ମାଧବୀଙ୍କ ମେୟର ପଦ ଗଲା

News Story - Posted on 2018-02-13

ହେମାଙ୍ଗ ପ୍ରସାଦ ରାଉଳ

 

ବ୍ରହ୍ମପୁର ମହାନଗର ନିଗମର ମେୟର କେ. ମାଧବୀଙ୍କର ଦୁଇଟି ନାମ ଓ ଦୁଇଟି ସ୍ୱାମୀ ଥିବା କଥା ଅନେକ ଦିନ ଧରି ଚର୍ଚ୍ଚାରେ ଥିଲା । ମାଧବୀଙ୍କ ପ୍ରକୃତ ପରିଚୟ ନେଇ ସନ୍ଦେହରେ ରହିଥିବା ବେଳେ ସେ ଜାଲିଆତି କରି ନିଜ ନାମ ଓ ସ୍ୱାମୀଙ୍କ ନାମ ପରିବର୍ତ୍ତନ କରିଥିବା ପୂର୍ବତନ ମେୟର ତଥା ୨୮ ନମ୍ବର ୱାର୍ଡର କର୍ପୋରେଟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଅଦାଲତରେ ଅଭିଯୋଗ କରିଥିଲେ । ବିଭିନ୍ନ ରେକର୍ଡ ପତ୍ରରୁ ତାଙ୍କର ଦୁଇଟି ନାମ ଓ ଦୁଇଟି ସ୍ୱାମୀ ରହିଥିବା ଜଣାପଡ଼ିଥିଲା । ସବୁ ପ୍ରମାଣ ମିଳିବା ପରେ ଜିଲ୍ଲା ଦୌରା ଜଜ ଆଜି ତାଙ୍କର ସଭ୍ୟ ପଦ ରଦ୍ଦ କରିଛନ୍ତି । ଏହା ଫଳରେ ସେ ତାଙ୍କର ମେୟର ପଦ ମଧ୍ୟ ହରାଇଛନ୍ତି ।

ସେହିପରି ତାଙ୍କ ବିରୁଦ୍ଧରେ ପୂର୍ବରୁ ମହାନଗର ନିଗମର ଏକ ଜମି ଜବରଦଖଲ ମାମଲା ରହିଥିବା ବେଳେ ସେ ନିଜ ନିର୍ବାଚନ ନଥିପତ୍ରରେ ଏହା ଲୁଚାଇ ରଖିଥିବାରୁ ତାଙ୍କ ନିର୍ବାଚନ ରଦ୍ଦ କରିବାକୁ ମହାନଗର ନିଗମ କମିଶନରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବ୍ରହ୍ମପୁର ମହାନଗର ନିଗମର ମେୟର କେ. ମାଧବୀଙ୍କର ଦୁଇ ଦୁଇଟି ପରିଚୟ ନେଇ କୋର୍ଟରେ ହୋଇଥିବା ମାମଲା ପ୍ରମାଣିତ ହେବାରୁ ଜିଲ୍ଲା ଜଜ୍ ତାଙ୍କର କର୍ପୋରେଟର ପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ସେ ସ୍ୱତଃ ମେୟର ପଦ ମଧ୍ୟ ହରାଇଛନ୍ତି ।

 

ବ୍ରହ୍ମପୁର ପୌର ସଂସ୍ଥା ବିରୋଧରେ କେ. ମାଧବୀଙ୍କ ବାପା କେବିଜେଭିପିକେ ବାବୁଜୀ କରିଥିବା ଏକ ମାମଲା ଅନୁସାରେ ତାଙ୍କ ଝିଅର ନାମ ହେଉଛି କେ. ସାଇଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ଲକ୍ଷ୍ମଣ ରାଓ । ଇତିମଧ୍ୟରେ ବାବୁଜୀଙ୍କର ଦେହାନ୍ତ ଘଟିଥିଲା । ଏବେ ସେହି ମାମଲାରେ ପକ୍ଷ ଅଛନ୍ତି କେ. ମାଧବୀ । ଅଭିଯୋଗ ଅନୁସାରେ ବାବୁଜୀ ଓ ତାଙ୍କର ଉତ୍ତରାଧିକାରୀ କେ. ସାଇଲକ୍ଷ୍ମୀ ବ୍ରହ୍ମପୁର ସହରର ଅଳକାପୁରୀ ମୌଜାରେ ୩୨୪ ଡେସିମିଲ ସରକାରୀ ଜାଗା ଜବରଦଖଲ କରିଛନ୍ତି । ଏହି ଜାଗା ପୂର୍ବରୁ ସରକାରୀ ରାସ୍ତା ଥିଲା । ଯାହାର ମୂଲ୍ୟ ଏବେ କୋଟିଏରୁ ଅଧିକା ଟଙ୍କା ହେବ । ବାବୁଜୀଙ୍କର ଆଇନଗତ ଉତ୍ତରାଧିକାରୀ ହିସାବରେ କେ. ସାଇଲକ୍ଷ୍ମୀ ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି । ମକଦ୍ଦମା ରେକର୍ଡରେ ସେ ତାଙ୍କର ନାମ ସାଇଲକ୍ଷ୍ମୀ ଓ ସ୍ୱାମୀଙ୍କ ନାମ କେ. ଲକ୍ଷ୍ମଣ ରାଓ ବୋଲି ଦର୍ଶାଇଛନ୍ତି । ଏହି ମାମଲା ଏବେ ବ୍ରହ୍ମପୁର ସିଭିଲ ଜଜ୍ ସିନିୟର୍ ଡିଭିଜନଙ୍କ କୋର୍ଟରେ ବିଚାରାଧୀନ ଅଛି ।

 

ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ମେୟରଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସ । ବ୍ରହ୍ମପୁର ମେୟର କେ. ମାଧବୀଙ୍କ ବିରୋଧରେ ପୂର୍ବତନ ମେୟର ଶିବ ଶଙ୍କର ଦାସ କରିଥିବା ପିଟିସନର ମଙ୍ଗଳବାର ଶୁଣାଣି ହୋଇଥିଲା । ମେୟର କେ. ମାଧବୀଙ୍କ ଦୁଇଟି ନାମ ଓ ଦୁଇଟି ସ୍ୱାମୀ ଥିବା ଦର୍ଶାଇ ୨୦୧୪ ମସିହାରେ ପୂର୍ବତନ ମେୟର ଜିଲ୍ଲା ଦୌରା ଜଜ୍ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ ।

 

ଗତ ପୌର ନିର୍ବାଚନରେ କେ. ସାଇଲକ୍ଷ୍ମୀ ନାମ ବଦଳାଇ କେ. ମାଧବୀ, ସ୍ୱାମୀ ଚୌଧୁରୀ ଭେଙ୍କଟରମଣ, ପିତା କେବିଜେଭିପିକେ ବାବୁଜୀ ବୋଲି ଦର୍ଶାଇଥିଲେ । ଭୋଟର ତାଲିକାରେ ମଧ୍ୟ ତାଙ୍କର ଏହି ନାମ ରେକର୍ଡଭୁକ୍ତ ହୋଇଥିଲା । ଏହି ନାମରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେ ନିଜର ମନୋନୟନ ପତ୍ରରେ ତାଙ୍କ ପୂର୍ବନାମ କେ. ସାଇଲକ୍ଷ୍ମୀ ଓ ତାଙ୍କ ବିରୋଧରେ ବ୍ରହ୍ମପୁର ପୌର ସଂସ୍ଥାର ଜମି ହଡପ ମାମଲା ରହିଛି ବୋଲି ଉଲ୍ଲେଖ କରିନଥିଲେ । ଏହା ଜାଲିଆତି ବୋଲି ଅଭିଯୋଗ କରି ୨୮ ନମ୍ବର ୱାର୍ଡ କର୍ପୋରେଟର ଶିବ ଶଙ୍କର ଦାସ ଏହାର ତଦନ୍ତ ଦାବି କରିଥିଲେ ।

 

ଏହା ଏକ ଫୌଜଦାରୀ ଅପରାଧ ହୋଇଥିବାରୁ ଆଇନ ଅନୁସାରେ କେ. ସାଇଲକ୍ଷ୍ମୀ, ସ୍ୱାମୀ କେ. ଲକ୍ଷ୍ମଣ ରାଓ ଓରଫ୍ କେ. ମାଧବୀ ସ୍ୱାମୀ ଚୌଧୁରୀ ଭେଙ୍କଟ ରମଣଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ପୂର୍ବତନ ମେୟର ଯେଉଁ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ମେୟର କେ. ମାଧବୀଙ୍କ ପ୍ରଥମ ସ୍ୱାମୀ କେ. ଲକ୍ଷ୍ମଣ ରାଓଙ୍କ ବୟାନ କୋର୍ଟରେ ରେକର୍ଡ କରିସାରିଛନ୍ତି । ପୂର୍ବରୁ ମେୟର ମାଧବୀଙ୍କ ବୟାନ ମଧ୍ୟ କୋର୍ଟ ରେକର୍ଡ କରିଥିଲେ ।

 

ସବୁ ପକ୍ଷଙ୍କ ଯୁକ୍ତି ଶୁଣି ଏବଂ ପ୍ରମାଣ ତର୍ଜମା କରିବା ପରେ ଜିଲ୍ଲା ଦୌରା ଜଜ ମଳୟ ରଞ୍ଜନ ଦାସ ମେୟର କେ. ମାଧବୀଙ୍କ ସଭ୍ୟ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ କେ. ମାଧବୀ ଏହି ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟ ତଳ କୋର୍ଟକୁ ଏହି ମାମଲା ପଠାଇ ଦେଇଥିଲେ । ତେଣୁ ଆଜିର ଏହି ଫଏସଲା ପରେ କେ. ମାଧବୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ କେତେଦୂର ସଫଳ ହେବେ ତାହା କେବଳ ଅନୁମାନର କଥା ।

 

ଏହି ପରିସ୍ଥିତିରେ ବର୍ତ୍ତମାନ ବ୍ରହ୍ମପୁର ସହରରେ ମେୟର ପଦକୁ ନେଇ ଦୁଇ କର୍ପୋରେଟର ମମତା ବିଷୋୟୀ ଓ ସଂଘମିତ୍ରା ଦଳାଇଙ୍କ ନାମ ଚର୍ଚ୍ଚାକୁ ଆସିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top