ଓଡ଼ିଆଙ୍କ ଦକ୍ଷତାର ପ୍ରକାଶ କୋଣାର୍କ

News Story - Posted on 2018-04-01

ଓଡ଼ିଶାର ଅତୀତକୁ ଭବିଷ୍ୟତ ପିଢିକୁ ଭେଟି ଦେବାର ଅନନ୍ୟ ପ୍ରୟାସ ହେଉଛି କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବା ଇଂଟରପ୍ରିଟେସନ୍ ସେଂଟର । ଏହି ସେଂଟରକୁ ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଶ୍ରୀ ପ୍ରଧାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବସ୍ ଷ୍ଟାଣ୍ଡ, କାର୍, ତିନି ଚକିଆ ଓ ଦୁଇ ଚକିଆ ଯାନ ରହଣୀ ସ୍ଥାନ, ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶ୍ରାମ ସ୍ଥାନ ସହ ସୁନ୍ଦର ବଗିଚା ଓ ଜଳାଶୟ ଆଦିକୁ ଏହି ଅବସରରେ ଲୋକାର୍ପିତ କରିଛନ୍ତି ।

 

ପବିତ୍ର ଉକ୍ରଳ ଦିବସରେ କୋଣାର୍କ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରଠାରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି କୋଣାର୍କ ଏକ ଭଗ୍ନସ୍ତୁପ ନୁହେଁ । ଏହା ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ । କୋଣାର୍କକୁ ମୁଣ୍ଡି ମାରିଥିବା ଧରମାର ବଳିଦାନ ସହ ଯୋଡ଼ି ହୋଇଥିବା ଏହି ଭାସ୍କର୍ଯ୍ୟ ଭରା ସ୍ମାରକ ଓଡ଼ିଆ ଯୁବକର ସାମୂହିକ ସ୍ୱାର୍ଥ ପାଇଁ ତ୍ୟାଗର ପ୍ରତୀକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି କୋଣାର୍କ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ବିଶ୍ୱ ଜନ ଜୀବନର ଜୀବନ୍ତ ଇତିହାସର କଥା ।

 

ସେ କହିଛନ୍ତି କୋଣାର୍କକୁ ନେଇ ଓଡ଼ିଆ ଲୋକମାନେ ଗର୍ବ କରିବା ଉଚିତ ଓ ବିଶ୍ୱବାସୀଙ୍କୁ କୋଣାର୍କର ମହନୀୟତା ସମ୍ବନ୍ଧରେ ଅବଗତ କରାଇବା ଉଚିତ । ଲୋକାର୍ପିତ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ରର ପାଂଚୋଟି ଗ୍ୟାଲେରୀ ପଦ୍ମବିଭୁଷଣ ତଥା କୋଣାର୍କ ମନ୍ଦିର ନିର୍ମାଣ କରିଥିବା ନିଖୁଣ ଓଡ଼ିଆ ଶିଳ୍ପୀଙ୍କ ଦାୟାଦ ରଘୁନାଥ ମହାପାତ୍ରଙ୍କର ବିଚକ୍ଷଣ ସ୍ଥାପତ୍ୟରେ ମହିମା ମଣ୍ଡିତ ହୋଇଛି । ଏହି ବ୍ୟାଖ୍ୟାନ କେନ୍ଦ୍ରରେ ୧୨/୧୫ ମିନିଟ୍ ର ଏକ ପ୍ରାମାଣିକ ଚିତ୍ର ଚଳଚ୍ଚ୍ରିତ ଜଗତର ସୁନାମ ଧନ୍ୟ ବ୍ୟକ୍ତିତ୍ୱ ଶିଶିର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଆନିମେସନ୍ ଚିତ୍ର ଦ୍ୱାରା କୋଣାର୍କର ପ୍ରସ୍ତୁତି ଓ ବୈଜ୍ଞାନିକ ପୃଷ୍ଠଭୂମି ଏହି ପ୍ରାମାଣିତ ଚିତ୍ର ଦ୍ୱାରା ବୁଝାଇବା ଅତ୍ୟନ୍ତ ସହଜ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି କୋଣାର୍କ ବିଶ୍ୱ ସ୍ଥାପତ୍ୟର ଅନନ୍ୟ କେନ୍ଦ୍ର । ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହାୟତାରେ କୋଣାର୍କ ଠାରେ ଅନ୍ତଃରାଷ୍ଟ୍ରୀୟ ମାନର ମୂର୍ତି କଳା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସେ ଦେଶର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଭାବେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଓଡ଼ିଶାର ଇତିହାସ ୧୦୦ ବର୍ଷର ନୁହେଁ ଏହା ହଜାର ହଜାର ବର୍ଷ ଧରି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । କଳିଙ୍ଗ ଯୁଦ୍ଧରୁ ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ଦିଗବିଜୟୀ ସାମ୍ରାଜ୍ୟ ଓ ଓଡ଼ିଆ ସାଧବ ପୁଅର ବିଦେଶରେ ବାଣିଜ୍ୟ ଓଡ଼ିଆଙ୍କ ସଫଳତାର ପରିଚୟ । ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୁହ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ କୋଣାର୍କର ସ୍ଥାପତ୍ୟର ପ୍ରଶଂସା ଶୁଣିଛନ୍ତି ।

 

ବିକାଶର ରାସ୍ତାରେ ଯିବା ବେଳେ କିଛି ମୂଳ କଥା ଭୁଲିଗଲେ ହେବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସ୍ଥାନୀୟ ଜନ ଜୀବନରେ ଅଲିଭା ଛାପ ଛାଡ଼ିଥିବା ଉକ୍ରଳମଣି ଗୋପବନ୍ଧୁଙ୍କର ସୁଆଣ୍ଡ ଗାଁର ଅବସ୍ଥା କ’ଣ ଅଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । କୋଣାର୍କର ବିନ୍ଧାଣୀ ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ତ୍ରୀ ସିବେଇ ସାଆନ୍ତରାଙ୍କ ଗାଁର ଚିହ୍ନବର୍ଣ୍ଣ ଅଛି କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଏସବୁ ଓଡ଼ିଆ ଗୌରବ ଚିହ୍ନକୁ ସମ୍ମାନିତ କରିଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀ ପ୍ରଧାନ ।

 

ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ମୂଳ ପୁଞ୍ଜି ସମୁଦ୍ର । ମୋଦି ସରକାର ଦୀଘାରୁ ଗୋପାଳପୁର ୪୫୦ କିମି ଲମ୍ବର ତଟ ରାଜପଥ ନିର୍ମାଣ କରୁଛନ୍ତି । ଏହା ହେଲେ ଚିଲିକାରେ ପୋଲ ହେବ । ବ୍ରହ୍ମପୁରକୁ ଦୂରତା କମିବ । ଅବହେଳାରେ ଥିବା କୃଷ୍ଣପ୍ରସାଦ ବ୍ଲକ ବିକାଶର ମୁଖ୍ୟଧାରରେ ଯୋଡ଼ି ହେବ । ଶ୍ରୀ ପ୍ରଧାନ କହିଛନ୍ତି କୋଣାର୍କ ସହ ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି । ଏସଆଇ ତରଫରୁ ସ୍ଥାନୀୟ ଫଟୋଗ୍ରାଫର ମାନଙ୍କୁ କୋଣାର୍କ ଭିତର ଅଂଚଳରେ ଫଟୋ ଉଠାଇବାକୁ ବନ୍ଦ କରାଯିବ ନାହିଁ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଛୋଟ ବ୍ୟବସାୟୀ ଓ ଟୁରିଷ୍ଟ୍ ଗାଇଡ଼୍ ଆକାରରେ ସୁରକ୍ଷିତ ରଖିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ଭାରତ ସରକାରଙ୍କ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ ଏହି ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ଉତ୍ସବରେ ଭୁବନେଶ୍ୱର ପ୍ରତିନିଧି ଶ୍ରୀଗେରି ଆୟୋଗି, ଭାରତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀର ଅଦ୍ୱୈତ ଗଡ଼ନାୟକ, ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଇଣ୍ଡିଆନ୍ ଅଏଲ୍ର ଅଧ୍ୟକ୍ଷ ଶ୍ରୀ ସଂଜିବ ସିଂ, ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ରଂଜନ ମହାପାତ୍ର, ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜେ ସି ନାକରା ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ତ ଅଧିକାରୀ ଯୋଗ ଦେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top