ଭେଳିକି ହୋଇପାରେ ସ୍ୱାସ୍ଥ୍ୟ ବୀମା

News Story - Posted on 2018-02-07

ବୀମା ଏକ ବେପାର, ସମାଜସେବା ନୁହେଁ । ଲକ୍ଷେ ଲୋକଙ୍କ ପ୍ରିମିୟମରେ ଦଶ ଜଣଙ୍କୁ କିଛି ଆର୍ଥିକ ଫାଇଦା ଦେବା ହେଉଛି ବୀମା । ଠିକ ଲଟେରି ବେପାର ଭଳି । ସ୍ୱାସ୍ଥ୍ୟ ବୀମା କରୁଥିବା ସବୁ ଲୋକଙ୍କୁ ରୋଗ ହୁଏ ନାହିଁ । କୌଣସି ଲୋକ ଚାହାନ୍ତି ନାହିଁ ସେମାନେ ରୋଗରେ ପଡ଼ନ୍ତୁ ଓ ବୀମା ଟଙ୍କାରେ ଡାକ୍ତର ଓ ଔଷଧ ଖର୍ଚ୍ଚ ତୁଲାନ୍ତୁ । ଦେହପା’କୁ ଜଗିବା ସତ୍ତେ୍ୱ ଯଦି କେବେ କୌଣସି ବଡ଼ ରୋଗ ହୋଇଯାଏ ତେବେ ଡାକ୍ତରଖାନା ଯିବାକୁ ପଡ଼େ । କେହି ଖୁସିରେ ଡାକ୍ତରଖାନା ଯାଆନ୍ତି ନାହିଁ କି ଡାକ୍ତରଖାନା ମଧ୍ୟ ଏକ ଖେଳ ପଡ଼ିଆ କି ପିକନିକ ସ୍ପଟ ନୁହେଁ ଯେ ରୋଗୀ ସେଠି ଆନନ୍ଦ ଉପଭୋଗ କରେ । ତେବେ ଏହା ମଧ୍ୟ ସତ ଯେ ଆଜିକାଲି ସରକାରଙ୍କ ଦ୍ୱାରା ବୃଦ୍ଧି ପାଉଥିବା ସହର ଓ ଶିଳ୍ପ ପ୍ରଦୂଷଣ ଯୋଗୁଁ ଅନେକ ଲୋକଙ୍କୁ ରୋଗ ଆକ୍ରମଣ କରେ । ଅନେକ ଦୁରାରୋଗ୍ୟ ରୋଗର ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରୋଗୀ ନିକଟରେ ଆବଶ୍ୟକ ପାଣ୍ଠି ନଥାଏ । ଡାକ୍ତରଖାନା ଖର୍ଚ୍ଚ ତୁଲେଇ ନପାରି ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି । ଏଇଭଳି କିଛି ଲୋକଙ୍କ ପାଇଁ ବେପାରୀମାନେ ଆରମ୍ଭ କରିଛନ୍ତି ଲାଭଜନକ ବୀମା ବେପାର ।

 

ଏଇଭଳି ଏକ ବେପାରକୁ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ୨୦୧୮-୧୯ ବଜେଟରେ ‘ବିଶ୍ୱର ସର୍ବବୃହତ’ ସ୍ୱାସ୍ଥ୍ୟ ବୀମା ଯୋଜନା କଥା ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଦେଶର ୧୦ କୋଟି ପରିବାର ବା ୫୦ କୋଟି ଲୋକ ଅର୍ଥାତ ଦେଶର ପ୍ରାୟ ୪୦ ପ୍ରତିଶତ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ସେମାନେ ରୋଗରେ ପଡ଼ିଲେ ସର୍ବାଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇବେ । ଏହାକୁ ନେଇ ସରକାରରେ ଥିବା ଦଳର ନେତା ଓ ସେମାନଙ୍କର ଭକ୍ତମାନେ ମୋଦିଙ୍କ ପ୍ରଚାରରେ ଇଣ୍ଟର୍ନେଟ ଫଟାଇଦେଲେଣି ।

 

ଗରୀବ ଲୋକମାନେ ସରକାରଙ୍କଠାରୁ ଏପରି ଯୋଜନା ଆଶା କରିବା ଅସ୍ୱାଭାବିକ ନୁହେଁ କି ସରକାର ସେମାନଙ୍କ ପାଇଁ ଏପରି କଲ୍ୟାଣକାରୀ ଯୋଜନା କରିବା ମଧ୍ୟ ଅନୈତିକ ନୁହେଁ । ଭାରତ ଏକ କଲ୍ୟାଣକାରୀ ରାଷ୍ଟ୍ର । ଏ ଦେଶର ସରକାର ଗରୀବଙ୍କ ସହାୟତା ଓ ଉପକାର ପାଇଁ ଏପରି ଯୋଜନା କରିପାରନ୍ତି । ତାହାକୁ କେହି ବିରୋଧ କରିବା ଉଚିତ ନୁହେଁ । କିନ୍ତୁ ଗରୀବଙ୍କ ନାଁରେ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଛଳନା ଓ ପ୍ରହେଳିକାର ଆଶ୍ରୟ ନେବା ମଧ୍ୟ ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ନୁହେଁ ।

 

‘ବିଶ୍ୱର ବୃହତ୍ତମ’ ଏହି ଯୋଜନା ପାଇଁ ଅର୍ଥମନ୍ତ୍ରୀ ଜେଟଲି ତାଙ୍କ ବଜେଟରେ ମାତ୍ର ୨୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ୫୦ କୋଟି ଲୋକଙ୍କ ପାଇଁ ଏହି ଟଙ୍କାରେ ପ୍ରିମିୟମ ଦାଖଲ ହେଲେ ମୁଣ୍ଡପିଛା ୪୦ ଟଙ୍କା ପଡ଼ୁଛି । କେଉଁ ବୀମା କମ୍ପାନୀ ୪୦ ଟଙ୍କାର ପ୍ରିମିୟମ ନେଇ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଖର୍ଚ୍ଚ ଭରଣା କରୁଛି? ଯଦି କୌଣସି ବୀମା କମ୍ପାନୀର ଏଭଳି ବ୍ୟବସ୍ଥା ଅଛି ତେବେ ସେଥିରେ ସରକାର କାହିଁକି ମୁଣ୍ଡ ପୂରାଉଛନ୍ତି? ଏ ଦେଶର ବିପିଏଲ କାର୍ଡ଼ଧାରୀମାନେ ମଧ୍ୟ ୪୦ ଟଙ୍କା ପ୍ରିମିୟମ ଦେଇପାରିବେ । ସରକାର ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ ସେମାନଙ୍କର ଏଜେଣ୍ଟମାନେ ଗାଁ ଗାଁ ବୁଲି ବିପିଏଲ ପରିବାରଗୁଡ଼ିକୁ ଏହି ବୀମା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିଦେବେ । ଏଥିପାଇଁ ବର୍ଷେ ଯାଏଁ ଅପେକ୍ଷା କରିବା ବି ଦରକାର ନାହିଁ । ପ୍ରଧାନମନ୍ତ୍ରୀ ମୋଦି ତ’ ପୁଣି ବର୍ଷକ ଭିତରେ ୨୫ କୋଟି ଜନଧନ ବ୍ୟାଙ୍କଖାତା ଖୋଲାଇବାର ପ୍ରଶଂସା ପାଉଛନ୍ତି! ପ୍ରଧାନମନ୍ତ୍ରୀ ଏ ବାଟେ ନଯାଇ ସରକାରୀ ତହବିଲରୁ ୨୦୦୦ କୋଟି ଟଙ୍କା ବ୍ୟବସ୍ଥା କଲେ କାହିଁକି?

 

ତେବେ ସେ ଯାହା ହେଉ, ଏ ସରକାର କିମ୍ବା ଏହାର ପୂର୍ବ ସରକାରଙ୍କ ପୂର୍ବରୁ ମଧ୍ୟ ଏ ଦେଶରେ ଏକ ବୀମା ବ୍ୟବସ୍ଥା ଥିଲା । ସେତେବେଳେ ତାହାକୁ କୁହାଯାଉଥିଲା ଜନତା ଆକ୍ସିଡେଣ୍ଟ ପଲିସି । ସେହିପରି ବୀମା କମ୍ପାନୀମାନେ ଗ୍ରୁପ ଇନ୍ସୁରାନ୍ସ ନାମରେ କେତେ ପ୍ରକାର ବୀମା ବ୍ୟବସ୍ଥା କରିଛନ୍ତି । ଏପରି ବ୍ୟବସ୍ଥାରେ ୧୨ ଟଙ୍କାର ପ୍ରିମିୟମ ଦେଇ ଲୋକମାନେ ଲକ୍ଷେ ଟଙ୍କାର ଆକ୍ସିଡେଣ୍ଟ ବୀମା ସୁବିଧା ପାଉଛନ୍ତି । ରୋଗ ପାଇଁ ମଧ୍ୟ ସେପରି ଯୋଜନା ଅଛି । ଗ୍ରୁପ ଇନ୍ସୁରାନ୍ସ ବା ଏକାଥରକେ ବହୁ ଲୋକ ବୀମାଭୁକ୍ତ ହେଲେ କମ୍ପାନୀମାନେ କମ ପ୍ରିମିୟମ ନେଇଥାନ୍ତି । ଏଇ ସରକାର ବି ଗତ ବଜେଟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ନାମରେ ଗୋଟେ ଯୋଜନା କଥା ଘୋଷଣା କରିଥିଲେ । ତାହାର ଉଦ୍ଦେଶ୍ୟ ମଧ୍ୟ ଥିଲା ଗରୀବ ଓ ଅଭାବୀ ଲୋକମାନଙ୍କୁ କମ୍ ପ୍ରିମିୟମରେ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା । ଏବର୍ଷ ବଜେଟରେ ଘୋଷିତ ହୋଇଥିବା ଏହି ନୂଆ ଯୋଜନାଟି କ’ଣ ତା’ଠାରୁ ସଂପୂର୍ଣ୍ଣ ଅଲଗା?

 

ତା’ ଛଡ଼ା ‘ବିଶ୍ୱର ବୃହତ୍ତମ’ ଏଇ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଥିବା ଗରୀବ ଲୋକମାନେ କେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଲେ ବୀମା ସୁବିଧା ପାଇବେ? ସରକାରୀ ଡାକ୍ତରଖାନାଗୁଡ଼ିକ ଏଥିରେ ସାମିଲ ହେବେ କି? ନା କେବଳ କେତେକ ବଛାବଛା ଘରୋଇ କମ୍ପାନୀଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଲେ ବୀମାଭୁକ୍ତ ରୋଗୀକୁ ଏ ସୁବିଧା ମିଳିବ? ସେଇ ଡାକ୍ତରଖାନାଟି ଲକ୍ଷେ ଟଙ୍କାର ଚିକିତ୍ସା କରି ୫ ଲକ୍ଷ ଟଙ୍କାର ବିଲ୍ କରିବ ନାହିଁ ତ’?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top