ବିଜେପି ଅଙ୍କ ଛିଡ଼ୁଛି!

News Story - Posted on 2018-02-11

ସୂର୍ଯ୍ୟମଣି ମିଶ୍ର

 

୨୦୧୪ ରାଜସ୍ଥାନରେ ସମସ୍ତ ୨୫ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା । ଏହି ବିଜୟ ମୁଖ୍ୟମନ୍ତ୍ରୀ ବିଜୟା ରାଜେ ସିନ୍ଧିଆଙ୍କର ଥିଲା ଲୋକପ୍ରିୟତାର ପ୍ରମାଣ । କିନ୍ତୁ ରାଜପୁତ ସମ୍ମାନ ନାମରେ ହିନ୍ଦୁତ୍ୱ ଆତଙ୍କ ମହାରାଣୀଙ୍କ ଲୋକପ୍ରିୟତା ହ୍ରାସର ସଦ୍ୟତମ ଉପନିର୍ବାଚନ ଫଳାଫଳରୁ ଜଣାପଡ଼ିଛି । ଅଲୱରରେ ପହଲୁ ଖାନ୍ ହତ୍ୟା, ସଂଘ-ବିଜେପିର ବହୁସଂଖ୍ୟକବାଦୀ ରାଜନୀତି, ବିଜୟ ପରେ ପରାଜୟର ବାର୍ତ୍ତା ଦେଇଛି । ଅଲୱର ଲୋକସଭା ଆସନରେ ହାରାହାରି ୨ ଲକ୍ଷ ଭୋଟରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି । ରାଜନୀତିର ଏହି ପ୍ରକୃତି ବିରୁଦ୍ଧରେ ଅର୍ଥାତ୍ ହିଂସା ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ସିନ୍ଧିଆଙ୍କ କାର୍ଯ୍ୟଶୈଳୀରେ କେବଳ ଜନତା ନୁହଁନ୍ତି, ଦଳର କର୍ମକର୍ତ୍ତା ମଧ୍ୟ ଅସୁଖୀ । ଭାବାନାତ୍ମକ ପ୍ରସଙ୍ଗକୁ ନେଇ ସବୁଦିନ ନିର୍ବାଚନୀ ସଫଳତା ହାସଲ କରିବା ସମ୍ଭବ ନୁହେଁ ।

 

କଂଗ୍ରେସ ଦଳ ପାଇଁ ଉପନିର୍ବାଚନ ଫଳାଫଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ପଞ୍ଜାବରେ ସରକାର ଗଠନ, ରାଜସ୍ଥାନ ଉପନିର୍ବାଚନରେ ବିଜୟ, ଗୁଜରାଟରେ କ୍ଷମତା ହାସଲ କରିପାରିନଥିଲେ ହେଁ ଦଳର ପ୍ରଦର୍ଶନ ବିଜେପି ପାଇଁ ଆହ୍ୱାନର ବାର୍ତ୍ତା ଦେଇଛି । ଯଦିଓ କଂଗ୍ରେସ କର୍ମକର୍ତ୍ତାଙ୍କ ଉତ୍ସାହ ଦେଶବ୍ୟାପୀ ବୃଦ୍ଧି ପାଇଛି । ତେବେ ବିଜେପିର ସାଂଗଠନିକ ସ୍ଥିତି ଓ ଶକ୍ତି ତୁଳନାରେ କଂଗ୍ରେସ ବହୁ ପଛରେ ରହିଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଦ୍ୟସମାପ୍ତ ଉପନିର୍ବାଚନ ଫଳାଫଳ କଂଗ୍ରେସକୁ ସଞ୍ଜିବନୀ ଦେଇଛି ବୋଲି କହିଲେ ଭୁଲ ହେବନାହିଁ । ଏହା ସତ ଯେ ପଶ୍ଚିମବଙ୍ଗ ଉପନିର୍ବାଚନ ଫଳାଫଳ ଯଦିଓ କ୍ଷମତାସୀନ ତୃଣମୂଳ କଂଗ୍ରେସ ସପକ୍ଷରେ ଯାଇଛି । କିନ୍ତୁ କଂଗ୍ରେସ ଏଠାରେ ଚତୁର୍ଥ ସ୍ଥାନରେ ଏବଂ ବିଜେପି ଦ୍ୱିତୀୟ ସ୍ଥାନରେ ପହଞ୍ôଚଛି । ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ସରକାରରେ ଥିବା ବାମସାମ୍ମୁଖ୍ୟ ତୃତୀୟ ସ୍ଥାନରେ ରହିବା ରାଜନୈତିକ ସମୀକ୍ଷକଙ୍କ ପାଇଁ ବିଶ୍ଳେଷଣର ପ୍ରସଙ୍ଗ ହୋଇଥିବା ବେଳେ ବିଜେପି ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି ।

 

୧୯୭୭ରେ ଜନତା ପାର୍ଟି ସରକାର ଦେଶରେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ପରେ ପ୍ରଥମ ହୋଇଥିଲା । କେହି କଳ୍ପନା କରିନଥିଲେ ମାତ୍ର ଅଢ଼େଇ ବର୍ଷ ପରେ ବହୁ ଭୋଟରେ (ପ୍ରଚଣ୍ଡ ବହୁମତ)ରେ ଜିତିଥିବା ଜନତା ଦଳ ସରକାରର ପତନ ହେବ! ୧୯୮୦ରେ ଜନତା ପାର୍ଟି ସରକାର ପରାଜୟ ପୂର୍ବରୁ ଶ୍ରୀମତୀ ଇନ୍ଦିରା ଗାନ୍ଧି କର୍ଣ୍ଣାଟକର ଚିକମାଗାଲୁରରେ ହୋଇଥିବା ସଂସଦୀୟ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଶ୍ରୀମତୀ ଗାନ୍ଧିଙ୍କ ଏହି ବିଜୟ ଦଳକୁ ଜନତା ପାର୍ଟି ସ୍ଥାନରେ କ୍ଷମତା ଦେଇଥିଲା । ରାଜସ୍ଥାନ ଉପନିର୍ବାଚନ ଏବଂ ପୂର୍ବର ଗୁଜରାଟ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ସୂଚନା ଦେଇଛି ଯେ ବିଜେପିର ୨୦୧୪ ସମୟର ଲୋକପ୍ରିୟତା ଆଉ ନାହିଁ । ବିକାଶ ମଡେଲ ଲୋକଙ୍କୁ ଛୁଇଁ ପାରିନାହିଁ । ଏହା ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଲାଣି ଯେ ସାଂପ୍ରଦାୟିକ ଓ ଜାତିଆଣ କାର୍ଡକୁ ଭୋଟର ପୁରୁଣା ୫୦୦ ଟଙ୍କିଆ ନୋଟ ଭଳି ଫିଙ୍ଗି ଦେଉଛନ୍ତି । ଅନୁମାନ କରାଯାଉଥିଲା ଏବଂ ଅନୁଭବ ହେଉଥିଲା ସରକାରଙ୍କ କାର୍ଯ୍ୟ ଧାରାରେ ଉପୁଜିଥିବା ନିରାଶ ଓ ଅସନ୍ତୋଷକୁ ସାଂପ୍ରଦାୟିକ ଏବଂ ଜାତିଆଣା ପରିବେଶ ଜରିଆରେ କିଛିଦିନ ଭୁଲାଇ ଦିଆଯାଇପାରେ । କିନ୍ତୁ ସଂସଦୀୟ ରାଜନୀତିରେ ବିଜୟ ହାସଲ ପାଇଁ ଏହା ସ୍ଥାୟୀ ଫର୍ମୁଲା ହୋଇନପାରେ । ଆଜି କ୍ଷମତାସୀନ ଦଳର ସଂସ୍କୃତି ଏବଂ ନୀତି ବିରୁଦ୍ଧରେ ସୃଷ୍ଟି ହୋଇଛି ଅସନ୍ତୋଷ ।

 

ଏପରି ଦେଖିବାକୁ ମିଳିଥିଲା ୨୦୧୪ରେ । ସେତେବେଳେ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଦୁର୍ନୀତି ବିଜେପି ପାଇଁ ପ୍ରସଙ୍ଗ ହୋଇଥିଲା ଓ ଲୋକମତ ବିଜେପି ଆଡ଼କୁ ମୁହାଁଇଥିଲା । ଏବେ ବିଜେପି ପାଇଁ ସାଂପ୍ରଦାୟିକ କୋଳାହଳ ଏବଂ ଉନ୍ମାଦ ସହ ସରକାର ନିଜ ଘୋଷଣା ବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିନପାରିବା ଜନିତ ଜନଅସନ୍ତୋଷ ଉପନିର୍ବାଚନରେ ପ୍ରତିଫଳିତ ହୋଇଛି । ସଂଖ୍ୟାଲଘୁ, ଦଳିତ, ଆଦିବାସୀଙ୍କ ଅସନ୍ତୋଷ ବିଜେପି ବିରୁଦ୍ଧରେ ବୃଦ୍ଧି ପାଉଛି । ସାଂଗଠନିକ ଶକ୍ତି ବଢ଼ୁଛି ନା ହ୍ରାସ ପାଉଛି, ତାହା ଉପନିର୍ବାଚନ ଫଳାଫଳ ସଂକେତ ଦେଇଛି । ଜନସମର୍ଥନ ହ୍ରାସ ପାଉଥିବା ସ୍ଥିତିକୁ ବିଜେପି ଯେ ଜାଣିପାରିନାହିଁ, ତାହା ନୁହେଁ ଏଥିପାଇଁ ୨୦୧୯ ପୂର୍ବରୁ ସାଧାରଣ ନିର୍ବାଚନ କରାଇବାକୁ ଦଳ ଚାହୁଁଛି ।

 

ବିଜେପି ଶୀଘ୍ର ନିର୍ବାଚନ ଚାହିଁବା ସପକ୍ଷରେ ଗଣିତ ଯାହା, ତାହା ଦର୍ଶାଇଛନ୍ତି ରାଜେଶ ଜୈନ । ସେ ୨୦୧୪ରେ ଭାରତୀୟ ଜନତା ପାର୍ଟି (ବିଜେପିର ମିଶନ-୨୭୨) ନିର୍ବାଚନୀ ଅଭିଯାନର ସ୍ଥପତି ଥିଲେ । ନିକଟରେ ଶ୍ରୀ ଜୈନ ଏକ ଲେଖାରେ ଆଗାମୀ ୧୦୦ ଦିନ ମଧ୍ୟରେ କାହିଁକି ଲୋକସଭା ନିର୍ବାଚନର ଆବଶ୍ୟକତା, ସେ ସଂପର୍କରେ ୧୨ଟି କାରଣ ଦର୍ଶାଇଛନ୍ତି । ଜୈନ ୨୦୧୯ ଲୋକସଭା ନିର୍ବାଚନର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦୧୮ରେ ଆରମ୍ଭ କରିବା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ସୂଚାଇଛନ୍ତି । ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ତର୍କ ହେଉଛି ୨୦୧୪ ସାଧାରଣ ନିର୍ବାଚନ ପରେ ୪ ବର୍ଷ ମଧ୍ୟରେ ୧୫ଟି ରାଜ୍ୟରେ ନିର୍ବାଚନ ହୋଇଛି । କିପରି ବିଜେପିର ଭୋଟ ହାର ହ୍ରାସ ପାଉଛି, ସେ ସଂପର୍କରେ କେତେକ ଉଦାହରଣ ଦେବା ତର୍କ ସଂଗତ ହେବ ନିଶ୍ଚୟ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ଲୋକସଭାର ୫୪୩ ଆସନ ମଧ୍ୟରୁ ୨୮୨ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲା । ସାଧାରଣ ନିର୍ବାଚନ ପରେ ଭାରତର ୨୯ ରାଜ୍ୟ ମଧ୍ୟରୁ ୧୫ ରାଜ୍ୟରେ ନିର୍ବାଚନ ହୋଇଛି । ପ୍ରତ୍ୟେକ ଲୋକସଭା ଆସନ, ପ୍ରତ୍ୟେକ ରାଜ୍ୟର ବିଧାନସଭା ନିର୍ବାଚନ କ୍ଷେତ୍ରର ଏକ ନିଶ୍ଚିତ ଆସନରେ ମେଳ ଖାଇଥାଏ । ଅର୍ଥାତ୍ ବିଧାନସଭା ନିର୍ବାଚନ କ୍ଷେତ୍ରର ଫଳାଫଳ ସହ ଲୋକସଭା ନିର୍ବାଚନ କ୍ଷେତ୍ରର ସମ୍ଭାବ୍ୟ ଫଳାଫଳ ସୂଚାଇ ଦେଇଥାଏ । ଏଥିପାଇଁ ସମ୍ଭାବିତ ଲୋକସଭା ଆସନ ଉପରେ ବିଜୟ ଦାବି କରିବା ପାଇଁ ବିଧାନସଭା ନିର୍ବାଚନ କ୍ଷେତ୍ରର ଫଳାଫଳକୁ ଯୋଡ଼ାଯାଇପାରେ ବା ଯୋଗ କରାଯାଇପାରେ ।

 

୨୦୧୪ ନିର୍ବାଚନରେ ଏହି ୧୫ ରାଜ୍ୟରୁ ୧୯୧ ଲୋକସଭା ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଏହା ପରେ ରାଜ୍ୟ ନିର୍ବାଚନରେ ଏହାର ପ୍ରଦର୍ଶନ ୧୪୬ ଆସନର ଅନୁରୂପ ରହିଛି । ଅର୍ଥାତ୍ ୪୫ ଲୋକସଭା ଆସନରେ କ୍ଷତିର ସୂଚନା ମିଳିଛି । ଅନ୍ୟ ଅର୍ଥରେ ୧୫ ରାଜ୍ୟର ନିର୍ବାଚନ ପରେ ବିଜେପିର ଲୋକସଭା ଆସନ ସଂଖ୍ୟା ୨୩୭ ହେବାର ସୂଚନା ଦିଏ । ଏହି ପରିସଂଖ୍ୟାନ ୨୦୧୪ର ଆସନଠାରୁ ୪୫ କମ୍ । ଏହି ଭାବେ ଯଦି ରାଜ୍ୟର ନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନ ପାଇଁ କୌଣସି ସଂକେତ ହୁଏ, ତେବେ ବିଜେପିର ଆସନ ସଂଖ୍ୟା ହ୍ରାସ ପାଉଥିବା ସ୍ପଷ୍ଟ ସଂକେତ ଦେଉଛି । ୨୦୧୪ରେ ବିଜେପି ଏହି ୧୫ ରାଜ୍ୟରେ ୧୧୭୧ ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିଲା । କିନ୍ତୁ ରାଜ୍ୟ ନିର୍ବାଚନରେ ମାତ୍ର ୮୫୪ ଆସନରେ ବିଜୟ ହାସଲ କରିଛି । ଅର୍ଥାତ୍ ୨୦୧୪ର ବିଧାନସଭା ଆସନ ମଧ୍ୟରୁ ହାରାହାରି ଏକ-ତୃତୀୟାଂଶ ଆସନ ବିଜେପିର ହାତଛଡ଼ା ହୋଇଛି ।

 

ଭୋଟ ହାରରେ ୨୦୧୪ ଲୋକସଭା ନିର୍ବାଚନରେ ଏହି ୧୫ ରାଜ୍ୟରେ ବିଜେପି ୩୯ ପ୍ରତିଶତ ଭୋଟର ଭାଗିଦାର ଥିଲା । କିନ୍ତୁ ଏବେ ୨୯ ପ୍ରତିଶତରେ ଆସି ପହଞ୍ôଚଛି । ଅର୍ଥାତ୍ ଗୋଟିଏ ନିର୍ବାଚନରେ ୧୦୦ରୁ ୩୯ ମତଦାତା ବିଜେପିକୁ ପସନ୍ଦ କରିଥିଲେ, ଏହା ପର ନିର୍ବାଚନରେ ୧୦୦ରୁ ମାତ୍ର ୨୯ ପ୍ରତିଶତ ବିଜେପିକୁ ପସନ୍ଦ କରିଛନ୍ତି ।

 

୨୦୧୮ ଅର୍ଥାତ୍ ଚଳିତବର୍ଷ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ବଡ଼ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଏହି ୪ ରାଜ୍ୟରେ ବିଜେପି ୭୯ ସଂସଦୀୟ କ୍ଷେତ୍ରର ଭାଗିଦାର ଥିଲା । କିନ୍ତୁ ବିଜେପିର ଭୋଟ ହାର ଏହି ସମ୍ଭାବ୍ୟ ୪ ରାଜ୍ୟ ନିର୍ବାଚନରେ ଯଦି ହ୍ରାସ ପାଏ, ତେବେ ବିଜେପିର ମୋଟ ଆସନ ସଂଖ୍ୟା ଲୋକସଭା ନିର୍ବାଚନ ବେଳକୁ ୨୧୭କୁ ଖସିଯାଇପାରେ! ତର୍କ ହେଉଛି ମତଦାତା ଅର୍ଥାତ୍ ଭୋଟର୍ ରାଜ୍ୟ ନିର୍ବାଚନରେ ଗୋଟିଏ ପ୍ରକାର ମତ ଦିଅନ୍ତି, ଆଉ ଲୋକସଭା ନିର୍ବାଚନରେ ମତ ପରିବର୍ତ୍ତନ କରନ୍ତି । ରାଜ୍ୟ ନିର୍ବାଚନ ଫଳାଫଳ ସହ ଲୋକସଭା ନିର୍ବାଚନକୁ ଯୋଡ଼ାଯିବାର ଯୁକ୍ତି ନାହିଁ । କିନ୍ତୁ ଏହା ମଧ୍ୟ ଯୁକ୍ତି ହେଉଛି ଯେ ପୂର୍ବର ରାଜ୍ୟ ନିର୍ବାଚନ ଫଳାଫଳ ଭବିଷ୍ୟତ ଲୋକସଭା ନିର୍ବାଚନ ପ୍ରଦର୍ଶନର ନିଶ୍ଚିତ ସଂକେତ । ଅନ୍ୟ ଏକ ଯୁକ୍ତି ହେଉଛି ଯେ, ଲୋକସଭା ସହ ବିଧାନସଭା ନିର୍ବାଚନ ଏକା ସମୟରେ କରାଯିବାକୁ । ରାଜ୍ୟ ଏବଂ ଜାତୀୟ ନିର୍ବାଚନ ଏକା ସମୟରେ ହେଲେ ୭୭ ପ୍ରତିଶତ ଭୋଟର ଦୁଇ ନିର୍ବାଚନ ପାଇଁ ଗୋଟିଏ ଦଳକୁ ପସନ୍ଦ କରିବେ ।

 

ନିର୍ବାଚନୀ ଗଣିତ ନିଶ୍ଚିତ ଭାବରେ ଶୀଘ୍ର ଏବଂ ଏକା ସମୟରେ ବିଧାନସଭା-ଲୋକସଭା ନିର୍ବାଚନ ହେବା କଥା । ବିଜେପି ୨୦୧୪ ନିର୍ବାଚନର ଆର୍କିଟେକ୍ଟ ଶ୍ରୀ ଜୈନଙ୍କ ଆଗୁଆ ନିର୍ବଚନ ସମ୍ବନ୍ଧୀୟ ଏହି ଭବିଷ୍ୟତ ବାଣୀକୁ ସମର୍ଥନ କରୁଛି । ବିଜେପି ସମୀକ୍ଷା କରିଛି ଯେ, ଦଳର ଭୋଟ ହ୍ରାସ ପାଉଛି । କାରଣ ଦଳ ୨୦୧୪ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରି ନାହିଁ । ଏହାସହ ସାଂପ୍ରଦାୟିକତା, ମୌଳବାଦୀଙ୍କ ଉନ୍ମାଦ ବୃଦ୍ଧି, ଦରଦାମ ବୃଦ୍ଧି, ଚାଷୀ ଆତ୍ମହତ୍ୟା ସହ ନୋଟବନ୍ଦୀ ଏବଂ ଜିଏସଟି ତଥା ନିଯୁକ୍ତିବିହୀନ ବିକାଶର ପ୍ରତିକୂଳ ପ୍ରଭାବ ପକାଇଛି ଭୋଟରଙ୍କ ମଧ୍ୟରେ, ଏହାକୁ ଠିକ୍ ଭାବେ ପରଖିସାରିଛି ବିଜେପି । ସେଥିପାଇଁ ଦଳ ଚାହୁଁଛି ଶୀଘ୍ର ନିର୍ବାଚନ । ରାଜ୍ୟ ଏବଂ ଜାତୀୟ ନିର୍ବାଚନ ଏକା ସମୟରେ!

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top