ବିତର୍କରେ ଭଂଜବିହାର ଡିଲିଟ‌୍‍ ସମ୍ମାନ

News Story - Posted on 2018-01-31

ହେମାଙ୍ଗ ପ୍ରସାଦ ରାଉଳ

 

ସାଂପ୍ରତିକ ସମାଜରେ ପ୍ରତିଭା ପୂଜନ ଏକ ପରଂପରାର ମାନ୍ୟତାରୁ ହଜିଯାଇ ରୁଗ୍ଣ ବ୍ୟବସ୍ଥା ଭିତରକୁ ଟାଣି ହୋଇଗଲାଣି। ପ୍ରତିଭା ସମ୍ୱର୍ନ୍ଧନା ପର୍ବ ଅସମ୍ମାନ ବୋଲି ବହୁ ଶିକ୍ଷାବିତ‌୍‍ ସାହିତ୍ୟିକ ବୁଦ୍ଧିଜୀବୀ ଅନୁଭବ କରିଲେଣି। ପ୍ରତି ମଂଚ, ପ୍ରତି ଆଲୋଚନା ଚକ୍ର ଓ ପ୍ରତି ଉତ୍ସବରେ ପ୍ରତିଭା ସମ୍ମାନ ଗୋଟିଏ ଫ୍ୟାସନ‌୍‍ ରୂପଧାରଣ କରିଛି। କିଏ ସମ୍ମାନ କରୁଛି? କାହାକୁ ସମ୍ମାନିତ କରାଯାଉଛି? ସମ୍ୱର୍ଦ୍ଧିତ କରୁଥିବା ଅନୁଷ୍ଠାନର ଇତିହାସ ଏବଂ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ବେଳେବେଳେ ପ୍ରଶ୍ନ ନକରି ସମ୍ମାନିତ ହେବାର ଉତ୍କଣ୍ଠାରେ ଭଲ ଲୋକ ମନ୍ଦଲୋକ ସମସ୍ତଙ୍କୁ ଗୋଟିଏ ମୋହ ମାଡ଼ିବସିଛି ସମ୍ମାନିତ ହେବା ପାଇଁ। ସୁତରାଂ ଏପରି ଏକ ଉପାଧି ସମ୍ମାନ ଦିନେ ଯେଉଁ ଅନୁଷ୍ଠାନ ପାଇଁ ଗର୍ବ ଆଣୁଥିଲା ଏବଂ ସମ୍ୱର୍ଦ୍ଧିତ ପ୍ରତିଭା ନିଜକୁ ଗର୍ବ ଅନୁଭବ କରୁଥିଲା ସେଇ ବୃହତ‌୍‍ ଅନୁଷ୍ଠାନ ମାନଙ୍କରେ ଉପାଧି ବଣ୍ଟନରେ ମଧ୍ୟ ବିବର୍ଣ୍ଣ ରୂପ ଦେଖାଦେଇଛି। ‘ସମ୍ମାନ’ ଅସମ୍ମାନର ପରିଚାୟକ ନୁହେଁ ତ? ଓଡ଼ିଶାର ସମ୍ମାନିତ ପ୍ରତିଭାକୁ ନେଇ ବହୁ ବିବାଦ ବଳୟରେ ଓଡ଼ିଶାର ସାହିତ୍ୟ ଏକାଡେ଼ମୀ, ସଂଗୀତ କଳା ଏକାଡେ଼ମୀ ଏବଂ ଓଡ଼ିଶା ସିନେ ଜଗତର ସମ୍ମାନ ପ୍ରଦାନ ସଂସ୍ଥାଗୁଡ଼ିକ ଯୋଡ଼ି ହୋଇଯିବାର ଅନେକ ଜ୍ୱଳନ୍ତ ପ୍ରମାଣ ରହିଛି।

 

ସୁତରାଂ ଗଂଜାମ ମାଟିର ଏକମାତ୍ର ଅନନ୍ୟ ବାଣୀପୀଠ ଭଂଜ ବିହାର କବିସମ୍ରାଟଙ୍କ ନାମକୁ ନେଇ ଅନୁଷ୍ଠାନ ଗର୍ବିତ ହୋଇ ଭଂଜବିହାର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଆଜି ଉପାଧି ଡିଲିଟକୁ ନେଇ ଘନୀଭୁତ ହେଉଛି ଅସନ୍ତୋଷ। ଡିଲିଟ‌୍‍ ଉପାଧି ବଣ୍ଟନନରେ ପ୍ରିୟାପ୍ରୀତି ପୋଷଣର ସଂକେତ ମିଳିଲା ଯେତେବେଳେ ଗତବର୍ଷ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଡିଲିଟ ଉପାଧି ଓଡ଼ିଆ ବିଭାଗର ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟଙ୍କୁ ଦିଆଗଲା। ମହା ଅଭିଯୋଗ ଆସିଲା ମହାଶୟ ନିଜର ସ୍ୱାର୍ଥକୁ ଚରିତାର୍ଥ କରି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଚୟନ ବ୍ୟବସ୍ଥାକୁ କାଠଗଢ଼ାରେ ଠିଆ କରିଦେଲେ ଓ ଦେବୀ ପ୍ରସନ୍ନ ପଟ୍ଟନାୟକ ସଂପ୍ରତି ପିଜି କାଉନସିଲର ଅଧ୍ୟକ୍ଷ ହେବା ପୂର୍ବରୁ ତାଙ୍କ ଦେଇଥିବା ବିଶ୍ୱବିଦ୍ୟାଳୟର ଚୟନକର୍ତ୍ତାଙ୍କୁ ସିଧାସଳଖ ପ୍ରଶ୍ନ କେଉଁ ଆଧାରରେ ପଟ୍ଟନାୟକଙ୍କୁ ଚୟନ କଲେ?

 

ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଭାଷା ଗବେଷଣା କ୍ଷେତ୍ରରେ ଜଣେ ଜଣାଶୁଣା ଚେହେରା। କଳିଙ୍ଗ ସାହିତ୍ୟ ସମାଜ ଓ ସାରଳା ସାହିତ୍ୟ ସଂସଦର ଅନୁଷ୍ଠାନର ସଂପୃକ୍ତ ସହ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ବିଭାଗ ସହ ଜଡ଼ିତ। ଗଂଜାମ ଜିଲ୍ଲାର ବହୁ ସ୍ବନାମଧନ୍ୟ ସାହିତ୍ୟିକଙ୍କୁ ସେ ତାଙ୍କର ଅଭେଦ୍ୟ ଦୁର୍ଗକୁ ଭେଦ କରିବାକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଡିଲିଟ୍ ପାଇବା ପରେ ତାଙ୍କର ଦମ‌୍‍ ବଢ଼ିଛି ରାଜ୍ୟ ସ୍ତରରେ। ଗଂଜାମର ବ୍ରହ୍ମପୁରଠାରେ ସେ ଏମିତି ଅନେକ ପ୍ରତିଭା ସମ୍ମାନ ନାମ ଫଳକ ଧରନ୍ତି ଓ ଧରାଇ ଦିଅନ୍ତି ଯିଏ ତାଙ୍କର ସ୍ୱାର୍ଥସିଦ୍ଧି କରେ।

 

ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ବ୍ରହ୍ମପୁରରେ ସାହିତ୍ୟ ସଂସ୍କୃତି ପ୍ରଜିଭା ସମ୍ମାନରେ ସାମନ୍ତବାଦୀ ନୀତି ବଳବତ୍ତର। ଦୀର୍ଘ ୫୦ ବର୍ଷ ଧରି ସାରସ୍ୱତ ସାହିତ୍ୟ ଜଗତର ଜନୈକ ସୁନାମଧନ୍ୟ କବିଙ୍କୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଣଦେଖା କରିବାର ଦୁଃଖଦ କାହାଣୀ ଶୁଣିବା ପରେ ଆମର ସଂଶୟ ମନରେ ଜାତ ହେଲା ଯେ ଏଠାରେ ପ୍ରତିଭା ସମ୍ମାନର ବିପଣୀ ସାମଗ୍ରୀ ପରି ଦର ଛିଣ୍ଡା ହୁଏ। କେଉଁ ଆଧାରରେ ଡିଲିଟ‌୍‍ ଓ ଡିଏସ‌୍‍ସି ଉପାଧି ବାଣ୍ଟିବାର ବ୍ୟବସ୍ଥାଟି ସୂକ୍ଷ୍ମାତିସୂକ୍ଷ୍ମ ସ୍ତରରେ କାମ କରୁଛି ନାନା ମୁନି ନାନା ମତ ପରି ମନେ ହୁଏ।

 

ଆଉ ମାତ୍ର ଛଅ ଦିନ ପରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଭଂଜବିହାର ପରିସରରେ ଜଣଙ୍କୁ ଡିଲିଟ ଓ ଡିଏସି ବାଣ୍ଟିଥାନ୍ତେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ବିବାଦ ଘନୀଭୂତ ହେଲା ଏବଂ ପୁଂଜିଭୂତ ଅସନ୍ତୋଷ ସୋସିଆଲ ମିଡିଆରେ ମଧ୍ୟ ଭାସିଲା ପରେ ଆୟୋଜକ ବାଧ୍ୟ ହୋଇ ତାଙ୍କ ନାମଟି ବାଦ ଦେବାର ସଂକେତ ନେଲେ। ସଂପ୍ରତି ଆଉ ଦୁଇ ଜଣଙ୍କ ନାମ ଅଚ୍ୟୁତ ସାମନ୍ତ ଓ ରମାକାନ୍ତ ରଥଙ୍କ ନାମକୁ ନେଇ ମଧ୍ୟ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଦକ୍ଷିଣ ଓଡ଼ିଶାରେ ବହୁ କବି, ସାହିତ୍ୟିକ, ଶିକ୍ଷାବିତ‌୍‍ ସଂଗଠକ ଏବଂ ସମାଜସେବୀ ରହିଛନ୍ତି। ଯୁବ ପ୍ରତିଭାଙ୍କ ପାଇଁ ମଧ୍ୟ ଅନୁପମ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଅଥଚ ସେଇ ଯୁବ ପ୍ରତିଭାମାନଙ୍କର ସ୍ୱରକୁ ଅଣଦେଖା କରାଯାଉଛି। ପ୍ରତିଭା ସମ୍ମାନ ଡିଲିଟ‌୍‍ ଡିଏସ‌୍‍ସି ପରି ଗରୀମାମୟ ଉପାଧି ପ୍ରଦାନରେ ଯେଉଁ ବିବାଦ ମୁଣ୍ଡ ଟେକିଛି ସେଥିରୁ ଗୋଟିଏ କଥା ମନକୁ ଆସୁଛି- ଘୋଟିବାରୁ ଘୋର ରଜରୂପୀ ବ୍ୟାଧି, ଉପାଧିରେ ବୁଡ଼ି ଲୋଡନ୍ତି ଉପାଧି।

 

ଉପାଧି ବ୍ୟାଧି ନହେଉ। ଉପାଧିରେ ସମ୍ମାନ ରହୁ। ପ୍ରତିଭାର ପୂଜା ପାଉ। ଚାଲୁଥିବା ସାମନ୍ତବାଦର ବିଚାର ବନ୍ଦ ହେଉ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top