ଷ୍ଟକ ବଜାରରେ ଆତଙ୍କ

News Story - Posted on 2018-02-02

ମୋଦି ସରକାରଙ୍କ ବଜେଟ ଆଗତ ହେବାର ଦିନକ ପରେ ବି ଷ୍ଟକ ମାର୍କେଟର ରକ୍ତ ଝରିବା ବନ୍ଦ ହୋଇନାହିଁ । ଆଜି ବି ଆତଙ୍କରେ ଅନେକ ଶେୟାରଧାରୀ ସେମାନଙ୍କର ଶେୟାର ଶାଗମାଛ ମୂଲ୍ୟରେ ବିକ୍ରି କରିଦେଇଛନ୍ତି । ଆଜି ଗୋଟିଏ ଦିନରେ ବିଏସଇ ବେଞ୍ଚମାର୍କ ଇଣ୍ଡେକ୍ସ ୮୪୦ ପଏଣ୍ଡ ତଳକୁ ଖସିଛି ଓ ନିବେଶକମାନେ ପ୍ରାୟ ୪.୬ ଲକ୍ଷ କୋଟି ଟଙ୍କା ହରେଇଛନ୍ତି ।

 

ଶିଳ୍ପ ଜଗତ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରି ଖୁଚୁରା ନିବେଶକମାନେ ସେମାନଙ୍କର ଶେୟାର ବିକ୍ରି କରିଦେଇଛନ୍ତି । ତେଣୁ ସେନସେକ୍ସ ଆଜି ୮୩୯.୯୧ ପଏଣ୍ଡ ବା ୨.୩୪ ପ୍ରତିଶତ ଖସିଯାଇ ୩୫,୦୬୬.୭୫ ପଏଣ୍ଟରେ କାରବାର ଶେଷ କରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚରେ ପଂଜୀକୃତ ହୋଇଥିବା କମ୍ପାନୀଗୁଡ଼ିକର ବଜାର ପୁଂଜୀକରଣ ମୂଲ୍ୟ ୪,୫୮,୫୮୧.୩୮ କୋଟି ଟଙ୍କା ହ୍ରାସ ପାଇ ୧୪୮,୫୪,୪୫୨ କୋଟିରେ ପହଂଚିଛି । ୨୦୧୫ ଅଗଷ୍ଟ ୨୪ ତାରିଖ ପରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ପତନ । ସେହିଦିନ ଷ୍ଟକ ବଜାର ୧୬୨୪.୫୧ ପଏଣ୍ଟ ଖସିଥିଲା ।

 

୨୦୧୮-୧୯ ବଜେଟରେ ମୋଦି ସରକାର ଦୀର୍ଘକାଳୀନ ପୁଂଜି ଲାଭ ଉପରେ ୧୦ ପ୍ରତିଶତ ଟିକସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ବ୍ୟବସ୍ଥା ପୂର୍ବରୁ ପ୍ରଚଳିତ ଥିଲେ ବି ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ସମୟରେ ତାହାକୁ ରଦ୍ଦ କରିଦିଆଯାଇଥିଲା । ଏବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପୁଣି ଥରେ ଏହି ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଲୋକମାନେ ଶେୟାରରୁ ଦୀର୍ଘକାଳୀନ ଭିତ୍ତିରେ ଯେଉଁ ଲାଭ ଅର୍ଜନ କରିବେ ତାହା ଉପରେ ୧୦ ପ୍ରତିଶତ ଟିକସ ପଇଠ କରିବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top