ଆର୍ଥିକ ଦୁର୍ନୀତି, ଦେଶର ଦୁର୍ଗତି

News Story - Posted on 2018-02-17

ସୂର୍ଯ୍ୟମଣି ମିଶ୍ର

 

ପ୍ରାଚୀନ ଭାରତର ମହାନ ଅର୍ଥଶାସ୍ତ୍ରୀ କୌଟଲ୍ୟଙ୍କଠାରୁ ଆଧୁନିକ ଭାରତର ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ ଓ ପ୍ରଭାତ ପଟ୍ଟନାୟକଙ୍କ ଯାଏ ସମସ୍ତଙ୍କର ସମୀକ୍ଷା ହେଉଛି ଯେଉଁଠି ଦୁର୍ନୀତି ସେଇଠି ଦୁର୍ଗତି । ଅର୍ଥ ସମସ୍ତ ଅନର୍ଥର କାରଣ । ଆର୍ଥିକ ପରିଚାଳନାଗତ ତ୍ରୁଟିରୁ ସମସ୍ତ ବିଚ୍ୟୁତି ସମାଜରେ ଦେଖିବାକୁ ମିଳେ । ଯାହା ଆଜି ଦିନରେ ଭାରତ ବର୍ଷରେ ଦେଖିବାକୁ ମିଳୁଛି ।

 

ଓଡ଼ିଆରେ ଗୋଟେ ପ୍ରବାଦ ଅଛି ‘ପଇସା କ୍ୟା ନକରେ କାମ୍‍, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ରାମ’ା ଏବେକାର ଚର୍ଚ୍ଚିତ ଖବର ହେଲା ନିରବ ମୋଦି ଓ ମେହୁଲ ଚୋକସି ନାମକ ଦୁଇଜଣ ବ୍ୟକ୍ତି ଗୋଟିଏ ବ୍ୟାଙ୍କରୁ ୧୧,୪୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକି ନେଇ ପଳାଇଛନ୍ତି ବିଦେଶ । ଗୋଟିଏ ପଟେ ଦେଶର ବ୍ୟାଙ୍କଗୁଡ଼ିକରେ ଅଚଳ ସମ୍ପତ୍ତି (ଏନପିଏ) ପରିମାଣ ୫୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ବ୍ୟାଙ୍କରେ ଠକେଇ ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରଏଟର୍ସ ସୂଚନା ଅଧିକାର ଆଇନ ବଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆଠାରୁ ପାଇଥିବା ତଥ୍ୟ ଅନୁଯାୟୀ ୩୧, ମାର୍ଚ୍ଚ ୨୦୧୭ ମଧ୍ୟରେ ଗତ ୫ଟି ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କରେ ୮୬୭୦ ଠକେଇ ମାମଲା ରୁଜ୍ଜୁ ହୋଇଛି । ଜାଲି ଋଣ ପରିମାଣ ୬୧,୨୦୦ କୋଟି ଟଙ୍କା ହାରାହାରି ବୋଲି କୁହାଯାଉଛି । ଦେଶରେ ମନ୍ଦଋଣ (ବ୍ୟାଡ୍‍ ଲୋନ୍‍) ନୂଆ ରେକର୍ଡ଼ ସୃଷ୍ଟି କରିଛି । ବ୍ୟାଙ୍କରୁ ଗତବର୍ଷ ମଧ୍ୟରେ ୧୪,୯୦୦ କୋଟି ଟଙ୍କା ଠକେଇ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି । ୨୦୧୨-୧୩ରେ ୬,୩୦୦ କୋଟି ଟଙ୍କା ଠକେଇ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏହା ୧୭,୬୦୦ କୋଟିକୁ ବୃଦ୍ଧି ପାଇଛି । ପିଏନବିର ସଦ୍ୟତମ ଠକେଇକୁ ଏଥିରେ ଯୋଡ଼ା ଯାଇନାହିଁ ।

 

ରଏଟର୍ସ ଆରଟିଆଇ ମାଧ୍ୟମରେ ଦେଶର ୨୧ଟି ବ୍ୟାଙ୍କରୁ ତଥ୍ୟ ମାଗିଥିଲା । ୧୫ଟି ବ୍ୟାଙ୍କ ଉତ୍ତର ଦେଇଥିଲେ, ପିଏନବିର ଲୋନ୍‍ ଫ୍ରଡ୍‍ ମାମଲା ସଂଖ୍ୟା ୩୮୯, ଗତ ୫ ବର୍ଷରେ ୬,୫୦୦ କୋଟି ଟଙ୍କା ଠକେଇ ହୋଇଥିଲା । ପିଏନବି ପରେ ବ୍ୟାଙ୍କ ଅଫ ବରୋଦାରେ ଲୋନ୍‍ ଫ୍ରଡ୍‍ ମାମଲା ସଂଖ୍ୟା ୩୮୯, ଠକେଇ ଟଙ୍କାର ପରିମାଣ ୪,୪୦୦ କୋଟି, ବ୍ୟାଙ୍କ ଅଫ ଇଣ୍ଡିଆର ସ୍ଥାନ ଫ୍ରଡ୍‍ ଲୋନରେ ତୃତୀୟ । ଏହି ବ୍ୟାଙ୍କର ଫ୍ରଡ୍‍ ଲୋନ୍‍ ମାମଲା ସଂଖ୍ୟା ୨୩୧, ଟଙ୍କାର ପରିମାଣ ୪ ହଜାର କୋଟି । ଏସବିଆଇର ଫ୍ରଡ୍‍ ମାମଲା ସଂଖ୍ୟା ୧୦୬୯, ଏହା ଗତ ୫ ବର୍ଷ ପୂର୍ବର । ଗତବର୍ଷ କେନ୍ଦ୍ର ସରକାର ବ୍ୟାଙ୍କର ଦୁରବସ୍ଥା ସୁଧାରିବା ପାଇଁ ୩,୨୦୦ କୋଟି ଟଙ୍କା ବେଲ ଆଉଟ୍‍ ପାଇଁ ଆବଣ୍ଟିତ କରିଥିଲେ ।

 

ଅନ୍ୟ ଯେଉଁ ତଥ୍ୟଟି ସାମ୍ନାକୁ ଆସିଛି ତାହା ହେଲା ଏନପିଏ ବା ବ୍ୟାଙ୍କର ଅଚଳ ସମ୍ପତ୍ତିର ତାଲିକା । ଏହି ତାଲିକାରେ ଏସବିଆଇର ଅଚଳ ସମ୍ପତ୍ତି (ଏନପିଏ)ର ପରିମାଣ ୧,୮୮,୦୬୮ କୋଟି । ପିଏନବିର ୫୭,୭୨୧ କୋଟି, ବ୍ୟାଙ୍କ ଅଫ ଇଣ୍ଡିଆର ୫୧,୦୧୯କୋଟି । ଆଇଡିବିଆଇ ବ୍ୟାଙ୍କର ୫୦୧୭୩ କୋଟି, ବ୍ୟାଙ୍କ ଅଫ ବରୋଦାର ୪୬,୧୭୩ କୋଟି, ଆଇସିଆଇସିଆଇ ବ୍ୟାଙ୍କର ୪୩,୧୪୮କୋଟି, କାନାରା ବ୍ୟାଙ୍କର ୩୭,୬୫୮ କୋଟି, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ୩୭,୨୮୬କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୩୫,୪୫୩ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୩୧,୯୮ କୋଟି, ୟୁକୋ ବ୍ୟାଙ୍କର ୨୫,୦୫୪ କୋଟି, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ୨୪,୪୦୯ କୋଟି, ଏକ୍ସିସ ବ୍ୟାଙ୍କର ୨୨,୦୩୧ କୋଟି, କର୍ପୋରେସନ ବ୍ୟାଙ୍କର ୨୧,୭୧୩ କୋଟି, ଆହ୍ଲାବାଦ ବ୍ୟାଙ୍କର ୨୧,୭୧୩ କୋଟି, ସିଣ୍ଡିକେଟ ବ୍ୟାଙ୍କର ୨୦.୧୮୪ କୋଟି, ଆନ୍ଧ୍ର ବ୍ୟାଙ୍କର ୧୯,୪୨୮ କୋଟି, ବ୍ୟାଙ୍କ ଅଫ ମହାରାଷ୍ଟ୍ରର ୧୮,୦୪୯ କୋଟି, ଦେନା ବ୍ୟାଙ୍କର ୧୨,୯୯୪ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ୧୨.୧୬୫ କୋଟି, ଇଣ୍ଡିଆନ ବ୍ୟାଙ୍କର ୯,୬୫୩ କୋଟି, ଏଚଡ଼ିଏଫସି ବ୍ୟାଙ୍କର ୭,୨୪୩ କୋଟି, ବିଜୟା ବ୍ୟାଙ୍କର ୬,୮୧୨ କୋଟି, ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଏନପିଏ ପରିମାଣ ହେଉଛି ୫,୬୪୧ କୋଟି ଟଙ୍କା । ଏହି ୨୫ଟି ବ୍ୟାଙ୍କର ତାଲିକା ସୂଚାଉଛି ଲୋକଙ୍କ ଟଙ୍କାର ଋଣ ଆକାରରେ କିପରି ଯାଇ ଆଉ ଫେରିପାରୁନାହିଁ । ଲୋକଙ୍କ ଟିକସ ଅର୍ଥ କିପରି ବଣ୍ଟାଯାଉଛି ଆଉ ତାହା ନଫେରିବା ଫଳରେ ବ୍ୟାଙ୍କର ଦୁରବସ୍ଥା ଦୂର ପାଇଁ ସରକାର ପୁଣି ଥରେ ଲୋକଙ୍କ ଟିକସ ଅର୍ଥ ବ୍ୟାଙ୍କକୁ ଦେଉଛନ୍ତି ।

 

ଏବେ ଆସିବା ସଦ୍ୟତମ ଗୋଟିଏ ବ୍ୟାଙ୍କର ମହାଦୁର୍ନୀତିର ପ୍ରାପ୍ତ ରିପୋର୍ଟ ସଂପର୍କରେ । ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଲୁଟି ଦେଶ ଛାଡ଼ି ପଳାଇଲେ । ଋଷି ଅଗ୍ରୱାଲ୍‍ ୨୦ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଲୁଟିଲେ ଏବଂ ଦେଶ ଛାଡ଼ି ବିଦେଶକୁ ପଳାଇଲେ । ଲଳିତ ମୋଦି ଏହିପରି ଜଣେ ବ୍ୟକ୍ତି । ସେ ବି ଦେଶଛାଡ଼ି ପଳାଇଗଲେ । ଦେଶରେ ସିବିଆଇ, ଇଡ଼ି ଏବଂ ଅର୍ଥନୈତିକ ଅପରାଧକୁ ଚିହ୍ନଟ କରିବା ଓ ଦୋଷୀକୁ ଧରିବା ପାଇଁ ଥିବା ଏକାଧିକ ଗୁଇନ୍ଦା ସଂସ୍ଥା ଏହି ପଳାତକମାନଙ୍କୁ ଧରି ପାରିଲା ନାହିଁ । ସରକାରଙ୍କ ନାକତଳେ ଏବେ ଏପରି ଏକ ବ୍ୟାଙ୍କ ମହାଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି ଯାହା ସୂଚାଇ ଦେଉଛି ଲୁଟେରାମାନଙ୍କୁ ଧରିବା ତ ଦୂରର କଥା, ବରଂ ସୁରକ୍ଷା ଦେଇ ଦେଶ ଛାଡ଼ି ପଳାଇବା ପାଇଁ ବାଟ ତିଆରି କରାଯାଉଛି! ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକସି ୧୧,୩୦୦ କୋଟି ଟଙ୍କା ଠକିକରି ବିଦେଶ ପଳାଇଛନ୍ତି । ଏପରି ଠକମାନଙ୍କୁ ସୁରକ୍ଷିତ ଭାବେ ଦେଶଛାଡ଼ି ପଳାଇବା ପାଇଁ ସରକାର ପରୋକ୍ଷରେ ବାଟ ତିଆରି କରିଥିବା ନେଇ ବିତର୍କ ଦେଶବ୍ୟାପି ଆରମ୍ଭ ହୋଇଛି ।

 

ସ୍ୱାଧୀନତାର ୭୦ ବର୍ଷ ପରେ ଏଭଳି ବ୍ୟାଙ୍କଲୁଟ୍‍ ସବୁଠୁ ଅଧିକ । କେବଳ ପିଏନବି ନୁହେଁ, ଏସବିଆଇ, ଆହ୍ଲାବାଦ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ସିଣ୍ଡିକେଟ୍‍ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ ଭଳି ୧୭ଟି ବ୍ୟାଙ୍କରୁ ୩ ହଜାର କୋଟି ଟଙ୍କା ଠକି ନେଇ ପଳାଇଛନ୍ତି ନିରବ ମୋଦି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ହରିପ୍ରସାଦ ନାମକ ଜନୈକ ବ୍ୟକ୍ତି ୨୬ ଜୁଲାଇ, ୨୦୧୬ରେ ବ୍ୟାଙ୍କ ଠକେଇ ସଂପର୍କରେ ସୂଚନା ଦେଇଥିଲେ । ହରିପ୍ରସାଦଙ୍କ ଚିଠି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତଗତ ହୋଇଥିବା ସମ୍ପର୍କରେ ହରିପ୍ରସାଦଙ୍କ ପାଖକୁ ଚିଠି ପାଇଥିବାର ସୂଚନା ଆସିଥିଲା । ହରିପ୍ରସାଦ ଜଣାଇଥିଲେ କିପରି ବିଜୟ ମାଲ୍ୟା, ସୁବ୍ରତ ରୟ, ରାମଲିଙ୍ଗମ ରାଜୁ ବ୍ୟାଙ୍କରୁ ଦେଶବାସୀଙ୍କ ଟଙ୍କାକୁ ଲୁଟିକରି ବିଦେଶ ପଳାଇଛନ୍ତି । ଏବେ ନିରବ ମୋଦି ଏବଂ ମେହୁଲ ଚୋକସି ବ୍ୟାଙ୍କକୁ ଠକି ଟଙ୍କା ନେଇଛନ୍ତି ସେ ସଂପର୍କରେ ଜଣାଇଥିଲେ । କେବଳ ପିଏନବି ବ୍ୟାଙ୍କର ୧୧,୩୦୦ କୋଟି ଟଙ୍କା ଏହି ଠକେଇ ଯୋଗୁ କ୍ଷତି ହୋଇଥିବାବେଳେ ଅନ୍ୟାନ୍ୟ ୧୭ଟି ବ୍ୟାଙ୍କରୁ ଏହି ମୋଦି ଏବଂ ଚୋକସି ୩ ହଜାର କୋଟି ଟଙ୍କା ଠକି ନେଇଛନ୍ତି । ସମସ୍ତ ବ୍ୟାଙ୍କର କ୍ଷତି ପାଖାପାଖି ୩୦ ହଜାର କୋଟି ଟଙ୍କା ହେବ ବୋଲି ଏକ ଆକଳନରୁ ଜଣାପଡ଼ିଛି । ମୋଦି ଓ ଚୋକସିଙ୍କ ବିରୋଧରେ ୪୨ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ଯେପରି ଦେଶଛାଡ଼ି ଏହି ଦୁଇଜଣ ବ୍ୟାଙ୍କ ଲୁଟେରା ପଳାଇ ନଯାଆନ୍ତି ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇକୁ ଚିଠି ଲେଖି ଲୁକ ଆଉଟ ନୋଟିସ ଜାରି କରିବାକୁ ଜଣାଇଥିଲେ । କିନ୍ତୁ ସମସ୍ତ ସରକାରୀ ସଂସ୍ଥା ଆଖିରେ ଧୁଳି ଦେଇ, ସରକାରଙ୍କ ନାକତଳେ ଲୁଟିଆ ଦେଶଛାଡ଼ି ପଳାଇଲେ । ଆଜି ଏପରି ସ୍ଥିତି ହୋଇଛି ଯେ ବ୍ୟାଙ୍କର ଅର୍ଥବ୍ୟବସ୍ଥା ଧରାଶାୟୀ ଅବସ୍ଥାରେ ।

 

୨୦୧୫ରେ ବ୍ୟାଙ୍କ ଅଫ ବରୋଦାରୁ ଦିଲ୍ଲୀର ଦୁଇଜଣ ବ୍ୟବସାୟୀ ୬ ହଜାର କୋଟି ଟଙ୍କା ଠକି ନେଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଗତ ଦୁଇଦିନ ପୂର୍ବରୁ ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଷତି ୨୪୧୬ କୋଟି ବୋଲି ଜଣାଯାଇଛି । କର୍ପୋରେଟ ହାଉସଗୁଡ଼ିକ ଋଣ ନେଇ ଶୁଝୁ ନାହାନ୍ତି । କର୍ପୋରେଟ ଜଗତର ମାଲିିକ ଦେଶବାସୀଙ୍କ କଷ୍ଟଲବ୍ଧ ଧନ ଯାହା ବ୍ୟାଙ୍କରେ ରହିଛି ତାହାକୁ ଲୁଟି ଦେଶ ଛାଡ଼ୁଛନ୍ତି । ଏଭଳି ଲୁଟେରାଙ୍କ ସଂଖ୍ୟା ବଢ଼ି ଚାଲିଛି । ପ୍ରଶ୍ନ ହେଉଛି ବ୍ୟାଙ୍କରେ ନକଲି ଚିଠି ଯାହାକୁ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଂ ବୋଲି କୁହାଯାଉଛି ସେ ସଂପର୍କରେ ବ୍ୟାଙ୍କ ଜାଣିପାରିଲା ନାହିଁ କିପରି?

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ୨୬ ଜୁଲାଇ, ୨୦୧୬ରେ ସୂଚନା ଥିଲା ଯେ, ବ୍ୟାଙ୍କ ଠକେଇ ସମ୍ପର୍କିତ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ଅଭିଯୋଗ ଚିଠିର ପ୍ରାପ୍ତି ସ୍ୱୀକାର ନଂ ପିଏମଓପିଜି(ପିଜିଇ/୨୦୧୬/୨୦୫୧୯୫୫) ଥିଲା । ଏହି ଅଭିଯୋଗରେ ଅଭିଯୋଗକାରୀ ହରିପ୍ରସାଦ ସୂଚାଇଥିଲେ ଯେ, ମୁମ୍ବଇର ଗୀତାଞ୍ଜଳି ଜେମ୍ସ ଲିମିଟେଡର ବ୍ୟାଙ୍କ ଠକେଇ ସଂପର୍କରେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଏ ସଂପର୍କରେ ଜାଣି ମଧ୍ୟ ଏହି ଠକଙ୍କୁ ଧରିଲେ ନାହିଁ କାହିଁକି? ୨୯ ଜାନୁଆରି ୨୦୧୬ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଡ଼ିଜିଏମ ସିବିଆଇକୁ ଜଣାଇଥିଲେ । କିନ୍ତୁ ସିବିଆଇ ଏହି ଠକଙ୍କୁ ଧରିବାରେ ବିଳମ୍ବ କଲେ ନାହିଁକି? ଦେଶରେ ବ୍ୟାଙ୍କ ସଂପର୍କରେ ଅଡିଟ କରିବା ପାଇଁ ଅଡିଟର ଓ ଏକାଧିକ ଅନୁସନ୍ଧାନକାରୀ ସଂସ୍ଥା ଅଛି । ଏହି ସଂସ୍ଥାଗୁଡ଼ିକ ଏଭଳି ଠକେଇକୁ ଜାଣି ପାରିଲେ ନାହିଁ କିପରି? ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଶ୍ନ ଏହି ଠକଙ୍କ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ କାର୍ଯ୍ୟାଳୟ ନିରବ ରହିଲା କାହିଁକି? ଏହି ଠକଙ୍କୁ ଚିହ୍ନଟ କରିବା ଦିଗରେ ନିରବତାର କାରଣ କ’ଣ ଥିଲା? ଏହି ଠକଙ୍କୁ କିଏ ଏତେଦିନ ସୁରକ୍ଷା ଦେଲେ? ବ୍ୟାଙ୍କର ଏହି ମହାଦୁର୍ନୀତି ସୂଚାଇ ଦେଇଛି ଦେଶର ଅର୍ଥ ବ୍ୟବସ୍ଥାକୁ କିଏ ଧରାଶାୟୀ କରୁଛି ।

 

୨୦୧୬ରେ ଫୋର୍ବସ ସଂସ୍ଥା ଯେଉଁ ମହାଧନୀ ତାଲିକା ପ୍ରକାଶ କରିଥିଲା ସେଥିରେ ୪୬ତମ ସ୍ଥାନରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ନାମ ଥିଲା । ଲଳିତ ମୋଦି କ୍ରିକେଟ ଦୁର୍ନୀତି କରି ୪ ହଜାର କୋଟି ଟଙ୍କା ଲୁଟି ନେଇ ପଳାଇଲେ । ସୁଶୀଲ ମୋଦି ସୃଜନ ଦୁର୍ନୀତି କରି ୨୦ ହଜାର କୋଟି ଟଙ୍କା ଲୁଟିନେଲେ । ନିରବ ମୋଦି ଜାଲ୍‍ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଂ ଦ୍ୱାରା ୧୧,୩୦୦ କୋଟି ଟଙ୍କା ଲୁଟି ନେଲେ କିନ୍ତୁ ବ୍ୟାଙ୍କ ଏତେଦିନ ଧରି ଏହି ଠକଙ୍କର ଠକେଇକୁ ଜାଣିପାରିଲେ ନାହିଁ କାହିଁକି? ଆଜି ଦିନରେ ଦେଶବ୍ୟାପୀ ଏହି ମହାଦୁର୍ନୀତିିକୁ ନେଇ ଆଲୋଡ଼ନ ସୃଷ୍ଟି ହେବା ପରେ ଇଡି ଏହି ମୋଦିଙ୍କର ବିଭିନ୍ନ ସଂସ୍ଥା ଓ ଘର ଉପରେ ଚଢ଼ଉ କରି ୫,୧୦୦ କୋଟି ଟଙ୍କାର ହୀରା ଓ ଅଳଙ୍କାର ଜବତ କରିଛି । ଏହା ୩.୯ କୋଟି ଟଙ୍କାର ଫିକ୍ସ ଡିପୋଜିଟକୁ ଜବତ କରିଛି । ତେବେ ଏତେଦିନ ଧରି ଏହି ଅନୁସନ୍ଧାନକାରୀ ସଂସ୍ଥା ନିରବ ରହିଥିଲା କାହିଁକି? ୯ ଫେବୃଆରି ୨୦୧୭ରୁ ୧୪ ଫେବୃଆରି ୨୦୧୭ ମଧ୍ୟରେ ନିରବ ମୋଦି ଏବଂ ମେହୁଲ ୮ଟି ଜାଲ୍‍ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଂ ମାଧ୍ୟମରେ ଟଙ୍କା ହାତେଇଥିଲେ । ପିଟିଆଇର ଏକ ତଥ୍ୟ ଅନୁଯାୟୀ ଜାନୁଆରି ୧୪,୨୦୬ରେ ସୁଇଜରଲାଣ୍ଡର ଜେନେଭାଠାରେ ଅନୁଷ୍ଠିତ ଭାରତୀୟ ବ୍ୟବସାୟୀଙ୍କ ମଧ୍ୟରେ ନିରବ ମୋଦି ଥିଲେ । ଅନୁଷ୍ଠିତ ବ୍ୟବସାୟୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଥିବା ମଧ୍ୟ ସୂଚନା ମିଳିଛି । ୨୩ ଜାନୁଆରି ଦାଭୋସ (ସୁଇଜରଲାଣ୍ଡ)ଠାରେ ଅନୁଷ୍ଠିତ ୱାର୍ଲଡ ଇକୋନୋମିକ ଫୋରମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ନିରବ ମୋଦି ଥିଲେ ।

 

ନା ଖାଏଙ୍ଗେ, ନା ଖାନେ ଦେଙ୍ଗେ- ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନାରା ଏବେ ଭୁଲ ପ୍ରମାଣିତ ହୋଇଛି । ଏବେ ଲୁଟ ଏବଂ ଦେଶଛାଡ଼ି ପଳାଅ ଅଭିଯାନ ସଫଳ ହେଉଛି ।

 

ଆଇବିଆରସିଏଲ ଭଳି କମ୍ପାନୀ ୭୧୨୧.୯୩ କୋଟି ଟଙ୍କା, ଚାପିସୋଲା କମ୍ପାନୀ ୫୯୨୨.୭୯ କୋଟି ଟଙ୍କା, ଏସଇଏଲ ମ୍ୟାନୁଫାକ୍ଚରିଙ୍ଗ କମ୍ପାନୀ ୪୭୯୩.୧୨ କୋଟି ଟଙ୍କା, ଆରକିତ ଫାର୍ମ ୨୬୫୬.୩୦ କୋଟି ଟଙ୍କା, କାଷ୍ଟେକ୍ସ ଟେକ୍ନୋଲୋଜି ୧୩୦୨.୮୮ କୋଟି ଟଙ୍କା, ଭିଡ଼ିଓକନ ଇଣ୍ଡଷ୍ଟ୍ରିଜ ୧୯.୫୦୫.୯୨ କୋଟି ଟଙ୍କା, ଏସୱାଲ୍‍ ନେକୋ ଇଣ୍ଡଷ୍ଟ୍ରିଜ୍‍ ୩୮୫୩.୨୭ କୋଟି ଟଙ୍କା ଏବଂ ଏହିପରି ୧୫ରୁ ଅଧିକ କମ୍ପାନୀ ବହୁ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇ ଶୁଝୁନାହାନ୍ତି । ସରକାର ଭୁଷୁଡ଼ି ପଡୁଥିବା ବ୍ୟାଙ୍କ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏହି କର୍ପୋରେଟ୍‍ ହାଉସର ମାଲିକମାନଙ୍କଠାରୁ ଋଣ ଟଙ୍କା ଆଦାୟ କରୁନାହାନ୍ତି । ଅଥଚ ଲୋକଙ୍କର ବ୍ୟାଙ୍କରେ ଥିବା ସଂଚିତ ଅର୍ଥକୁ ଋଣ ଟଙ୍କା ଭରଣା ପାଇଁ ବ୍ୟବହାର କରାଯାଉଛି ।

 

ପୁଞ୍ଜିବାଦ ବ୍ୟବସ୍ଥା ଏପରି ମହାଦୁର୍ନୀତିକୁ ଜନ୍ମଦିଏ । ପୁଞ୍ଜିବାଦ ନିଜକୁ ନିଜେ ଏକ ସ୍ୱୀକୃତିପ୍ରାପ୍ତ ଦୁର୍ନୀତି । ପିଏନବିର ଏହି ମହାଦୁର୍ନୀତି ଫଳରେ ଜମାକାରୀଙ୍କ ପ୍ରତି ୧୦୦ ଟଙ୍କାରୁ ୩୦ ଟଙ୍କା ବୁଡ଼ିଗଲା ବୋଲି ଏକ ଆକଳନରୁ ଜଣାପଡ଼ିଛି । ସ୍ୱଚ୍ଛତାର କଥା କହୁଥିବା ସରକାରଙ୍କ ବିଫଳତାର ଚିତ୍ର ଏହି ପିଏନବି ମହାଦୁର୍ନୀତିରୁ କେବଳ ଯେ ଜଣାପଡ଼ିଛି ତାହା ନୁହେଁ, ଏହା ପୂର୍ବରୁ ରାଇଫେଲ ଡିଲ୍‍ ଦୁର୍ନୀତି, ସୃଜନ ଦୁର୍ନୀତି, ଆଇପିଏଲ୍‍ ଦୁର୍ନୀତି, ଶୌଚାଳୟ ଦୁର୍ନୀତି, ବ୍ୟାପମ୍‍ ଏବଂ ମେଡ଼ିକାଲ୍‍ ଦୁର୍ନୀତିର ତଥ୍ୟ ପ୍ରକାଶ ପାଇଥିଲା । ଉଦବେଗର କଥା ହେଉଛି ସରକାରଙ୍କ ନାକତଳେ ଏଭଳି ଦୁର୍ନୀତି ଚାଲୁଛି ଏବଂ ମହାଦୁର୍ନୀତିର ରୂପ ନେଉଛି, ଏହା ସୂଚାଇ ଦେଉଛି ସରକାରଙ୍କ ସ୍ୱଚ୍ଛତାର ଚାଲ, ଚେହେରା ଏବଂ ଚରିତ୍ରକୁ । ଜଣାପଡୁଛି ଯେପରି ସରକାର କହୁଛନ୍ତି ଲୁଟ ଓ ଦେଶଛାଡ଼ି ପଳାଇଯାଅ ।

 

ସାମ୍ବାଦିକ, ଭୁବନେଶ୍ୱର
ଫୋନ୍‍- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top