ଉପକୂଳରୁ ୮, ବାକି ଓଡ଼ିଶାରୁ ୨!

News Story - Posted on 2018-04-06

ବିମଳ ପ୍ରସାଦ

 

ଲୋକସଭା ନିର୍ବାଚନମଣ୍ଡଳୀ ଭଳି ରାଜ୍ୟସଭା ଆସନଗୁଡ଼ିକର କୌଣସି ନିର୍ବାଚନ ମଣ୍ଡଳୀ ନାହିଁ। ରାଜ୍ୟସଭା ସଦସ୍ୟମାନେ ପୂରା ରାଜ୍ୟକୁ ପ୍ରତିନିଧିତ୍ବ କରୁଥିବାରୁ, ଏକାଧିକ ପ୍ରାର୍ଥୀ ଗୋଟିଏ ଆସନ ପାଇଁ ରହିଥିଲେ, ରାଜ୍ୟର ବିଧାନସଭା ସଦସ୍ୟମାନେ ହିଁ ଜଣକୁ ନିର୍ବାଚିତ କରିଥାଆନ୍ତି। ଏକ ଜଟିଳ ଆନୁପାତିକ ଗଣିତ ଅନୁସାରେ ଭୋଟର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ। ରାଜ୍ୟସଭା ନିର୍ବାଚନରେ ସାଧାରଣ ନାଗରିକଙ୍କର କୌଣସି ଭୂମିକା ନଥାଏ। ସମ୍ଭବତଃ ସେଇଥି ପାଇଁ ରାଜ୍ୟସଭା ସଦସ୍ୟମାନଙ୍କ ଉପରେ ଗଣମାଧ୍ୟମରେ କେବେ ଚର୍ଚ୍ଚା ହୁଏ ନାହିଁ କି ସଂଖ୍ୟାଗରିଷ୍ଠ ଜନତା ସେମାନଙ୍କୁ ଲୋଡ଼ି ନଥାଆନ୍ତି। କିନ୍ତୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ନିଜ ରାଜ୍ୟର ସମସ୍ୟା ଓ ସ୍ଥିତି ଉପରେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରି ସେହି ଅନୁସାରେ ସମାଧାନ ଓ ଉନ୍ନୟନ ଉପରେ ସୁପାରିଶ କରିବା ଏବଂ ଅନୁଚାଳନା କରିବା ହେଉଛି ଜଣେ ରାଜ୍ୟସଭା ସାଂସଦଙ୍କ ଅସଲ କାର୍ଯ୍ୟ।

 

ରାଜ୍ୟସଭା ହେଉଛି ଉଚ୍ଚ ସଦନ ଏବଂ ଲୋକସଭା ନିମ୍ନ ସଦନ। ଲୋକସଭାର ସଦସ୍ୟମାନେ ସର୍ବାଧିକ ୫ ବର୍ଷ ପାଇଁ ନିର୍ବାଚିତ ହେଉଥିବା ବେଳେ ଉଚ୍ଚସଦନ ତଥା ସମ୍ମାନାସ୍ପଦ ରାଜ୍ୟସଭାର ସଦସ୍ୟମାନେ ପୂରା ୬ ବର୍ଷ ପାଇଁ କ୍ଷମତା ଭୋଗର ଅଧିକାର ପାଇଥାଆନ୍ତି। ସରକାର ଭାଙ୍ଗିଗଲେ ବି ରାଜ୍ୟସଭାର ସଦସ୍ୟତାକୁ ତାହା ତତକ୍ଷଣାତ ପ୍ରଭାବିତ କରି ନଥାଏ। ବରିଷ୍ଠ ଓ ବୟୋଜ୍ୟେଷ୍ଠମାନଙ୍କର ସଦନ ହେଉଛି ରାଜ୍ୟସଭା। ଏହି ମୂଳତତ୍ତ୍ବ ଅଣଦେଖା କରି ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭା ପଠାଇ ରାଜ୍ୟ ଶାସକ ଦଳ ବିପୁଳ ଭାବରେ ଭର୍ତ୍ସନାର ଶିକାର ହୋଇଥିଲା। ସେହିଭଳି ରାଜ୍ୟସଭାକୁ ରାଜନୀତିକ ନେତାମାନଙ୍କ ଥଇଥାନ ଗୃହ ଭାବେ ବ୍ୟବହାର କରି ମଧ୍ୟ ଓଡ଼ିଶାର ସଚେତନ ନାଗରିକମାନଙ୍କ ଦ୍ବାରା ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ କ୍ରମାଗତ ନିନ୍ଦିତ ହେଉଥିଲା।

 

୨୦୧୮ ଏକ ଐତିହାସିକ ବର୍ଷ ହୋଇଯାଇଛି ଓଡ଼ିଶାର ରାଜ୍ୟସଭା ପ୍ରତିନିଧିତ୍ବ ପାଇଁ। କାରଣ ତିନି ଜଣ ପରିପକ୍ବ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଯାଇଛି, ଯଥା:- ସୌମ୍ୟରଂଜନ ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ ଓ ପ୍ରଖ୍ୟାତ ଚଳଚ୍ଚିତ୍ରକାର ପ୍ରଶାନ୍ତ ନନ୍ଦ। ଏଥିରୁ ପ୍ରଥମ ଦୁଇ ଜଣଙ୍କ ଚୟନକୁ ନେଇ ରାଜ୍ୟର ସଚେତନ ନାଗରିକ ବେଶି ମନ୍ତବ୍ୟ ଝାଡ଼ିଛନ୍ତି। ତେବେ ରାଜ୍ୟର ସ୍ବାର୍ଥକୁ ନୂଆଦିଲ୍ଲୀରେ ଉପସ୍ଥାପନ କରିବା ପାଇଁ ଏ ତିନି ଜଣଙ୍କର ସାମର୍ଥ୍ୟ ରହିଛି। ବିଶେଷତଃ ସୌମ୍ୟ ବାବୁଙ୍କର ଉଭୟ ଇଂଲିଶ୍ ଓ ହିନ୍ଦୀ ଭାଷାରେ ଭଲ ଦଖଲ ରହିଛି। ଡ. ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କ ନାମରେ ଥିବା ଦୁର୍ନୀତି ମାମଲା ପାଇଁ ବହୁସଂଖ୍ୟାରେ ନାଗରିକମାନେ ନାରାଜ ଅଛନ୍ତି। ଓଡ଼ିଶାର ପ୍ରଥମ ଘରୋଇ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ଭାରତର ପ୍ରଥମ ଘରୋଇ ଜନଜାତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ହୋଇ ସୁଦ୍ଧା ଅଚ୍ୟୁତ ବାବୁ ଜମି ହଡ଼ପ ମାମଲାରେ ଛନ୍ଦି ହୋଇଥିବାରୁ ରାଜ୍ୟସଭା ସଦସ୍ୟତା ତାଙ୍କ ସୁରକ୍ଷା ପାଇଁ ଘଣ୍ଟ ଭଳି କାମ ଦେବ କି ସେ ଅଧିକ ଘାଣ୍ଟି ହେବେ, ତାହା ସମୟ କହିବ। ସେହିଭଳି ପ୍ରଶାନ୍ତ ବାବୁ ମନ୍ତ୍ରୀ ଥିବା ବେଳେ ଦୁର୍ତୀତି ମାମଲାରେ ଛନ୍ଦି ହୋଇ ମନ୍ତ୍ରୀତ୍ବ ହରାଇଥିଲେ। ତାହାର ଉତ୍ତର ପାଇବାକୁ ଏବେ ଓଡ଼ିଶାର ଜନତା ଅପେକ୍ଷା କରିଛନ୍ତି।

 

ଅତୀତରେ ରାଜ୍ୟସଭାକୁ କିଏ କେବେ ଯାଉଥିଲେ, ତାହା ଉପରେ ରାଜ୍ୟବାସୀ ପୂରାପୂରି ଅଜ୍ଞ ରହୁଥିଲେ। ଗଣମାଧ୍ୟମରେ କେବଳ ସଦସ୍ୟ ହେବା ବେଳେ ଏବଂ ସେହି ଆସନରୁ ଅବସର ନେବା ବେଳେ କୁନି କୁନି ଖବର ବାହାରୁଥିଲା। ଦିନକୁ ଦିନ ଟେଲିଭିଜନ, ଇଣ୍ଟରନେଟ୍ ଓ ସ୍ମାର୍ଟଫୋନର ବ୍ୟାପକ ବ୍ୟବହାର ଫଳରେ ରାଜ୍ୟସଭା ସଦସ୍ୟମାନେ ଟାଇମ୍ ପାସ୍ କରିବାର ସୁଖକୁ ପୂରାପୂରି ଭୋଗ କରି ପାରୁ ନାହାନ୍ତି। ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ଲାଗୁ ହେବା ପରଠୁ ୧୧୫ ଜଣ ବ୍ୟକ୍ତି ରାଜ୍ୟସଭାକୁ ଓଡ଼ିଶାରୁ ପ୍ରତିନିଧିତ୍ବ କରିସାରିଛନ୍ତି। ତହିଁରୁ ଏକାଧିକ ବ୍ୟକ୍ତି ଦୁଇଥର ବା ତିନିଥର ପ୍ରତିନିଧିତ୍ବ କରିଛନ୍ତି। ବିଂଶ ଶତାବ୍ଦୀରେ ବହୁ ଅନାମଧ୍ୟେୟ ବ୍ୟକ୍ତି ମଧ୍ୟ ରାଜ୍ୟସଭାକୁ ଯାଇ ତାହାକୁ ଚାକିରି ଭଳି ଭୋଗ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ୩ ଜଣ ରାଜନେତା ମଧ୍ୟ ବିଭିନ୍ନ ସମୟରେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ବିଜୁ ପଟ୍ଟନାୟକ (୧୩.୫.୧୯୭୧ରୁ ୬.୧୦୧୯୭୧) ଅଳ୍ପଦିନ ପାଇଁ ଉଚ୍ଚସଦନରେ ବସିଥିବା ବେଳେ ବିଶ୍ବନାଥ ଦାସ (୩.୪.୧୯୫୪ରୁ ୨.୪.୧୯୬୬) ଓ ନନ୍ଦିନୀ ଶତପଥୀ (୩.୪.୧୯୬୨ରୁ ୨.୪.୧୯୭୪) ପୂରାପୂରି ଦୁଇଟି କାର୍ଯ୍ୟକାଳ (୧୨ ବର୍ଷ) ରାଜ୍ୟସଭାରେ ବସିଛନ୍ତି। ରାଜ୍ୟସଭାକୁ ରାଜ୍ୟ ବାହାରର ପ୍ରାୟ 6 ଜଣ ବ୍ୟକ୍ତି ଓଡ଼ିଶାରୁ ପ୍ରତିନିଧିତ୍ବ କରିଛନ୍ତି।

 

କେତେ ଜଣ ସ୍ବାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ଜନନାୟକଙ୍କ ବ୍ୟତୀତ କାଳକାଳ ଧରି ଉଲ୍ଲେଖଯୋଗ୍ୟ ବ୍ୟକ୍ତିମାନଙ୍କୁ ରାଜ୍ୟସଭାକୁ ପଠାଇବାର ପରମ୍ପରା ରହିଆସିଛି। ଯଦି ଗତ ୨୫ ବର୍ଷକୁ ସଚେତନତାର ସମୟରେଖା ରୂପେ ନିଆଯାଏ, ତେବେ ଏହା ମଧ୍ୟରେ ବି ଏକାଧିକ ସଦସ୍ୟ ଲଗାତାର କାର୍ଯ୍ୟକାଳ ଭୋଗ କରିଛନ୍ତି। ସେମାନେ ହେଲେ ଦିଲ୍ଲୀପ ରାୟ (୩.୪.୧୯୯୬ରୁ ୨.୪.୨୦୦୮), ବୈଜୟନ୍ତ ପଣ୍ଡା (୪.୪.୨୦୦୦ରୁ ୩.୪.୨୦୧୨), ରୁଦ୍ରନାରାୟଣ ପାଣି (୨୪.୬.୨୦୦୪ରୁ ୩.୪.୨୦୧୨), ରାମଚନ୍ଦ୍ର ଖୁଣ୍ଟିଆ (୨.୭.୧୯୯୮ରୁ ୨.୪.୨୦୧୪), ଓ ପ୍ୟାରୀମୋହନ ମହାପାତ୍ର (୨.୭.୨୦୦୪ରୁ ୧.୭.୨୦୧୬)। ତେବେ ସେବାନିବୃତ୍ତ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ଟିକଟ ଦେଇ ନୂଆଦିଲ୍ଲୀ ପଠାଇବା ପରେ ଏହି ଉଚ୍ଚସଦନ ଏକ ଆଂବୁଲ ପାଲଟିଗଲା। କାରଣ ଅନେକ ସେବାନିବୃତ୍ତ ଅଣରାଜନୀତିକ ବରିଷ୍ଠ ନାଗରିକ ଏଥିପ୍ରତି ଲାଳାୟିତ ହେଲେ। ଯଦିଓ ପ୍ୟାରୀମୋହନ ପୂର୍ବତନ ଆଇଏଏସ ଅଧିକାରୀ ରୂପେ ଟିକଟ ହାସଲ କରିବାରେ ପ୍ରଥମ ଓଡ଼ିଆ ନୁହନ୍ତି, ତେବେ ସେ ବିଜଦର ଉପଦେଷ୍ଟା ରୂପେ ବେଶ୍ ଚର୍ଚ୍ଚିତ ଥିଲେ। ଆଉ ରାଜ୍ୟସଭାକୁ ଯିବାରୁ ଜନମାନସରେ ବିଜଦର ଚାଣକ୍ୟ ରୂପେ ପରିଚିତ ହୋଇଗଲେ। କାରଣ ଓଡ଼ିଶା ଇତିହାସରେ ସର୍ବାଧିକ ସଫଳ ପ୍ରାଦେଶିକ ଦଳ ବିଜଦର ପ୍ରତିଟି ସଫଳତା ପଛରେ ପ୍ୟାରୀ ହିଁ ଥିଲେ ମାଷ୍ଟର ମାଇଣ୍ଡ। ତେବେ ୨୦୧୮ ମସିହାରେ ବିଜଦ ସୁପ୍ରିମୋ କୌଣସି ସେବାନିବୃତ୍ତ ପ୍ରାଶାସନିକ ଅଧିକାରୀ ଅବା ସେବାନିବୃତ୍ତ ସେନା ଅଧିକାରୀଙ୍କୁ ରାଜ୍ୟସଭା ଟିକଟ ନଦେଇ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏହାକୁ କୌଣସି ସମୀକ୍ଷକ ବା ସାମ୍ବାଦିକ ଆଜି ସୁଦ୍ଧା ନଜର ଦେଇ ନାହାନ୍ତି।

 

ପ୍ରାଦେଶିକ ରାଜନୀତିକ ଦଳ (ବିଜଦ) ଜାଣତରେ ହେଉ ଅବା ଅଜାଣତରେ ହେଉ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଆଉ ଏକ ଧ୍ୟାନ ଆକର୍ଷକ କାର୍ଯ୍ୟ କରିଛି, ତାହା ହେଉଛି - ପଶ୍ଚିମ ଓଡ଼ିଶାର ତିନି ଜଣ ବିଦାୟୀ ସଦସ୍ୟ(ଆଚାରୀ ଭେଙ୍କଟ ସ୍ବାମୀ, ଦିଲ୍ଲୀପ ତିର୍କୀ, ଓ ଅନଙ୍ଗ ଉଦୟ ସିଂହଦେଓ)ଙ୍କ ସ୍ଥାନରେ ପୂର୍ବ ଓଡ଼ିଶାର ତିନି ଜଣ ଶପଥ ନେଲେ। ଫଳରେ ପଶ୍ଚିମ ଓଡ଼ିଶାର କେବଳ ଜଣେ ରାଜ୍ୟସଭା ସାଂସଦ ରହିଲେ - ପ୍ରସନ୍ନ ଆଚାର୍ଯ୍ୟ। ସେହିଭଳି ଦକ୍ଷିଣ ଓଡ଼ିଶାର ମଧ୍ୟ ଜଣେ ରାଜ୍ୟସଭା ସାଂସଦ - ଏନ୍. ଭାସ୍କର ରାଓ। ଆଉ ୮ ଜଣ ଯାକ ପୂର୍ବ ଓଡ଼ିଶାର। ସେମାନଙ୍କ ମଧ୍ୟରୁ କେବଳ ଅବିଭକ୍ତ କଟକ ଜିଲ୍ଲାର ଲୋକ ହେଲେ ୫ ଜଣ। ଅବଶ୍ୟ ଏହାକୁ ଭାରସାମ୍ୟହୀନ କହିବାକୁ କୌଣସି ଗଣମାଧ୍ୟମର ମଗଜରେ ଢୁକି ନାହିଁ। ହୁଏତ ରଣନୀତି ଏମିତି ହୋଇପାରେ - ୨୦୧୯ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ବାଜି ଲାଗିବ, ଯେଉଁଥିରେ ବିଜଦ ଓ ଭାଜପାର ହାସଲ ହାର ୧୪୭ରୁ ୭୦:୫୦ ଅବା ୬୦:୪୦ ଅଥବା ଏହାର ବିପରୀତ ଅଙ୍କ ହୋଇପାରେ। ସେତେବେଳେ ବିଜଦ ନିଜର ୨୦୩୬ ସ୍ବପ୍ନକୁ ଚରିତାର୍ଥ କରିବାକୁ ଏବଂ ଝୁଲା ବିଧାନସଭା ଏଡ଼ାଇବାକୁ ନିର୍ବାଚନ-ପରବର୍ତ୍ତୀ ମେଣ୍ଟ କରିପାରେ, ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ନହୋଇ କିଙ୍ଗମେକର ପାଲଟି ଯାଇ ରାଜ୍ୟସଭାକୁ ଆଶ୍ରା ରୂପେ ବାଛିପାରନ୍ତି। ଭାଜପା ସେଇ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ଆଖେଇ ଥିବାରୁ, ବିଜଦ-ଭାଜପା ମେଣ୍ଟ ସରକାର ହେବାର ଅନୁମାନ ଅଧିକ ପ୍ରାସଙ୍ଗିକ ଲାଗୁଛି।

 

ସବୁଠୁ ବେଶି ସମାଲୋଚନାର ଶରବ୍ୟ ହୋଇଛନ୍ତି ସୌମ୍ୟ ବାବୁ। କାରଣ ରାଧାନାଥ ରଥଙ୍କ ଅନ୍ତେ କୌଣସି ଗଣମାଧ୍ୟମର ମୁଖିଆ ଭାବେ ଓଡ଼ିଶାରେ ସର୍ବାଧିକ ଗୃହିତ ଓ ଆଦୃତ ବ୍ୟକ୍ତିତ୍ବ ହୋଇଯାଇଥିଲେ ସୌମ୍ୟ ରଂଜନ। ୧୯୯୦ ମସିହା ପରଠୁ ନିରବଚ୍ଛିନ୍ନ ଭାବେ ସରକାରଙ୍କୁ ସମ୍ବାଦ ଜରିଆରେ ରଚନାତ୍ମକ ସମାଲୋଚନା କରି ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିଥିଲେ। ବିଭିନ୍ନ ସଂଗଠନ ଗଢ଼ି ରକ୍ତଦାନ, ଓଡ଼ିଆ ଭାଷା, ଚାଷୀ, ଶିକ୍ଷକ, ପଂଚାୟତ ପ୍ରତିନିଧି, ଯାତ୍ରାପାର୍ଟି ଇତ୍ୟାଦିର ସ୍ବାର୍ଥ ଉପରେ ଅନେକ କାର୍ଯ୍ୟ କରିବା ସହ ଆମ ଓଡ଼ି ପାର୍ଟି ମଧ୍ୟ ଗଢ଼ିଛନ୍ତି। ଏବେ ବିଜଦରେ ଯୋଗ ଦେଇ ରାଜ୍ୟସଭାକୁ ଯାଉଥିବାରୁ ନିଜର ମୌଳିକ ସ୍ବର ହଜାଇଦେବେ ବୋଲି ଆଶଙ୍କା କରି ତାଙ୍କର ହଜାର ହଜାର ପ୍ରଶଂସକ ବିଚଳିତ ହୋଇ ପଡ଼ିଛନ୍ତି। ତେଣୁ ରାଜ୍ୟସଭା ସଦସ୍ୟତାକୁ ସୌମ୍ୟ ବାବୁ ଏକ ବିଶ୍ରାମ ଯୋଗ ରୂପେ ଗ୍ରହଣ କରି ଚୁପ୍ ରହିପାରିବେ ନାହିଁ।

 

ନବାଗତ ତିନିଜଣ ସଦସ୍ୟ ସାଂସଦଙ୍କ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି (ଏମପିଲାଡ)ର ବାର୍ଷିକ ୫ କୋଟି ଟଙ୍କାର ବିନିଯୋଗ ପାଇଁ କେଉଁ ଜିଲ୍ଲାକୁ ପୋଷ୍ୟ ଜିଲ୍ଲା ରୂପେ ଗ୍ରହଣ କରିବେ, ତାହା ହୁଏତ କେତେକ ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠିପାରେ। ତେବେ ଏଥିରେ ଦ୍ବିମତ ନାହିଁ ଯେ ନୟାଗଡ଼ ଜିଲ୍ଲାକୁ ସୌମ୍ୟରଂଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲାକୁ ଅଚ୍ୟୁତ ସାମନ୍ତ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ପ୍ରଶାନ୍ତ ନନ୍ଦ ନିଜନିଜର ପୋଷ୍ୟ ଜିଲ୍ଲା ରୂପେ ଘୋଷଣା କରିପାରନ୍ତି। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରୁ ବିଧାୟକ ହେବା ପାଇଁ ଦେଢ଼ ଦଶନ୍ଧି ଧରି ଉଦ୍ୟମ କରି ବିଫଳ ହେବା ପରେ ସୌମ୍ୟରଂଜନ ନିଜର ଆବେଗକୁ ରୂପରେଖ ଦେବାକୁ ନୟାଗଡ଼କୁ ହିଁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରିପାରନ୍ତି। ତେବେ ନୟାଗଡ଼ ଓ ନୟାଗଡ଼(କେନ୍ଦୁଝର ଜିଲ୍ଲା) ମଧ୍ୟରେ ରେଳଗାଡ଼ି ଚଳାଚଳ ସମ୍ଭବ କରାଇପାରିଲେ, ତାହା ସୌମ୍ୟରଂଜନଙ୍କ ସବୁଠୁ ସ୍ମରଣୀୟ ଅବଦାନ ହେବ।

 

୪ ଏପ୍ରିଲ୍ ୨୦୧୮ ପରଠାରୁ ଯେଉଁ ୧୦ ଜଣ ଓଡ଼ିଶାର ରାଜ୍ୟସଭା ସଦସ୍ୟ ରହିଲେ ସେମାନେ ହେଲେ ୧. ପ୍ରସନ୍ନ ଆଚାର୍ଯ୍ୟ, ୨. ଅନୁଭବ ମହାନ୍ତି, ୩. ସରୋଜିନୀ ହେଂବ୍ରମ୍, ୪. ପ୍ରତାପ କେଶରୀ ଦେବ, ୫. ରଂଜୀବ ବିଶ୍ବାଳ, ୬. ନରେନ୍ଦ୍ର କୁମାର ସ୍ବାଇଁ, ୭ . ନେକାନ୍ତି ଭାସ୍କର ରାଓ, ୮.ସୌମ୍ୟରଂଜନ ପଟ୍ଟନାୟକ, ୯. ପ୍ରଶାନ୍ତ ନନ୍ଦ ଓ ୧୦. ଅଚ୍ୟୁତ ସାମନ୍ତ।

 

ଏହାପରେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିଥିବା ମୁଣ୍ଡଗଣତି ସଂଖ୍ୟା ୧୧୮ ହୋଇଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top