ଡେଙ୍ଗା ମଣିଷ, ବାମନ ମୃତ୍ୟୁ!

News Story - Posted on 2018-01-24

ଦେବେନ୍ଦ୍ର ପୃଷ୍ଟି

 

ସେ କେବଳ ଡେଙ୍ଗା ମଣିଷ ନଥିଲେ । ବ୍ୟକ୍ତିତ୍ୱ ଓ ନେତୃତ୍ୱରେ ବି ଡେଙ୍ଗା ଥିଲେ । ଭୋଗରେ ଡେଙ୍ଗା, ତ୍ୟାଗରେ ଡେଙ୍ଗା, ଉଦ୍ୟୋଗରେ ଡେଙ୍ଗା ଓ ଉପସ୍ଥାପନରେ ବି ଡେଙ୍ଗା । ସଫଳତାରେ ଯେତିକି ଡେଙ୍ଗା, ବିଫଳତାରେ ବି ସେହିପରି ।

 

ସେ ହେଉଛନ୍ତି ବିଜୁ ପଟ୍ଟନାୟକ-ଆଧୁନିକ ଓଡ଼ିଶାର ସବୁଠୁଁ ଅଧିକ ଚର୍ଚ୍ଚିତ, ସବୁଠୁ ଅଧିକ ପ୍ରତ୍ୟାଖ୍ୟାତ ନେତା ।

 

କିଶୋର ବୟସରେ ବ୍ରିଟିଶ ସରକାରଙ୍କ ଅଫିସରଙ୍କୁ ଟେକା ମାରିବା, ଦାସେ ଆପଣେଙ୍କର ଭାସି ଯାଉଥିବା ଛତାକୁ ପୂର୍ଣ୍ଣଗର୍ଭା ନଦୀରୁ ଉଦ୍ଧାର କରିବା, ପୋଲ୍ ଭଲ୍ଟରେ ରେକର୍ଡ କରିବା, ସାଇକେଲରେ କଟକରୁ ପେଶୱାର ଯାତ୍ରା କରିବା କ୍ଷେତ୍ରରେ ସେ ଯେଉଁ ସାହସର ପରିଚୟ ଦେଇଥିଲେ ଯୁବକ ଅବସ୍ଥାରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ି ନଥିଲା । ବ୍ରିଟିଶ ବିମାନର ପାଇଲଟ ହୋଇ ମଧ୍ୟ ଭାରତୀୟଙ୍କୁ ଅପମାନିତ କରିଥିବାରୁ ବ୍ରିଟିଶ ଅଫିସରଙ୍କୁ ବିମାନ ସହ ଧ୍ୱଂସ କରିବାର ଧମକ୍, ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲୀ ପ୍ରମୁଖ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ବେଆଇନ ଭାବେ ପାଇଲଟ କ୍ୟାବିନରେ ନେବା ଆଣିବା କରିବା, ସ୍ୱାଧୀନତା ସଂଗ୍ରାମୀଙ୍କ ଗୁପ୍ତ ବାର୍ତ୍ତା ପ୍ରେରଣ କରିବା ଆଦି କ୍ଷେତ୍ରରେ ମଧ୍ୟ ସେ ନିଜର ସେହି ଅଦମ୍ୟ ସାହସର ପରିଚୟ ଦେଇଥିଲେ ।

 

ମାଡ଼ ଦେବାକୁ ଡରୁ ନଥିଲେ । ମାଡ଼ ଖାଇବାକୁ ମଧ୍ୟ ଡରୁ ନଥିଲେ । ବାଲ୍ୟକାଳରୁ ପରିଣତ ବୟସ ଯାଏଁ ଏ କ୍ଷେତ୍ରରେ ଅନେକ ପ୍ରମାଣ ଛାଡ଼ି ଯାଇଛନ୍ତି ବିଜୁବାବୁ । ପରାଧୀନ ଭାରତରେ ଉଚ୍ଚ ବେତନର ପାଇଲଟ ଚାକିରି ଛାଡ଼ି ଉଦ୍ୟୋଗ ପ୍ରତିଷ୍ଠା କରିବାର ସାହସ ଯେପରି ବିରଳ ଥିଲା ଓଡ଼ିଶାବାସୀଙ୍କ ସେବା ପାଇଁ ସଫଳତାର ଶୀର୍ଷରେ ଥାଇ ମଧ୍ୟ ବ୍ୟାବସାୟିକ ସାମ୍ରାଜ୍ୟ ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେବା ଥିଲା ସେହିପରି ଅନନ୍ୟ ।

 

କଳିଙ୍ଗ ଫ୍ଲାଇଙ୍ଗ କ୍ଲବ, କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ରେଫ୍ରିଜେରେଟର, କଳିଙ୍ଗ ଆଇରନ ୱାର୍କସ, ଓଡ଼ିଶା ଟେକ୍ସଟାଇଲ ମିଲ୍ସ ଓ କଳିଙ୍ଗ ଟ୍ୟୁବ୍ସ ଆଦି ଥିଲା ତାଙ୍କ ଶିଳ୍ପ ଓ ବ୍ୟାବସାୟିକ ସାମ୍ରାଜ୍ୟର ଗୋଟିଏ ଗୋଟିଏ ଗିରିଶୃଙ୍ଗ । କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଲା ପରେ ସବୁ ଭାଙ୍ଗି ଚୁରମାର । ନିଜ ଆଖି ଆଗରେ ରାଜନୀତିକ ପ୍ରତିପକ୍ଷଙ୍କ ପ୍ରରୋଚନାରେ ସଂଗଠିତ ଶ୍ରମିକ ଅଶାନ୍ତି କେତେକ ଶିଳ୍ପକୁ ରୁଗ୍ଣ କରିଦେଲା ନିଜେ ସମୟ ଦେଇ ନପାରିବାରୁ ଆଉ କେତେକ ଅସୁସ୍ଥ ହୋଇଗଲେ ।

 

ଏକଦା ନବକୃଷ୍ଣ ଚୌଧୁରୀଙ୍କୁ ହଟେଇ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଡେଙ୍ଗା ମଣିଷଟି ପୁଣି ଉକ୍ରଳ କେଶରୀ ହରେକୃଷ୍ଣଙ୍କ ବିରୋଧରେ ବିଦ୍ରୋହ ରଚନା କରି ସଫଳ ହେବା ଛୋଟ କଥା ନୁହେଁ । ତାଙ୍କରି ନେତୃତ୍ୱରେ ହିଁ ଓଡ଼ିଶାରେ କଂଗ୍ରେସ ପାଇଥିଲା ପ୍ରଥମ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଓ ସେ ହୋଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଜାତୀୟ ରାଜନୀତିରେ ‘ନେହରୁଙ୍କ ପରେ କିଏ’ ପ୍ରଶ୍ନର ଉତ୍ତର ଦେବାକୁ ବୋଧହୁଏ ତାଙ୍କୁ ପ୍ରରୋଚିତ କରାଗଲା ଓ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦଳର ଦାୟିତ୍ୱ ନେବାକୁ ମନ ବଳାଇଲେ । ତା’ପରେ ସେ ହୋଇଗଲେ କଂଗ୍ରେସରେ ଜଣେ ଅଲୋଡ଼ା ବ୍ୟକ୍ତିତ୍ୱ । ଶ୍ରୀମତୀ ଇନ୍ଦିରା ଗାନ୍ଧୀ କଂଗ୍ରେସକୁ କବ୍ଚା କଲେ । ଯେଉଁ ବିଜୁବାବୁଙ୍କୁ ପଣ୍ଡିତ ନେହରୁ ଭଲ ପାଉଥିଲେ, ସମ୍ମାନ ଦେଉଥିଲେ, ସେହି ବିଜୁବାବୁଙ୍କୁ ଇନ୍ଦିରା ଗାନ୍ଧୀ ଅଣଦେଖା କଲେ । ଏହାର ଫଳଶ୍ରୁତି ହେଲା ଉକ୍ରଳ କଂଗ୍ରେସ ।

 

ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧିର ସ୍ଲୋଗାନକୁ ଅସ୍ତ୍ର କରି କେନ୍ଦ୍ରର କଂଗ୍ରେସ ବିରୋଧରେ ଲଢ଼େଇ କଲେ ବିଜୁ । ଜିଣିଲେ ବି । ୧୯୬୯ରୁ ୧୯୮୦ ଯାଏଁ ଓଡ଼ିଶାରେ କଂଗ୍ରେସ ଆଉ ସଂଖ୍ୟାଗରିଷ୍ଠତା ପାଇଲା ନାହିଁ । ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ ଓ ଜାତୀୟ ସ୍ତରରେ କଂଗ୍ରେସର ବିକଳ୍ପ ସନ୍ଧାନରେ ଜୟପ୍ରକାଶ ଆନ୍ଦୋଳନରେ ସାମିଲ ହେବା ପରେ ଜନତା ପାର୍ଟିରେ ମିଶିଗଲା ଉକ୍ରଳ କଂଗ୍ରେସ । ଜାତୀୟ ରାଜନୀତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ସେ ପୁଣି ଥରେ ଓଡ଼ିଶା ଛାଡ଼ିଲେ ଓ କେନ୍ଦ୍ରରେ ମନ୍ତ୍ରୀ ହେଲେ । ଫଳ ହେଲା ୧୯୮୦ ନିର୍ବାଚନରେ ଇନ୍ଦିରାଙ୍କ ପ୍ରତ୍ୟାବର୍ତ୍ତନ ହାୱାରେ ବିଭାଜିତ ଜନତା ପାର୍ଟି ବା ତକ୍ରାଳୀନ ଲୋକଦଳର ପରାଜୟ । କଂଗ୍ରେସ ପାଇଲା ସ୍ପଷ୍ଟ ବହୁମତ । ୧୯୮୪ରେ ଇନ୍ଦିରା ହତ୍ୟା ପରବର୍ତ୍ତୀ ଅନୁକମ୍ପାରେ ବିଜୁଙ୍କ ଲୋକଦଳ ମାତ୍ର ୧୧ଟି ଆସନ ପାଇ ଏକରକମ ମୂଳପୋଛ ହୋଇଗଲା ।

 

୧୯୬୩ରୁ ୧୯୯୦- ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ସେ ଜିତିଲେ ଓଡ଼ିଶାବାସୀଙ୍କ ମନ ଓ ହୃଦୟ । ବିଧାନସଭାରେ ୧୪୭ରୁ ୧୨୩ ଆସନ ଜିତି ମୁଖ୍ୟମନ୍ତ୍ରୀ ହେଲେ । ଜନତା ଦଳର ଅନ୍ୟତମ ଜାତୀୟ କର୍ଣ୍ଣଧାର ଭାବେ ଭାରତବର୍ଷରେ ପୁଣି ଖେଳିଗଲା ତାଙ୍କର ରାଜନୀତିକ ଖ୍ୟାତି । ଏହା ଭିତରେ କିନ୍ତୁ ଅନେକ ପରାଜୟର ସାମ୍ନା କରିଥିଲେ ବିଜୁବାବୁ । ତଥାପି ହତୋତ୍ସାହିତ ହୋଇ ନଥିଲେ କି ଶିଳ୍ପ ସାମ୍ରାଜ୍ୟର ପତନ ଘଟାଇ ଜନସେବାକୁ କାହିଁକି ଆସିଲେ ସେନେଇ ନଥିଲା ଅନୁଶୋଚନା ।

 

ପ୍ରଥମ ଦଫା ମୁଖ୍ୟମନ୍ତ୍ରିତ୍ୱ କାଳରେ ଯେପରି ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଆଣିଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ ୧୯୯୦-୯୫ ମଧ୍ୟରେ ସେହିପରି ପ୍ରତିଷ୍ଠା କରିଥିଲେ ସାମାଜିକ ଓ ଆର୍ଥନୀତିକ ବିପ୍ଳବର ଭିତ୍ତିଭୂମି । ଦ୍ୱିତୀୟ ଇସ୍ପାତ କାରଖାନାର ସ୍ୱପ୍ନ ତାଙ୍କର ସଫଳ ହୋଇ ନଥିଲା । କିନ୍ତୁ ବିବାହ ଖର୍ଚ୍ଚ ନିୟନ୍ତ୍ରଣ ଆଇନ, ଶାଶୁ ହାତକଡ଼ି ନଣନ୍ଦ ବେଡ଼ି, ସର୍ବନିମ୍ନ ମଜୁରୀ ବୃଦ୍ଧି, ମା’କୁ ସମ୍ମାନ ଗାଁକୁ କାମ, ପଂଚାୟତିରାଜ ଆଇନ ଓ ନିର୍ବାଚନ, ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ, ଦୁର୍ନୀତିଗ୍ରସ୍ତଙ୍କୁ ମାଡ଼ ଆହ୍ୱାନ ଆଦି ଥିଲା ପୁରୁଣା ପଚା ବ୍ୟବସ୍ଥାକୁ ଜାଳିପୋଡ଼ି ଦେବାର ଶକ୍ତି ରଖିଥିବା ଗୋଟିଏ ଗୋଟିଏ ନିଆଁହୁଳା । କିନ୍ତୁ ଓଡ଼ିଶାବାସୀ ତାଙ୍କୁ ପୁଣି ପ୍ରତାରିତ କଲେ । ୧୯୯୫ ନିର୍ବାଚନରେ ତାଙ୍କ ଦଳ ପରାସ୍ତ ହେଲା ଓ ସେ ପୁଣି ଥରେ ଓଡ଼ିଶା ଛାଡ଼ି ଦିଲ୍ଲୀ ଗଲେ ।

 

୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ମୃତ୍ୟୁ ଖବର ଓଡ଼ିଶାବାସୀଙ୍କୁ ସ୍ତମ୍ଭୀଭୂତ କରିଥିଲା । ସେମାନେ ବୋଧହୁଏ ବୁଝି ଯାଇଥିଲେ ଯେ ବିଜୁବାବୁଙ୍କ ପ୍ରତି ସେମାନେ କି ପ୍ରକାର ଅନ୍ୟାୟ କରିଛନ୍ତି । ସେଥିପାଇଁ ତାଙ୍କ ଶବ ଶୋଭାଯାତ୍ରାରେ ସେମାନେ ଅଜାଡ଼ି ଦେଇଥିଲେ ନିଜ ଭଲ ପାଇବାର ଲକ୍ଷଲକ୍ଷ ଅଂଜଳି । ତାହା ଥିଲା ଅଭୂତପୂର୍ବ, ଶତାବ୍ଦୀର ଶ୍ରେଷ୍ଠ ଶ୍ରଦ୍ଧାଂଜଳି । କଟକରୁ ପୁରୀ ଯାଇଁ ଲାଗିଥିଲା ଶୋକାପ୍ଳୁତ ଜନତାର ଭିଡ଼ । ମୃତ୍ୟୁ ସେଦିନ ତାଙ୍କ ପାଖରେ ବାମନ ହୋଇଗଲା । ଆଜି ଯାଏଁ ସେପରି ରହିଛି ।

 

ଶେଷ ଜୀବନରେ ପରିବାରଠାରୁ ଦୂରେଇ ରହିଥିôବା ବିଜୁବାବୁଙ୍କୁ କିନ୍ତୁ ଏ ଜାତି ତାଙ୍କ ସ୍ୱର୍ଗବାସରେ ପ୍ରେମର ଯେଉଁ ପୁରସ୍କାର ଦେଲା ତାହାରି ଫଳଶ୍ରୁତି ହେଉଛନ୍ତି ନବୀନ ପଟ୍ଟନାୟକ ଏବଂ ତାଙ୍କର ବିଜୁ ଜନତା ଦଳ । ଏହି ଦଳ ବିଜୁବାବୁଙ୍କ ନାମକୁ ଅସ୍ତ୍ର କରି ୧୯୯୭ ପରଠାରୁ ସବୁ ନିର୍ବାଚନ ଜିତି ଚାଲିଛି ଏବଂ ୨୦୦୦ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ନବୀନ ପଟ୍ଟନାୟକ । ପାପଠାରୁ ପ୍ରାୟଶ୍ଚିତ ବଳି ଗଲାଣି, ତଥାପି ‘ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ’ର ଦୁଃସ୍ଥିତି ଦୂର ହୋଇନାହିଁ । ଓଡ଼ିଶାବାସୀ ଯଦି ବିଜୁବାବୁଙ୍କୁ ଏତିକି ଭଲ ପାଇବା ତାଙ୍କ ଜୀବଦ୍ଦଶାରେ ଦେଇଥାନ୍ତେ ତେବେ ଓଡ଼ିଶାର ଚେହେରା ଆଜି ନିଶ୍ଚୟ ଅଲଗା ହୋଇଥାନ୍ତା- ବର୍ତ୍ତମାନଠାରୁ ସଂପୂର୍ଣ୍ଣ ଭିନ୍ନ, ଅଧିକ ଉଜ୍ଜ୍ୱଳ ।

 

(୨୦୧୮ ଜାନୁଆରୀ ୨୭ ତାରିଖରେ ବିଜୁବାବଙ୍କୁ ଜୀବନୀ ପୁସ୍ତକ ଦ ଟଲ୍ ମ୍ୟାନର ଉନ୍ମୋଚନ ପରିପ୍ରେକ୍ଷୀରେ ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top