କାନଫଟା ନୀରବତା

News Story - Posted on 2018-03-27

ସନ୍ଦୀପ ସାହୁ

 

ପକ୍ଷପାତିତାର ଅଭିଯୋଗରେ ଓଡିଶାର ସବୁଠାରୁ ଲୋକପ୍ରିୟ ଟେଲିଭିଜନ ନ୍ୟୁଜ ଚାନେଲର ସମସ୍ତ ଆଲୋଚନାଭିତ୍ତିକ କାର୍ଯ୍ୟକ୍ରମକୁ ବର୍ଜନ କରି ରାଜ୍ୟ ଇତିହାସର ସବୁଠାରୁ ଦୀର୍ଘସ୍ଥାୟୀ ଓ ଲୋକପ୍ରିୟ ସରକାର ଗଢିଥିବା ଦଳ ଏକ ବିରଳ ଉଦାହରଣ ପ୍ରସ୍ତୁତ କରିଛି। ରାଜ୍ୟ ଇତିହାସରେ ପ୍ରଥମଥର ପାଇଁ କୌଣସି ଶାସକ ଦଳ ଏକ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଏଭଳି ପଦକ୍ଷେପ ନେଇ ଏକ ଅସୁସ୍ଥ ଓ ଅନନୁକରଣୀୟ ପରମ୍ପରା ସୃଷ୍ଟି କରିଛି ଯାହା ଗଣତନ୍ତ୍ର ଓ ବାକସ୍ବାଧୀନତା ପାଇଁ ଆଦୌ ଶୁଭଂକର ନୁହେଁ।

ଅତୀତରେ ଅନୌପଚାରିକ ଭାବରେ କୌଣସି ଦଳ ସାମିୟକ ଭାବରେ କୌଣସି ଗଣମାଧ୍ୟମ ସଂସ୍ଥାକୁ ବା ନିର୍ଦିଷ୍ଟ ସାମ୍ବାଦିକଙ୍କୁ ଯେ ବର୍ଜନ କରିନାହିଁ, ତା ନୁହେଁ। ବର୍ତମାନ ମଧ୍ୟ ଏଭଳି କିଛି ଅନ୍ୟ ଦଳ ଓ ଅନ୍ୟ ଟିଭି ଚାନେଲ କ୍ଷେତ୍ରରେ ହେଉ ନାହିଁ, ତା ବି ନୁହେଁ। କିନ୍ତୁ ଏ କ୍ଷେତ୍ରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ବିଜୁ ଜନତା ଦଳ (ବିଜେଡି) ପାଇଁ  କେବଳ ଓଟିଭିକୁ ବର୍ଜନ କରିବା ଯଥେଷ୍ଟ ନ ଥିଲା; ଅନୌପଚାରିକତାର ସୀମା ଡେଇଁ ବିଧିବଦ୍ଧ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସାରା ଓଡିଶାକୁ ଜଣାଇ ଦେବା ତତୋଧିକ ଜରୁରୀ ଥିଲା। ବିଜେଡି ନିଜ 18 ବର୍ଷର ଶାସନ ମଧ୍ୟରେ ପ୍ରଥମଥର - ତା ପୁଣି ନିର୍ବାଚନର ବର୍ଷକ ପୂର୍ବରୁ - ଏଭଳି ଏକ ପଦକ୍ଷେପ ନେଇ ମିଡିଆ ବ୍ୟାପାରରେ ନିଜର ନିଷ୍କଳଙ୍କ (ସାମଗ୍ରିକ ଭାବରେ) ଭାବମୂର୍ତ୍ତିରେ କଳା ଦାଗ ଲଗାଇବାକୁ ମଧ୍ୟ ପଶ୍ଚାଦପଦ ହେଲା ନାହିଁ, ତାହା ହିଁ ପ୍ରମାଣ କରୁଛି ଯେ କେବଳ ପକ୍ଷପାତ ନୁହେଁ, ଓଟିଭି ତାଠାରୁ ଯଥେଷ୍ଟ ଅଧିକ ଗୁରୁତର ଓ ଅକ୍ଷମଣୀୟ ଅପରାଧ କରିଛି।

ବର୍ଜନ ନିଷ୍ପ ି ଘୋଷଣା କରିବା ପାଇଁ ଆହୂତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ଓଟିଭି ବିରୁଦ୍ଧରେ ଅଭିଯୋଗ ବାଢିଲେ ଯେ ବିଗତ ପ୍ରାୟ ଦୁଇ ମାସ ଧରି ଏହି ଚାନେଲ ବାରମ୍ବାର ସରକାର ଓ ସରକାରୀ ଦଳକୁ କାଠଗଡ଼ାରେ ଛିଡା କରିବାକୁ ଚେଷ୍ଟା କରୁଛି। ଏଥିରୁ ଦୁଇଟି ପ୍ରଶ୍ନ ଉଠୁଛି। ପ୍ରଥମ, ସରକାର ଓ ସରକାରୀ ଦଳକୁ କାଠଗଡ଼ାରେ ଛିଡା କରିବା ମୁକ୍ତ ଓ ନିରପେକ୍ଷ ଗଣମାଧ୍ୟମର କର୍ତ୍ତବ୍ୟ ନୁହେଁ କି ? ଦ୍ବିତୀୟ, ବିଜେିର 18 ବର୍ଷ ଶାସନକାଳରେ କୌଣସି ଗଣମାଧ୍ୟମ ସଂସ୍ଥା ସରକାର ଓ ଶାସକ ଦଳକୁ କାଠଗଡ଼ାରେ ଠିଆ କରିବାର ଏହା କଣ ପ୍ରଥମ ଉଦାହରଣ? ଯଦି ନା, ତେବେ ଏଭଳି ଏକ ପଦକ୍ଷେପ ନେବା ଓ ତାହା ଔପଚାରିକ ଭାବେ ଘୋଷଣା କରିବା କାହିଁକି ଜରୁରୀ ହୋଇ ପଡିଲା ?

ଏହାର ଉତ୍ତର ଜାଣିବା ପାଇଁ ଆମକୁ ବିଜେଡିର ଏ ନିଷ୍ପତ୍ତି ଘୋଷଣାର ପୂର୍ବର ଘଟଣାକ୍ରମକୁ ମନେ ପକାଇବାକୁ ହେବ। ନିୟମିତ ଓଟିଭି ଦେଖୁଥିବା ଯେ କୌଣସି ସଚେତନ ଦର୍ଶକ ଠିକ ଅନୁମାନ କରିପାରିବ ଯେ ଯେଉଁ ନିର୍ଦିଷ୍ଟ ସମ୍ବାଦଟି ବିଜେଡିକୁ ଏତେ ମାତ୍ରାରେ ଉତକ୍ଷିପ୍ତ ଓ ପ୍ରତିକ୍ରିୟାଶୀଳ କରି ଦେଲା, ତାହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ 10 ବର୍ଷ ତଳେ ଗଞ୍ଜାମ ଜିଲ୍ଲାପାଳ ଥିବାବେଳର ଏକ ଘଟଣା, ଯେଉଁଥିରେ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ ତାଙ୍କ ବିରୁଦ୍ଧରେ 2 ଲକ୍ଷ ଟଙ୍କା ଲାଂଚ ମାଗିଥିବା ଓ ଲାଂଚ ନ ଦେବାରୁ ତାଙ୍କୁ ଚରମ ନିର୍ଯାତନା ଦେଇଥିବାର ଅଭିଯୋଗ ଆଣିଥିଲେ। ଲକ୍ଷ୍ୟ କରିବାର କଥା ଯେ ମାର୍ଚ୍ଚ 17 ତାରିଖରେ ଏହି ଖବର ଓଟିଭିରେ ପ୍ରାସାରିତ ହେଲା ଏବଂ ଏହାର ଠିକ ଚାରି ଦିନ ପରେ ଅର୍ଥାତ 21 ତାରିଖରେ ବିଜେଡି ନିଜ ବାସନ୍ଦ ନିଷ୍ପତ୍ତି ଘୋଷଣା କଲା। ଏହି ସମୟ ମଧ୍ୟରେ ବା ଏହାର ଅବ୍ୟବହିତ ପୂର୍ବରୁ ଏଭଳି ଅନ୍ୟ କୌଣସି ଘଟଣା ଘଟି ନାହିଁ ଯାହା ଶାସକ ଦଳକୁ ବର୍ଜନ ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିବ।

ଏବେ ଆଉ କିଛି ଦିନ ତଳକୁ ଫେରିବା। ବିଜେପୁର ଉପନିର୍ବାଚନ ପୂର୍ବରୁ ଓଟିଭି ବିରୁଦ୍ଧରେ ପେଡ ନ୍ୟୁଜ (କିଣା ସଂବାଦ) ପରିବେଷଣର ଅଭିଯୋଗ ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା। ଏହାପୂର୍ବର ଘଟଣାକ୍ରମକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡେ ଯେ ଏ ଘଟଣାରେ ମଧ୍ୟ ବିଜେଡ଼ିର କ୍ରୋଧର ପ୍ରକୃତ କାରଣ ଥିଲା ଓଟିଭିର ମାଲିକାନା ଥିବା ପରିବାରର ଦାୟାଦ ଓ ବିଜେିର ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ବାରା ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପାଣ୍ଡିୟାନଙ୍କ ମାତ୍ରାଧିକ ହସ୍ତକ୍ଷେପ ଅଭିଯୋଗ ସମ୍ବଳିତ କେତେକ ଟ୍ବିଟ ଓ ଏହି ମର୍ମରେ ଓଟିଭିରେ ପ୍ରସାରିତ କିଛି ଖବର। ଅବଶ୍ୟ ମୁଖ୍ୟମନ୍ତ୍ରୀ ଏ ଅଭିଯୋଗକୁ ଖଣ୍ଡନ କରିଥିଲେ ଓ କହିଥିଲେ ଯେ କିଛି ଲୋକଙ୍କ ପାଖରେ ଯେତେ ବେଳେ କିଛି କାମ ନ ଥାଏ ସେତେବେଳେ ସେମାନେ ତାଙ୍କ ଦପ୍ତର ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଥାନ୍ତି। କିନ୍ତୁ ବିଜେଡି ଓଟିଭି ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବା ଘଟଣାର ପାଣ୍ଡିଆନଙ୍କ ବିରୁଦ୍ଧରେ ଉଠିଥିବା ଅଭିଯୋଗ ସହ କୌଣସି ସମ୍ପର୍କ ନାହିଁ, ତାହା ପ୍ରମାଣ କରିବାରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଯଥେଷ୍ଟ ହେଲାନାହିଁ; ଏନେଇ ସନ୍ଦେହ ତଥାପି ରହି ଗଲା।

ଉଲ୍ଲେଖଯୋଗ୍ଯ ଯେ ଓଟିଭି ବିରୁଦ୍ଧରେ ଏଭଳି ଗୁରୁତର ଅଭିଯୋଗ (ଯାହା ପ୍ରମାଣ କରିବା ପାଇଁ କେବଳ ସଂବାଦ ପରିବେଷଣରେ ପକ୍ଷପାତର ଦୃଷ୍ଟାନ୍ତ ଯଥେଷ୍ଟ ନୁହେଁ, ବରଂ ଅର୍ଥ ଦେଣନେଣର ଅକାଟ୍ୟ ପ୍ରମାଣ ଆବଶ୍ୟକ) ପରେ ମଧ୍ୟ ବିଜେଡି ଓଟିଭିର ଆଲୋଚନା କାର୍ଯ୍ୟକ୍ରମକୁ ନିଜ ମୁଖପାତ୍ରମାନଙ୍କୁ ପଠାଇବା ବନ୍ଦ କରି ନ ଥିଲା। କିନ୍ତୁ ଗତ 17 ତାରିଖରେ ଓଟିଭି ପାଣ୍ଡିଆନଙ୍କ ସମ୍ପର୍କରେ ଯେଉଁ ଖବର ପ୍ରସାରଣ କଲା, ତାପରେ ବିଜେିର ଧୈର୍ଯ୍ୟଚ୍ୟୁତି ଘଟି ଥିବା ପରି ମନେହୁଏ।

ଏଭଳି ଏକ ଖବର ପ୍ରସାରଣ କରିବାର ସମୀଚିନତା ଉପରେ ଇତି ମଧ୍ୟରେ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି। ଏହା ସାମ୍ବାଦିକତାର ଏଥିକ୍ସର ବିରୁଦ୍ଧାଚରଣ କରୁଛି ବୋଲି ଅନେକ ଲୋକ ମତ ଦେଇଛନ୍ତି। ଅନ୍ୟ କିଛି ଲୋକ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭିର ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।  ଏ ସମସ୍ତ ଅଭିଯୋଗ ଓ ପ୍ରଶ୍ନ ଯୁକ୍ତିସଙ୍ଗତ ନିଶ୍ଚୟ। କିନ୍ତୁ ଏହାଠାରୁ ବଡ ପ୍ରଶ୍ନ ହେଉଛି ଯେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ନିଜ ପଛରେ ଅଛି ବୋଲି ଦାବି କରୁଥିବା ଶାସକ ଦଳ ଗୋଟିଏ ଚାନେଲର ପକ୍ଷପାତରେ ଏତେ ବ୍ୟତିବ୍ୟସ୍ତ ହୋଇ ପଡିଲା କାହିଁକି ? ଏଥିପାଇଁ ଗୋଟିଏ ଗଣମାଧ୍ୟମ ସଂସ୍ଥାକୁ ବର୍ଜନ କରିବା ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନେବା କେତେ ଦୂର ସ୍ପୃହଣୀୟ? ଯେଉଁ ଅଭିଯୋଗ ଓଟିଭି ଓ ବୈଜୟନ୍ତ ପଣ୍ଡା କରି ଆସୁଥିଲେ, ଏଭଳି ଚରମ ପଦକ୍ଷେପ ନେଇ ବିଜେଡି ତାହା ପରୋକ୍ଷରେ ସ୍ବୀକାର କରିନାହିଁ କି ? ପ୍ରକୃତରେ ଯଦି ପାଣ୍ଡିଆନଙ୍କ ବିରୁଦ୍ଧରେ ଉଠିଥିବା ଅଭିଯୋଗ ନୁହେଁ, ବରଂ ଓଟିଭିର ପକ୍ଷପାତ ଓ ସରକାର ଓ ସରକାରୀ ଦଳକୁ କାଠଗଡ଼ାରେ ଠିଆ କରିବା ହିଁ ବିଜେଡି କ୍ଷୁବ୍ଧ ହେବାର ଏକମାତ୍ର କାରଣ, ତେବେ ତାହାର ସମାଧାନ ଅନ୍ୟ ଅନେକ ବାଟରେ କରା ଯାଇପାରିଥାନ୍ତା। ଦଳ ତରଫରୁ - ଏପରିକି ସରକାରଙ୍କ ତରଫରୁ ମଧ୍ୟ - ଏକ ସ୍ପଷ୍ଟୀକରଣ ଜରିଆରେ ଏହାକୁ ଖଣ୍ଡନ କରା ଯାଇ ପାରିଥାନ୍ତା (ଯେହେତୁ ସରକାରୀ ନିୟମରେ ବନ୍ଧା ପାଣ୍ଡିଆନ ନିଜେ ଏ ଅଭିଯୋଗର ଉତ୍ତର ରଖିପାରିବେ ନାହିଁ); ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଜବାବ ଦିଆ ଯାଇପାରିଥାନ୍ତା; ପ୍ରେସ କାଉନ୍ସିଲରେ ଅଭିଯୋଗ କରା ଯାଇପାରିଥାନ୍ତା। ସର୍ବୋପରି କୌଣସି ଚାନେଲ ପକ୍ଷପାତ ଅବଲମ୍ବନ କରୁଛି କି ନାହିଁ, ତାର ବିଚାର ଶାସକ ଦଳ ନିଜେ ନ କରି ଚାନେଲର ଦର୍ଶକଙ୍କ ଉପରେ ଛାଡିଦେବା ଉଚିତ ହୋଇ ନ ଥାନ୍ତା କି ? କିନ୍ତୁ ଏସବୁ ନ କରି ବର୍ଜନ ଭଳି ଚରମ ନିଷ୍ପତ୍ତି ନେବା ପଛରେ ଦୁଇଟି ସମ୍ଭାବ୍ୟ କାରଣ ଥାଇପାରେ। ପ୍ରଥମ, ନିଜର ସମସ୍ତ ବାହାସ୍ଫୋଟ ସତ୍ତ୍ବେ ବିଜେଡି ଆଗାମୀ ନିର୍ବାଚନ ଜିତିବା ସମ୍ପର୍କରେ ସ୍ଥିରନିଶ୍ଚିତ ହୋଇ ପାରୁନାହିଁ। ଏବଂ ଦ୍ବିତୀୟ, କ୍ରମାଗତ 18 ବର୍ଷ କ୍ଷମତାରେ ରହିବା ପରେ ଦଳ ନିଜ ଅହଂକାରରେ ଆଉ ସାମାନ୍ୟତମ ସମାଲୋଚନା ବରଦାସ୍ତ କରିବା ପାଇଁ ପ୍ରସ୍ତୁତ ନୁହେଁ। ଏ ଦୁଇଟି ମଧ୍ୟରୁ ଯେଉଁଟି ସତ୍ୟ ହେଲେ ବି ଏହା ବିଜେଡିକୁ କୌଣସିମତେ ଗୌରବାନ୍ବିତ କରୁନାହିଁ।

ଶେଷରେ ଏ ଘଟଣାରେ ସାମଗ୍ରିକ ଭାବେ ଓଡିଶା ଗଣମାଧ୍ୟମର ଆଭିମୁଖ୍ୟ ସମ୍ପର୍କରେ ପଦେ। ମୋଦୀ ସରକାରଙ୍କ ଦ୍ବାରା ଏନଡିଟିଭିକୁ ଦିନକ ପାଇଁ ବ୍ୟାନ କରିବା, ବାଙ୍ଗାଲୋରରେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ଓ ଅନ୍ୟ ରାଜ୍ୟରେ ଗଣମାଧ୍ୟମର କଣ୍ଠରୋଧ ପାଇଁ ହେଉଥିବା ଉଦ୍ୟମ ବିରୁଦ୍ଧରେ ବିନା ଦ୍ବିଧାରେ ବ୍ୟାନର, ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇ ପଡୁଥିବା ଆମ ସାମ୍ବାଦିକ ସମାଜ ନିଜ ରାଜ୍ୟର ଏକ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଶାସକ ଦଳର ଏ ଅଗଣତାନ୍ତ୍ରିକ ପଦକ୍ଷେପ ସମ୍ପର୍କରେ ଏକ କାନଫଟା ନୀରବତା ଅବଲମ୍ବନ କରିଛି। ଏପରିକି କୌଣସି ସାମ୍ବାଦିକ ୟୁନିୟନ ବା ପ୍ରେସ କ୍ଲବ ଏ ସମ୍ପର୍କରେ ପାଟି ଖୋଲିବା ଜରୁରୀ ମନେ କରିନାହାନ୍ତି। ଗଣମାଧ୍ୟମର ସ୍ବାଧୀନତା ପାଇଁ ବିଜେଡିର ବର୍ଜନ ନିଷ୍ପତ୍ତି ଅପେକ୍ଷା ଏହା ଆହୁରି ଚିନ୍ତାଜନକ।

 

ସି/2, ଲିଙ୍ଗରାଜ ବିହାର, ଭୁବନେଶ୍ବର - 20;

ମୋବାଇଲ- 9937228122।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top