ବ୍ରହ୍ମପୁର ଖାଦ୍ୟ କେତେ ସୁରକ୍ଷିତ?

News Story - Posted on 2018-03-01

ହେମାଙ୍ଗ ପ୍ରସାଦ ରାଉଳ

 

ରେଶମ ନଗରୀ ବ୍ରହ୍ମପୁର ବୁଣାପାଟ ପାଇଁ ବିଶ୍ୱ ପ୍ରସିଦ୍ଧ। ଏଠାରେ ପୂଜିତା ମା’ ଆରାଧ୍ୟା ଠାକୁରାଣୀ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦରୁ ସହରର ପରମାୟୁ ୧୫୦ ବର୍ଷରେ ପାଦ ଥାପିଛି। ନଗର ଆଜି ମହାନଗର ବ୍ରହ୍ମପୁର ମାନ୍ୟତା ପାଇଛି। ଏହା ସହର ଆଉ ଏକ ପରିଚୟ ହେଉଛି ଖାଦ୍ୟ। ଓଡ଼ିଆ ଓ ତେଲୁଗୁଙ୍କ ଜୀବନ ଧାରଣ ପ୍ରଣାଳୀରେ ଏଠାକାର ସାହିତ୍ୟ ସଂସ୍କୃତ, ଉତ୍ସବ, ମହୋତ୍ସବରେ ଖାଦ୍ୟର ସଂପର୍କ ଅତି ନିବିଡ଼। ଏଠାକାର ଦୋସା, ଇଡ଼ିଲି, ସାମ୍ୱାରୁ, ବରା ଠାରୁ ଆରମ୍ଭ କରି ବ୍ୟଞ୍ଜନର ସ୍ୱାଦକୁ ନେଇ ସବୁଠି ଚର୍ଚ୍ଚା। ବାହାରୁ ଆସୁଥିବା ଖାଦ୍ୟପ୍ରେମୀଙ୍କ ଆସର ପ୍ରତି ହୋଟେଲରେ, ପ୍ରତି ଛକରେ, ପ୍ରତି ରାସ୍ତାରେ ନିଶ୍ଚୟ ଖାଦ୍ୟ ପସରାର ବ୍ୟବସ୍ଥା ବୋଧେ ଭାରତରେ ଦେଖିବାକୁ ବିରଳ।

 

ସଂପ୍ରତି ମହାନଗର ହେବାପରେ ଏଠାକାର ଲୋକ ସଂଖ୍ୟାର ଦ୍ରୁତ ଗତିରେ ବୃଦ୍ଧି ପାଇଛି କିନ୍ତୁ ମଣିଷଙ୍କର ସ୍ୱାସ୍ଥ୍ୟ, ପରିବେଶ, ଆଚାର, ବିଚାର, ଆହାର, ବ୍ୟବହାରକୁ ନେଇ ସବୁବେଳେ ଝଡ଼ ସୁଷ୍ଟି ହୁଏ। ସ୍ୱାସ୍ଥ୍ୟକୁ ନେଇ ସହରବାସୀ ଚିନ୍ତିତ। ଏଠାରେ ବହୁ ସଂଗଠନ ପ୍ରତିଦିନ ଆନ୍ଦୋଳନ କରନ୍ତି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ କିନ୍ତୁ ସ୍ପର୍ଶକାତର ମଧ୍ୟ ଆହାର, ଖାଦ୍ୟକୁ ନେଇ ଆମର ସଚେତନତା ଥିବାର ଦୃଷ୍ଟାନ୍ତ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ସହର ସାରା ହୋଟେଲ, ଫାଷ୍ଟ ଫୁଡ଼‌୍‍, ଚିକେନ‌୍‍ ସେଣ୍ଟର, ଗୁପ‌୍‍ଚୁପ‌୍‍, ଚାଟର ବ୍ୟବସ୍ଥା, ମଣିଷ ଯିଏ ଯେଉଁଠି କି ଯିବ ପାଟି ବୁଲାଇବା ପାଇ ସବୁ ଅଛି ଅଥଚ ପାଟି ଭିତରକୁ ଯାଉଥିବା ଖାଦ୍ୟର ସ୍ୱଚ୍ଛତା ନେଇ ବେଳେବେଳ ପ୍ରଶ୍ନ ଉଠେ।

 

ମଣିଷମାନେ ଏଠାରେ ସବୁବେଳେ ସକାଳ ସଂଧ୍ୟ୍ୟାରେ ଜଳଖିଆ ଫାଷ୍ଟ ଫୁଡ଼ ଉପରେ ନିର୍ଭରଶୀଳ। ଖରାବେଳେ ହୋଟେଲର ଗହଳି ପ୍ରାୟ ଶତ ପ୍ରତିଶତ। ମଣିଷ ମାନଙ୍କୁ ଖାଦ୍ୟ ନାମରେ ଯାହା ଦିଆଯାଉଛି ସେ ଖାଦ୍ୟ କି ଅନ୍ୟାନ୍ୟ ତାର ସଠିକ ତଥ୍ୟ ଦେବା ବ୍ୟବସ୍ଥାଟି ଭୁଷୁଡ଼ି ପଡ଼ିଛି। ବହୁ ବଡ଼ ବଡ଼ ଆଭିଜାତ୍ୟ ହୋଟେଲରେ ପନୀର ଖାଦ୍ୟକୁ ନେଇ ସଂଶୟ କେବଳ ଜାତ ହେଉନି ବରଂ ପନିର ନାମରେ ଜହର ମିଶ୍ରିତ ଖାଦ୍ୟ ପରସି ମଣିଷକୁ ରୋଗ ଭିତରକୁ ଫସେଇ ଦିଆଯାଉଛି। ଏ ପ୍ରକାର ତଥ୍ୟ ଭିତରେ ବିପଦପୂର୍ଣ୍ଣ ବ୍ୟବସ୍ଥା ଦାୟୀ। କେବେ କୌଣସି ହୋଟେଲ ଆଜି ଯାଏଁ ରେଡ଼‌୍‍ ହୋଇନି କେବଳ ପ୍ରଶାସନିକ ଉଦାସୀନତା ହେତୁ, କୋଟି କୋଟି ଟଙ୍କା ମଣିଷଙ୍କ ପକେଟ‌୍‍ରୁ ବାର୍ଷିକ ଲୁଟୁଥିବା ଫୁଡ଼‌୍‍ କେପିଟାଲ ସହର ବ୍ରହ୍ମପୁରକୁ ଠାକୁରାଣୀ ସହ୍ୟ ଅଛନ୍ତି ବୋଲି କୌଣସି ଅଘଟଣ ଘଟୁନାହିଁ କିନ୍ତୁ ଘଟିବାର ବି ସମ୍ଭାବନା ବଳବତ୍ତର।

 

ସହରର ଡ୍ରେନଗୁଡ଼ିକ ଉପରେ ମାଳ ମାଳ କ୍ୟାବିନ‌୍‍ ଭିତରେ ଅଖାଦ୍ୟ ପ୍ରସ୍ତୁତ ହୁଏ। ତଳେ ଡ୍ରେନ‌୍‍ ଯାଉଥିବା ଜାଗା କେବିନ‌୍‍ ଥାଇ ହାତରେ ପ୍ଲେଟ ଧରାଇ ଦିଆଯାଏ, ମାଛି ଭଣଭଣ ହେଉଥିଲେ ମଧ୍ୟ କାହାର ନିଘାନାହିଁ, କେବଳ ଫାଷ୍ଟଫୁଡ଼ ସେଣ୍ଟରଙ୍କଠାରୁ ଆସୁଥିବା ପଲିଥିନ‌୍‍ ଜରି ଯଦି ହିସାବ ନିଆଯାଏ ସହର ପଲିଥିନ‌୍‍ ଜରିର କଭର ଉପରେ ଠିଆ ହୋଇଛି। ଏଠାରେ ମଣିଷମାନେ ଯାହା ଖାଆନ୍ତି ଏବଂ ଘରକୁ ନିଅନ୍ତି ପଲିଥିନ‌୍‍ ଜରିରେ। ପଲିଥିନ‌୍‍ ଜରି ଚଢ଼ାଉରେ ଆଖି ଦୃଶିଆ ପଦକ୍ଷେପ ଦେଖାଇ ସହରରେ ଆତଙ୍କର ବାତାବରଣ ସୃଷ୍ଟି କରି ପୁନଶ୍ଚ ପଲିଥିନ‌୍‍ ଜରିର ବ୍ୟାପକ ପ୍ରସାରକୁ ରୋକିବାର ଅସମର୍ଥ ପ୍ରଶାସନ। ବ୍ରହ୍ମପୁରର ୫ ଲକ୍ଷ ଲୋକଙ୍କର ଖାଦ୍ୟ ପାଇଁ ଏଠାରେ ମହଜୁଦ‌୍‍ ଥିବା ସବୁ ବ୍ୟବସ୍ଥାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ଜରୁରୀ, ଆଖାଦ୍ୟକୁ ମୁହଁରେ ଦେଇ ଖାଦ୍ୟ ନାମରେ ଲୁଟ‌୍‍ କରିବା ସହ ଭାଙ୍ଗିଯାଉଥିବା ପରିବେଶର ଶୃଙ୍ଖଳା ବ୍ୟବସ୍ଥାଟିକୁ ଯଦି ସଜାଡ଼ିବାରେ ପ୍ରଶାସନ ଅସମର୍ଥ ମହାନଗର ବ୍ରହ୍ମପୁର ଶ୍ରେଷ୍ଠ ହେବ କେମିତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top