ଦାୟିତ୍ୱବୋଧର ପ୍ରଶ୍ନ

News Story - Posted on 2018-01-29

ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପ୍ରସଙ୍ଗ ବିଜୁ ଜନତା ଦଳର ଏକ ଆଭ୍ୟନ୍ତରୀଣ ବ୍ୟାପାର । ଏକ ଘରୋଇ କମ୍ପାନୀ ଭାବରେ ପରିଚାଳିତ ହେଉଥିବା ଏହି ଦଳରୁ କେତେବେଳେ କାହାକୁ ବିଦା କରାଯିବ ସେ ନିଷ୍ପତ୍ତି ଦଳ ମୁଖିଆଙ୍କର । ଏ ଦଳରେ କିଏ କେତେବେଳେ ମିଶିବେ ବା ନମିଶିବେ ତାହା ମଧ୍ୟ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ନେଇ ଗଣମାଧ୍ୟମରେ ବଡ଼ ପ୍ରସଙ୍ଗ କରାଯିବାର କୌଣସି ଯୁକ୍ତି ନାହିଁ । କିନ୍ତୁ କୁନ୍ଦୁଲି କନ୍ୟାର ଧର୍ଷଣ ଓ ଆତ୍ମହତ୍ୟ ପ୍ରସଙ୍ଗ ନିଶ୍ଚୟ ଏକ ସାଧାରଣ ପ୍ରସଙ୍ଗ । ଏ ପ୍ରସଙ୍ଗରେ ଗଣମାଧ୍ୟମରେ ବିଭିନ୍ନ ଦିଗରୁ ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ଉଚିତ । ଏନେଇ ବିଭିନ୍ନ ଗଣମାଧ୍ୟମ ନିଷ୍ଠା ଓ ନିରପେକ୍ଷତାର ସହିତ ଅନୁସନ୍ଧାନମୂଳକ ଖବର ପ୍ରକାଶ କରିବା ଦରକାର । କାରଣ ଏହା ଆମ ସମାଜ ଓ ଶାସନ କଳର ସ୍ୱଚ୍ଛତା, ଦକ୍ଷତା ଓ ନିରପେକ୍ଷତା ଓ ନ୍ୟାୟଦାନ ପ୍ରସଙ୍ଗ ସହିତ ଜଡ଼ିତ ।

 

୨୦୧୭ ଅକ୍ଟୋବର ୮ ତାରିଖରେ କୁନ୍ଦୁଲି କନ୍ୟାର ଗଣଧର୍ଷଣ ହେଲା ବୋଲି ଦୁଇ ଦିନ ପରେ ଅକ୍ଟୋବର ୧୦ ତାରିଖରେ ସେ ଓ ତାଙ୍କ ପରିବାର ଅଭିଯୋଗ କଲେ । ଝିଅଟିକୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା । ଏ ବୟସରେ ସେ କୌଣସି ରାଜନୀତିକ ଦଳ ସହିତ ଜଡ଼ିତ ହୋଇଥିବ ବୋଲି ଭାବିବା କେବଳ ନରାଧମମାନଙ୍କର କାମ ହୋଇପାରେ । ସେ ଗରୀବ । ସେ ଦଳିତ । ସେ ଯେ ମିଛ ଅଭିଯୋଗ କରିଥିବ ତାହା ତା’ର ବୟସ ଓ ସାମାଜିକ ସ୍ଥିତି ଦୃଷ୍ଟିରୁ କଳ୍ପନାର ବାହାରେ । ତଥାପି ୨୦୧୭ ନଭେମ୍ବର ୮ ତାରିଖରେ କୋରାପୁଟ ଏସପି କହିଲେ ଧର୍ଷଣ ଅଭିଯୋଗ ମିଛ । ସେତେବେଳକୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଝିଅଟିର ବିଭିନ୍ନ ଚିକିତ୍ସା ସରିଥାଏ । ତା’ ଦେହରେ କ୍ଷତ ଚିହ୍ନ ଥିଲା ବୋଲି ଡାକ୍ତର ମଧ୍ୟ କହିଥିଲେ ।

 

ପ୍ରଚାର କରାଗଲା ଏହା ଏକ ପ୍ରେମଜନିତ ବ୍ୟାପାର । ନ୍ୟାୟପ୍ରାର୍ଥୀ ଜଣେ ନାବାଳିକାର ଚରିତ୍ର ନେଇ ପୁଲିସ ପ୍ରଶାସନ ପକ୍ଷରୁ ଏଭଳି ପ୍ରଚାର କରାଯିବା ଝିଅଟିକୁ କେଉଁଭଳି ମାନସିକ ଆଘାତ ଦେଇଥିବ ତାହା କେବଳ ଅଙ୍ଗେ ନିଭେଇବା ଲୋକ ହିଁ ବୁଝିପାରିବ । ପୁଲିସ, ପ୍ରଶାସନ ଓ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ସ୍ଥାନୀୟ ନେତାମାନଙ୍କ ପ୍ରରୋଚନାରେ ତା’ ଉଦ୍ଦେଶ୍ୟରେ ଖେଳି ବୁଲୁଥିବା ଅନେକ ପ୍ରକାର ଟାହିଟାପରା ତା’ର ଓ ତା’ ପରିବାର ପ୍ରତି ଅସହ୍ୟ ବୋଧ ହୋଇଥିଲା । ତଦନ୍ତ ନାଁରେ ତା’ ସଂପର୍କୀୟମାନଙ୍କୁ ବାରମ୍ବାର ଜେରା କରାଯିବା, ସେମାନେ ଧର୍ଷଣ କରିଛନ୍ତି ବୋଲି ସ୍ୱୀକାର କରିବାକୁ ଧମକ ଦିଆଯିବା, ବାରମ୍ବାର ଥାନାକୁ ଡାକି ହଇରାଣ ହରକତ କରାଯିବା, ତା’କୁ ପରିବାରଠାରୁ ଅଲଗା ସ୍ୱଧାର ଗୃହରେ ରଖିବା ଆଦି ଘଟଣା ଜଣେ କୋମଳମତି ବାଳିକା ପକ୍ଷରେ ସହିବା କେତେ କଷ୍ଟକର ତା’ କେବଳ ତା’ର ବାପାମା’ ହିଁ ବୁଝିପାରିବେ । ଏଭଳି ପରିସ୍ଥିତିରେ ପଡ଼ି ସେ ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ତା’ପରେ ତା’କୁ ପାଗିଳି ସଜାଇବାକୁ ଉଦ୍ୟମ ହୋଇଛି ।

 

ଶେଷରେ ଅବଶ୍ୟ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଜରିଆରେ ତଦନ୍ତକୁ କିପରି ବାଟବଣା କରାଯାଇଛି ସେ ନେଇ କିଛି ତଥ୍ୟ ପଦାକୁ ଆସିଛି । କୁନ୍ଦୁଲି କନ୍ୟା ଧର୍ଷଣ ଦିନ ପିନ୍ଧିଥିବା ଅନ୍ତର୍ବସ୍ତ୍ରର ପରୀକ୍ଷା କରି ରାଜ୍ୟ ଫୋରେନ୍ସିକ ଲାବୋରେଟୋରି ଦେଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ ସେଥିରେ ଦୁଇ ଜଣ ପୁରୁଷଙ୍କର ବୀର୍ଯ୍ୟଚିହ୍ନ ଲାଗିଛି । ଯଦି ତା’କୁ ଧର୍ଷଣ କରାଯାଇ ନାହିଁ ତେବେ ଏହା କେଉଁଠୁ ଆସିଲା? ଝିଅଟି କ’ଣ ନିଜେ କେଉଁ ପୁରୁଷର ବୀର୍ଯ୍ୟ ସଂଗ୍ରହ କରି ତା’ ପୋଷାକରେ ଲଗାଇ ଦେଇଥିଲା? ଏକଥା ପ୍ରଘଟ ହେବା ପରେ କୁହାଗଲା ଯେ ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ, ପ୍ରାଥମିକ ରିପୋର୍ଟ । ପ୍ରାଥମିକ ରିପୋର୍ଟରେ କ’ଣ ଏଭଳି ମିଛ କଥା ଲେଖାଯାଏ?

ଏଭଳି ଅନେକ କଥା କୁନ୍ଦୁଲି କନ୍ୟାର ଧର୍ଷଣ ମାମଲାକୁ ରହସ୍ୟମୟ କରିଦେଇଛି । ତା’କୁ ଧର୍ଷଣ ହୋଇନାହିଁ ବୋଲି ଯେଉଁ ଡାକ୍ତରମାନେ ରିପୋର୍ଟ ଦେଇଥିଲେ ସେମାନଙ୍କୁ ପୁଲିସ କି କ୍ରାଇମ ବ୍ରାଞ୍ଚ ଏଯାଏଁ ଜେରା କରି ନାହିଁ । ତଦନ୍ତ ଚାଲିଛି ବୋଲି ସରକାର କହୁଥିବାବେଳେ ଜିଲ୍ଲା ଏସପି ଧର୍ଷଣ ହୋଇନାହିଁ ବୋଲି ଗଣମାଧ୍ୟମକୁ କାହିଁକି କହିଲେ ସେନେଇ ମଧ୍ୟ ସରକାରୀ ସ୍ତରରେ ତର୍ଜମା ହୋଇନାହିଁ କି ସେଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । କଟକରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ ଡିଜି ୯୦ ହଜାର ଟଙ୍କା ଯାଚିଥିଲେ ବୋଲି ଝିଅଟି କହିଥିଲା । ତାହାର ସତ୍ୟାସତ୍ୟ ନେଇ ମଧ୍ୟ ଯାଞ୍ଚ ହେଲା ନାହିଁ । ଏଭଳି ନାନାଦି ଜଟିଳ ପରିସ୍ଥିତିର ସାମ୍ନା କରି ଶେଷରେ ସେ ସରସ୍ୱତୀ ପୂଜାଦିନ ଆତ୍ମହତ୍ୟା କରିଦେଲା ।

 

ଏବେ ଏସବୁ ବିଷୟ କିଏ ଉଠେଇବା କଥା? ନେତାମାନେ ରାଜନୀତିକ ଫାଇଦା ପାଇଁ ଭିନ୍ନ ଭିନ୍ନ ବିଚାରରେ ଭିନ୍ନ ଭିନ୍ନ କଥା କହିବେ । କିନ୍ତୁ ରାଜ୍ୟର ମୁଖ୍ୟ ଗଣମାଧ୍ୟମରେ ଏନେଇ ନିଷ୍ଠା ଓ ନିରପେକ୍ଷତାର ସହିତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ଉଚିତ ନୁହେଁ କି? କେବଳ କୁନ୍ଦୁଲିରେ ଏଭଳି ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲେ କଥାଟା ହୁଏତ ତାହା ଶାସନ କଳର ଅପାରଗତା ନେଇ ପ୍ରଶ୍ନ ଉଠାଇବାକୁ ଏକ ଦୁର୍ବଳ ତଥ୍ୟ ହୋଇଥାନ୍ତା । ମାତ୍ର, କୁନ୍ଦୁଲି କନ୍ୟା ଆତ୍ମହତ୍ୟା କରିବାର ଠିକ ପରେ ପରେ ବାଲୁଗାଁ ବାଣପୁର ଅଂଚଳର ଆଉ ଜଣେ ନାବାଳିକା ଠିକ ଏହିପରି ଏକ ମାମଲାରେ ଆତ୍ମହତ୍ୟା କଲା । ମାଲକାନଗିରିର ଜଣେ ଛାତ୍ରୀ ମଧ୍ୟ ଆତ୍ମହତ୍ୟା ଧମକ୍ ଦେଲେ । ଏ ଦୁଇ ଜଣଙ୍କ କ୍ଷେତ୍ରରେ ମଧ୍ୟ ଧର୍ଷଣ ଅଭିଯୋଗ ଉପରେ ପୁଲିସ ଉପଯୁକ୍ତ ତଦନ୍ତ କରିନାହିଁ ।

 

ରାଜ୍ୟର ଏପରି ଶହଶହ ନାବାଳିକା ଓ ନାରୀଙ୍କ ପାଇଁ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ଗ୍ରହଣ କରିବା କ’ଣ ରାଜ୍ୟ ଶାସନର ଚତୁର୍ଥ ସ୍ତମ୍ଭ ପକ୍ଷେ ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ ନୁହେଁ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top