ବ୍ଲାକ୍ ରୋଜ୍ ବୁଡ଼ିର ସିବିଆଇ ତଦନ୍ତ!

News Story - Posted on 2018-01-31

ଶେଷରେ ବ୍ଲାକ ରୋଜ୍ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ପାଇଁ ବାଟ ଫିଟିଛି । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏହି ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ କରାଇବାକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଏହି ଜାହାଜ ଜାଲ କାଗଜପତ୍ର ଦାଖଲ କରି ପାରାଦୀପ ବନ୍ଦରକୁ ଆସିଥିଲା ଓ ଓଡ଼ିଶାରୁ ବେଆଇନ ଲୁହାଗୁଣ୍ଡ ବୋଝେଇ କରି ବନ୍ଦର ଛାଡ଼ିବା ପରେ ପରେ ବୁଡ଼ି ଯାଇଥିଲା । ଏଥିରେ ଜାହାଜର ମୁଖ୍ୟ ଯନ୍ତ୍ରୀ ପ୍ରାଣ ହରାଇବା ସହିତ ଅନ୍ୟ କେତେ ଜଣ ଆହତ ହୋଇଥିଲେ ।

 

୨୦୦୯ ସେପ୍ଟେମ୍ବର ୯ ତାରିଖ ଦିନ ପାରାଦୀପ ବନ୍ଦରରେ ବୁଡ଼ି ଯାଇଥିଲା କୋଟିକୋଟି ଟଙ୍କାର ବେଆଇନ ଲୁହାଗୁଣ୍ଡ ବୋଝେଇ ହୋଇଥିବା ବ୍ଲାକ ରୋଜ୍ ନାମକ ଏକ ଜାହାଜ । ସେ ଦୁର୍ଘଟଣାରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ କେତେକ ନାବିକ ଆହତ ହୋଇଥିଲେ । କିନ୍ତୁ ଜାହାଜ କାହିଁକି ବୁଡ଼ିଲା, ଏଥିରେ କେଉଁ ସଂସ୍ଥାର ଲୁହାଗୁଣ୍ଡ ବୋଝେଇ ହୋଇଥିଲା, ତାହା କେଉଁ ଦେଶକୁ ଯାଉଥିଲା ଆଦି ପ୍ରଶ୍ନର ଉତ୍ତର ଏଯାଏଁ ମିଳି ନାହିଁ । ରାଜ୍ୟ ସରକାର ଏହି ଜାହାଜ ବୁଡ଼ି ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ । ମାତ୍ର ଘଟଣାର ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଜାହାଜ ବୁଡ଼ି ଘଟଣାର ସଂପୂର୍ଣ୍ଣ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ ।

 

କ୍ରାଇମ ବ୍ରାଞ୍ଚ ତଦନ୍ତରୁ କେବଳ ଏତିକି ଜଣାପଡ଼ିଥିଲା ଯେ ସଂପୃକ୍ତ ଜାହାଜର ପଂଜୀକରଣ ବୈଧତା ୨୦୦୯ ଏପ୍ରିଲ ମାସରେ ଶେଷ ହୋଇଥିଲେ ମଧ୍ୟ ଏହା ୨୦୦୯ ସେପ୍ଟେମ୍ବର ମାସରେ ପାରାଦୀପ ବନ୍ଦରକୁ ଆସିଥିଲା । ବୁଡ଼ି ଯାଇଥିବା ବ୍ଲାକ ରୋଜ୍ ଜାହାଜରେ ତୁରସ୍କର ପତାକା ଲାଗିଥିଲେ ବି ତାହାର ମାଲିକ ଅନ୍ୟ ଦେଶର ଥିଲେ ଏବଂ ତାଙ୍କର ଏହି ନାମରେ ଦୁଇଟି ଜାହାଜ ଥିଲା । ଜାଲ୍ କାଗଜପତ୍ର ଦାଖଲ କରି ବ୍ଲାକ ରୋଜ ଜାହାଜଟି ପାରାଦୀପ ବନ୍ଦରରେ ଲାଗିଥିଲା । ବନ୍ଦରରେ ଜାହାଜରେ କୋଟିକୋଟି ଟଙ୍କାର ଲୁହାଗୁଣ୍ଡ ବୋଝେଇ ହୋଇଥିଲା । କ୍ରାଇମ ବ୍ରାଞ୍ଚ ପୁଲିସ ଏତେ ସବୁ ତଥ୍ୟ ଉନ୍ମୋଚନ କରିଥିଲେ ମଧ୍ୟ ଏନେଇ କାହାକୁ ଗିରଫ କରିନଥିଲେ କି କାହାକୁ ଜେରା ପାଇଁ ସମନ କରି ନଥିଲେ ।

 

ଏବେ ବି ଜାହାଜଟି ପାରାଦୀପ ବନ୍ଦର ନିକଟରେ ସମୁଦ୍ର ଭିତରେ ବୁଡ଼ି ରହିଛି । ଜାହାଜ ବୁଡ଼ିଯିବା ଫଳରେ ସେଥିରେ ଥିବା ଅନେକ ତୈଳ ଲିକ୍ ହୋଇ ସାମୁଦ୍ରିକ ପରିବେଶ ନଷ୍ଟ କରିଥିଲା । ଏହି ସମସ୍ୟାର ମୁକାବିଲା କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ତେବେ ଜାହାଜଟି ସେହିଭଳି ବୁଡ଼ି ରହିଛି । ଏହା ଅନ୍ୟ ଜାହାଜ ଓ ମାଛଧରା ପୋତ ପାଇଁ ବିପଦ ସୃଷ୍ଟି କରିଛି । ଏହାକୁ ଭାଙ୍ଗିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରାରମ୍ଭିକ ଉଦ୍ୟମ କରିଥିଲେ ମଧ୍ୟ ତାହା ଅଧାରୁ ବନ୍ଦ ରହିଛି । କାରଣ ଏହାକୁ ଭାଙ୍ଗିଲେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଭଙ୍ଗା ଜିନିଷକୁ ବିକ୍ରି କଲେ ମିଳିବ ମାତ୍ର ୩-୪ କୋଟି ଟଙ୍କା । ସେଥିପାଇଁ ବନ୍ଦର କର୍ତ୍ତୃପକ୍ଷ ଏ ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି ।

 

ବ୍ଲାକ ରୋଜ ଭଳି ଏକ ଅନ୍ତର୍ଜାତୀୟ ଜାହାଜ ବୁଡ଼ି ପଛରେ ଅନେକ ବେଆଇନ ଓ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିଲେ ବି ଅପରାଧୀମାନେ ୮ ବର୍ଷ ପରେ ମଧ୍ୟ ଧରା ନପଡ଼ିବାକୁ ନେଇ ବନ୍ଦର ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନେକ ଥର ଉଦବେଗ ପ୍ରକାଶ ପାଇଥିଲା । ଶେଷ ଥର ପାଇଁ ୨୦୧୭ ଡିସେମ୍ବର ୧୫ ତାରିଖରେ ବସିଥିବା ଟ୍ରଷ୍ଟ ବୋର୍ଡ଼ ବୈଠରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଅନେକ ସଦସ୍ୟ ଦାବି କରିଥିଲେ । ସେମାନଙ୍କର ଦାବି ମାନି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ଏନେଇ ସେ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଏକ ଚିଠି ଲେଖିଛନ୍ତି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେହି ଜାହାଜରେ ରାଜ୍ୟର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ଭାଇ ବେଆଇନ ଭାବେ କୋଟିକୋଟି ଟଙ୍କାର ଲୁହାଗୁଣ୍ଡ ବିଦେଶକୁ ଚାଲାଣ କରୁଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ସେହି ଲୁହାଗୁଣ୍ଡ ଓଦା ଥିଲା । ଏହି ଯୁବନେତା ଜଣକ ଶାସକ ଦଳର ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ତଦନ୍ତ ଅଧିକ ଆଗେଇ ନଥିଲା । ବ୍ଲାକ ରୋଜ୍ ଜାହାଜ ବୁଡ଼ିଯିବା ଫଳରେ ବିଜୁବାବୁ ପ୍ରତିଷ୍ଠା କରିଥିବା ପାରାଦୀପ ବନ୍ଦର ପ୍ରତି ବିପଦ ସୃଷ୍ଟି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଆଡ଼ୁ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ନଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top