ଯାଜପୁରରେ ନିର୍ବିଘ୍ନ ଲଘୁ ଖଣିଜ ଲୁଟ୍

News Story - Posted on 2018-02-14

ସ୍ୱତନ୍ତ୍ର ପ୍ରତିନିଧି/ଯାଜପୁର

 

ରାଜ୍ୟରେ ବ୍ୟାପକ ପରିମାଣର ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଆସୁଛନ୍ତି । ଏହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗତ ଡିସେମ୍ବର ମାସରେ ରାଜସ୍ୱ ସଚିବ ଏକ ଟାସ୍କ୍ ଫୋର୍ସ ଗଠନ କରିଛନ୍ତି । ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ସେ ନିିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ ଲଘୁ ଖଣିଜ ଲୁଟପାଟ ଓ ଚୋରାଚାଲାଣ ରୋକିବା ଏବଂ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଯାଜପୁର ଜିଲ୍ଲାପାଳ ଓ ଏସପି ଇତିମଧ୍ୟରେ ରଣହୁଙ୍କାର ଦେଇଛନ୍ତି । ରାତିଅଧିଆ ବାଲିଘାଟ ଓ ସଇରାତ ଅଂଚଳ ଗସ୍ତକରି ଚଢ଼ାଉ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଯାହାକି ଏବେ ମାଫିଆମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି କରିଛି । ମାତ୍ର ଦର୍ପଣ ତହସିଲ ଅଂଚଳରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଦବିଗ୍ନ ହେବାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ଯାହାକୁ ନେଇ ସାଧାରଣରେ ଭିନ୍ନମତ ପ୍ରକାଶ ପାଉଛି ।

 

ଏହି ତହସିଲ ଅନ୍ତର୍ଗତ ଗୋପାଳପୁର ରାଜସ୍ୱ ସର୍କଲ ଅଧୀନ ଅଚ୍ୟୁତବସନ୍ତ ମୌଜାର ଖାତା ନଂ-୪୭୧ ରେ ପ୍ଲଟ୍ ନଂ-୧୦୬୧ ଅନ୍ତର୍ଗତ ଏକ ପାହାଡ଼ କିସମ ଜମିରୁ ୪ ଏକର ପରିମିତ ଅଂଚଳରୁ ୧୨,୨୪୦ ଘନଫୁଟ୍ ମୋରମ୍ ଉତ୍ତୋଳନ ନିମନ୍ତେ ପ୍ରଶାସନ ପକ୍ଷରୁ ହରିଦାସପୁର - ପାରାଦ୍ୱୀପ ରେଳରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଏସ୍.ଇ.ଡ଼ବ୍ଲ୍ୟୁ. - ଟି.ଟି.ଆଇ.ପି.ଏଲ୍. (ଯୌଥସଂସ୍ଥା)ର ପ୍ରକଳ୍ପ ସଂଯୋଜକ ସାଇକୃଷ୍ଣା ନାମକ ବ୍ୟକ୍ତିଙ୍କୁ ସ୍ୱଳ୍ପମିଆଦି ପରିମିଟ୍ (କେସ୍ ନଂ-୭୧/୨୦୧୬) ପ୍ରଦାନ କରାଯାଇଥିଲା । ସଂପୃକ୍ତ ସଂସ୍ଥା ସେତିକି ପରିମାଣର ମାଲ୍ ଉତ୍ତୋଳନ ନିମନ୍ତେ ଆବଶ୍ୟକ ପରିବେଶ ମଞ୍ଜୁରୀ ପ୍ରାପ୍ତ କରିଥିଲା । ମାତ୍ର କ୍ଷେତ୍ର କର୍ମଚାରୀ ଏବଂ ଉଚ୍ଚ ଅଧିକାରୀଙ୍କ ଅଣଦେଖା କାରଣରୁ ସଂପୃକ୍ତ ସଂସ୍ଥା ଏଠାରୁ ଅନୁମତିଠାରୁ ପ୍ରାୟ ୧୦ ଗୁଣ ଅଧିକ ମାଲ୍ ଉତ୍ତୋଳନ କରି ନେଇ ଏଠାରେ ପ୍ରାୟ ୧୦୦ ଫୁଟର ଏକ ଗର୍ତ୍ତ ସୃଷ୍ଟି କରି ସ୍ଥାନୀୟ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏହାଦ୍ୱାରା ସରକାର ବ୍ୟାପକ ରାଜସ୍ୱ ହରାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଂଚଳର ପରିବେଶ ମଧ୍ୟ ବ୍ୟାପକ ଭାବେ ପ୍ରଦୂଷିତ ହୋଇଛି ।

ଅନ୍ୟପକ୍ଷରେ ଏଥିନେଇ ସ୍ଥାନୀୟ ବାସିନ୍ଦା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତହସିଲ୍ ପ୍ରଶାସନ ଏଭଳି ବେଆଇନ୍ ଖନନକାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଏଭଳି ଏକ ଲୁଟେରା ସଂସ୍ଥାକୁ ପୁନର୍ବାର ସେହି ମୌଜାରେ ମୋରମ୍ ଉତ୍ତୋଳନ ନିମନ୍ତେ ଅନ୍ୟ ଏକ ସ୍ୱଳ୍ପମିଆଦି ଅନୁମତି ପ୍ରଦାନ କରିଛି । ପ୍ରଶାସନର ଉଦାସୀନତା ଏହି ସଂସ୍ଥାକୁ ଏଭଳି ବେଆଇନ୍ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଥିବା ପ୍ରମାଣିତ ହେଉଛି । ଫଳସ୍ୱରୂପ ନୂତନ ସ୍ଥାନରେ ମଧ୍ୟ ଏହି ସଂସ୍ଥା ପୂର୍ବବତ ବେଆଇନ ଓ ବେପରୁଆ ଭାବେ ମୋରମ୍ ଉତ୍ତୋଳନ କରୁଥିବା ପରିଲକ୍ଷିତ ହୋଇଛି ।

 

ସେମିତି ଅନ୍ୟ ଏକ ସଂସ୍ଥାକୁ ଠିକ ସେହି ୧୦୦ ଫୁଟ୍ ଗର୍ତ୍ତ ପାଶ୍ୱର୍କୁ ଲାଗି ଏବେ ମୋରମ୍ ଖୋଳିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଏହି ସଂସ୍ଥା ସେଠାରୁ ଦୈନିକ ଶହଶହ ଟ୍ରକ୍ ମାଲ୍ ବୋହି ନେଇ ଚାଲିଛି । ଏହା ଉପରେ ତହସିଲ ପ୍ରଶାସନର ଅଙ୍କୁଶ ନ ଥିବା ପରିଲକ୍ଷିତ ହେଉଛି । ଏହି ଖନନ ସ୍ଥଳର ମାତ୍ର ୫୦ ମିଟର ଦୂରରେ ଲୋକମାନଙ୍କ ଘର ଥିବାବେଳେ ୨୦୦ ମିଟର ଦୂରରେ ଗ୍ରାମର ବିଦ୍ୟାଳୟ ଅବସ୍ଥିତ । ଏସବୁକୁ ଆଖିବୁଜି ଦେଇ ମୋରମ୍ ଉତ୍ତୋଳନ ନିମନ୍ତେ ପ୍ରଶାସନ କିଭଳି ଭାବେ ସ୍ୱଳ୍ପମିଆଦି ଅନୁମତି ପ୍ରଦାନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସ୍ଥାନୀୟ ଲୋକେ ଏଭଳି ବେଆଇନ କାର୍ଯ୍ୟର ପ୍ରତିବାଦ କଲେ ଏହି ସଂସ୍ଥାମାନେ ଗୁଣ୍ଡାଶ୍ରେଣୀୟ ଲୋକମାନଙ୍କୁ ଲଗାଇ ସେମାନଙ୍କୁ ଗାଳିଗୁଲଜ ଓ ମାରଧର କରିବାକୁ ମଧ୍ୟ ପଛାଉ ନାହାନ୍ତି ।

 

ସେହିଭଳି ବୈରୀ ମୌଜାର ଏକ ଘରୋଇ ଜମିରୁ ମୋରମ୍ ଉତ୍ତୋଳନ କରିବାକୁ ଏକ ଠିକାଦାରୀ ସଂସ୍ଥାକୁ ତହସିଲ୍ ପକ୍ଷରୁ ସମସ୍ତ ନୀତିନିୟମକୁ ଭଙ୍ଗ କରି ସ୍ୱଳ୍ପ ମିଆଦୀ ଅନୁମତି ପ୍ରଦାନ କରା ଯାଇଥିବା କୁହାଯାଉଛି । ମାତ୍ର ସଂପୃକ୍ତ ସଂସ୍ଥା ବିନା ପରିବେଶ ମଞ୍ଜୁରୀରେ ନିର୍ଦ୍ଦିଷ୍ଟ ସ୍ଥାନରୁ ମୋରମ୍ ଉତ୍ତୋଳନ ନ କରି ସରକାରୀ ଓ ଜଙ୍ଗଲ ଜମିରୁ ରାତିଅଧିଆ ମାଲ୍ ବୋହି ନେଉଛି । ଇତିମଧ୍ୟରେ ସେହି ସଂସ୍ଥାରେ ସ୍ୱଳ୍ପ ମିଆଦୀ ଅନୁମତି ଅବଧି ସମାପ୍ତ ହୋଇ ଯାଇଥିଲେ ମଧ୍ୟ ସେହି ସଂସ୍ଥା ଏଠାରୁ ବେଆଇନ୍ ଭାବେ ମୋରମ୍ ଉତ୍ତୋଳନ କରିଚାଲିଛି ।

 

ସେମିତି ଖଏରା ରାଜସ୍ୱ ସର୍କଲ ଅନ୍ତର୍ଗତ ଜୋରାବାଟି ମୌଜାରେ ଏକ ଘରୋଇ ଜମି ଓ ଏଥି ସଂଲଗ୍ନ ଜଙ୍ଗଲ କିସମ ଜମିରୁ ଗତ ପ୍ରାୟ ଛ’ମାସ ହେବ କିଛି ମାଫିଆ ଗୋଷ୍ଠୀ ତିନିଗୋଟି ମେସିନ୍ ଲଗାଇ ମୋରମ୍ ଉତ୍ତୋଳନ କରି ଦୈନିକ ଶତାଧିକ ଟ୍ରକ ମାଲ ବିଭିନ୍ନ ଅଂଚଳକୁ ଚୋରା ଚାଲାଣ କରିଆସୁଛନ୍ତି । ଏଥିନେଇ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ସତ୍ତେ୍ୱ ଏଭଳି ଚୋରାଚାଲାଣ ରୋକାଯାଇନାହିଁ । କିନ୍ତୁ ଇତିମଧ୍ୟରେ ସେହି ଚୋରା ଚାଲାଣକାରୀଙ୍କ ଠାରୁ ତହସିଲଦାର ତିନୋଟି ପର୍ଯ୍ୟାୟରେ ଉତ୍ତୋଳିତ ହୋଇଥିବା ପରିମାଣଠାରୁ ଢେର କମ୍ ଆକଳନ କରାଯାଇ ପ୍ରାୟ ଦଶ ଲକ୍ଷଟଙ୍କାର ରୟାଲ୍ଟି ଅସୁଲ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ମାତ୍ର ଖନନ ଅଂଚଳକୁ ଦେଖିଲେ ସରକାର ଏଠାରେ ପ୍ରାୟ କୋଟିଏ ଟଙ୍କାର ରାଜସ୍ୱ ହରାଇଥିବା ଜଳଜଳ ହୋଇ ଦିଶୁଛି ।

 

ବିନା କୌଣସି ସରକାରୀ ଅନୁମତି କିମ୍ବା ପରିବେଶ ମଞ୍ଜୁରୀ ଓ ମାଇନିଂ ପ୍ଲାନରେ ଏତେବଡ଼ ଅଂଚଳରୁ ଲଘୁ ଖଣିଜ ଉତ୍ତୋଳନ ହେବା ଦ୍ୱାରା ଏଠାରେ ମାନ୍ୟବର ସୁପ୍ରିମ କୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଆଦେଶର ଖୋଲା ଉଲଘଂନ ହୋଇଛି । ଏହି ଘଟଣା ଏଠାରେ ପ୍ରମାଣିତ କରୁଛି ଯେ, ଏଭଳି ଚୋରି ପଛରେ ସ୍ଥାନୀୟ ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ରହିଆସିଛିି । ଏବେ ପୁଣି ଗତ ପ୍ରାୟ ୧୫ ଦିନ ହେଲା ଦର୍ପଣଗଡ଼ ରାଜସ୍ୱ ସର୍କଲ ଅନ୍ତର୍ଗତ ଖଟୁଆପଡ଼ା ମୋ÷ଜାର ଜନୈକ ବ୍ୟବସାୟୀ ନିଜ ଜମିରୁ କିଛି ମାଫିଆଙ୍କୁ ଧରି ଏଠାରୁ ରାତି ଅଧରେ ଶତାଧିକ ଟ୍ରକ ମୋରମ ଉତ୍ତୋଳନ କରି ବିଭିନ୍ନ ଅଂଚଳକୁ ଚାଲାଣ କରୁଛନ୍ତି । ଗତବର୍ଷ ମଧ୍ୟ ଏଠାରୁ ସେହି ବ୍ୟକ୍ତି ସମ ଭାବରେ ମୋରମ ଲୁଟ୍ କରୁଥିବା ନେଇ ଅଭିଯୋଗ ହେବା ପରେ ଖନନ କାର୍ଯ୍ୟ ବନ୍ଦ ରହିଥିଲା । ମାତ୍ର କ୍ଷେତ୍ର କର୍ମଚାରୀଙ୍କୁ ହାତ କରି ଏବେ ପୁଣି ଏଠାରେ ସେଭଳି ବେଆଇନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ବସିଛି ।

 

ସେହିପରି ଏହି ତହସିଲ ଅନ୍ତର୍ଗତ ବୈରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଧିନ ବୈରୀ, ଅମୀୟଝରୀ, ବରୁଣିଆ, ଚାରିଗୋଛିଆ, ପାରିଆ, ନିମଢିଅ, ସମିଆଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବାଉଁଶମୂଳି ସମିଆଁ, ସାତମାଣ, ବନ୍ଧପଲ୍ଲୀ, ବାଉଁଶମୂଳୀ, ସାତମାଣ ଓ ଭାଲୁମରା ଏବଂ ଦର୍ପଣଗଡ ରାଜସ୍ୱ ସର୍କଲ ଅନ୍ତର୍ଗତ କୋଲସାହି ଆଦି ମୌଜାର ଘରୋଇ, ସରକାରୀ ଏବଂ ଜଙ୍ଗଲ ଜମିର ବିଭିନ୍ନ ସ୍ଥାନରୁ କିଛି ଅସାଧୁ ବ୍ୟକ୍ତି ପ୍ରାୟ ବର୍ଷାଧିକ କାଳ ବେଆଇନ ଭାବେ ଦିନରାତି ମେସିନ ସାହାଯ୍ୟରେ ମାଙ୍କଡ଼ା ପଥର ଖନନ କରି ଦୈନିକ ଶତାଧିକ ଟ୍ରକ ପଥର ବିଭିନ୍ନ ଅଂଚଳକୁ ଚୋରାଚାଲାଣ ଚାଲିଛି ।

 

ଗତ ବର୍ଷକ ମଧ୍ୟରେ ଏହି ତହସିଲ ଅଂଚଳରୁ ଯେତିକି ପରିମାଣର ମାଙ୍କଡ଼ା ପଥର, ମୋରମ ଓ ନଦୀବାଲି ମାଫିଆମାନେ ଲୁଟି ନେଇଛନ୍ତି ତାହା ଦ୍ୱାରା ସରକାର ପ୍ରାୟ ଦଶ କୋଟି ଟଙ୍କାର ରାଜସ୍ୱ ହରାଇଥିବା ବେଳେ ସ୍ଥାନୀୟ ଅଂଚଳର ପରିବେଶ ବ୍ୟାପକ ଭାବେ ପ୍ରଦୂଷିତ ହୋଇଆସୁଛି । ଏଭଳି ବେପରୁଆ ଖନନ ଯୋଗୁଁ ସେସବୁ ସ୍ଥାନରେ ବଡ଼ବଡ଼ ଖାଲ ମାନ ସୃଷ୍ଟି ହୋଇ ଜନଜୀବନ ପ୍ରତି ବିପଦ ସୃଷ୍ଟିକରୁଛି । ଏଥିନେଇ ଲଗାତାର ଭାବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ତହସିଲ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରୁନଥିôବା ପରିଲକ୍ଷିତ ହେଉଛି । କେବେ କେବେ କାଁ ଭାଁ କେବଳ ରାସ୍ତାରେ ପରିବହନ ହେଉଥିବା କିଛି ଟ୍ରକକୁ ଜବତ କରି ଜରିମାନା ଆଦାୟ କରିବାରେ ପ୍ରଶାସନର ପଦକ୍ଷେପ ସୀମିତ ହୋଇ ରହିଆସିଛି । କେବେ କେବେ ସ୍ୱଳ୍ପମିଆଦି ଅନୁମତିଧାରୀ ଅନୁମତିଠାରୁ ଅଧିକମାଲ ଉତ୍ତୋଳନ କରିଥିଲେ ସେମାନଙ୍କଠାରୁ କେବଳ ଜୋରିମାନା ଆଦାୟ କରାଯାଉଥିବା ବେଳେ ପ୍ରଶାସନ କାହିଁକି ସେମାନଙ୍କଠାରୁ ପରିବେଶ କ୍ଷତି ଜନିତ ଜୋରିମାନା ଆଦାୟ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସୁପାରିଶ କରୁନାହିଁ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେତେକ କ୍ଷେତ୍ର କର୍ମଚାରୀ ଏବଂ ବଡ଼ଚଣା ଓ ବୈରୀ ଥାନାର କର୍ମଚାରୀଙ୍କ ସହିତ ବେଆଇନ ଖନନକାରୀ ଓ ଚୋରା ଚାଲଣକାରୀଙ୍କ ସଲାସୁତୁରାରେ ସଂଗଠିତ ଭାବେ ଏଭଳି ବେଆଇନ କାର୍ଯ୍ୟ ସବୁ ସମ୍ପାଦିତ ହୋଇ ଆସୁଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top