ପାଣ୍ଡିଆନଙ୍କ ଦୋଷ କ’ଣ?

News Story - Posted on 2018-01-18

ଦେବେନ୍ଦ୍ର ପୃଷ୍ଟି

 

ଓଡ଼ିଶାରେ ଆହୁରି ହଜାରେ ସମସ୍ୟା ଅଛି । ଓଡ଼ିଶା ସରକାରଙ୍କ ବିରୋଧରେ ଆହୁରି ଲକ୍ଷେ ଅଭିଯୋଗ ରହିଛି । ଦୁର୍ନୀତି, ଅପାରଗତା, କୁଶାସନ, ଦାରିଦ୍ର୍ୟ ସହିତ ନିମ୍ନମାନର ଶିକ୍ଷା, ବେକାରୀ- ଏମିତି ଅନେକ ପ୍ରସଙ୍ଗ ଥିଲେ ବି ଓଡ଼ିଶା ରାଜନୀତିରେ ପାଣ୍ଡିଆନ ଏବେ ମୁଖ୍ୟ ପ୍ରସଙ୍ଗ । ତାଙ୍କୁ ପୁଣି ପ୍ରସଙ୍ଗ କରିବା ନେତାଙ୍କ ଭିତରେ ଅଛନ୍ତି ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପିର ବଡ଼ବଡ଼ ନେତା, ବିଧାୟକ ଓ ମନ୍ତ୍ରୀ । କିନ୍ତୁ ପାଣ୍ଡିଆନ କ’ଣ ସତରେ ଏକ ପ୍ରସଙ୍ଗ?

 

ପାଣ୍ଡିଆନଙ୍କ ବିରୋଧରେ ନେତାମାନଙ୍କର ଅଭିଯୋଗ ହେଲା ସେ କାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏବେ ମୁଖ୍ୟ ଉପଦେଷ୍ଟା । ଯାହା ଏକଦା ପ୍ୟାରୀ ମୋହନ ମହାପାତ୍ର କରୁଥିଲେ, ପାଣ୍ଡିଆନ କାଳେ ଏବେ ସେଇଆ କରୁଛନ୍ତି । ସେ କାଳେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ପରାମର୍ଶ ଦେଇ ବିଜୁ ଜନତା ଦଳ ଓ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣରେ ରଖିଛନ୍ତି । ସେ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଛନ୍ତି । ଏମିତି ତାଙ୍କ ବିରୋଧରେ କେତେ କ’ଣ ଅଭିଯୋଗ ।

 

କିନ୍ତୁ ସତରେ କ’ଣ ସେ ପ୍ରସଙ୍ଗ? ସେ କ’ଣ ସତରେ ଦୋଷୀ?

ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଇଏଏସ ଅଫିସର ହେବା କ’ଣ ଦୋଷ? ସେ ଓଡ଼ିଶା କ୍ୟାଡର ପାଇଁ ମନୋନୀତ ହେବା କ’ଣ ତାଙ୍କର ଦୋଷ? ସେ ସୁଜାତା ରାଉତ ନାମ୍ନୀ ଜଣେ ଓଡ଼ିଆ ଆଇଏଏସଙ୍କୁ ବିବାହ କରିବା କ’ଣ ଦୋଷ? ସେ ନିଜର ଦକ୍ଷତା ବଳରେ ମୁଖ୍ୟମନ୍ତ୍ରୀଙ୍କ ପାଖ ଅଫିସର ହେବା କ’ଣ ତାଭ୍କର ଦୋଷ?

 

ତାଙ୍କ ସ୍ଥାନରେ ଅନ୍ୟ କେହି ଥିଲେ କ’ଣ କରିଥାନ୍ତେ?

 

ନବୀନବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ରହିଁ ପାଣ୍ଡିଆନ ଆଇଏଏସ ପାଇଛନ୍ତି । ଏଥିରେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଥିଲା ନା ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କର । ପାଣ୍ଡିଆନ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ବଳରେ ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଏଏସ ପାଇଁ ମନୋନୀତ ହୋଇଥିଲେ । ଭଲ ପାଠ ପଢ଼ିବା ଓ ପରୀକ୍ଷାରେ ଭଲ କରିବା କ’ଣ ତାଙ୍କର ଦୋଷ?

 

ଓଡ଼ିଶାରେ ଚାକିରି କରିବା ଭିତରେ ତାଙ୍କୁ ଗଂଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେଥିପାଇଁ କ’ଣ ସେ ଦାୟୀ? ଗଂଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା । ସେଇଟା କ’ଣ ପାଣ୍ଡିଆନ ସ୍ଥିର କରିଥିଲେ? ନବୀନବାବୁ ତ ୧୯୯୬ ମସିହାରୁ ଗଂଜାମ ଜିଲ୍ଲାର ପ୍ରତିନିଧି । ସେହିବର୍ଷ ସେ ଆସ୍କା ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଶ୍ଚୟ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କଠାରୁ ତାଙ୍କ ନିକଟକୁ ଅନେକ ସମସ୍ୟା ଓ ଅଭିଯୋଗ ଆସିଥିବ । ସେ ବୋଧହୁଏ ଦକ୍ଷତାର ସହିତ ସେସବୁର ସମାଧାନ କରିଥିବେ । ଏହା କ’ଣ ତାଙ୍କର ଦୋଷ?

 

ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ କରି ତୃତୀୟ ମହଲାରେ ମୁକରିର କଲେ । ଏଥିରେ ତାଙ୍କର ଭୂମିକା କ’ଣ?

 

ଯେକୌଣସି ଯୁବକ ଆଇଏଏସ ପାଇବା ପରେ ନିଜ କ୍ୟାରିଅରରେ ଦକ୍ଷତାର ପ୍ରମାଣ ଦେବାକୁ ଆଗ୍ରହୀ ହୋଇନଥାନ୍ତି କି? ଓଡ଼ିଶାର ଅନ୍ୟ କୌଣସି ଯୁବ ଆଇଏଏସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଯଦି କିଛି ଗୁରୁ ଦାୟିତ୍ୱ ଦେଇଥାନ୍ତେ ତେବେ ତାହା ଗ୍ରହଣ କରିବାକୁ ମନା କରିଥାନ୍ତେ କି? ଆଇଏଏସ ଅଫିସରମାନେ ହେଲେ ସାଧାରଣ ସେବକ । ଭାରତର ସମ୍ବିଧାନ ଅନୁସାରେ ନେତାମାନେ ଜନ ପ୍ରତିନିଧି ଭାବେ ଗଣତନ୍ତ୍ରର କ୍ଷମତାଧାରୀ । ଆଇନ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ଓଡ଼ିଶା ଶାସନ ଓ ପ୍ରଶାସନର ମୁଖ୍ୟ । ପାଣ୍ଡିଆନ ହେଲେ ଜଣେ କନିଷ୍ଠ ଅଧସ୍ତନ ଅଧିକାରୀ ।

 

ଜଣେ ଅଧସ୍ତନ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଅବମାନନା କରିପାରିବ କି? ହଁ, ଯଦି କିଛି ବେଆଇନ ଆଦେଶ ଦିଆଯାଇଛି, ଯାହା ଆଇନର ଶାସନ ବାହାରେ ତେବେ ସେ ତାହା କରିପାରିବେ । କାରଣ ଅନ୍ୟ ସମସ୍ତଙ୍କ ଭଳି ଆଇଏଏସ ଅଫିସରମାନେ ମଧ୍ୟ ଏ ଦେଶରେ ଆଇନର ଶାସନ ପାଇଁ ସଂକଳ୍ପବଦ୍ଧ । ଆଇନ ବାହାରେ କୌଣସି କାର୍ଯ୍ୟ କରିବା ପାଣ୍ଡିଆନ କାହିଁକି ପିଅନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପକ୍ଷରେ ଦୋଷାବହ । ମାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ପାଣ୍ଡିଆନଙ୍କୁ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେବା ପରେ ତାଙ୍କର ପ୍ରାଶାସନିକ କାର୍ଯ୍ୟରେ ଅଧିକ ଭରସା କଲେ ଓ ଅଧିକ ଦାୟିତ୍ୱ ଦେଲେ, ତେବେ ପାଣ୍ଡିଆନ ମହାଶୟ ଜଣେ ଅଧସ୍ତନ ଅଧିକାରୀ ଭାବେ ତାହା ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ କି?

 

ସେ ଯାହା କରିଥିବେ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତି ଓ ଅନୁମୋଦନରେ କରିଥିବେ କି? ନା କରିପାରିବେ? ତାଙ୍କର କ୍ଷମତା କେତେ? ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ କ୍ଷଣକରେ ପାଣ୍ଡିଆନଙ୍କ ପଦ ଚାଲିଯିବ । ଆଦେଶର ଅବମାନନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅପନ୍ତରା ଇଲାକାକୁ ବଦଳି କରିପାରିବେ, ଦାୟିତ୍ୱଶୂନ୍ୟ ଅଫିସର ଭାବେ ସଚିବାଳୟର କେଉଁ କୋଣରେ ଏକଲା ବସେଇ ଦେଇପାରିବେ । ତାଙ୍କ ସିସିଆରରେ ନକରାତ୍ମକ ମନ୍ତବ୍ୟ ଲେଖି ତାଙ୍କର ପଦୋନ୍ନତିର ବାଟ ବନ୍ଦ କରିଦେଇପାରିବେ । ନେତାମାନେ ଚାହିଁଲେ ଏ ଦେଶରେ କ’ଣ ନକରିପାରିବେ!

 

ଏଥିରେ ପାଣ୍ଡିଆନଙ୍କର ଦୋଷ କ’ଣ?

ଯେଉଁ ନେତାମାନେ ପାଣ୍ଡିଆନଙ୍କୁ ପ୍ରସଙ୍ଗ କରୁଛନ୍ତି ସେମାନେ ଏସବୁ କଥା ବିଚାର କରିବା କଥା । ସେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳର ଅନ୍ୟ ନେତାମାନେ ହୁଅନ୍ତୁ ବା ହୁଅନ୍ତୁ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରସାଦ ହରିଚନ୍ଦନ ବା ତାଙ୍କ ଦଳର ତାରା ବାହିନୀପତି, ହୁଅନ୍ତୁ ବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ବା ଅନ୍ୟ କୌଣସି ମନ୍ତ୍ରୀ ବା ବିଧାୟକ- ଏମାନେ ପାଣ୍ଡିଆନଙ୍କୁ ପ୍ରସଙ୍ଗ କରିବା କ’ଣ ଗଣତନ୍ତ୍ର ପାଇଁ ଶୁଭଙ୍କର?

 

ଏହା ନେତାମାନଙ୍କର ଓଷଦ ବିକଳରେ ତାଟିଆ କାମୁଡ଼ିବା ନା ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top