ଟାର୍ଗେଟରେ କାହିଁକି କେବଳ ଆପ୍?

News Story - Posted on 2018-01-22

ଆମ୍ ଆଦମୀ ପାର୍ଟି(ଆପ୍)ର ଦିଲ୍ଳୀ ବିଧାନସଭାରେ ଥିବା ୬୬ ଜଣ ବିଦାୟକଙ୍କ ମଧ୍ୟରୁ ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନ ତାଙ୍କୁ ସୁପାରିଶ କରିଥିଲେ । ନିର୍ବାଚନ କମିଶନରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ହେଉଛି ଏହି ବିଧାୟକମାନେ ଲାଭଜନକ ପଦବୀରେ ରହିଥିଲେ । ଆଇନ ଦୃଷ୍ଟିରୁ ବିଧାୟକମାନେ ଲାଭଜନକ ପଦରେ ରହିପାରିବେ ନାହିଁ । ଏହି ବିଧାୟକମାନେ ଦିଲ୍ଲୀ ସରକାରରେ ସଂସଦୀୟ ସଚିବ ପଦରେ ନିଯୁକ୍ତି ପାଇଥିଲେ । ଦିଲ୍ଲୀ ସରକାରର ମୁଖ୍ୟ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ ।

 

ଉରଠାଉରିଆ ଭାବେ ଅନୁଶୀଳନ କଲେ ନିର୍ବଚନ କମିଶନଙ୍କ ସୁପାରିଶ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କୌଣସି ଅସଙ୍ଗତି ନାହିଁ । ସଂସଦୀୟ ସଚିବ ପଦ ଯଦି ଲାଭଜନକ ପଦବୀ ତେବେ ଏହି ବିଧାୟକମାନେ ବିଧାୟକ ପଦ ହରାଇବା ଉଚିତ । କିନ୍ତୁ ଆମ୍ ଆଦମୀ ପାର୍ଟି ଯେଉଁ ଯୁକ୍ତି କରୁଛି ଯେ ଖାଲି ଅଭିଯୋଗ ଆଧାରରେ ତ ନିଷ୍ପତ୍ତି ନିଆଯାଏ ନାହିଁ, ଅଭିଯୁକ୍ତମାନଙ୍କ ପକ୍ଷ ବି ଶୁଣାଯିବା ଉଚିତ- ଏହା କ’ଣ ଭୁଲ? ଏହି ୨୦ ବିଧାୟକ ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ । ସେମାନଙ୍କ ପଛରେ ଜନ ସମର୍ଥନ ଅଛି । ସେମାନଙ୍କ ବିରୋଧରେ ଦାଏର ହୋଇଥିବା ଅଭିଯୋଗର ପ୍ରତିଜବାବ ଦେବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ ନଥିଲା କି? ଯଦି ସେମାନଙ୍କୁ ଆତ୍ମପକ୍ଷ ରଖିବାର ସୁଯୋଗ ଦିଆ ନଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି ତେବେ ଏହା କ’ଣ ନ୍ୟାୟସଙ୍ଗତ? ଏହା ବିନା ବିଚାରରେ ଦଣ୍ଡ ଦିଆଯିବା ପରି କଥା ।

 

ଆମ୍ ଆଦମୀ ପାର୍ଟିର ଯୁକ୍ତି ହେଲା ଏହି ବିଧାୟକମାନେ ସଂସଦୀୟ ସଚିବ ପଦରେ ନିଯୁକ୍ତ ହେବା କଥାଟି ସତ । କିନ୍ତୁ ସେମାନେ ଏ ବାବଦରେ କୌଣସି ଲାଭ ପାଇ ନଥିବା କଥାଟି ମଧ୍ୟ ଆହୁରି ବଡ଼ ସତ । ସେମାନେ ସେ ବାବଦରେ କୌଣସି ଗାଡ଼ି କି ଦରମା ଇତ୍ୟାଦି ନେଉ ନଥିଲେ । ତେଣୁ ଯୁକ୍ତି ହେଉଛି ଯେ ଲାଭ ନଥାଇ ଲାଭଜନକ ପଦବୀରେ ରହିଲେ କେମିତି? ଏହା ମଧ୍ୟ ସତ ଯେ ଏମାନଙ୍କର ନିଯୁକ୍ତି ୨୦୧୬ ମସିହାରୁ ରଦ୍ଦ ହୋଇସାରିଛି । କାରଣ ସେମାନଙ୍କ ନିଯୁକ୍ତି ଫାଇଲରେ ଦିଲ୍ଳୀର ଲେଫଟନାଣ୍ଟ ଗଭର୍ଣ୍ଣର ଦସ୍ତଖତ କରି ନଥିଲେ । ତାହା ହାଇକୋର୍ଟରେ ଚାଲେଞ୍ଜ ହେବାରୁ ହାଇକୋର୍ଟ ଏହିସବୁ ନିଯୁକ୍ତିକୁ ରଦ୍ଦ କରିଥିଲେ । ଏହା ପରଠାରୁ ସେମାନେ ଏହି ପଦରେ ନାହାନ୍ତି ।

 

ତେବେ ଯାହା ବି ହେଲେ ସେମାନେ ଏହି ପଦରେ କିଛି ଦିନ ଥିଲେ । ସେଇ ଦୋଷ ପାଇଁ ସେମାନଙ୍କ ଅଯୋଗ୍ୟ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ବିନା ବିଚାରରେ ଯେପରି ସୁପାରିଶ କଲେ ରାଷ୍ଟ୍ରପତି ମଧ୍ୟ ସେମାନଙ୍କୁ ନଶୁଣି ଦଣ୍ଡ ଘୋଷଣା କଲେ । ଏହା କ’ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ? ଶୁକ୍ରବାର ସୁପାରିଶ ଓ ରବିବାର ନିଷ୍ପତ୍ତି । ରବିବାର ଏକ ଛୁଟିଦିନ ହୋଇଥିଲେ ବି ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି । ଏସବୁ ତରବରିଆ କାମରୁ କି ସଂକେତ ମିଳୁଛି? କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ କାହାକୁ ଅଛପା ନୁହେଁ । ସେହିପରି ମୁଖ୍ୟ ନିର୍ବାଚନ କମିଶନ ଅଚଳ କୁମାର ଜ୍ୟୋତି ଏକଦା ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରମୁଖ ସଚିବ ଓ ମୁଖ୍ୟ ଶାସନ ସଚିବ ଥିଲେ । ସେ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ନେତା ଥିଲେ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ପ୍ରତିଷ୍ଠିତ କ୍ୟାଡର । ଏଭଳି ସଂପର୍କ ଭିତ୍ତିରେ ଏଭଳି ନିଷ୍ପତ୍ତି ନିଶ୍ଚୟ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା ନେଇ ସନ୍ଦେହ ସୃଷ୍ଟି କରେ ।

 

ଏହା ସତ୍ତେ୍ୱ ଧରି ନିଆଯାଉ ଯେ ଏ ନିଷ୍ପତ୍ତି ଆଦୌ ଅସାମ୍ବିଧାନିକ କି ଅଗଣତାନ୍ତ୍ରିକ ନୁହେଁ । ତେବେ ସମଗ୍ର ଦେଶରେ କ’ଣ ଏଇ ୨୦ ଜଣ ବିଧାୟକ କେବଳ ସଂସଦୀୟ ସଚିବ ପଦରେ ନିଯୁକ୍ତ ହୋଇଥିଲେ? ଯଦି ଅନ୍ୟ ରାଜ୍ୟରେ ଏପରି ବିଧାୟକମାନେ ଏହିପରି ପଦରେ ନିଯୁକ୍ତି ପାଇଛନ୍ତି ସେମାନଙ୍କର ସଦସ୍ୟ ପଦ ରଦ୍ଦ ହୋଇନାହିଁ କାହିଁକି? ଅଭିଯୋଗ ହୋଇନାହିଁ ବୋଲି? ନା ଅଭିଯୋଗକୁ ଅଣଦେଖା କରାଯାଇଛି? କାଲି ଯଦି ଆମ୍ ଆଦମୀ ପାର୍ଟିର କୌଣସି କର୍ମୀ ଏପରି ଅଭିଯୋଗ ଦାଖଲ କରିବେ ନିର୍ବାଚନ କମିଶନ ଓ ରାଷ୍ଟ୍ରପତି ଏଇ ଗତିରେ ନିଷ୍ପତ୍ତି ନେବେ ତ?

 

ବିଭିନ୍ନ ରାଜ୍ୟରୁ ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ରେ ୧୧ ଜଣ ବିଧାୟକ ଏଭଳି ପଦବୀରେ ଅଛନ୍ତି । ସେହିପରି ରାଜସ୍ଥାନରେ ୧୦, ଉତ୍ତରାଖଣ୍ଡରେ ୧୨, ପଞ୍ଜାବରେ ୨୪, ହରିଆନାରେ ୪, ଅରୁଣାଚଳ ପ୍ରଦେଶରେ ୨୬, ହିମାଚଳ ପ୍ରଦେଶରେ ୬, ଗୁଜରାଟରେ ୮, କର୍ଣ୍ଣାଟକରେ ୧୦, ମଣିପୁରରେ ୧୨, ମେଘାଳୟରେ ୧୮, ମିଜୋରାମରେ ୭ ଏବଂ ନାଗାଲାଣ୍ଡରେ ୨୬ ଜଣ ବିଧାୟକ ସଂସଦୀୟ ସଚିବ ପଦରେ କାର୍ଯ୍ୟ କରିଛନ୍ତି । ତେବେ ଏମାନେ କିପରି ବିଧାୟକ ରହିଛନ୍ତି? କେବଳ ସଂସଦୀୟ ସଚିବ ପଦ କ’ଣ ଲାଭଜନକ? ବିଧାୟକମାନେ ଯଦି ନିଗମ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଲେ ତାହା ଲାଭଜନକ ପଦରେ ରହିବା ପରି କଥା ହେବ କି ନାହିଁ? କୌଣସି ବିଧାୟକ ବା ସାଂସଦ ଯଦି କୌଣସି ବ୍ୟାବସାୟିକ ସଂସ୍ଥାର ମୁଖ୍ୟ ଭାବେ ଦରମା ଗ୍ରହଣ କରନ୍ତି, ଗଣମାଧ୍ୟମର ସଂପାଦକ ଭାବେ ଦରମା ଓ ଆନୁସଙ୍ଗିକ ସୁବିଧା ଗ୍ରହଣ କରନ୍ତି, କୌଣସି ଟ୍ରଷ୍ଟର ମୁଖ୍ୟ ବା ସଦସ୍ୟ ଭାବେ ଗାଡ଼ି ଓ ଭତ୍ତା ପରି ଲାଭ ଉଠାଉଥା’ନ୍ତି ତାହା ଲାଭଜନକ ଭାବେ ବିବେଚିତ ହେବ କି ନାହିଁ? ଏବେ ନିର୍ବାଚନ କମିଶନଙ୍କ ତରଫରୁ ହେଉ ବା ଆମ୍ ଆଦମୀ ପାର୍ଟି ତରଫରୁ ହେଉ, ଏସବୁ ପ୍ରଶ୍ନ ଉପରେ ନ୍ୟାୟାଳୟର ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top