ଓଡ଼ିଶା ଦରିଦ୍ର, ତେଣୁ ସ୍ୱତନ୍ତ୍ର!

News Story - Posted on 2018-03-30

ଗୋଲକ ବିହାରୀ ନାୟକ

 

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗକ ନେଇ ଓଡ଼ିଶା ସମେତ ସମଗ୍ର ଦେଶରେ ରାଜନୀତି ଧୀରେ ଧୀରେ ଜୋର୍ ଧରିଲାଣି । କେନ୍ଦ୍ରର ଏନଡ଼ିିଏ ସରକାର ଏଥିପାଇଁ ଅକଳରେ ପଡ଼ୁଥିବା ଜାଣି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ ଆରମ୍ଭ କରିଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ନିକଟରେ ଏନଡିଏ ହାତ ଛାଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପରେ ପୁଣିଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏନଡିଏର ଅନ୍ୟତମ ସହଯୋଗୀ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ପ୍ରସଙ୍ଗକୁ ଛାଡ଼ିନାହାଁନ୍ତି ବୋଲି ରୋକଠୋକ ଜଣାଇଲେଣି ।

 

ସ୍ୱତନ୍ତ୍ର ପାହ୍ୟା ମାନ୍ୟତା କ’ଣ?

 

ଯେଉଁ ରାଜ୍ୟ ବର୍ଷ ବର୍ଷ ଧରି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅନୁନ୍ନତ ଅବସ୍ଥାରେ ପଡ଼ିରହିଥାଏ ତାହାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାର ବ୍ୟବସ୍ଥା ରହିଛି । ଜାତୀୟ ଉନ୍ନୟନ ପରିଷଦ (ଏନ୍.ଡ଼ି.ସି.) ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତି । ପର୍ବତମାଳାରେ ପରିପୂର୍ଣ୍ଣ ଦୁର୍ଗମ ଅଂଚଳରେ ଜନସଂଖ୍ୟା କମ୍ ଓ ସ୍ୱଳ୍ପ ସମ୍ପଦ ବିଶିଷ୍ଟ ଦେଶର ସୀମାନ୍ତବର୍ତ୍ତୀ ଅଂଚଳରେ ଅବସ୍ଥିତ, ଅର୍ଥନୈତିକ ଓ ଭିତ୍ତିଭୂମି ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ଏବଂ ଆଦିବାସୀ ବହୁଳ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଯାହା ହୋଇଥାଉନା କାହିଁକି ତାହାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯାଏ । ଦେଶରେ ପ୍ରଥମଥର ଲାଗି ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯାଇଥିଲା । ପରେ ଅନ୍ୟ ୧୦ଟି ରାଜ୍ୟ ଏହି ମାନ୍ୟତା ଲାଭ କରିଛନ୍ତି । ୨୦୧୦ରେ ଶେଷଥର ଲାଗି ଉତ୍ତରାଖଣ୍ଡକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

 

ସ୍ୱତନ୍ତ୍ର ପାହ୍ୟା ରାଜ୍ୟକୁ କି ସୁବିଧା ମିଳିବ?

 

୧. କେନ୍ଦ୍ରୀୟ ଆର୍ଥିକ ସହଯୋଗ ପ୍ରଦାନରେ ଅଗ୍ରାଧିକାର ।
୨. ରାଜ୍ୟ ପ୍ରତି ଶିଳ୍ପଗୁଡ଼ିକୁ ଆକର୍ଷଣ କରିବା ନିମିତ୍ତ ଉତ୍ôପାଦନ ଶୁକ୍ଳରେ ରିହାତି ।
୩. କେନ୍ଦ୍ର ସରକାରଙ୍କ ମୋଟ୍ ବଜେଟ୍ର ୩୦% ସିଧାସଳଖ ସ୍ୱତନ୍ତ୍ର ରାଜ୍ୟଗୁଡ଼ିକୁ ମିଳିବ ।
୪. କେନ୍ଦ୍ରୀୟ ଅଥବା ବିଦେଶୀ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକରେ ରାଜ୍ୟ ୧୦% ଅର୍ଥ ବବିନିଯୋଗ କରିବ, ବାକି ୯୦% ଅର୍ଥ କେନ୍ଦ୍ର ସହାୟତା ଆକାରରେ ଉପଲବ୍ଧ ହେବ ।
୫. ଋଣ ଅଦଳ ବଦଳ ଏବଂ ଋଣ ଛାଡ଼ ଯୋଜନାରୁ ସୁବିଧା ଲାଭ କରିବ ।
୬. ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଶୁକ୍ଳ ରିହାତି ।
୭. ରାଜ୍ୟର ଚାଷୀମାନଙ୍କୁ ଅଧିକ ସବସିଡ଼ି ଦିଆଯାଏ ।

 

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ୧୯୬୯ ମସିହାରୁ ଦାବି ହୋଇ ଆସୁଅଛି । ଯେତେବେଳେ ଯେଉଁ ଦଳର ସରକାର କେନ୍ଦ୍ରରେ କ୍ଷମତାରେ ରହିଛି ସମସ୍ତେ ଓଡ଼ିଶାର ଏହି ଦାବିକୁ ଆଦୌ ଗୁରୁତ୍ୱ ଦେଇନାହାଁନ୍ତି । ୧୯୭୯ ମସିହାରେ ମଧ୍ୟ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଏହି ଦାବି ଉଠାଇଥିଲେ ଜାତୀୟ ଉନ୍ନୟନ ପରିଷଦ ବୈଠକରେ । ଏହାପରେ ୧୯୯୧ ମସିହା, ୧୯୯୩ ମସିହା, ୧୯୯୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପିତ କରିଥିଲେ । ୧୯୯୭ ମସିହାରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି ପ୍ରଦାନ ପାଇଁ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇ କେନ୍ଦ୍ରକୁ ଦିଆଯାଇଥିଲା ।

 

ଏହାପରେ ୨୦୦୧ ମସିହା ମଇ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପତ୍ର ଲେଖି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । ୨୦୦୬ ମସିହା ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । ୨୦୧୧ ମଇ ମାସରେ ପାଟନାଠାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ହୋଇଥିଲା । ଏହାଛଡ଼ା ୨୦୧୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ଲୋକସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ସମ୍ପର୍କୀୟ ପ୍ରସ୍ତାବ ଉପରେ ଭୋଟ ଦିଆଯାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ମାତ୍ର ୭୭ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୨୨ ଖଣ୍ଡ ଭୋଟ୍ ମିଳିଥିଲା । ୨୦୧୮ ଫେବୃୟାରୀ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ନିକଟରେ ଭୁବନେଶ୍ୱରଠାରେ ଏହି ଦାବି ଉପସ୍ଥାପିତ କରିଥିଲେ ।

 

ଏବେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର ସ୍ୱତନ୍ତ୍ର ପାହ୍ୟା ନିମନ୍ତେ ଦାବି କରୁଛନ୍ତକି ସମସ୍ତ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବା ଅତ୍ୟନ୍ତ ଜରୁରୀ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଥିବା ୧୧ଟି ରାଜ୍ୟର ସୀମାନ୍ତରେ ସାମରିକ ଉତ୍ତେଜନା ଲାଗି ରହିଥିବା ବେଳେ ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୭ଟି ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଏବଂ ଅନ୍ତର୍ଘାତୀ କାର୍ଯ୍ୟ ଲାଗିରହିଛି । ଏହା ସୀମାନ୍ତ ଅଂଚଳର ଉତ୍ତେଜନା ଠାରୁ କମ୍ ନୁହେଁ । ମାଓବାଦୀମାନଙ୍କ ଆକ୍ରମଣର ସମ୍ମୁଖୀନ ହେବା ରାଜ୍ୟ ପୋଲିସ୍ ପକ୍ଷରେ ସମ୍ଭବ ନୁହେଁ । ଅନ୍ୟପକ୍ଷରେ ୪୮୦ କିଲୋମିଟର ସମୁଦ୍ର ତଟ ଓଡ଼ିଶାରେ ଅବସ୍ଥିତ । ସମୁଦ୍ର ତଟରେ ବାହ୍ୟ ଶତ୍ରୁ ଆକ୍ରମଣର ସମସ୍ତ ସମ୍ଭାବନା ସବୁବେଳେ ରହିଅଛି । ଓଡ଼ିଶା ଏକ ପଛୁଆ ଅନଗ୍ରସର ରାଜ୍ୟ ବୋଲି କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଉଛି । ଓଡ଼ିଶାରେ ଧର୍ମାନ୍ତୀକରଣ, ଜାତିଆଣ ସଂଘର୍ଷ ଏବଂ ୨୨ ପ୍ରତିଶତ ଆଦିବାସୀଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶା ସରକାର ସମ୍ବଳ ଯୋଗଡ଼ କରିପାରୁ ନାହାଁନ୍ତି । ଭାରତ ସରକାରଙ୍କ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ଓଡ଼ିଶାର ପ୍ରାୟ ଅଧେ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି । ରାଜ୍ୟର ୩୮ଭାଗ ଲୋକ ଆଦିବାସୀ ଏବଂ ହରିଜନ । ଏଠାରେ ମୁଣ୍ଡପିଛା ଆୟ ସବୁଠାରୁ କମ୍ । ରାଜ୍ୟର ଦୁଇ ତୃତୀୟାଂଶ ଅଂଚଳ ପାହାଡ଼ିଆ ଏବଂ ଦୁର୍ଗମ । ଓଡ଼ିଶା ହେଉଛି ଦେଶର ଦରିଦ୍ରତମ ରାଜ୍ୟ । ସବୁ ସମୟରେ ଏହା ବନ୍ୟା, ବାତ୍ୟା, ମରୁଡ଼ି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ । ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଲୋକ ପେଟ ବିକଳରେ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟମାନଙ୍କୁ ଚାଲି ଯାଆନ୍ତି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମଧ୍ୟ ନଗଣ୍ୟ । ଯେଉଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ପାହ୍ୟା ମିଳିଛି ସେମାନଙ୍କଠାରୁ ଓଡ଼ିଶାର ଅବସ୍ଥା ଅଧିକ ଖରାପ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା ଉତ୍ତର ପୂର୍ବ ଭାରତର ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ଅରୁଣାଚଳ ପ୍ରଦେଶ, ସିକିମ୍ ଓ ତ୍ରିପୁରା । ଅନ୍ୟ ତିନୋଟି ରାଜ୍ୟ ହେଲେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ । ଏସବୁ ରାଜ୍ୟର ଲୋକଙ୍କ ମୁଣ୍ଡପିଛା ଆୟ, ଓଡ଼ିଆଙ୍କ ମୁଣ୍ଡପିଛା ଆୟଠାରୁ ଯଥେଷ୍ଟ ଅଧିକ ।

 

ଓଡ଼ିଶା ଦେଶର ଦରିଦ୍ରତମ ରାଜ୍ୟ ଏକଥା କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ସ୍ୱୀକାର କରୁଛନ୍ତି । ଅଥଚ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଦରିଦ୍ର ଥିବା ରାଜ୍ୟଗୁଡ଼ିକୁ ଜାତୀୟ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଯେଉଁ ସାମ୍ବିଧାନିକ କର୍ତ୍ତବ୍ୟ ରହିଛି ତାହାକୁ କେନ୍ଦ୍ର ସରକାର ଓଡ଼ିଶା କ୍ଷେତ୍ରରେ ପାଳନ କରୁନାହାଁନ୍ତି । କେନ୍ଦ୍ର ସରକାର ଏକ ପକ୍ଷରେ ଓଡ଼ିଶା ଉପରେ ଗରିବ ରାଜ୍ୟର ମୋହର ମାରି ସ୍ୱାଭିମାନୀ ଓଡ଼ିଆଙ୍କୁ ତାତ୍ସଲ୍ୟ କରୁଛନ୍ତି ଓ ଅନ୍ୟପକ୍ଷରେ ଏହି ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ନ ଦେବା ପାଇଁ ଷଡ଼ଯନ୍ତ୍ର ଜାରି ରଖିଛନ୍ତି ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ /ଅଏଲ୍ ଓଡ଼ିଶା
ଫୋନ୍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top