ସଂସ୍କୃତି ପ୍ରେମୀଙ୍କ ମନକୁ କୁଠାରଘାତ କରୁଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top