କନ୍ୟା ସମ୍ମତି ବିନା ହିନ୍ଦୁ ବିବାହ ନିଷିଦ୍ଧ

News Story - Posted on 2018-04-11

କନ୍ୟାର ସମ୍ମତି ବିନା ହିନ୍ଦୁ ବିବାହ ନିଷିଦ୍ଧ ବୋଲି ଘୋଷଣା କରିଛନ୍ତି ସୁପ୍ରିମ କୋର୍ଟ । ଏ ସଂପର୍କୀତ ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନ ମଧ୍ୟରେ କନ୍ୟାର ସମ୍ମତି ବିନା ଏହା ନିଷିଦ୍ଧ ବୋଲି ଉଲ୍ଲେଖଥିବାରୁ ସେଥିପାଇଁ ସ୍ୱତନ୍ତ୍ର ରାୟର ଆବଶ୍ୟକତା ନାହିଁ । ଏହି ମନ୍ତବ୍ୟ ଦେଇ କୋର୍ଟ ଏହି ପିଟିସନକୁ ଖାରଜ କରିଦେଇଛନ୍ତି ।

 

କର୍ଣ୍ଣାଟକର ଜଣେ ରାଜନେତାଙ୍କ ଝିଅଙ୍କ ତରଫରୁ ଏହି ପିଟିସନ ଦାଏର ହୋଇଥିଲା । ତାଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରିଥିଲେ ଇନ୍ଦିରା ଜୟସିଂହ ଓ ସୁନୀଲ ଫର୍ଣ୍ଣାଣ୍ଡେଜ । ସେମାନେ କହିଥିଲେ ଯେ ହିନ୍ଦୁ ବିବାହ ଆଇନରେ କନ୍ୟାର ସମ୍ମତି ନେଇ ସ୍ପଷ୍ଟ ଉଲ୍ଲେଖ ନାହିଁ । ଏଣୁ ସୁପ୍ରିମ କୋର୍ଟ ଏପରି ଏକ ନିର୍ଦ୍ଦେଶ ଜାରି କରନ୍ତୁ ଯାହା ଫଳରେ କନ୍ୟାର ସମ୍ମତି ବିନା ହେଉଥିôବା ହିନ୍ଦୁ ବିବାହ ନିଷିଦ୍ଧ ଘୋଷିତ ହେବ । କର୍ଣ୍ଣାଟକର ଏହି ଯୁବତୀ ଅଭିଯୋଗ କରିଥିଲେ ଯେ ତାଙ୍କ ସମ୍ମତି ବିନା ତାଙ୍କୁ ବିବାହ କରିଦିଆଯାଇଛି । ସେ କୌଶଳକ୍ରମେ ଖସି ଯାଇ ଦିଲ୍ଲୀରେ ଆଶ୍ରୟ ନେଇଛନ୍ତି ।

 

ତେବେ ଏହି ମାମଲାର ତୁରନ୍ତ ଶୁଣାଣି କରି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ ଖାନୱାଲିକର ଏବଂ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନର ୫, ୧୧ ଓ ୧୨(ଗ) ଧାରାରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ସବୁ ଧାରା ଅନୁସାରେ କନ୍ୟାର ସମ୍ମତି ବିନା ବିବାହ ନିଷିଦ୍ଧଯୋଗ୍ୟ । ଜାଲିଆତି ବା ଠକେଇ କରି ବିବାହ ମଧ୍ୟ ନିଷିଦ୍ଧ ହେବ । କାରଣ ପ୍ରତାରଣାରେ ସମ୍ମତି ନଥାଏ ।

 

ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଜୋରଜବରଦସ୍ତ ବା ଜାଲିଆତି କରି ଜଣେ ଯୁବତୀଙ୍କୁ ତାଙ୍କର ବିନା ସହମତିରେ ବିବାହ ଦିଆଯାଇଥାଏ ତେବେ ସେହି ମହିଳା ଉପଯୁକ୍ତ ଦେୱାନୀ ଅଦାଲତର ଆଶ୍ରୟ ନେଇପାରିବେ । ଏହି ମାମଲାରେ ଯଦି ବିବାହିତା ମହିଳାଙ୍କ ଜଣକ ତାଙ୍କ ସ୍ୱାମୀ ଘରକୁ ଯିବାକୁ ଚାହୁଁ ନାହାନ୍ତି ତେବେ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ସେ ଯଦି ପୁଣି ଥରେ କର୍ଣ୍ଣାଟକ ଫେରିଯିବାକୁ ଚାହୁଁଛନ୍ତି ତେବେ କୋର୍ଟ ସେଥିରେ ସହଯୋଗ କରିବେ । କିନ୍ତୁ ତାଙ୍କ ବିବାହକୁ ନିଷିଦ୍ଧ ଘୋଷଣା କରିବାକୁ ସ୍ୱତନ୍ତ୍ର ରାୟ ଦେଇପାରିବେ ନାହିଁ । ଏଥିପାଇଁ ସେ ଦେୱାନୀ କୋର୍ଟରେ ମାମଲା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଦେୱାନୀ କୋର୍ଟ ହିନ୍ଦୁ ବିବାହ ଆଇନ ସଂପର୍କରେ ଅବହିତ । ସେଠାରେ ତାଙ୍କ ମାମଲାର ବିଚାର ହୋଇପାରିବ ଓ କୋର୍ଟ ଯଦି ଅନୁଭବ କରନ୍ତି ଯେ ତାଙ୍କୁ ବଳପୂର୍ବକ ବା ଜାଲିଆତି କରି ବିବାହ ଦିଆଯାଇଛି ତେବେ ତାଙ୍କ ବିବାହକୁ ସେଇଠି ନିଷିଦ୍ଧ ଘୋଷଣା କରାଯାଇ ପାରିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top