କଂଗ୍ରେସର ଆଶାର ପ୍ରଦୀପ!

News Story - Posted on 2018-02-12

କିଶୋର ପଟ୍ଟନାୟକ

 

ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଥିବା କୁନ୍ଦୁଲି କନ୍ୟାର ଆତ୍ମହତ୍ୟାର କାହାଣୀ ସଂପ୍ରତି ରାଜନେତାଙ୍କ ରାଜନୈତିକ ମାନସ ମନ୍ଥନର ଶିରୋନାମାରେ। ଶାସକ ଦଳ ଚିନ୍ତିତ ହେବା ପରି ଛଳନା ଭରା ସନ୍ଦେଶ ଦେଇ ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାକୁ ଧର୍ଷଣ ଓ ଆତ୍ମହତ୍ୟାର ଦିଗଗୁଡ଼ିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ଭିତରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଟିକେ ଚେଙ୍ଗା ହୋଇଉଠିଛି। କୁନ୍ଦୁଲି ପ୍ରସଙ୍ଗରେ ସରକାରଙ୍କ ଭୁଲଭଟକାକୁ ଲଗାତାର ଲୋକଲୋଚନକୁ ଆଣି ଦଳକୁ ଲୋକଙ୍କ ନିକଟତର କରାଇବାରେ ଊଣାଅଧିକେ ସଫଳ ହଇଛନ୍ତି କୋରାପୁଟ ଅଞ୍ଚଳର ଯୁବ ନେତା ପ୍ରଦୀପ ମାଝୀ।

 

ପୀଡ଼ିତାର ଅଭିଯୋଗ ପରଠୁଁ ଏହି ପ୍ରସଙ୍ଗର ପିଛା ଛାଡ଼ି ନାହାନ୍ତି ପ୍ରଦୀପ ମାଝୀ। ପୀଡ଼ିତା ଓ ତା’ ପରିବାରକୁ ନ୍ୟାୟ ଦେବା ପାଇଁ ସେ ଏହାକୁ ନେଇ ଜନ ଆନ୍ଦୋଳନ ଚଳାଇଛନ୍ତି। କୁନ୍ଦୁଲି ଓ କୋରାପୁଟ ପରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସେ ଏହି ପ୍ରସଙ୍ଗରେ ଜନମତ ସୃଷ୍ଟିକାରୀ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି। ରାଜଧାନୀରେ ନବୀନ ନିବାସ ଘେରାଉ କରିବାକୁ ଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କ ସହ ପୁଲିସର ମୁହାଁମୁହିଁ ମୁକାବିଲା ଭିତରେ କେତେକ କର୍ମୀ ଅଣ୍ଡାମାଡ଼ କରିଥିଲେ। ଏହା ପରେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ନବୀନ ନିବାସର ଯଥେଷ୍ଟ ପୂର୍ବରୁ ଅଟକାଇଥ‍ଲେ। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ଯୁବନେତା ପ୍ରଦୀପ ମାଝୀ ସେଇଠାରେ ରାସ୍ତା ଉପରେ ଧାରଣାରେ ବସି ନିଜ ସଂଗ୍ରାମୀ ପରାକାଷ୍ଠାର ପରିଚୟ ଦେଇଥିଲେ।

 

ପ୍ରଦୀପ ମାଝି କେବଳ ଆଦିବାସୀଙ୍କ ନେତା ନୁହନ୍ତି, ଓଡ଼ିଶା କଂଗ୍ରେସରେ ଲୁଲୁ ମହାପାତ୍ର ଅସ୍ତ ହେବା ପରେ ବୋଧହୁଏ ଯୁବ ନେତା ଭାବରେ ସେ ହିଁ ଏକମାତ୍ର ଆଶାର ପ୍ରଦୀପ। କୁନ୍ଦୁଲି ଘଟଣାର ପ୍ରତିଟି ଚିତ୍ର ସହ ନିଜକୁ ସାମିଲ କରି ସେ ନିଜେ ନିଜର ଗୋଟିଏ ଏମିତି ଛବି ତିଆରି କରି ହୃଦୟ ଜିଣୁଛନ୍ତି ଯାହା ବିରଳ ା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ପାଖରେ ବସି ପ୍ରଦୀପ ମାଝୀ ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତର ରଖୁଥିଲାବେଳେ ଲାଗୁଥିଲା ସେ ଜଣେ ସ୍ବାଭିମାନୀ ଓଡ଼ିଆ ଭାବରେ ନିଚ୍ଛକ ସତ୍ୟ ଘଟଣାର ଅବତାରଣା କରୁଛନ୍ତି। ତାଙ୍କ ସ୍ବରରୁ ସ୍ପଷ୍ଟ ବାରି ହେଉଥିଲା ଦରଦ ଓ ସଂକଳ୍ପର ଦୃଢ଼ତା।

 

ଶାସକ ବିଜୁ ଜନତା ଦଳ ଦୀର୍ଘ 18 ବର୍ଷର ଶାସନ ଭିତରେ କଳିଙ୍ଗ ନଗର ଘଟଣାଠାରୁ କୁନ୍ଦୁଲି ଝିଅର ଆତ୍ମହତ୍ୟାର କାହାଣୀ ବେଶ୍ ସ୍ପର୍ଶକାତର। ଏଇ ଶାସନରେ ଓଡ଼ିଶାର ଅନେକ ନିରୀହ ଆଦିବାସୀ ଅନେକ ସ୍ଥାନରେ ପୁଲିସ ଗୁଳିର ଶିକାର ହୋଇଛନ୍ତି। କେଉଁଠି ନକ୍ସଲ ନାମରେ ସେମାନଙ୍କୁ ହତ୍ୟା କରାଯାଇଛି ତ କେଉଁଠି ଶିଳ୍ପ ବିରୋଧୀ ଭାବେ ଦମ କରାଯାଉଛି। ଏସବୁ ପ୍ରସଙ୍ଗରେ ମଧ୍ୟ ପ୍ରଦୀପ ମାଝୀ ନିଜର ଦୃଢ଼ ସ୍ବର ଉତ୍ତୋଳନ କରିଛନ୍ତି।

 

ଜଣେ ସ୍ବାଭିମାନୀ ଓଡ଼ିଆ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଯେଉଁସବୁ ପ୍ରଶ୍ନ ପଚାରିଛନ୍ତି ତାର ସଠିକ ଉତ୍ତର ଦେବାକୁ ଶାସକ ଦଳର ତୁଣ୍ଡ ଖନି ମାରିଯାଇଛି। ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଶହୀଦ ଲକ୍ଷ୍ମଣ ନାୟକ ଏବଂ ସହସ୍ର ସହସ୍ର ସ୍ବାଭିମାନୀ ବୀର ସିପାହୀଙ୍କ ମାଟିରେ ନାରୀମାନଙ୍କ ଇଜ୍ଜତ ଓ ସମ୍ମାନ ଆଜି ଅସୁରକ୍ଷିତ। ଏହି ପାପର ମୁକାବିଲା କରିବାକୁ କୁନ୍ଦୁଲିର ଗାଣ୍ଡିବ ଧରିଛନ୍ତି ପ୍ରଦୀପ ମାଝୀ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top