ଆବର୍ଜନାର ପିରାମିଡ଼୍ ବ୍ରହ୍ମପୁର!

News Story - Posted on 2018-04-13

ଆବର୍ଜନାର ପିରାମିଡ଼ ଭିତରେ ୧୫୦ ବର୍ଷର ରେଶମ ସହର ବ୍ରହ୍ମପୁର । କହିବାକୁ ଲାଜ ଲାଗୁଛି । ଏଠାକାର ପରିବେଶର ଦୃଶ୍ୟରୁ ଜଣାପଡ଼ୁଛି ବ୍ରହ୍ମପୁର ଯେମିତି ଏକ ସହର ନୁହେଁ ବରଂ, ଏକ ବଡ଼ ଗାଁ । ସହରର ନାମ ବଦଳି ମହାନଗର ବ୍ରହ୍ମପୁର ସରକାର ଘୋଷଣା କରିଥିଲେ । କିନ୍ତୁ ଏଠାରେ ଲୋକମାନଙ୍କ ସାମାଜିକ ଜୀବନ, ଚିତ୍ର ଓ ଚରିତ୍ର, ବିଚାର ଭିତରେ ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ ।

 

ରାତିରୁ ରାତି ଯାଏଁ ସହର ପରିବେଶ ଚଳଚଂଚଳ । ସହର ଲୋକସଂଖ୍ୟା ଯେତିକି ତା’ଠୁଁ ଅଧିକ ବାହାର ଜିଲ୍ଲା ଓ ଆନ୍ଧ୍ର ସଂଲଗ୍ନ ଅଂଚଳରୁ ଲୋକମାନେ ଛୁଟି ଆସନ୍ତି ବ୍ରହ୍ମପୁର, କିଏ ସ୍ୱାସ୍ଥ୍ୟ ସେବା ପାଇଁ କିଏ ବେପାର ପାଇଁ । କିନ୍ତୁ ସହରର ପରିବେଶକୁ ଅଣଦେଖା କରାଯାଇ ସହରକୁ ଗୋଟିଏ ଆବର୍ଜନାର ପିରାମିଡ଼ ଉପରେ ଠିଆ କରାଇ ଦେଇ ଚାଲିଯାଆନ୍ତି ସମସ୍ତେ । ଶ୍ରେଷ୍ଠ ସହର ବ୍ରହ୍ମପୁର ନାରା ଦେଇ ସହରସାରା ବୁଲୁଥିବା ଗାଡ଼ିର ଡ଼ାକ ଶୁଣି ଘରୁ ବାହାରି ଆସି କୁଢ଼ କୁଢ଼ ଅଳିଆ ଦେଇଦିଅନ୍ତି ଗାଡ଼ିର ବାହାକ ହାତକୁ । କିନ୍ତୁ ନିଜ ଦାଣ୍ଡ ଓ ନିଜ ଅଂଚଳ ଓ ନିଜ ପରିବେଶ ଭିତରେ ଦୁର୍ଗନ୍ଧ ପୁତିମୟ ପରିବେଶ ବୟାନ କରେ ଏଠାରେ ସ୍ୱଚ୍ଛ ଭାରତ ଅଭିଯାନ କେମିତି ନିରର୍ଥକ ।

 

ହଁ, ମଣିଷର ଲୋକ ଚରିତ୍ର ଗୋଟିଏ ଅଂଚଳର ବିକାଶ କଥା କହେ । ନିଜେ ନିଜର ପରିବେଶର ସୁରକ୍ଷା ପାଇଁ କେତେ ସଚେତନ । ସରକାରର ବ୍ୟବସ୍ଥା ମଧ୍ୟ କେତେ ଜାଗ୍ରତ ଯଦି ସବୁ ଗଣନା ହୁଏ ରେଶମ ସହର ବ୍ରହ୍ମପୁର ଏକ ଭ୍ରମ ଛଡ଼ା କିଛି ନୁହଁ । ପ୍ରତି ୱାର୍ଡ଼ରେ ଅଳିଆ ଆବର୍ଜନାର ପରିବେଶ ଭିତରେ ମଣିଷ ପ୍ରାୟ ଅଣନିଃଶ୍ୱାସୀ । ଜଳାଶୟଗୁଡ଼ିକୁ ପୋତିଦେଇ କୁଣ୍ଡ ସମାନ କରିଦିଆଯାଇଛି । ନାଳ ନର୍ଦ୍ଦମା ଉପରେ ପ୍ଲେଟ ଥୋଇଦେଇ ସହର ଗୋଲାପୀ ଚିତ୍ର ଦେଖାଇ ଦିଅଁ ଖଟୁଳି ଖାଇବାରେ ସରକାରୀ ବାବୁ ଓ ଠିକାଦାରମାନେ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହଡ଼ପ ଚାଲିଛି । କିନ୍ତୁ ସହରର ଭାଗ୍ୟ ବଦଳିନି କି ଚିତ୍ର ବଦଳିନି । ବଦଳିବାର ଦିଶୁନାହିଁ ।

 

ସହରର ବିକାଶ ଧାରାରେ ଆୟତନ ବଢ଼ିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲେ ହେଁ ଆଜିର ଯୁଗ ପର୍ଯ୍ୟନ୍ତ ନା ରୋଡ଼୍ ଅଛି ନା ଉଦଘାଟନ ହୋଇଥିବା ବ୍ୟବସ୍ଥାଗୁଡ଼ିକରେ ଚାବି ଖୋଳୁଛି । ସହରର ଲୋକସଂଖ୍ୟା ଦ୍ରୁତଗତିରେ ସଂକୀର୍ଣ୍ଣ ପରିବେଶ ମଧ୍ୟରେ ବଢ଼ିବା ସହ ଅଳିଆ ଆବର୍ଜନାର ସହର ବ୍ରହ୍ମପୁର ମଧ୍ୟ ରାହା ଖୋଜୁଛି । ମୁକ୍ତ ପବନ ପାଇବା ପାଇଁ ଶୁଦ୍ଧ ସ୍ୱାସ୍ଥ୍ୟଗତ ପ୍ରାଣ ପାଇଁ ଆଗାମୀ ଦିନରେ ଏଇ ଆବର୍ଜନାମୟ ପରିବେଶ ହିଁ ଦିନେ ମହାକାଶ ନହେବ କିଏ ବା କହିବ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top