ରେଳବାଇ ପାଇଁ ୧,୪୮,୫୨୮ କୋଟି

News Story - Posted on 2018-02-01

ଦେଶରେ ରେଳ ନେଟୱାର୍କକୁ ସୁଦୃଢ଼ କରିବା ଲାଗି ସରକାର ଗୁରୁତ୍ୱାରୋପ କରୁଥିବାରୁ ୨୦୧୮-୧୯ ସାଧାରଣ ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ଅର୍ଥ ଆବଂଟନ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ ୨୦୧୮-୧୯ ଉପସ୍ଥାପନ କରି କହିଥିଲେ ଯେ ୨୦୧୮-୧୯ ବର୍ଷରେ ରେଳବାଇ ପାଇଁ ବଜେଟରେ ୧,୪୮,୫୨୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହାର ବୃହତ ଅଂଶ କ୍ଷମତା ନିର୍ମାଣରେ ଖର୍ଚ୍ଚ କରାଯିବ । ୧୮ ହଜାର କିଲୋମିଟର ରେଳ ଲାଇନର ଦୋହରୀକରଣ/ତୃତୀୟ/ଚତୁର୍ଥ ଲାଇନର ନିର୍ମାଣ କାର୍ଯ୍ୟ ଏବଂ ୫ ହଜାର କିଲୋମିଟର ଗେଜ ପରିବର୍ତ୍ତନ ଦ୍ୱାରା କ୍ଷମତାରେ ବୃଦ୍ଧି ହେବ ଏବଂ ପାଖାପାଖି ସମ୍ପୂର୍ଣ୍ଣ ନେଟୱାର୍କକୁ ବ୍ରଡ଼ ଗେଜରେ ପରିବର୍ତ୍ତନ କରାଯିବ । ସେ କହିଥିଲେ ଯେ ୨୦୧୭-୧୮ରେ ୪ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତକରଣ କରାଯାଇଛି ।

 

ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ୨୦୧୮-୧୯ ବର୍ଷରେ ୧୨ ହଜାର ୱାଗନ, ୫୧୬୦ କୋଚ ଏବଂ ପାଖାପାଖି ୭୦୦ ଲୋକୋମୋଟିଭ କ୍ରୟ କରାଯିବ । ସେ କହିଥିଲେ ଯେ ପୂର୍ବ ଏବଂ ପଶ୍ଚିମ ସମର୍ପିତ ଫ୍ରିଟ କରିଡର କାମ ଦ୍ରୁତ ଗତିରେ ସମ୍ପାଦନ କରାଯାଉଛି । ମାଲ ଶେଡ଼ଗୁଡ଼଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଘରୋଇ ସାଇଡିଂର ଫାଷ୍ଟ ଟ୍ରାକ କାର୍ଯ୍ୟ ଆରମ୍ଭ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

 

ଅର୍ଥମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଫଗ ସେଫ ଏବଂ ଟ୍ରେନ ପ୍ରୋଟେକସନ ଏଣ୍ଡ ୱାର୍ଣ୍ଣିଂ ସିଷ୍ଟମ ଭଳି ପ୍ରଯୁକ୍ତିର ପ୍ରୟୋଗକୁ ପ୍ରୋତ୍ସାହନ ଦିଆଯିବ । ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ୪୨୬୭ ମାନବବିହୀନ ଲେଭେଲ କ୍ରସିଂକୁ ଉଠାଇ ଦିଆଯାଇ ସେଗୁଡ଼ିକୁ ବିଜି ନେଟୱାର୍କରେ ପରିବର୍ତ୍ତନ କରିବା ଲାଗି ନିଷ୍ପତି ନିଆଯାଇଛି ।

 

ଇଣ୍ଡିଆନ ରେଳୱେ ଷ୍ଟେସନ ଡେଭଲପମେଂଟ କମ୍ପାନୀ ଲିମିଟେଡ ଦ୍ୱାରା ୬୦୦ ପ୍ରମୁଖ ରେଳ ଷ୍ଟେସନର ପୁନଃଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଉଛି । ୨୫ ହଜାରରୁ ଅଧିକ ଯାତ୍ରୀ କ୍ଷମତାବିଶିଷ୍ଟ ସମସ୍ତ ଷ୍ଟେସନରେ ଏସ୍କେଲେଟର ଲଗାଯିବ । ସମସ୍ତ ରେଳ ଷ୍ଟେସନ ଏବଂ ରେଳଗାଡ଼ିରେ ୱାଇ-ଫାଇ ସୁବିଧା ପ୍ରଦାନ କରାଯିବ । ସମସ୍ତ ରେଳ ଷ୍ଟେସନ ଏବଂ ରେଳ ଗାଡ଼ିରେ ସିସିଟିଭି ଉପଲବ୍ଧ କରାଯିବ, ଯାହାଦ୍ୱାରା ଯାତ୍ରୀଙ୍କ ସୁରକ୍ଷାରେ ବୃଦ୍ଧି ହୋଇପାରିବ ।

 

ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ ମୁମ୍ବାଇର ପରିବହନ ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯାଉଛି । ୧୧ ହଜାର କୋଟି ଟଙ୍କା ବ୍ୟୟରେ ୯୦ କିଲୋମିଟର ବିଶିଷ୍ଟ ରେଳ ଲାଇନ ଦୋହରୀକରଣ କରାଯାଉଛି । ପାଖାପାଖି ୪୦ ହଜାର କୋଟି ଟଙ୍କା ବ୍ୟୟରେ ୧୫୦ କିଲୋମିଟର ଦୂରତ୍ୱ ବିଶିଷ୍ଟ ଅତିରିକ୍ତ ଉପନଗରୀୟ ନେଟୱାର୍କ ଯୋଜନା କରାଯାଉଛି, ଯେଉଁଥିରେ କେତେକ ଭାଗରେ ଉଚ୍ଚକୁ ଉଠିଥିବା ଲାଇନ ମଧ୍ୟ ସାମିଲ ଅଛି । ବେଙ୍ଗାଲୁରୁରେ ମହାନଗର ବିକାଶର ଆବଶ୍ୟକତାକୁ ପୂରଣ କରିବା ଲାଗି ୧୭ ହଜାର କୋଟି ଟଙ୍କାର ଆନୁମାନିକ ବ୍ୟୟ ସହ ପାଖାପାଖି ୧୬୦ କିଲୋମିଟର ମହାନଗର ନେଟୱାର୍କ ପାଇଁ ଯୋଜନା କରାଯାଇଛି । ଭାରତର ପ୍ରଥମ ହାଇସ୍ପିଡ ରେଳ ପ୍ରକଳ୍ପ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ଆବଶ୍ୟକ ଶ୍ରମଶକ୍ତିକୁ ତାଲିମ ଦେବା ଲାଗି ବରୋଦାରେ ଏକ ରେଳ ବିଶ୍ୱବିଦ୍ୟାଳୟ ପ୍ରତି । କରିବା ଦିଗରେ ପ୍ରୟାସ ଆରମ୍ଭ ହୋଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top