ଶାଶ୍ୱତ ପ୍ରେମ

News Story - Posted on 2018-04-13

ଶ୍ୱେତା ରାଉତ

ପ୍ରେମ କହିଲେ ବୁଝାଯାଏ ହୃଦୟରେ ଥିବା ଅନାବିଳ ଭାବନା, ସ୍ନେହ, ପରସ୍ପର ପ୍ରତି ଆକର୍ଷଣ, ପ୍ରଣୟ, ଅନୁରାଗ, ଆସକ୍ତି, ଭକ୍ତି, ଆନନ୍ଦ, କୌତୁକ, ଦୟା, ବନ୍ଧୁତା ଓ ଆମୋଦ । ପ୍ରେମ ପଞ୍ଚବିଧ କହିଲେ - ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମାଧୁର୍ଯ୍ୟ । ସର୍ବାପେକ୍ଷା ଶ୍ରେଷ୍ଠପ୍ରେମ ସନକାଦି ମୁନିମାନେ ଭଗବାନଙ୍କୁ ଶାନ୍ତ ଭାବରେ ଉପାସନା କରୁଥିଲେ, ସାଧାରଣ ଭକ୍ତମାନେ ଦାସ୍ୟ ଭାବେ, ଅର୍ଜୁନ ପ୍ରଭୃତି ସଖ୍ୟ ଭାବରେ ଶ୍ରୀକୃଷ୍ଣ ଲାଭ କରିଥିଲେ । ଯଶୋଦା ବାତ୍ସଲ୍ୟ ଭାବରେ ଶ୍ରୀକୃଷ୍ଣଙ୍କୁ ପାଇଥିଲେ । ଶ୍ରୀରାଧିକା ମାଧୁର୍ଯ୍ୟ ଭାବଦ୍ୱାରା ଶ୍ରୀକୃଷ୍ଣଙ୍କୁ ଲାଭ କରିଥିଲେ । ଏହି ପଞ୍ଚବିଧ ପ୍ରେମ ଆଜି ବି ଆମମାନଙ୍କ ଭିତରେ ବାପା, ମା’, ଭାଇ, ବନ୍ଧୁ, ସଖା, ସହୋଦର, ପ୍ରିୟ, ପ୍ରଣୟ ସବୁଠାରେ କ୍ରିୟାଶୀଳ ।

 

ପ୍ରେମ ହେଉଛି ଏକ ଦିବ୍ୟ ଚରମ ସତ୍ୟ ଯାହା ଆମକୁ ପରମେଶ୍ୱରଙ୍କ ନିକଟରେ ପହଞ୍ଚାଇଥାଏ । ପ୍ରେମ ଏକ ଉପଲବ୍ଧି, ଯାହା ପରସ୍ପରର ସ୍ନେହକୁ ଖୁସି ଆଡ଼କୁ ବିସ୍ତାରିତ କରିଥାଏ । ଏହା ଏକ ମଜବୁତ୍ ଆକର୍ଷଣ ଓ ସକାରାତ୍ମକ ଚିନ୍ତାଧାରା ପ୍ରତିପୋଷଣ କରେ । ଦୟା, ସେବା, ସ୍ନେହ, ସମ୍ବେଦନ ଓ ଦାୟିତ୍ୱର ସୂଚାରୁ ରୂପେ ପ୍ରତିପାଦନ କରୁଥିବା ହୃଦୟର ଏକ ସୁନ୍ଦର ଭାବଧାରା ହେଉଛି ପ୍ରେମ ।

 

ପ୍ରାଚୀନ ଗ୍ରୀକମାନେ ପ୍ରେମକୁ ଚାରି ପ୍ରକାର ମାନିଥାନ୍ତି, ଯେମିତିକି ସଂପର୍କ, ବନ୍ଧୁତ୍ୱ, ସ୍ୱେଚ୍ଛାକୃତ ଓ ଦିବ୍ୟପ୍ରେମ । ଜଣେ ବ୍ୟକ୍ତି କୌଣସି ବସ୍ତୁ, ତତ୍ତ୍ୱ ବା ଲକ୍ଷଣକୁ ମଧ୍ୟ ପ୍ରେମ କରିପାରେ । କୌଣସି ପଶୁ କିମ୍ବା କୌଣସି କାର୍ଯ୍ୟକୁ ମଧ୍ୟ ପ୍ରେମ କରିପାରେ । ଏହା ଏଭଳି ଏକ ସମ୍ବେଦନ ଯାହା ପରସ୍ପରକୁ ନିସ୍ୱାର୍ଥ ଭଲପାଇବା, ନିବିଡ଼ତା ଓ ଆତ୍ମିକ ଦୃଷ୍ଟିକୋଣରେ ମଧ୍ୟ ଯୋଡ଼ି ରଖିବାର ଶାନ୍ତିର୍ପୂବକ ଏକ ମାନସିକ ଶକ୍ତି । ଦୟା, କ୍ଷମା ଓ ଅନୁକମ୍ପା ଭଳି ବିଚାରଧାରା ଉତ୍ପନ୍ନ କରିବାର ଉତ୍ସ ।

 

ବର୍ତ୍ତମାନ ସମୟରେ ପ୍ରେମ ଏକ ବାସନା ପ୍ରାରମ୍ଭିକ, ଆବେଗପୂର୍ଣ୍ଣ ଯୌନ ଇଚ୍ଛା ଏବଂ ସମ୍ଭୋଗକୁ ପ୍ରଶ୍ରୟ ଦେଉଥିବା ନିମ୍ନ ତଥା ହିନମନ୍ୟତାର ପୃଷ୍ଠପୋଷଣ କରୁଛି । ଯାହାର ପ୍ରଭାବ ମାତ୍ର କେତେ ସପ୍ତାହ, ମାସ କିମ୍ବା ବର୍ଷ । ଏଭଳି ପ୍ରେମର ଅର୍ଥ ବୁଝୁଥିବା ବ୍ୟକ୍ତିମାନେ ଖୁବ୍ ସହଜରେ ବିକାରଗ୍ରସ୍ତ ହୁଅନ୍ତି, ନିଜର ଇଚ୍ଛାର ପୂର୍ତ୍ତି, ଶାରୀରିକ ସମ୍ଭୋଗ ଏବଂ ଅନାବଶ୍ୟକ ଉନ୍ମାଦନା ମସ୍ତିଷ୍କକୁ ଦୁର୍ବଳ କରିଥାଏ । ଯାହାଫଳରେ କଥାବାର୍ତ୍ତା, ଚାଲିଚଳଣ, ବ୍ୟବହାରରେ ବ୍ୟକ୍ତି ଅମାନୁଷିକ କାର୍ଯ୍ୟକଳାପର ଶିକାର ହୁଏ ।

 

ମନୋବିଜ୍ଞାନ ପ୍ରେମକୁ ସଂଜ୍ଞାତ୍ମକ ଏବଂ ସାମାଜିକ ଘଟଣାକୁ ଦର୍ଶାଯାଇଥାଏ । ମନୋବିଜ୍ଞାନୀ ରବର୍ଟ ଷ୍ଟନବର୍ଗ ପ୍ରେମର ତ୍ରିଭୂଜାକାର ସିଦ୍ଧାନ୍ତର ସୂତ୍ରପାତ କରିଥିଲେ । ତାଙ୍କ ତର୍କ ଅନୁସାରେ ପ୍ରେମ ତିନି ପ୍ରକାର ଘଟିଥାଏ; ଯଥା- ଆତ୍ମୀୟତା, ପ୍ରତିବଦ୍ଧତା ଓ ଭାବପ୍ରବଣତା । ଆତ୍ମୀୟତା ଏଭଳି ତତ୍ତ୍ୱ ଯେଉଁଥିରେ ଦୁଇଟି ମଣିଷ, ନିଜ ଜୀବନର ବ୍ୟକ୍ତିଗତ ସମସ୍ୟାକୁ ବାଣ୍ଟିଥାନ୍ତି । ଏହା ସାଧାରଣତଃ ବନ୍ଧୁତ୍ୱରେ ଦେଖାଯାଇଥାଏ । ପ୍ରତିବଦ୍ଧତା ଗୋଟେ ଆଶା, ବିଶ୍ୱାସ ଥାଏ କି ଏ ସମ୍ପର୍କ ସାରାଜୀବନ ବଜାୟ ରହିବ ଏବଂ ଭାବପ୍ରବଣତା ଯାହା ମଣିଷ ଭାବବିହ୍ୱଳ ହୋଇ କ୍ଷଣିକ ଉତ୍ତେଜନାରେ ପ୍ରେମ ମାନି ନେଇଥାଏ ।

 

କହିବାକୁ ଗଲେ ପ୍ରେମ ଗୋଟିଏ ଶବ୍ଦ । କିନ୍ତୁ ଏହି ପ୍ରେମ ଶବ୍ଦର ଗଭୀରତା ବୁଝିବା ବଡ଼ କଷ୍ଟ । ପ୍ରେମର ଆୟୁଷ ନିର୍ଦ୍ଧାରଣ କରିଥାଏ ବିଶ୍ୱାସ । ସମ୍ପର୍କ ପ୍ରେମ ଆଉ ବିଶ୍ୱାସର ସୂତାରେ ବନ୍ଧା ହୋଇଥାଏ । ଯଦି ବିଶ୍ୱାସର ଗଣ୍ଠି ଟିକେ ବି ଢିଲା ପଡ଼ିଯାଏ, ସମ୍ପର୍କ ଦୋହଲିଯାଏ । ଛାରଖାର ହୋଇଯାଏ । ବିଶ୍ୱାସ ନଥିଲେ ଭରସା ନ ଥାଏ, ଭରସା ନ ଥିଲେ ବ୍ୟକ୍ତି ଅସୁରକ୍ଷିତ ମନେକରେ ଏବଂ ପ୍ରେମ ଅସୁରକ୍ଷିତ ସ୍ଥାନରେ ସମାବିଷ୍ଟ ନଥାଏ । ସଂକୀର୍ଣ୍ଣ ଚିନ୍ତାଧାରା, ନକାରାତ୍ମକ ବିଚାର, ସନ୍ଦେହ, ଘୃଣା ଏବଂ ଆତ୍ମବଡ଼ିମା କେବେ ବିଶ୍ୱାସର ପରପନ୍ଥୀ ହୋଇପାରେନା କିମ୍ବା ପ୍ରେମକୁ ନିବିଡ଼ କରିପାରେନା ।

 

ସଂପୂର୍ଣ୍ଣ ମାନବ ସମାଜ ପାଇଁ ପ୍ରେମ ଏକ ସର୍ବୋତ୍ତମ ବରଦାନ ଈଶ୍ୱରଙ୍କର । ପ୍ରେମ ପ୍ରକୃତିର ଏପରି ଏକ ଉପହାର, ଯାହା ମଣିଷ ଜାତିର ଅସ୍ତିତ୍ୱ ପାଇଁ ନିହାତି ଆବଶ୍ୟକ । ଯଦି ମଣିଷ ହୃଦୟରେ ପ୍ରେମର ସମାପ୍ତି ହୋଇଯାଏ ହୁଏତ ମାନବ ଜାତିର ବିନାଶକୁ ରୋକା ଯାଇନପାରେ । ପ୍ରେମ ଏକ ମଧୁର ଉପଲବ୍ଧି, ଯାହା ଜୀବନକୁ ମଧୁମୟ କରିଥାଏ । କଟୁତା ଦୂରକରି ବାତ୍ସଲ୍ୟ ତଥା ଭାଇଚାରା ସଂଚାର କରିବାରେ ପ୍ରେମର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

 

ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top