ସଲିମ ଚାଚା

News Story - Posted on 2018-01-18

ଶିବାଶିଷ ମହାପାତ୍ର

 

ବହୁତ ଦିନ ପରେ ଗାଁକୁ ଯିବାକୁ ବାହାରିଲି। ସକାଳୁ ସକାଳୁ ଗାଧେଇ ପାଧେଇ ବାକ୍ସରୁ ହଳେ ଭଲ ପ୍ୟାଣ୍ଟ ସର୍ାଟ ବାହାର କରି ପିନ୍ଧି ପକେଇଲି। ଘରୁ ଦଶ ମିନିଟର ବାଟ ବସଷ୍ଟାଣ୍ଡ। ଚାଲି ଚାଲି ଯାଇ ବସ ଧଇଲି। ବହୁତ ଦିନ ପରେ ଗାଁକୁ ଯାଉଥାଏ, ପୁଣି ବସରେ। ଜଗାକାଳିଆ ଡାଇରେକ୍ଟ ବସ୍। ଘଡ଼ ଘଡ଼ ଶବ୍ଦ କରି ଆଗକୁ ଆଗକୁ ମାଡ଼ି ଚାଲିଥାଏ।

 

କଟକ ଡେଇଁ ଚଣ୍ଡିଖୋଲ ହେଇଗଲା। ଗୀତ ଶୁଣୁ ଶୁଣୁ କେତେବେଳେ ଆଖି ଲାଗିଯାଇଥାଏ। କ୍ଳିନର ଟୋକାର ରଡ଼ିରେ ହଠାତ ନିଦ ଭାଂଗିଗଲା। ଦେଖିଲା ବେଳକୁ ଆଉ କେଇ ବାଟ ଥାଏ ଆମ ଗାଁ ଛକ। ସାଂଗେ ସାଂଗେ ସାର୍ଟଟାକୁ ଟିକିଏ ବାଗେଇ ଦେଲି। ପାନିଆରେ ଚୁଟିଗୁଡାକୁ କୁଣ୍ଡେଇ ପକେଇଲି। ଗାଁ ଛକ ହେଇଗଲା, ବସ ନ ରହୁଣୁରୁ ଗେଟ ପାଖକୁ ଚାଲିଲି। ସେଠି ଦେଖିଲି ଆଇନାଟେ। ହନୁ ମାଂକଡ ଭଳିଆ ମୁହଁକୁ ଏପଟ ସେପଟ ଦି ଚାରି ଥର କରି ଟିକିଏ ଭଲରେ ଦେଖିନେଲି। ରୁମାଲରେ ମୁହଁ ପୋଛୁ ପୋଛୁ ବସରୁ ଓହ୍ଲାଇପଡିଲି।

 

ଦେଖିଲି ପୁରୁଣା ଦିନର ସେ ଦୋକାନସବୁ ଆଉ ନାହିଁ। ବଜାର ପୂରା ବଦଳି ଯାଇଛି। ଚାଳ ଛପର ଦୋକାନ ଘରଗୁଡାକ ବଦଳି ଆଜବେଟସ ହେଇଯାଇଛି। ନା ରାମ ବାରିକ ଅଛି ନା ସେ ବାଇ ବୁଢୀ ଘୁଘୁନି ହାଣ୍ଡି ଧରି ଗଛ ମୂଳେ ବସିଛି? ମନେ ପଡୁଛି ବୁଢ଼ ବରଗଛ ମୂଳେ ରାମ ବାରିକ ଦି’ ଖଣ୍ଡ ପଥର ଉପରେ ବସିଥିବ। ଚୁଟି କାଟିବାକୁ ଗଲେ ଆମ ହାତରେ ଆଇନାଟାକୁ ଧରେଇଦେଇ ଦଶ ମିନିଟ ଭିତରେ କାଟି ସବୁ ସଫା କରିପକାଏ। ସେଠି ଏବେ ତା ପୁଅ ଗୋଟେ କ୍ୟାବିନ ପକେଇ ବସିଛି। ଗୋଟେ ସାଇନ ବୋର୍ଡରେ ଇଂରାଜୀରେ କ’ଣ ପୁଳାଏ ବେଉଟି ପାଲୋର ଲେଖି ଟାଂଗି ଦେଇଛି। ଗରାଖ ଥାଆନ୍ତୁ ନ ଥାଆନ୍ତୁ ସିଏ ତାର ହିନ୍ଦି ଗୀତ ବଜେଇ ଚେୟାରରେ ବସି ଗୋଡ଼ ହଲାଉଥାଏ।

 

ଇଲେକ୍ଟ୍ରି ଖୁଣ୍ଟି ପାଖରେ ବାଇବୁଢୀ ଆଜି ବସିନି। ସେଠି ତା’ ନାତି ଗୋଟେ ଫାଷ୍ଟ ଫୁଡ଼ ଷ୍ଟଲ ଖୋଲି ଦେଇଛି। ଆଉ କେହି ତଳେ ବସି ତାସ ଖେଳୁନାହାନ୍ତିଁ। ଦଳେ ଟୋକା ଚେୟାର ଟେବୁଲ ପକେଇ ଚେସ ଖେଳୁଛନ୍ତି।

 

ନଜର ପଡିଲା କିଛି ଦୁରରେ ନାସିର ମିଆଁ ଖାବାର ଦୋକାନ ସାମ୍ନାରେ ଜଣେ ବୁଢା ବସି ଚା ପିଉଥାଆନ୍ତି। ଭଲକି ଦେଖିଲାପରେ ଜାଣିଲି ୟେ ତ ଆଉ କେହି ନୁହେଁ ମୋ ସଲିମ ଚାଚା। ବୁଢା ହେଇଗଲେଣି। ପାଚିଲା ଦାଢ଼ି। ଗୋଟେ ଲୁଂଗି ଆଉ ଗଂଜିଟାଏ ପିନ୍ଧି ବସିଛନ୍ତି।

 

ସଲିମ ଚାଚା ମୁସଲିମ ହେଲେ ବି ଆମ ଘରର ଜଣେ ଲୋକ ଭଳି। ମୋ ପିଲାବେଳ ତ ଖାସ କଟିଛି ତାଂକରି କାନ୍ଧରେ। ଯାନି ଯାତରାରେ ମୋତେ କାନ୍ଧରେ ବସେଇ ଏ ଦୋକାନରୁ ସେ ଦୋକାନ କେତେ ବୁଲଉଥିଲେ। ବୋଉ କହେ ମୁଁ କୁଆଡେ ତାଂକୁ ଦିନେ ନ ଦେଖିଲେ ଖାଇବାକୁ ଭାରୀ ଅଝଟ କରେ। ସିଏ ବି ଯେତେ କାମ ଥାଉ ସବୁଦିନ ଆମ ଘରକୁ ଆସୁଥିଲେ। ମୋତେ ଟିକିଏ କାନ୍ଧରେ ବସେଇ ଗାଁ ଦାଣ୍ଡରେ ନ ବୁଲେଇଲେ ତାଂକର କୁଆଡେ ଭାତ ହଜମ ହୁଏନା। ତାଂକ କାନ୍ଧରେ ବସି ତାଂକ ଦି’ କାନକୁ ଧରି ମୁଁ ଗାଁ ଟା ଯାକ ବୁଲେ। ବେଳେ ବେଳେ କ’ଣ ଟିକିଏ ଭୁଲ କଲେ ତାଂକ ଚୁଟିକୁ ମୋ ହାତ! ସତରେ ପିଲାବେଳେ ମୁଁ ତାଂକୁ କେତେ ନ ମାରିଛି! ବୋଉ ଥରେ ଥରେ ରାଗିଯାଇ ମୋତେ ନାଲି ଆଖି ଦେଖାଏ ସିନା ହେଲେ ସଲିମ ଚାଚା ହସି ହସି ତାକୁ ବୁଝେଇ ଦିଅନ୍ତି। ସତେ ଯେମିତି ଆମ ଦୁହି଼ଁକର ଜନ୍ମ ଜନ୍ମର ସମ୍ପର୍କ। ବେଳେ ବେଳେ ମୁଁ ଲୁଚି ଲୁଚି ଯାଇ ତାଂକୁ ପଛରୁ ଧକ୍କା ମାରିଦିଏ। ସିଏ ବୁଲିପଡି ମୋତେ ଟେକି ନେଇ ମୋ ସିଂହାସନରେ ବସେଇ ଦିଅନ୍ତି।ତା ପରେ ଆରମ୍ଭ ହେଇଯାଏ ଆମର ଗାଁ ବୁଲା।

 

ଆଜି ସିଏ କେତେ ବୁଢା ହେଇଗଲେଣି! ଚୁପ ଚାପ ବସି ଚା ପିଉଛନ୍ତି। ମୁଁ ତ ତାଂକୁ ଦେଖିଲାପରେ ପିଲାଦିନରେ ଖେୟାଲରେ ପୂରା ମଜି ଯାଇଥିଲି। ମୋତେ ଲାଗୁଥାଏ ମୁଁ ସେମିତି ଛୋଟିଆ ପିଲାଟେ। ଧୀରେ ଧୀରେ ଯାଇ ପଛରୁ ଗୋଟେ ଧକ୍କା ମାରିଦେଲି। ୟେ କ’ଣ ହେଲା? ସଲିମ ଚାଚା ଆଗକୁ ଝୁଂକି ତଳେ ପଡ଼ିଗଲେ। ହାତରୁ ଚା ଗ୍ଲାସଟା ଛିଟିକି ଖଣ୍ଡେ ଦୂରରେ ପଡିଲା। ଦୋକାନୀ ନାସିର ମିଆଁ ମାର୍ ଦିୟା ମାର୍ ଦିୟା ବଡ଼ ପାଟିରେ ଚିଲେଇଲା। କିଛି ଲୁଂଗି ପିନ୍ଧା ଟୋକା କୁଆଡ଼େ ଥିଲେ ଦଉଡ଼ି ଆସିଲେ। ମୋତେ ଘୋଷାରି ନେଲେ। ଆଉ କିଛି ଗେରୁଆ ଲୁଗା ପିନ୍ଧା ଟୋକା ଆସି ମୋତେ ସେମାନଂକଠୁ ଛଡ଼ାଇବାକୁ ଲାଗିପଡ଼ିଲେ। ସମସ୍ତେ ହାତା ହାତି।

 

କେଇ ମିନିଟରେ ପୋଲିସ ଗାଡ଼ି ଦୁଇ ଚାରିଟା ଆସି ପହଞ୍ଚିଗଲା। ସେମାନଂକ ହୁଇସିଲ ସାଂଗକୁ ପୋଲିସ ଗାଡ଼ିର ସାଇରନରେ ସେ ବଜାରଟା ଘୋ ଘୋ କମ୍ପିଲା। କିଏ କୁଆଡ଼େ ସବୁ ଦଉଡ଼ି ପଳେଇଲେ। ଦୋକାନ ବଜାର ସବୁ ବନ୍ଦ ହେଇଗଲା। ପୋଲିସବାବୁ ମୋତେ ଆଉ ସଲିମ ଚାଚାକୁ ଗାଡ଼ିରେ ବସେଇ ଥାନାକୁ ଆଣିଲେ। ମୁଁ କିଛି ବୁଝି ପାରୁନଥାଏ କ’ଣ ସବୁ ଏମିତି ହେଇଗଲା! ପୋଲିସବାବୁ ସଲିମ ଚାଚାଠୁ ଫାଷ୍ଟ ସବୁ କଥା ଶୁଣିଲା ପରେ ମୋତେ ପଚାରିବା ଆରମ୍ଭ କଲେ। କହିଲେ ମୋତେ ଜେଲ ପଠେଇବେ। ମୁଁ ବୋକାଂକ ଭଳିଆ ଠିଆ ହେଇଥାଏ। ମୋ ନାଁ ଗାଁ ଠିକଣା ସବୁ ପଚାରିଲେ। ମୁଁ ଡରି ଡରି ଗୋଟେ ପରେ ଗୋଟେ କହୁଥାଏ। ପୋଲିସବାବୁ ଗୋଟେ ଖାତାରେ ଲେଖି ପକଉ ଥାଆନ୍ତି। କ’ଣ ହେଲା କେଜାଣି ସଲିମ ଚାଚା ଭୋ କିନା କାନ୍ଦି ମୋତେ କୁଣ୍ଡେଇ ପକେଇଲେ। ମୁଁ ବି ତାଂକୁ ଜାବୁଡି ଧରିଲି। ବହେ କାନ୍ଦିଲି। ସେ ମୋ ଲୁହ ପୋଛୁ ପୋଛୁ କହିଲେ ଆରେ ମେରା ବେଟା ତୁ ଏତେ ବଡ଼ ହେଇଗଲୁଣି! ତୋତେ ମୁଁ ଆଜି ଚିହ୍ନି ପାରିଲିନି। ଫୁଲ ପେଣ୍ଟ ସାର୍ଟ ପିନ୍ଧି ତୁ ପୂରା ଗୋଟେ ସାହେବ ଭଳିଆ ଦେଖାଯାଉଛୁ।

 

ମୋ ଆଖିରୁ ଦି’ ଧାର ଲୁହ ଗଡି ଆସିଲା। ମୁଁ ତାଂକୁ ପଚାରିଲି, ଚାଚା ୟେ ସବୁ କ’ଣ ହେଲା? ମୁଁ ତୁମକୁ ଧକ୍କା ମାରିଲି। ତୁମେ ତ କେବେ ପଡ଼ିଯାଅନି? ହଁ, ଆଜି ବୁଢ଼ା ହେଇଗଲଣି, ପଡିଗଲ! ହେଲେ ଏମାନେ ସବୁ କିଏ ଥିଲେ? କିଛି ମୋତେ ଘୋଷାରି ନେଲେ ତ କିଛି ଛଡ଼େଇ ଆଣିଲେ? ସିଏ ମୋତେ ପୁଣି ଥରେ ଜାବୁଡି ଧଇଲେ। ମୋ ପିଠିକୁ ଆଉଁସି ଦେଇ କହିଲେ ତୁ କ’ଣ ପେପରରେ ପଢିନୁ କି ? ଗଲା ମାସରେ ପରା ଏଠି ଦଂଗା ହେଇଥିଲା! ପନ୍ଦର ଦିନ କର୍ଫ୍ୟୁ ରହିଲା। ଆମେ ସବୁ ମୁସଲିମ ହିନ୍ଦୁଂକଠାରୁ ଅଲଗା ହେଇଗଲୁ। ବଡ଼ ବଡ଼ ନେତା ଆସି ବହୁତ ସଭା କଲେ। ଅବଶ୍ୟ କଳି ଲଗେଇଥିଲେ ସେହିମାନେ। ଆମେ ସବୁ ମରାମରି ହେଇ ଖଣ୍ଡିଆ ଖାବରା ହେଲାପରେ କହିଲେ ଆମର ଶାନ୍ତି ଦରକାର। ଦି’ ପକ୍ଷର କିଛି ଲୋକଂକୁ ନେଇ ଗୋଟେ ଶାନ୍ତି କମିଟି କଲେ। ନିଜେ ସଭାପତି ହେଇ ବେକରେ ଗେଣ୍ଡୁମାଳ ପକେଇ ଗାଁ ଦାଣ୍ଡରେ ବୁଲିଲେ। ଭୋଜି ଭାତ କରି ଖୁଆଇଲେ। ଏବେ ଏବେ ଟିକିଏ ଶାନ୍ତ ପଡିଛି। ତୁ ଛାଡ଼ ସେ କଥା। ମୋତେ କହ ଭେୟା ଭାବି କେମିତି ଅଛନ୍ତି? ତୁ ଚାଲ ତୋ ଚାଚି ତୋତେ ଦେଖିଲେ ବହୁତ ଖୁସ ହବ। ମୁଁ ତ ଚିହ୍ନିପାରିଲିନି। ସିଏ ଚିହ୍ନିବ କି ନାହିଁ କେଜାଣି!

 

ମୁଁ ଚାଲିଲି ଚାଚାଂକ ସାଂଗରେ। ବାଟରେ ପଚାରିଲି ଚାଚା ୟେ ଦଂଗା କ’ଣ? କାହିଁକି ହୁଏ? ହେବା କ’ଣ ନିହାତି ଦରକାର? ଗୀତା କୋରାନରୁ କ’ଣ ଆମେ ଦଂଗା କରିବା ଶିଖିଲେ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top