ମାଘ ପୂର୍ଣ୍ଣିମାର ସାଂସ୍କୃତିକ ସନ୍ଧ୍ୟା

News Story - Posted on 2018-02-01

 

ମାଘ ମାସର ଶୀତଳ ଶିହରଣ ଭିତରେ ଗଂଜାମ ଲୋକ ସଂସ୍କୃତିର ଏକ ଅନନ୍ୟ ସନ୍ଦେଶ ଦେଇଛି ମହାନଗର ବ୍ରହ୍ମପୁର । ଖଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମରେ ଆୟୋଜିତ ନଗର କଳା ସଂସ୍କୃତି ସଂଘର ସୃଜନାତ୍ମକ ଭାବନା ଗଂଜାମର କଳାକାରଙ୍କ ମନରେ ଖଳାଇ ଦେଇଛି ଅଫୁରନ୍ତ ଆନନ୍ଦ । ଉକ୍ରଳ କଳା ସାହିତ୍ୟ ସଂସ୍କୃତିରେ ପ୍ରାଚୁର୍ଯ୍ୟ ଭରା ଉପାଦନରେ ଗଂଜାମର ସଂସ୍କୃତି ଶ୍ରେଷ୍ଠ । ଗଂଜାମ ମାଟିର ସୁନାମଧନ୍ୟ କଳାକାରମାନେ କଳା ସାହିତ୍ୟରେ ସଂଗୀତ ଯାଦୁକରୀ ସ୍ପର୍ଶରେ ଟାଣି ଆଣିଛନ୍ତି ଅନେକଙ୍କୁ ।

 

ବ୍ରହ୍ମପୁର ମହାନଗରର ସୃଜନଶୀଳ ବିଚାରକୁ ବୁଦ୍ଧିଜୀବୀ ସାହିତ୍ୟ କଳା ସଂସ୍କୃତି ପ୍ରେମୀ ଶତମୁଖରେ ପ୍ରଶଂସା କରିଛନ୍ତି । ମହାନଗର କମିଶନର ଭାବରେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଚକ୍ରବର୍ତ୍ତୀ ରାଠୋରଙ୍କ ସଂଯୋଜନାରେ ଏବଂ ମେୟର କେ. ମାଧବୀଙ୍କ ଅଧ୍ୟକ୍ଷତାରେ ନଗର କଳା ସାଂସ୍କୃତିକ ସଂଘରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ ଉତ୍ସବ । ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ବିଧାୟକ ଗୋପାଳପୁର, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବି.ଡ଼ି.ଏ. ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉପସ୍ଥିତିରେ ମଂଚରେ ବହୁ କଳାକାର ନିଜ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ଦଶ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

 

ସହରର ବହୁ ଜଣାଶୁଣା ଅନୁଷ୍ଠାନ ତଥା କଳାକାର ରଣପା, ଦାସକାଠିଆଠାରୁ ଆରମ୍ଭ ପ୍ରହ୍ଲାଦ ନାଟକର ଭେଟି ଦେଇଥିଲେ । କହିବାକୁ ଗଲେ ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟର ଏକ ସମନ୍ୱିତ ରୂପଥିଲା ଏହି ଉତ୍ସବ । ଏଇ କାର୍ଯ୍ୟକ୍ରମର ଭବ୍ୟ ରୂପ ଦେଖି ସହରବାସୀ ଗୋପାଳପୁର ବୋଳାଭୂମି ମହୋତ୍ସବକୁ ଆଉ ମନେ ରଖିବେ ନାହିଁ । ଗୋପାଳପୁର ବେଳାଭୂମି ମହୋତ୍ସବ ଠିକ ଏକ ମାସତଳେ ଯେଉଁ ସନ୍ଦେଶ ଦେଇଛି ତାହାଠାରୁ ବଳିଗଲା ଆଜି ମହାନଗର ବ୍ରହ୍ମପୁର ଆୟୋଜିତ ଏଇ ଭବ୍ୟ ସଂସ୍କୃତି ବିଚିତ୍ରା ସଂଧ୍ୟା । ସ୍ଥାନୀୟ ଲୋକକଳା ଓ ଲୋକ ସଂସ୍କୃତିର ରୁଦ୍ଧିମନ୍ତ ଛାପ ଦେଖିବାକୁ ମିଳିଥିଲା ମହାନଗରର ଏହି ସାଂସ୍କୃତିକ ବିଚିତ୍ରାରେ । ଗୋପାଳପୁର ବେଳାଭୂମି ମହୋତ୍ସବ କୋଟିଏ ଟଙ୍କାର ଖର୍ଚ୍ଚରେ ଯେଉଁ ଆନନ୍ଦ ସହରବାସୀଙ୍କୁ ଦେଇନଥିଲା ତାହାଠାରୁ ବହୁଗୁଣରେ ବ୍ରହ୍ମପୁର ମହାନଗର କାର୍ଯ୍ୟକ୍ରମ ସମସ୍ତଙ୍କୁ ଆମୋଦିତ କରିଛି ।

 

କାର୍ଯ୍ୟକ୍ରମର ସମ୍ବର୍ଦ୍ଧନା ପର୍ବରେ ଗଂଜାମ ମାଟିରେ ତିନିଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଦେବା ପାଇ ମଂଚକୁ ଯାଇଥିଲେ ସମସ୍ତ ଅତିଥି । ଗଂଜାମ ତଥା ଓଡ଼ିଶାର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ କଳାକାର ରାଜୁ ପାଢ଼ୀ, ପ୍ରତିଷ୍ଠିତ ଦାସକାଟିଆ ଗାୟକ ବି. ଶତପଥୀ ଏବଂ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ନିର୍ଦ୍ଦେଶକ ଟି. ରାମଚନ୍ଦ୍ରଙ୍କୁ ପ୍ରତିଭା ପୂଜା ପର୍ବରେ ସମ୍ମାନିତ କରିଥିଲା ବ୍ରହ୍ମପୁର ମହାନଗର ନିଗମ ।

 

ଡ଼େପୁଟି କମିଶନର ସୌରିନ୍ଦ୍ର ରାଉତରାୟ, ପୂର୍ବତନ ସଂସ୍କୃତି ଅଧିକାରୀ ତଥା ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ସଂସ୍କୃତି ଅଧିକାରୀ ଶୁକ୍ର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ନିଖୁଣ ସ୍ପର୍ଶ ଦେଇ ଶତପ୍ରତିଶତ ସଫଳ କରିଥିଲେ । ସହରର ବହୁ ବରିଷ୍ଠ ବୁଦ୍ଧିଜୀବୀ, ସାହିତ୍ୟିକ, ସଂସ୍କୃତପ୍ରେମୀ, ଭାଷା ପ୍ରେମୀ, ସାମ୍ବାଦିକଙ୍କ ସହ ହଜାର ହଜାର ଦର୍ଶକଙ୍କ ଗହଣରେ ଏଇ ସୁନ୍ଦର କାର୍ଯ୍ୟକ୍ରମ ଶ୍ରେଷ୍ଠ ବ୍ରହ୍ମପୁରର ଶ୍ରେଷ୍ଠ ଉପହାର ଭାବେ ଗଂଜାମ କଳାକାରଙ୍କୁ ବେଶ୍ ଉତ୍ସାହିତ କରିବ ବୋଲି ସାଧାରଣରେ ଆଲୋଚଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top