ଶାଶ୍ୱତ ଆନନ୍ଦକୁ ଖୋଜିବାର ପର୍ବ

News Story - Posted on 2018-03-02

ସତ୍ୟବାଦୀ ବଳିଆରସିଂହ

 

ଆମ ଦେଶରେ ବିଭିନ୍ନ ପର୍ବପର୍ବାଣି, ଯାନିଯାତ୍ରା, ପ୍ରଚଳିତ ପରମ୍ପରା, ଚାଲିଚଳନ କିଛି ନା କିଛି ନୂତନ ବାର୍ତ୍ତା ନେଇ ଆସିଥାଏ। ପବିତ୍ର ଫାଲଗୁନ, ଚୈତ୍ରମାସ ଆମକୁ ପହଁଚାଇ ଦିଏ ବିଭୁ ପ୍ରେମର ଅଫୁରନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ। ଋତୁରାଜ ବସନ୍ତର ଆଗମନର ବାର୍ତ୍ତାକୁ ସୂଚାଇ ଦିଏ କୋଇଲିର କୁହୁ କୁହୁ ତାନ ଓ ଆମ୍ରବୃକ୍ଷର ଗହଳିଆ ପତ୍ର ଫାଙ୍କରୁ ପେନ୍ଥା ପେନ୍ଥା ବଉଳ। ଦକ୍ଷିଣା ମଳୟ ଆମ ତନୁ ମନରେ ଭରିଦିଏ ଶାଶ୍ୱତ ଆନନ୍ଦ। ଆଧ୍ୟାତ୍ମିକ ଓ ଶାଶ୍ୱତ ପରିବେଶ ମଧ୍ୟରେ ଦୋଳଯାତ୍ରା ମଧ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରନ୍ତି। ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆରମ୍ଭ ହୁଏ ଦୋଳଯାତ୍ରା। ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରେମମୟୀ ରାଧାଙ୍କ ଠାରେ ସମର୍ପିତ ହୁଏ ଭକ୍ତି ନୈବେଦ୍ୟ। ତା’ସାଙ୍ଗକୁ ଅର୍ପଣ ହୁଏ ଲାଲ ଅବିର ରଙ୍ଗ ଓ ରାସର ପର୍ବ ହୋଲି। ନିତ୍ୟ ପ୍ରେମ ଓ ଶାଶ୍ୱତ ଆନନ୍ଦର ପର୍ବ ହେଉଛି ହୋଲି।

 

ଏହି ଦୋଳ ଉତ୍ସବ ହିନ୍ଦୁ ଜଗତରେ ଏକ ଋତୁଭିତ୍ତିକ ପର୍ବ। ଅତି ପ୍ରାଚୀନ କାଳରୁ ଏହା ବସନ୍ତୋତ୍ସବ ନାମରେ ପ୍ରସିଦ୍ଧି ଲାଭ କରି ଆସିଛି। ଓଡ଼ିଶାରେ ଏହା ହୋଲି ଉତ୍ସବ ନାମରେ ପ୍ରସିଦ୍ଧ। ଫାଲଗୁନ ପୂର୍ଣ୍ଣମୀକୁ ଦୋଳ ପୂର୍ଣ୍ଣମୀ କୁହାଯାଏ। ତା’ ପରଦିନ ଅର୍ଥାତ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ହୋଲି ଉତ୍ସବ ପାଳିତ ହୁଏ। ଶ୍ରୀମନ୍ଦିରରେ ହୋଲି ଉତ୍ସବ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ପୂର୍ଣ୍ଣିମା ପରଠାରୁ ବିଭିନ୍ନ ସ୍ଥାନରେ ତିନିଦୋଳ, ପଂଚୁଦୋଳ, ନଅଦୋଳ, ଦଶଦୋଳ, ପନ୍ଦରଦୋଳ ମଧ୍ୟ ପାଳିତ ହୁଏ। ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଆରମ୍ଭ କରିଥିଲେ ବୋଲି ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି। ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟଙ୍କର ଉତ୍କଳ ଆଗମନ ଫଳରେ ବୈଷ୍ଣବ ଧର୍ମର ବ୍ୟାପକ ପ୍ରଚାର ପ୍ରସାର ଘଟିଥିଲା। ତାଙ୍କରି ପ୍ରାଧାନ୍ୟ ଯୋଗୁଁ ଉତ୍କଳରେ ଦୋଳ ଉତ୍ସବ ସହିତ ଠାକୁର ମେଳଣର ଏକ ପରମ୍ପରା ସୃଷ୍ଟି ହୋଇଛି। ଫଳରେ ଏହା ଉତ୍କଳର ଏକ ପ୍ରଧାନ ପର୍ବ ଭାବେ ଉଭା ହୋଇଛି। ପ୍ରତି ଗ୍ରାମରେ ଠାକୁରଙ୍କ ଫଗୁଖେଳ ଓ ସ୍ଖଚେରୀ ଭୋଗଖିଆର ମହକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି। ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ, ସର୍ବସୁଖ ଘେନିଗଲେ ମଦନ ଗୋପାଳ। ଏହି ଶବ୍ଦ ଗୁଡ଼ିକ ମଧ୍ୟରେ ଅପୂର୍ବ ପୁଲକର ଅନୁଭବ ଆସେ। ଏହା ମଧ୍ୟ ବାର୍ତ୍ତା ଦିଏ, ଅମୃତ ପ୍ରାପ୍ତି, ଈଶ୍ୱର ପ୍ରାପ୍ତି ମନୁଷ୍ୟ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ। ପରମ ବୈଷ୍ଣବ ଅଚ୍ୟୁତାନନ୍ଦ ତାଙ୍କ ଲିଖିତ ଗୋପାଳଙ୍କ ଓଗାଳରେ ଲେଖିଛନ୍ତି - ଏଣୁ ଫଗୁଣର ଦୋଳ ଗୋବିନ୍ଦ ବୋଲାଇ, ଫଗୁ ଖେଳୁଥିବା ଆମେ ଚଉଦୋଳେ ରହି।

 

ଦୋଳ ଉତ୍ସବକୁ ସଂସ୍କୃତରେ ‘ଚର୍ଚ୍ଚରୀ’ ବା ଚାଚେରୀ କୁହାଯାଉଥିବା ବେଳେ ଦେବତାଙ୍କୁ ଅର୍ପଣ କରିଥିବା ଭୋଗକୁ ଚାଚେରୀ ଭୋଗ କୁହାଯାଏ। ଦୋଳ ଓ ହୋଲିକୁ ନେଇ ପୁରାଣ ଓ ଇତିହାସରେ ଅନେକ ଅବତାରଣା ରହିଛି। ପୌରାଣିକ ମତରେ ହିରଣ୍ୟକଶିପୁ ନାମରେ ଏକ ଦୁର୍ଦ୍ଦାନ୍ତ ରାକ୍ଷସ ରାଜା ଥିଲା। ସେ ବ୍ରହ୍ମାଙ୍କ ବଳରେ ବଳୀୟାନ ହୋଇ ନିଜକୁ ବିଷ୍ଣୁଙ୍କ ଠାରୁ ଶକ୍ତିଶାଳୀ ମନେ କରୁଥିଲା।  କିନ୍ତୁ ତା’ର ପୁତ୍ର ପ୍ରହ୍ଲାଦ ଥିଲା ପରମ ବିଷ୍ଣୁ ଭକ୍ତ। ଏଥିରେ ହିରଣ୍ୟକଶିପୁ ରୁଷ୍ଟ ହୋଇ ପ୍ରହଲ୍ଲାଦକୁ ବିଷ ଦେଇ ମାରିବାକୁ ଚେଷ୍ଟା କଲା। ସେଥିରେ ଅସଫଳ ହେବାରୁ ହାତୀର ପାଦତଳେ ଚାପିଲା। ବିଷଧର ସର୍ପଙ୍କ ମେଳରେ ଛାଡ଼ିଲା। ପ୍ରତ୍ୟେକଥର ବିଷ୍ଣୁ ତାକୁ ରକ୍ଷା କରୁଥିଲେ। ଶେଷରେ ପ୍ରହଲ୍ଲାଦକୁ ମାରିବା ପାଇଁ ଦାନବୀ ଭଉଣୀ ହୋଲିକାର ଆଶ୍ରା ନେଲା। ରାକ୍ଷସୀ ହୋଲିକା ଶିବଙ୍କ ଠାରୁ ବର ପାଇଥିଲା ଯେ ସେ ନିଆଁରେ ପୋଡ଼ିବ ନାହିଁ। ତେଣୁ ହୋଲିକା ପ୍ରହଲ୍ଲାଦକୁ ମାରିବା ପାଇଁ ତାକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କଲା। ଅଗ୍ନିର ଲେଲିହାନ ଶିଖାରେ ନିଜେ ପୋଡ଼ି ପାଉଁଶ ହୋଇଗଲା। ଏଣେ ବିଷ୍ଣୁଙ୍କ ଦୟାରୁ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥାରେ ଅଗ୍ନିରୁ ବାହାରିଥିଲା। ଏହାଥିଲା ଆସୁରିକ ଶକ୍ତି ଉପରେ ସତ୍ୟ ଓ ଧର୍ମର ଜୟ। ସେହି ସ୍ମୃତିକୁ ବହନ କରି ହୋଲି ଉତ୍ସବ ପାଳନ ହେଉଛି। ଅନ୍ୟ ଏକ ପୌରାଣିକ ମତରେ ହୋଲିକା ଆସୁରିକ ମାୟା ବିସ୍ତାର କରି ମୁନି ଋଷି ଓ ଦେବଗଣଙ୍କ ଶରୀରରେ ବିଷାକ୍ତ ବିସ୍ଫୋରଣ ସୃଷ୍ଟି କରୁଥିଲା। ଭଗବାନ ଶ୍ରୀକୃଷ୍ଣ ତାକୁ ବଧ କରିବାରୁ ତା’ ଦେହରୁ ପିଚକାରୀ ପରି ରକ୍ତ ବହି ଚାଲିଲା। ହୋଲିର ଅବିର ଓ ରଙ୍ଗ ଏହି ସ୍ମୃତିକୁ ବହନ କରେ। ପିଚକାରୀ, ଫଗୁ ବୋଳାରେ ଚତୁର୍ଦ୍ଦିଗ ରଙ୍ଗୀନ ହୋଇଉଠେ। ହୋଲି ପର୍ବ ମଣିଷ ମନରେ ଆନନ୍ଦ ପ୍ରେମର ସୁଦୃଢ଼ ବନ୍ଧନ ସୃଷ୍ଟି କରିବାରେ କ୍ଷମ ହୋଇଥାଏ।

 

ଦୋଳ ପର୍ବ ସମୟରେ ଗ୍ରାମର ଦେବଦେବୀ କିମ୍ୱା ପଡ଼ୋଶୀ ଗ୍ରାମର ଦେବଦେବୀ ଦୋଳ ବିମାନରେ ଚଢ଼ି ଘରେ ଘରେ ବୁଲି ନୈବେଦ୍ୟ ଗ୍ରହଣ କରିଥାନ୍ତି। ଏହା ଲୋକମାନଙ୍କୁ ଅପୂର୍ବ ଆନନ୍ଦ ଉଳ୍ଲାସରେ ବିଭୋର କରିଥାଏ। ଦୋଳବିମାନ ଘର ଘର ବୁଲି ଚାଚେରୀ ଭୋଗ ଖାଇଲାବେଳେ ସଂକୀର୍ତ୍ତନ ମଣ୍ଡଳୀ ବା ଭଜନ ମଣ୍ଡଳୀ ଦ୍ୱାରା ଠାକୁରଙ୍କ ଗୁଣକୀର୍ତ୍ତନ ଭକ୍ତମାନଙ୍କୁ ବିଭୋର କରିଦିଏ। ଏହି ପର୍ବ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସ୍ନେହ, ପ୍ରେମ, ମୈତ୍ରୀ, ଏକତା ଓ ବନ୍ଧୁତ୍ୱ ସୃଷ୍ଟିକରେ। ଏହା ଆତ୍ମା ସହିତ ପରମାତ୍ମାର ମିଳନ, ଅସୀମ ଭିତରେ ସସୀମର ବିଲୀନ ଓ ନୈସର୍ଗିକ ସୃଷ୍ଟିରେ ଶାଶ୍ୱତ ଆନନ୍ଦକୁ ଖୋଜି ପାଇବାର ପର୍ବ ହେଉଛି ହୋଲି।

 

ସଭାପତି, ବିଷୁବ ମିଳନ ସମିତି, ଖୋର୍ଦ୍ଧା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top