ଆଗେଇବ ଅର୍ଥନୀତି

News Story - Posted on 2018-01-29

ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୬.୭୫ ପ୍ରତିଶତ ହେବ । ସେହିପରି ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭-୭.୫ ପ୍ରତିଶତ ହେବ । ଏଭଳି ଆକଳନ ପ୍ରକାଶ ପାଇଛି ଚଳିତ ବର୍ଷର ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ । ଏହି ରିପୋର୍ଟ ଆଜି ସଂସଦରେ ଉପସ୍ଥାପିତ ହୋଇଛି ।

 

ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥନୀତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚଳିତ ବର୍ଷର ଆର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ରପ୍ତାନୀ ଓ ଘରୋଇ ପୁଂଜିନିବେଶ ବୃଦ୍ଧି ପାଇବ । ସେହି କାରଣରୁ ଆର୍ଥନୀତିକ ଅଭିବୃଦ୍ଧି ହାର ୭-୭.୫ ପ୍ରତିଶତରେ ପହଂଚିବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେଉଥିବା ୨୦୧୭-୧୮ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୭୫ ପ୍ରତିଶତ ହେବ ବୋଲି ଏଥିରେ ଆକଳନ କରାଯାଇଛି ।

 

ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ରହିଥିବା ସୂଚନା ଅନୁସାରେ ଜିଏସଟି ଓ ବିମୁଦ୍ରାକରଣ ପରେ ଦେଶରେ ପରୋକ୍ଷ କରଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ପ୍ରତ୍ୟକ୍ଷ କରଦାତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ୨୦୧୭ ଏପ୍ରିଲ-ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ କର ଆଦାୟ ୧୩.୭ ପ୍ରତିଶତ ଓ ପରୋକ୍ଷ କର ଆଦାୟ ୧୮.୩ ପ୍ରତିଶତ ବୃଦ୍ଧି ପାଇବ । ରିପୋର୍ଟ ଅନୁସାରେ ୨୦୧୬ ନଭେମ୍ବର ପରେ ଦେଶରେ ଟିକସଦାତାଙ୍କ ସଂଖ୍ୟାରେ ୧୮ ଲକ୍ଷ ବୃଦ୍ଧି ହୋଇଛି । ପୂର୍ବ ୬ ବର୍ଷରେ ପ୍ରତିବର୍ଷ ହାରାହାରି ୬୨ ଲକ୍ଷ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିବାବେଳେ ବିମୁଦ୍ରାକରଣ ପରେ ୧.୦୧ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

 

୨୦୧୭ ବର୍ଷରେ ଭାରତର ରପ୍ତାନୀ କାରବାର ମଧ୍ୟ ବୃଦ୍ଧି ପାଇଥିବା ଆକଳନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଏହି ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ପ୍ରଥମ ଥର ପାଇଁ ଆର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟଗୁଡ଼ିକର ରପ୍ତାନୀ ସଂପର୍କରେ ସୂଚନା ଦିଆଯାଇଛି । ରାଜ୍ୟଗୁଡ଼ିକର ରପ୍ତାନୀ ସହିତ ରାଜ୍ୟର ଜୀବନ ଧାରଣର ମାନକୁ ତୁଳନା କରାଯାଇଛି । ୨୦୧୭ ବର୍ଷରେ ଦେଶରୁ ରେଡିମେଡ ପୋଷାକ ରପ୍ତାନୀରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ଘଟିଛି ।

 

ପ୍ରଥମ ଥର ପାଇଁ ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଭାରତୀୟମାନଙ୍କର ପୁଅ ପ୍ରତି ଥିବା ଲାଳସା ସଂପର୍କରେ ଉଲ୍ଲେଖ କରାଯାଇଛି । ଭାରତୀୟମାନେ ପୁଅ ଜନ୍ମ କରିବାକୁ ଭଲ ପାଉଥିବାରୁ କନ୍ୟା ଭ୍ରୁଣହତ୍ୟା ଘଟଣା ଦେଖିବାକୁ ମିଳୁଛି । ଘରେ ଓ ବାହାରେ ପୁଅଙ୍କ ତୁଳନାରେ ଝିଅମାନଙ୍କୁ ଅବହେଳା କରାଯାଉଥିବାରୁ ଦେଶରେ ଲିଙ୍ଗ ଅନୁପାତ କମିବାରେ ଲାଗିଛି । ଏବେ ଦେଶର ଲିଙ୍ଗ ଅନୁପାତରେ ୬୩ ନିୟତ ମହିଳା ନିଖୋଜ ଅଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

 

ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଅଭିବୃଦ୍ଧି ପାଇଁ ସଂଚୟ ଅପେକ୍ଷା ପୁଂଜିନିବେଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ସଂଚୟ ବଢ଼ିଲେ ଅଭିବୃଦ୍ଧି ଘଟେ ନାହିଁ । ବରଂ ପୁଂଜି ନିବେଶ ବଢ଼ିଲେ ଅଭିବୃଦ୍ଧି ଘଟେ । ସେହିପରି ପାଣିପାଗରେ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ବାୟୁମଣ୍ଡଳୀୟ ତାପମାତ୍ରା ବୃଦ୍ଧି ଏବଂ ବୃଷ୍ଟିପାତ କମିବା ଯୋଗୁଁ କୃଷି ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି ରିପୋର୍ଟରେ ଅନୁଶୀଳନ କରାଯାଇଛି । ସେଥିପାଇଁ ପାଗ ପରିବର୍ତ୍ତନ ସମସ୍ୟାର ମୁକାବିଲା ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି ।

 

ଗ୍ରାମାଞ୍ଚଳର ଅଧିକରୁ ଅଧିକ ପୁରୁଷ ସହରାଭିମୁଖୀ ହୋଇଥିବାରୁ ଦେଶର କୃଷିକ୍ଷେତ୍ରରେ ମହିଳାଙ୍କ ଭୂମିକା ବୃଦ୍ଧି ପାଇଚାଲିଛି । ଏବେ ମହିଳାମାନେ ଚାଷଠାରୁ ଆରମ୍ଭ କରି କୃଷି ଉଦ୍ୟୋଗୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ପୋଲି ଆର୍ଥନୀତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top