ବଢ଼ୁଛି ବିଜେପି, ଛିଡ଼ୁଛି କଂଗ୍ରେସ

News Story - Posted on 2018-04-05

ପ୍ରଦେଶ କଂଗ୍ରେସ ନେତୃତ୍ୱ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟରେ କେଉଁ ଦଳର ଲାଭ କରୁଛି ତାହା ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦ ଭୋଟ ଫଳାଫଳରୁ ବେଶ ସ୍ପଷ୍ଟ । କଂଗ୍ରେସର ଦିଲ୍ଲୀ ହାଇକମାଣ୍ଡ ଯଦି ଭାବୁଥାନ୍ତି ଯେ ନବୀନବାବୁଙ୍କୁ ସନ୍ତୁଷ୍ଟ କରି ବିଜେପିକୁ ରୋକି ହେବ ତେବେ ସେମାନେ ଓଡ଼ିଶା ନିର୍ବାଚନ ଫଳ ଉପରେ ନିରପେକ୍ଷ ଭାବେ ସମୀକ୍ଷା କରିବା ଦରକାର । ସେହିପରି ନବୀନବାବୁ ଯଦି ଭାବୁଥିବେ ବିଜେପିର କଂଗ୍ରେସମୁକ୍ତ ଭାରତ ଡାକରାକୁ ସାକାର କରି ସେ ନିଜର ସ୍ଥିତି ବଜାୟ ରଖିବେ ତେବେ ସେ ମଧ୍ୟ ଆଉ ଥରେ ଭାବିବା ଉଚିତ ।

 

ସଦ୍ୟ ସମାପ୍ତ ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦର ଭୋଟ ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ହିନ୍ଦୋଳର ୧୬ଟି ୱାର୍ଡ଼ରୁ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ୧୪ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ଦୁଇଟି ଆସନ ଅକ୍ତିଆର କରିଛି । କଂଗ୍ରେସ ଏଠାରୁ ମୂଳପୋଛ ହୋଇଯାଇଛି ।

 

ତେବେ ଏଠାକାର ଭୋଟହାର ଉପରେ ସବୁ ଦଳ ସମୀକ୍ଷା କରିବା ଉଚିତ । ହିନ୍ଦୋଳରେ ବିଜୁ ଜନତା ଦଳ ମୋଟ ୪୧୪୪ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ଭାରତୀୟ ଜନତା ପାର୍ଟି ୨୫୬୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସ ପାଇଛି ମାତ୍ର ୨୧୯ ଖଣ୍ଡ ଭୋଟ । ଏହି ନିର୍ବାଚନରେ ବିଜେଡିର ପାଇଥିବା ଭୋଟ ହାର ହେଉଛି ୫୧ ପ୍ରତିଶତ । ୨୦୧୩ ନିର୍ବାଚନରେ ଏହି ଦଳ ସେଠାରେ ୩୫ ପ୍ରତିଶତ ଭୋଟ ପାଇଥିଲା । ୨୦୧୩ ନିର୍ବାଚନରେ କଂଗ୍ରେସ ହିନ୍ଦୋଳରେ ୩୧ ପ୍ରତିଶତ ଭୋଟ ପାଇଥିଲା । ଏଥର ଏହି ହାର ୩ ପ୍ରତିଶତକୁ ଖସି ଆସିଛି । ଅନ୍ୟପକ୍ଷରେ ବିଜେପିର ଭୋଟହାର ୧୧ ପ୍ରତିଶତରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି ।

 

୨୦୧୩ ତୁଳନାରେ ବିଜେଡିର ଭୋଟହାର ୧୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ବିଜେପିର ୨୧ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ କଂଗ୍ରେସ ଭୋଟହାର ୨୦୧୩ ତୁଳନାରେ ୨୦୧୮କୁ ୨୮ ପ୍ରତିଶତ ହ୍ରାସ ପାଇଛି । ଏଥିରୁ ବେଶ ସ୍ପଷ୍ଟ ଯେ ହିନ୍ଦୋଳରେ ବିଜେଡିର ଭୋଟ ଅଭିବୃଦ୍ଧି ତୁଳନାରେ ବିଜେପି ଭୋଟହାର ଅଭିବୃଦ୍ଧି ୫ ପ୍ରତିଶତ ଅଧିକ । ଏହା ନିଶ୍ଚୟ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ହେବ ।

 

ସେହିପରି ଅତାବିରା ଏନଏସିର ମୋଟ ୧୨ ଆସନରେ ବିଜୁ ଜନତା ଦଳ ବିଜୟୀ ହୋଇଛି । ଏଠାରେ ବିଜେପି ଓ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି । କିନ୍ତୁ ଭୋଟହାର ଦୃଷ୍ଟିରୁ ଏଠି ମଧ୍ୟ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟ ଉଲ୍ଲେଖନୀୟ । ଏହି ଏନଏସରେ ବିଜେଡି ମୋଟ ୫୭୫୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୨୪୯୭ ଖଣ୍ଡ ଏବଂ କଂଗ୍ରେସ ୧୨୦୧ ଖଣ୍ଡ ଭୋଟ ପାଇଛି । ଏଠାରେ ବିଜେଡିର ଭୋଟହାର ୬୦ ପ୍ରତିଶତ, ବିଜେପିର ୨୫ ପ୍ରତିଶତ ଓ କଂଗ୍ରେସର ୧୨ ପ୍ରତିଶତ । ୨୦୧୩ ନିର୍ବାଚନରେ ଏଠାରେ ବିଜେଡିର ଭୋଟହାର ୪୪ ପ୍ରତିଶତ ଥିଲାବେଳେ କଂଗ୍ରେସ ୩୮ ପ୍ରତିଶତ ଏବଂ ବିଜେପିର ୬ ପ୍ରତିଶତ ଥିଲା । ଏଠାରେ ମଧ୍ୟ କଂଗ୍ରେସ ୨୬ ପ୍ରତିଶତ ଭୋଟ ହରେଇଥିବାବେଳେ ବିଜେଡି ୧୬ ପ୍ରତିଶତ ଓ ବିଜେପି ୧୯ ପ୍ରତିଶତ ଭୋଟ ଅଧିକ ପାଇଛି ।

 

ଏହି ଦୁଇ ଏନଏସି ନିର୍ବାଚନରୁ ଏହା ସ୍ପଷ୍ଟ ଯେ ଏ ଦୁଇଟି ନଗରରେ ବିଜେପିର ଅଭ୍ୟୁଦୟ ଦ୍ରୁତ ଓ ଦୃଶ୍ୟମାନ । ଦୁଇଟି ଯାକ ଏନଏସିରେ ଶାସକ ବିଜୁ ଜନତା ଦଳର ଭୋଟସଂଖ୍ୟା ଓ ହାର ବୃଦ୍ଧି ପାଇଛି ସତ ତେବେ ସେହି ତୁଳନାରେ ବିଜେପିର ଭୋଟସଂଖ୍ୟା ଓ ହାର ଅଧିକ ବୃଦ୍ଧି ପାଇଛି । ଉଭୟ ସ୍ଥାନରେ କଂଗ୍ରେସ ଲୋପ ପାଇଛି କହିଲେ ଚଳେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top