ନବୀନଙ୍କୁ ତଥାଗତ ଓ ଦାମଙ୍କ ନିନ୍ଦା!

News Story - Posted on 2018-01-23

କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଥିବା ଗୃହ ବିଭାଗକୁ ତୀବ୍ର ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଢେଙ୍କାନାଳ ସାଂସଦ ତଥାଗତ ସତପଥୀ । ସେହିପରି କୁନ୍ଦୁଲି ଝିଅକୁ ଗଣଧର୍ଷଣ କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ପୁଲିସ ବିଭାଗ କହୁଥିବାବେଳେ ମନ୍ତ୍ରୀପଦ ହରାଇଥିବା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ତାକୁ ଧର୍ଷଣ କରାଯାଇଛି ବୋଲି ମୋ ବାପ ବି କହିବେ । ଏହି ଉଭୟ ନେତାଙ୍କ ପ୍ରତିକ୍ରିୟା ଉଭୟ ଦଳ ଓ ସରକାରକୁ ଅଡ଼ୁଆରେ ପକାଇ ଦେଇଛି ।

 

ସାସଂଦ ତଥାଗତ ସତପଥୀ ତାଙ୍କ ସଂପାଦିକ ଧରିତ୍ରୀରେ ଏକ ସଂପାଦକୀୟ ଲେଖି କୁନ୍ଦୁଲି ଗଣଧର୍ଷଣ ମାମଲାର ଉପଯୁକ୍ତ ତଦନ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ ଅଭିଯୋଗ କରିଛନ୍ତି । ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତ୍ତେ ଘଟଣାକୁ ଚପେଇ ଦେବା ପାଇଁ ଗୃହ ବିଭାଗର ତଳୁ ଉପର ଯାଏଁ ସମସ୍ତ ଅଧିକାରୀ ଉଦ୍ୟମ କରିଥିଲେ । ଥାନା ସ୍ତରରୁ ପୁଲିସ ବିଭାଗର ସର୍ବୋଚ୍ଚ ସ୍ତର ଯାଏଁ ସମସ୍ତେ ଏହି ଘଟଣାରେ ନୀରବ ଓ ନିଷ୍କ୍ରିୟ ଥିଲେ ।

 

ସେ ପୁଣି ଲେଖିଛନ୍ତି ଯେ ଜାନୁଆରୀ ୨୨ ତାରିଖଟି ରାଜ୍ୟ ପୁଲିସ ପାଇଁ କଳା ଦିବସ ହୋଇରହିବ । ଏହି ଦିନ ହିଁ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛି । ଏହି ଦିନ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ପୁନାରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ମୁକୁଟ ପିନ୍ଧି ଭୁବନେଶ୍ୱର ଫେରିଥିଲେ । ତଥାଗତ ଲେଖିଛନ୍ତି କୁନ୍ଦୁଲି ଝିଅଟି ବଂଚିଥିଲାବେଳେ ତାଙ୍କୁ ଧର୍ଷଣ କରାଯାଇଛି ବୋଲି ବାରମ୍ବାର ବହୁ ପଦାଧିକାରୀ ଏବଂ ସାମାଜିକ ଓ ରାଜନୀତିକ କର୍ମୀଙ୍କ ଆଗରେ ଅଭିଯୋଗ କରିଛି । କିନ୍ତୁ ଡାକ୍ତର ଓ ପୁଲିସ କହିଲେ ସେପରି କିଛି ହୋଇନାହିଁ । ପୀଡ଼ିତାର ବୟାନ ଅନୁସାରେ ଡାକ୍ତର ଓ ପୁଲିସ ମିଛ କହିଛନ୍ତି ବୋଲି ତଥାଗତ ଲେଖିଛନ୍ତି । ଝିଅଟିର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଲାଗିଥିବା ଡାକ୍ତର ଓ ପୁଲିସ ବାବୁମାନେ ତା’ର ଆତ୍ମହତ୍ୟା ପରେ ବିଜୟର ଖୁସି ପାଳନ କରିଥିବେ ବୋଲି ତଥାଗତ କଟାକ୍ଷ କରିଛନ୍ତି ।

 

ପୀଡ଼ିତାକୁ ମାନସିକ ସ୍ତରରେ ସାହସ ଓ ଶକ୍ତି ଯୋଗାଇବା ପରିବର୍ତ୍ତେ ସେ ମିଛ କହୁଛି ବୋଲି ବାରମ୍ବାର କହି ତା’କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି । ପୁଲିସ, କ୍ରାଇମ ବ୍ରାଞ୍ଚ ଓ ନ୍ୟାୟିକ ତଦନ୍ତ ନିଷ୍ଫଳ ହୋଇଛି ବୋଲି ସେ ଲେଖିଛନ୍ତି । ଏହା ସତ୍ୟ ଉପରେ ସୈତାନର ବିଜୟ ବୋଲି ସେ ଲେଖିଛନ୍ତି । ଏହା ଆମ ସମାଜ ପାଇଁ ଚିନ୍ତାର ବିଷୟ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

 

ସେହିପରି କେଇ ଦିନ ତଳେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ କୁନ୍ଦୁଲି ଝିଅଟିକୁ ଗଣଧର୍ଷଣ କରାଯାଇଥିଲା । ସେ ଏହା ମାନୁଛନ୍ତି । ସେ କହିଛନ୍ତି ମୋ ବାପ ବି ଏକଥା କହିବେ । ଏହି ଅପରାଧର ଯେପରି ତଦନ୍ତ ହେବା କଥା ହେଲା ନାହିଁ । ଆଦିବାସୀ ଝିଅଟି ନିଜର ଧର୍ଷଣ ହୋଇଛି ବୋଲି କେବେ ମିଛି କହିପାରିବ ନାହିଁ । ଶହେ ଦିନର ଆତ୍ମଦହନ ପରେ ସେ ଆତ୍ମହତ୍ୟା କରିଛି । ଏହା ଆମ ସମାଜ ଓ ଶାସନ ପ୍ରତି ଏକ କଳଙ୍କ ବୋଲି ସେ କହିଛନ୍ତି । ଏପରି କହି ଡାକ୍ତର ରାଉତ ପୁଲିସ ମିଛ କହିଛି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି । ଏହି ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି ଓ ତାହାର ସଫଳତା ବିଫଳତା ପାଇଁ ସେ ହିଁ ଦାୟୀ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top