ଜାଲିଆତର ବାହାଘର ତାମସା

News Story - Posted on 2018-03-08

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ପ୍ରଥମେ ଆକ୍ସନ୍, ପରେ ଇମୋସନ୍ ଓ ତାପରେ ରିଆକ୍ସନ୍ । ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ । ପୂରା ଘଟଣା କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଏଭଳି ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ଅଂଚଳରେ । ଏନେଇ ଗତ କେଇ ଦିନ ହେଲା ଚର୍ଚ୍ଚା ଜୋର ଧରିଛି ।

 

ଟାଙ୍ଗରପାଲୀ ଥାନା ଲେବର କଲୋନୀର ଅର୍ସୁଲ ପଣ୍ଡାଙ୍କ ଝିଅର ବିବାହ ଥିଲା ବନ୍ଧମୁଣ୍ଡା ଥାନା ଚମ୍ପାଗଡ଼ ବସ୍ତିର ଶଙ୍କର ପଣ୍ଡାଙ୍କ ସହ । ତେବେ ବରଯାତ୍ରୀରେ ଆସିଥିବା ଲୋକେ ଅତ୍ୟଧିକ ମଦ ପିଇ ଗଣ୍ଡଗୋଳ କରିବା ସହ କନ୍ୟାପକ୍ଷଙ୍କୁ ଅସଭ୍ୟ ଆଚରଣ କରିଥିଲେ । ଏହି କାରନାମାରେ ଖୋଦ ବର ମଧ୍ୟ ସାମିଲ ଥିଲେ । ବର ଶଙ୍କର ପଣ୍ଡା ମଦ ପିଇ ମାତାଲ ହୋଇଯାଇଥିଲେ । ସେପଟେ କିନ୍ତୁ ସାମାଜିକ ନିନ୍ଦାକୁ ଖାତିର ନକରି ନିଜେ କନ୍ୟା ବେଦୀରୁ ଉଠିଯିବା ସହ ବାହା ହେବାକୁ ରୋକଠୋକ ମନା କରିଦେଇଥିଲେ । ଫଳରେ ବିବାହ ଅଧାରୁ ଅଟକି ଯାଇଥିଲା ।

 

ଏନେଇ କନ୍ୟାଘର ପକ୍ଷରୁ ଟାଙ୍ଗରପାଲି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବାବେଳେ କାହାଣୀର ଦିଗ ବଦଳି ଯାଇଥିଲା । ହଠାତ୍ ମାତାଲ ବରର ନିଶା ଉତୁରି ଯାଇଥିଲା । ମଙ୍ଗୁଳା କନ୍ୟାକୁ ବିବାହ କରିବା ପାଇଁ ଥାନାରେ କନ୍ୟାପକ୍ଷକୁ କାକୁତି ମିନତି କରିଥିଲା । ଶେଷରେ ସର୍ବସମ୍ମତି କ୍ରମେ କନ୍ୟାପକ୍ଷ ଲୋକେ ବିବାହ ପାଇଁ ରାଜି ହୋଇଥିଲେ । ପୋଲିସ ଉପସ୍ଥିତିରେ ଥାନାରେ ଫୁଲମାଳ ପିନ୍ଧାଇ ବାହା ଘର ସଂପନ୍ନ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ହେବାପରେ କନ୍ୟାଘର ଲୋକେ ମାମଲା ଫେରାଇ ନେଇଥିଲେ ।

 

ଏତିକିରେ କାହାଣୀ ଅଟକି ନଥିଲା । ପୁଣି କାହାଣୀରେ ନୂଆ ଟ୍ୱିଷ୍ଟ ଆସିଥିଲା । ପର ଦିନ ଆଉ ଜଣେ ମହିଳା ନିଜକୁ ଶଙ୍କରଙ୍କ ପ୍ରଥମ ପତ୍ନୀ ବୋଲି ଦାବି କରି ଥାନା ଆଗରେ ନ୍ୟାୟ ପାଇଁ ଧାରଣା ଦେଇଥିଲେ । ଶଙ୍କର ୩ ବର୍ଷ ଧରି ଯୁବତୀଙ୍କ ସହ ସଂପର୍କ ରଖିବା ପରେ ବିବାହ କରିଥିଲେ । ପ୍ରଥମେ ରେଜେଷ୍ଟ୍ରୀ ଓ ପରେ ବେଦୀରେ ବାହାଘର । ପ୍ରାୟ ଦୁଇମାସ ତଳେ ଯୁବତୀ ଜଣଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ମହିଳା ଜଣକ ଗର୍ଭବତୀ ଥିବା ଜଣା ପଡ଼ିଛି । ସ୍ୱାମୀ ଶଙ୍କର ଦ୍ୱିତୀୟ ବିବାହ କରୁଥିବା ଖବର ସେ ଟିଭିରୁ ଦେଖିବା ପରେ ନ୍ୟାୟ ପାଇବା ପାଇଁ ପ୍ରମାଣ ସ୍ୱରୂପ ମ୍ୟାରେଜ ସାର୍ଟିଫିକେଟ୍ ଓ ବାହାଘର ଭିଡିଓ ନେଇ ଟାଙ୍ଗରପାଲି ଥାନାର ଦ୍ୱାରସ୍ଥ ହୋଇଥିଲେ ।

 

ସେପଟେ ପୂରା ଖେଳର ନାୟକ ତଥା ଖଳନାୟକ ଶଙ୍କର ମୋ ଜେଜେମା ମରିଯାଇଛି କହି ପ୍ରଥମ ପତ୍ନୀଙ୍କୁ ନିଜ ମଝିଆ ଭାଇ ଘରେ ଛାଡ଼ି ଚାଲିଆସିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଶେଷରେ କିନ୍ତୁ ଶଙ୍କରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମାର ପର୍ଦ୍ଦାଫାଶ ହେବା ପରେ ନିଜ ଜୀବନକୁ ଖାତିର ନକରି ସେ ପ୍ରଥମ ପତ୍ନୀଙ୍କ ସହ ରହିବାକୁ ସ୍ଥିର କରିଛନ୍ତି । ସେପଟେ ନବବିବାହିତା କନ୍ୟାଙ୍କୁ ପୋଲିସ ବରଘର ବନ୍ଧାମୁଣ୍ଡା ଥାନା ଚମ୍ପାଗଡ଼ ଗାଁରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି । ସ୍ଥାନୀୟ ଅଂଚଳର ଶହ ଶହ ଉତ୍ତ୍ୟକ୍ତ ମହିଳା ଅଭିଯୁକ୍ତକୁ ଆକ୍ରମଣ ପାଇଁ ଥାନାରେ ପଶିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଳ୍ପକେ ମଦୁଆ ଲମ୍ପଟ ଶଙ୍କର ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ।

 

ଝିଅମାନଙ୍କ ଜୀବନ ସହ ଖେଳିବା ତଥା ବାହାଘରକୁ ଖେଳ ଘର ବୋଲି ମନେକରୁଥିବା ଏଭଳି ଠକମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ପୀଡିତାକୁ ନ୍ୟାୟ ଦେବା ଜରୁରୀ ହୋଇପଡିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top