ଧନୀଙ୍କ ଗରୀବତନ୍ତ୍ର!

News Story - Posted on 2018-02-14

ଗରୀବଙ୍କ ସେବା କରିବାକୁ ଧନୀ ଲୋକଙ୍କର ଏତେ ଆଗ୍ରହ! ଦରିଦ୍ରଙ୍କ ଦାରିଦ୍ର୍ୟ ଦୂର କରିବାକୁ ସତରେ କ’ଣ ଧନୀ ଲୋକମାନେ ଏତେ ଆଗ୍ରହୀ? ସେମାନେ ସତରେ କାହାର ଦାରିଦ୍ର୍ୟ ଦୂର କରନ୍ତି? ଗରୀବଙ୍କର ନା ନିଜର? ସେମାନେ ଧନୀ ହେଲେ ବି କ’ଣ ସେମାନଙ୍କର ଅଭାବ ନାହିଁ? ଲୋଭ ନାହିଁ? ତା’ହେଲେ କ’ଣ ସେମାନେ ନିଜ ଲୋଭ ପୂରଣ କରିବାକୁ ଗରୀବଙ୍କ ସେବା ପାଇଁ ରାଜନୀତି କରୁଛନ୍ତି? ନିର୍ବାଚନରେ ଜିତିବାକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଏଭଳି ଧନୀ ରାଜନେତାଙ୍କ ସଂଖ୍ୟା ବଢ଼ୁଥିଲେ ସୁଦ୍ଧା ଦରିଦ୍ରଙ୍କ ସଂଖ୍ୟା କମୁନି କାହିଁକି? ଭାରତବର୍ଷରେ କୋଟିପତି ନେତାଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ ।

 

ଏବେ ଖବର ପ୍ରକାଶ ପାଇଛି ଯେ ଭାରତର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ହେଉଛନ୍ତି କୋଟିପତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସଂପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ । ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଆନ୍ଧ୍ର ପ୍ରଦେଶର ଏନ. ଚନ୍ଦ୍ରବାବୁ ନାଇଡ଼ୁ । ତାଙ୍କ ସଂପତ୍ତିର ପରିମାଣ ୧୭୭ କୋଟି ଟଙ୍କା । ଏହି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୧୨ କୋଟି ଟଙ୍କା । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ତରଫରୁ ଏହି ତଥ୍ୟ ପ୍ରକାଶ ପାଇଛି । ପ୍ରକାଶିତ ତଥ୍ୟ ଅନୁସାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ଙ୍କୁ ପଛକୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଅରୁଣାଚଳ ପ୍ରଦେଶର ପେମା ଖଣ୍ଡୁ । ତାଙ୍କ ସଂପତ୍ତିର ମୂଲ୍ୟ ହେଲା ୧୨୯ କୋଟି ଟଙ୍କା । ତାଙ୍କୁ ଏବେ ମାତ୍ର ୩୫ ବର୍ଷ ବୟସ । ତୃତୀୟ ସର୍ବୋଚ୍ଚ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଂଜାବର କ୍ୟାପ୍ଟେନ ଅମରିନ୍ଦର ସିଂହ । ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୮ କୋଟି ଟଙ୍କା ।

 

ଏହି ରିପୋର୍ଟ ଅନୁସାରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତିର ମୂଲ୍ୟ ହେଉଛି ୧୬.୧୮ କୋଟି ଟଙ୍କା । ଏହି ରିପୋର୍ଟ ପାଇଁ ଏଡିଆର ଏହିସବୁ ନେତାମାନେ ନିଜ ଆଡ଼ୁ ଘୋଷଣା କରିଥିବା ସଂପତ୍ତିକୁ ହିସାବକୁ ନେଇଛି । ଏମାନେ ନିଜର ନିର୍ବାଚନୀ ମନୋନୟନ ପତ୍ରରେ ଏହି ସଂପତ୍ତି ହିସାବ ଦେଇଛନ୍ତି । ଆଉ କେତେ ଧନ ଲୁଚେଇଥିବେ ତାହା କାହାକୁ ଜଣାନାହିଁ । ତେଲେଙ୍ଗାନା, ମେଘାଳୟ, କର୍ଣ୍ଣାଟକ, ସିକ୍କିମ, ପୁଡୁଚେରୀ, ମିଜୋରାମ, ଗୁଜରାଟ, ତାମିଲନାଡ଼ୁ, ଗୋଆ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ରାଜସ୍ଥାନ, ହିମାଚଳ ପ୍ରଦେଶ, ଦିଲ୍ଲୀ, ନାଗାଲାଣ୍ଡ, ଆସାମ, ବିହାର, ମଣିପୁର, ଉତ୍ତରାଖଣ୍ଡ ଓ କେରଳ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜକୁ କୋଟିପତି ଘୋଷଣା କରିଛନ୍ତି । ଏସବୁ ରାଜ୍ୟରୁ କ’ଣ ଦାରିଦ୍ର୍ୟ ଦୂର ହୋଇଯାଇଛି? ଏସବୁ ରାଜ୍ୟ ମଧ୍ୟରୁ ତେଲେଙ୍ଗାନା, ମେଘାଳୟ, ମିଜୋରାମ, ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ନାଗାଲାଣ୍ଡ, ଆସାମ, ବିହାର, ମଣିପୁର ଆଦି ରାଜ୍ୟରେ ସାଧାରଣ ଲୋକଙ୍କ ଦାରିଦ୍ର୍ୟ ନେଇ ଅନେକ ସମୟରେ ଜାତୀୟ ସ୍ତରରେ ଆଲୋଚନା ହୋଇଥାଏ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଜନସଂଖ୍ୟାର ଅଧିକାଂଶ ଲୋକ ଗରୀବ । କୋଟିପତି ନେତାଙ୍କ ଯୋଗୁଁ ସେମାନଙ୍କ ଦାରିଦ୍ର୍ୟ ହଟୁନାହିଁ କାହିଁକି?

 

କେବଳ ଏଇ ମୁଖ୍ୟମନ୍ତ୍ରୀମାନେ ନୁହନ୍ତି । ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ପ୍ରାୟ ୯୬ ପ୍ରତିଶତ ସଦସ୍ୟ ହେଲେ କୋଟିପତି । ଲୋକସଭାର ୫୪୫ରୁ ୪୪୫ ସଦସ୍ୟ ମଧ୍ୟ କୋଟିପତି । ଦେଶର ମୋଟ ପ୍ରାୟ ୩୦୦୦ ବିଧାୟକ ନିଜକୁ କୋଟିପତି ଘୋଷଣା କରିଛନ୍ତି । ପ୍ରତି ନିର୍ବାଚନକୁ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟେ ଗୋଟେ ରାଜ୍ୟର ୮୦ ପ୍ରତିଶତ ବିଧାୟକ ଓ ସାଂସଦ କୋଟିପତି । ନିର୍ବାଚନୀ ଫଳାଫଳା ଅନୁଶୀଳନରୁ ଜଣାପଡ଼େ ଯେ କୋଟିପତି ପ୍ରାର୍ଥୀମାନଙ୍କର ଜିତିବା ସମ୍ଭାବନା ଅଧିକ ଥାଏ । ଗରୀବ ଲୋକମାନେ ନିର୍ବାଚନ ଜିତିବେ କ’ଣ ପ୍ରାୟତଃ ପ୍ରତିଦ୍ୱନ୍ଦ୍ୱିତା କରିନଥାନ୍ତି ।

 

ଦେଶର ଗରୀବ ଲୋକଙ୍କ ମଧ୍ୟରେ ଅଛନ୍ତି କୃଷକ, ଶ୍ରମିକ, କାରିଗର, କୌଳିକ ବୃତ୍ତିକୁ ଆଦରି ପଡ଼ି ରହିଥିବା ଅନେକ ପଛୁଆ ବର୍ଗର ଲୋକ । ଆଦିବାସୀ ଓ ଦଳିତଙ୍କ ସମେତ ଏହି ପଛୁଆ ବର୍ଗର ଲୋକମାନେ ହିଁ ଏ ଦେଶର ଗରୀବ ଲୋକ ଭାବେ ପରିଗଣିତ ହୋଇଥାନ୍ତି । କିନ୍ତୁ ନିର୍ବାଚନରେ ଯେଉଁ ଲୋକମାନେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ତରଫରୁ ପ୍ରାର୍ଥୀ ହୋଇଥାନ୍ତି ସେମାନଙ୍କ ମଧ୍ୟରେ ଅଧିକ ହେଉଛନ୍ତି ବ୍ୟବସାୟୀ, ଶିଳ୍ପପତି, ଠିକାଦାର ଓ ଅନ୍ୟ ବର୍ଗର ଲୋକ । କେତେକ ରାଜନେତା ନିଜକୁ କୃଷକ ବୋଲି ଦାବି କରୁଥିଲେ ହେଁ ବାସ୍ତବରେ ସେମାନେ ଅନ୍ୟ ଅର୍ଥକରୀ ବୃତ୍ତି ସହିତ ଜଡ଼ିତ ଥାଆନ୍ତି । ଆଜିକାଲି ଅନେକ ପ୍ରଶାସକ, ବିଚାରପତି ଓ ପେସାରଦାର ମଧ୍ୟ ଜନସେବା କରିବାକୁ ଅଧିକରୁ ଅଧିକ ସଂଖ୍ୟାରେ ବିଭିନ୍ନ ଦଳର ପ୍ରାର୍ଥୀ ହେବାକୁ ଅତ୍ୟଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

 

ଏପରିକି ପଂଚାୟତ ସ୍ତରରେ ମଧ୍ୟ ଅଧିକ ଧନୀ ପ୍ରାର୍ଥୀ ବିଜୟୀ ହେଉଥିବା ଦେଖାଯାଉଛି । ଓଡ଼ିଶାର ଅନେକ ସରପଂଚ କୋଟିପତି ନହେଲେ ମଧ୍ୟ ଲକ୍ଷପତି । ଗୋଟେ ଗୋଟେ ପଂଚାୟତ ନିର୍ବାଚନରେ ୫-୧୦ ଲକ୍ଷ ଟଙ୍କା ପ୍ରଚାର ବାବଦରେ ଖର୍ଚ୍ଚ ହେଉଥିବା ଲୋକେ ଦେଖିଲେଣି । ଏହି ଧନୀମାନେ ଏତେ ଟଙ୍କା ପ୍ରଚାରରେ ଖର୍ଚ୍ଚ କରି ଜନସେବା କରିବାକୁ କାହିଁକି ଚାହୁଁଛନ୍ତି? ସେହି ଟଙ୍କାକୁ ସେମାନେ ଯଦି ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିନିଯୋଗ କରନ୍ତେ ତେବେ ତ ବର୍ଷ କେଇଟାରେ ଏ ଦେଶର ଅଧିକାଂଶ ଗରୀବ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠି ଯାଆନ୍ତେ । ତା’ପରେ ସେମାନଙ୍କର ଲୋକପ୍ରିୟତା ବଢ଼ିଯାଆନ୍ତା ଓ ଅଳ୍ପ ଖର୍ଚ୍ଚରେ ସେମାନେ ନିର୍ବାଚିତ ହୋଇପାରନ୍ତେ । ଧନୀମାନେ ସେବାଟେ ନଯାଇ ନିର୍ବାଚନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଜିତିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି କ’ଣ ପାଇଁ? ଏ ବାଟେ ଦାରିଦ୍ର୍ୟ ହଟୁଛି ନା ପ୍ରତି ବର୍ଷ ବଜେଟରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସଂଖ୍ୟା ଓ ବ୍ୟୟବରାଦ ବଢ଼ି ଚାଲିଛି? ଏ ଟଙ୍କା ହେଉଛି କ’ଣ? ଯାଉଛି କୁଆଡ଼େ? ଧନୀଙ୍କ ପକେଟକୁ ନା ଗରୀବ କୁଡ଼ିଆକୁ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top