ନିର୍ବାଚନୀ ବଣ୍ଡ୍- ଦୁର୍ନୀତିର ରାଜନୀତି

News Story - Posted on 2018-01-15

ସୂର୍ଯ୍ୟମଣି ମିଶ୍ର

 

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତ ପରିଚିତ। କିନ୍ତୁ ଆଜି ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକର ସ୍ୱଚ୍ଛତା ଓ ପାରଦର୍ଶିତାକୁ ନେଇ ପ୍ରଶ୍ନ ଜୋର‍୍‌ ଧରିଛି। ଦଳଗୁଡ଼ିକରେ ସୁପ୍ରିମୋ ପଦ୍ଧତି ଯେଭଳି ବଳବତ୍ତର ରହିଛି, ତାହା ସୂଚାଉଛି ରାଜନୈତିକ ଦଳଗୁଡ଼ିକ ଯେପରି (ଅଧିକାଂଶ) ପ୍ରାଇଭେଟ‍୍‌ ଲିମିଟେଡ କମ୍ପାନୀ ପାଲଟିଯାଇଛି! ଗଣତନ୍ତ୍ରରେ ମତଦାତା କେବଳ ମତଦାତା ହୋଇ ରହିଯାଇଛନ୍ତି। ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠୁଥିବା ବେଳେ, ରାଜନୀତିର କର୍ପୋରେଟରଣକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି। ସମ୍ଭାବ୍ୟ ନିର୍ବଚନୀ ବଣ୍ଡ୍ ଏହି ପ୍ରଶ୍ନର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ନିର୍ବାଚନ ସଂସ୍କାର ପାଇଁ ଇନ୍ଦ୍ରଜିତ ଗୁପ୍ତା କମିଶନଙ୍କ ଭଳି ଏକାଧିକ କମିଶନ ରିପୋର୍ଟ ଏବେ ଶୀତଳ ଭଣ୍ଡାରରେ। ନିର୍ବାଚନରେ ବିଜୟୀ ହେବା ପାଇଁ ନିଜର ସ୍ୱଚ୍ଛତା ଓ ପାରଦର୍ଶିତାକୁ ଏଡ଼ାଇ ଚାଲିଛନ୍ତି ପ୍ରମୁଖ ରାଜନୈତିକ ଦଳ।

 

ଗଣତନ୍ତ୍ରରେ ଧନତନ୍ତ୍ରର ପ୍ରଭାବ ବଢିବଢି ଚାଲିଛି। ଏହି ସମୟରେ ରାଜନୈତିକ ଦଳର ପାଣ୍ଠି ସଂଗ୍ରହ ପଦ୍ଧତିକୁ ଏବଂ ନିର୍ବାଚନ ସଂସ୍କାରକୁ ନେଇ ଗୁରୁତ୍ୱାରୋପ କରାଯାଉଛି। ନିକଟରେ ସରକାର ଏକ ବିଧିବ୍ୟବସ୍ଥା ଅନୁଯାୟୀ ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବଣ୍ଡ ବ୍ୟବସ୍ଥା ଅନୁଯାୟୀ ଦଳଗୁଡ଼ିକୁ ଯେଉଁମାନେ ଚାନ୍ଦାଦେବେ ସେମାନଙ୍କ ନାମ ଗୋପନ ରହିବ। ସେମାନେ ଭାରତର ଷ୍ଟେଟ‍୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସ‍୍‌ବିଆଇ)ରୁ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କାର ବଣ୍ଡ୍ କିଣି ରାଜନୈତିକଦଳକୁ ଚାନ୍ଦା ଭାବେ ଦେଇପାରିବେ। ଗୋଟିଏ ପକ୍ଷରେ କର୍ପୋରେଟ ହାଉସକୁ ଟିକସ ଛାଡ଼ କରାଯାଉଛି। ରାଜନୈତିକ ଦଳଗୁଡ଼ିକୁ ଗୋପନରେ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଚାନ୍ଦା ଦେଉଛନ୍ତି। ରାଜନୈତିକ ଦଳକୁ ଚାନ୍ଦା ଦେବାର ଯେଉଁ ନିୟମ ଥିଲା ତାହାକୁ ପରିବର୍ତ୍ତନ କରି ବିଦେଶୀ କମ୍ପାନୀ ଏଣିକି ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ ବୋଲି ନୀତି ପ୍ରଣୟନ ହେବାକୁ ଯାଉଛି। ଯେଉଁ କମ୍ପାନୀଗୁଡ଼ିକ ଦଳଗୁଡ଼ିକୁ ପାଣ୍ଠି ଦେବେ ସେମାନଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ହିଁ ଚାନ୍ଦା ଦେବେ। ପ୍ରଭାବିତ କରିବେ ସରକାରୀ ଦଳକୁ ଏବଂ ସରକାରଙ୍କୁ ତେବେ ନୂଆ ସମ୍ଭାବ୍ୟ ନିୟମ ଅନୁଯାୟୀ ଯେଉଁଦଳ ଗତ ନିର୍ବାଚନରେ ଏକ ପ୍ରତିଶତରୁ ଅଧିକ ଭୋଟ ପାଇଥିବେ ସେହି ଦଳଗୁଡ଼ିକକୁ ହିଁ ଚାନ୍ଦା ଦେଇପାରିବେ।

 

ଡିଏମକେ, ପିଏମ‌କେ, ଏଲ‌ଜେପିକୁ ଗତ ନିର୍ବାଚନରେ ୦.୪ ପ୍ରତିଶତ ଭୋଟ ମିଳିଥିଲା। ୨୦୧୪ ନିର୍ବାଚନରେ ସିପିଆଇ ଦଳକୁ ୦.୮ ପ୍ରତିଶତ, ଜନତାଦଳ(ଏସ‍୍‌)କୁ ୦.୭ ପ୍ରତିଶତ, ଇଣ୍ଡିଆନ‍୍‌ ନ୍ୟାସନାଲ‍୍‌ ଲୋକଦଳକୁ ୦.୫ ପ୍ରତିଶତ ଭୋଟ ମିଳିଥିଲା। ଏହିଦଳଗୁଡ଼ିକୁ କର୍ପୋରେଟ‍୍‌ ହାଉସ‍୍‌ ଚାନ୍ଦା ଦେବେନାହିଁ। କାରଣ ନୂଆ ନିୟମ ଅନୁଯାୟୀ ଏହିଦଳଗୁଡ଼ିକ ୧ ପ୍ରତିଶତ ଭୋଟ ପାଇନାହାନ୍ତି। ନିର୍ବାଚନରେ କଳାଧନର ବ୍ୟବହାର ଉପରେ ପ୍ରଶ୍ନ ଉଠେ ଏବଂ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାକୁ ନେଇ ମଧ୍ୟ ବିତର୍କ ହେଉଛି। ନିର୍ବାଚନ ସଂସ୍କାର ନାମରେ କର୍ପୋରେଟ ହାଉସଠାରୁ ଚାନ୍ଦା ଆଣି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନେତାମାନେ ନିର୍ବାଚନ ବୈତରଣୀ ପାରି ହେଉଛନ୍ତି। ନିର୍ବାଚନରେ ଧନବଳକୁ ହ୍ରାସ ଓ ନିୟନ୍ତ୍ରଣ ପାଇଁ ପୂର୍ବରୁ ଏକାଧିକ କମିଶନ ମତ ଦେଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଏହି ବଣ୍ଡ୍ ବ୍ୟବସ୍ତା କାର୍ଯ୍ୟକାରୀ କରାଗଲେ ସାଧାରଣ ଲୋକ ଜାଣିପାରିବେ ନାହିଁ କେଉଁ ଦଳକୁ କେଉଁ କର୍ପୋରେଟ ହାଉସ କେତେ ଟଙ୍କା ଦେଇଛି। କେଉଁ ଉଦ୍ଦେଶ୍ୟରେ ଦେଇଛି ତାହା ମଧ୍ୟ ଜାଣିବା କଷ୍ଟକର। ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଗଣତନ୍ତ୍ରରେ କର୍ପୋରେଟ‍୍‌ ଜଗତର ପ୍ରଭାବକୁ ଅଧିକ ପ୍ରଭାବିତ କରିବ। ଯେକୌଣସି ଉପାୟରେ ନିର୍ବାଚନରେ ବିଜୟୀ ହେବା ପ୍ରତ୍ୟେକ ରାଜନୈତିକ ଦଳର ପ୍ରମୁଖ ଲକ୍ଷ୍ୟ। ଏହା ଗଣତନ୍ତ୍ରର ଶକ୍ତିକୁ ଦୁର୍ବଳ କରୁଛି। ନିରପେକ୍ଷତା ଓ ସ୍ୱଚ୍ଛତା ନର୍ବାଚନରେ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ଆସୋସିଏସନ‍୍‌ ଫର‍୍‌ ଡେମୋକ୍ରାଟିକ୍ ରିଫର୍ମସ‍୍‌ (ଏଡିଆର‍୍‌) ରିପୋର୍ଟ ଅନୁଯାୟୀ ଗତ ୧୧ ବର୍ଷରେ ସବୁଠୁ ଅଧିକ ଚାନ୍ଦା ପାଇବା ଦଳ ହେଉଛି କଂଗ୍ରେସ ଓ ବିଜେପି। ଏହି ଦୁଇଦଳ ଅଜଣା ସୂତ୍ରରୁ ଅଧିକ ଭାବେ ଚାନ୍ଦା ଆଣିଛନ୍ତି। ରାଜନୈତିକ ଦଳ ନିଜର ସ୍ୱଚ୍ଛତାକୁ ସୁନିଶ୍ଚିତ କରି ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱଚ୍ଛତାକୁ ପ୍ରମାଣିତ କରିବା ପାଇଁ ସୂଚନା ଅଧିକାର ଆଇନ‌ର ପରିସରଭୁକ୍ତ ହେବା କଥା, କିନ୍ତୁ କୌଣସି ରାଜନୈତିକ ଦଳ ଏହି ଆଇନ‌ରେ ଅନ୍ତଭୁର୍କ୍ତ ହେବାକୁ ନାରାଜ।

 

ସୂଚନା ଅଧିକାର ଆଇନ‍୍‌ ପରିସରଭୁକ୍ତ ହେବାକୁ ସବୁ ଦଳ ମତଭେଦ ଭୁଲି ଏକ ହୋଇ ନା କହୁଛନ୍ତି। ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଅନୁଯାୟୀ ସ୍ୱଚ୍ଛତା ଦଳଗୁଡ଼ିକ ଦ୍ୱାରା ସୁନିଶ୍ଚିତ ହେବ କି, କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏହି ବଣ୍ଡ୍ କ୍ରୟ ମାଧ୍ୟମରେ ଚାନ୍ଦାଦାତାଙ୍କ କଳାଧନ ଗୁପ୍ତ ହୋଇଯିବ। କାରଣ କେହି ଜାଣିପାରିବେ ନାହିଁ କେଉଁ ସଂସ୍ଥା ବା ବ୍ୟକ୍ତି କେତେ ଟଙ୍କା ଦେଇଛନ୍ତି। ପୂର୍ବରୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦେଲେ ସେମାନଙ୍କ ନାମ ପ୍ରକାଶ ପାଉଥିଲା। ଏବେ ବଣ୍ଡ୍ ବ୍ୟବସ୍ଥା ଅନୁଯାୟୀ ଚାନ୍ଦା ପରିମାଣ ବୃଦ୍ଧି ପାଇବ ଏହାକୁ ସହଜରେ କୁହାଯାଇପାରେ କର୍ପୋରେଟ ହାଉସଠାରୁ ଚାନ୍ଦା ଆଣିବା ପାଇଁ ଦଳଗୁଡ଼ିକର ଗୋଟିଏ କୌଶଳ ଅବା ଖେଳ। ଏହା ସର୍ବଜନବିଦିତ ଯେ, ବିଭିନ୍ନ ରାଜନୈତିକ ଦଳ ଏବଂ ରାଜନେତା ନିର୍ବାଚନ ତଥା ଦଳ ପରିଚାଳନା ପାଇଁ ଚାନ୍ଦା ନେଇଥାନ୍ତି। ଏହା ମୋଟ ଚାନ୍ଦାର ପ୍ରମୁଖ ଭାଗ ଅଜଣା ସୂତ୍ରରୁ ଆସିଥାଏ। ଏହା କେତେ ନୈତିକ ଆଧାରିତ ଆଉ କେତେ ଅନୈତିକ ସେ ସଂପର୍କରେ ବିତର୍କ ହେବା ପାଇଁ ରାଜନୈତିକ ଦଳ ଚାହୁଁନାହାନ୍ତି। ଏବେ ବଣ୍ଡ୍ ବ୍ୟବସ୍ଥା ଅନୁଯାୟୀ ଦଳଗୁଡ଼ିକ ବ୍ୟକ୍ତି, ସଂସ୍ଥା, ଠିକାଦାର, ବ୍ୟବସାୟୀ, କର୍ପୋରେଟ‍୍‌ ହାଉସ ଠାରୁ ଅଧିକ ଭାବେ ଚାନ୍ଦା ପାଇପାରିବେ। ୧୫ ଦିନ ମଧ୍ୟରେ ଯେକୌଣସି ଦଳକୁ ଚାନ୍ଦା ଦେଇପାରିବେ। କେବଳ ଏସ‍୍‌ବିଆଇରୁ ବଣ୍ଡ୍ କିଣିବେ। ଲୋକସଭା ନିର୍ବାଚନ ବର୍ଷରେ ବଣ୍ଡ କ୍ରୟର ସମୟ ସୀମା ୩୦ ଦିନ ରହିବ। ବଣ୍ଡ୍ କ୍ରୟକାରୀଙ୍କ ସମସ୍ତ ସୂଚନା (ନାମ ଓ ଠିକଣା) ବ୍ୟାଙ୍କ୍ ପାଖରେ ରହିବ। କିନ୍ତୁ ଯେଉଁ ଦଳକୁ ବଣ୍ଡ୍ ଦେବେ ସେଥିରେ ଦାତାଙ୍କ ନାମ ରହିବ ନାହିଁ। ବଣ୍ଡ୍ କ୍ରେତାଙ୍କ ନାମ ଓ ଠିକଣା ଯେହେତୁ ବ୍ୟାଙ୍କ୍ ପାଖରେ ରହିବ ସେହି କାରଣରୁ କ୍ଷମତାସୀନ ଦଳ ସହଜରେ ଜାଣିପାରିବେ ବଣ୍ଡ୍ କିଣୁଥିବା ବ୍ୟକ୍ତି ଓ ସଂସ୍ଥା କିଏ। କ୍ଷମତାରେ ଥିବା ଦଳ ବ୍ୟକ୍ତି, ସଂସ୍ଥା, ଠିକାଦାର, ବ୍ୟବସାୟୀ ଓ କର୍ପୋରେଟ ହାଉସକୁ ପ୍ରଭାବିତ କରି ଅଧିକ ଭାବେ ଚାନ୍ଦା ନେଇପାରିବେ।

 

ଏବେ ଦେଶରେ ମୋଟ ୭ ଜାତୀୟ ରାଜନୈତିକ ଦଳ, ୫୮ ଆଞ୍ଚଳିକ ଦଳ ଅଛି। ଏହା ବ୍ୟତୀତ ନିର୍ବାଚନ କମିଶନଙ୍କ ବ୍ୟତୀତ ପଞ୍ଜିକୃତ କରିଥିବା ରାଜନୈତିକ ଦଳସଂଖ୍ୟା ୧୭୮୬। ଏହି ମୋଟ ରାଜନୈତିକ ଦଳମଧ୍ୟରୁ ୨୦୦ ରାଜନୈତିକ ଦଳ କୌଣସି ନିର୍ବାଚନରେ ଭାଗ ନେଇନାହାନ୍ତି ବା ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୦୪-୦୫ରୁ ୨୦୧୪-୧୫ ମଧ୍ୟରେ ପ୍ରମୁଖ ରାଜନୈତିକ ଦଳକୁ ୯୬୯୦ କୋଟି ଟଙ୍କାର ଚାନ୍ଦା ମିଳିଥିଲା। ଏହି ମୋଟ ଚାନ୍ଦା ମଧ୍ୟରୁ ୭୩ ପ୍ରତିଶତ ଚାନ୍ଦା କଂଗ୍ରେସ ଓ ବିଜେପି ଦଳକୁ ମିଳିଥିଲା। କଂଗ୍ରେସ ଦଳକୁ ୩୯୮୨ କୋଟି ଟଙ୍କା ମିଳିଥିବାବେଳେ ବିଜେପି ଦଳକୁ ଏହି ସମୟ ମଧ୍ୟରେ ୩୨୭୩ କୋଟି ଟଙ୍କା ମିଳିଥିଲା। ସଦ୍ୟତମ ସୂଚନା ଅନୁଯାୟୀ ବିଜେପିକୁ ଏବେ ସର୍ବାଧିକ ଚାନ୍ଦା ମିଳିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ ଦଳ। ଏବେ ଇଲେକ୍ଟ୍ରୋରାଲ‍୍‌ ବଣ୍ଡ୍ ବ୍ୟବସ୍ଥା ଅନୁଯାୟୀ ଦେଶୀ ଓ ବିଦେଶୀ କମ୍ପାନୀ ଅଧିକ ଭାବେ ସରକାରରେ ଥିବା ଦଳ ଏବଂ ପ୍ରମୁଖ ବିରୋଧୀ ଦଳକୁ ହିଁ ଚାନ୍ଦା ଦେବାର ସମ୍ଭାବନା ଅଧିକ। ଚାନ୍ଦା ଦେବା ପଛରେ ସେମାନଙ୍କର ଲକ୍ଷ୍ୟ ହାସଲ ପାଇଁ ଦଳଗୁଡ଼ିକ ପ୍ରତିଶ୍ରୁତି ଦେବେ। ପୂର୍ବରୁ ଅଘୋଷିତ ପ୍ରତିଶ୍ରୁତି ଅନୁଯାୟୀ କର୍ପୋରେଟ ହାଉସକୁ କୋଟିକୋଟି ଟଙ୍କାର ଟିକସ ଛାଡ଼ କରାଯାଉଛି। ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ଛାଡ଼ କରାଯାଇଛି। କାରଣ ନିର୍ବାଚନ ସମୟରେ କ୍ଷମତାକୁ ଆସିବାକୁ ଥିବା ଦଳ ଏବଂ ବିରୋଧୀ ଦଳକୁ ଏହି କର୍ପୋରେଟ ହାଉସ ଚାନ୍ଦା ଦେଇଥାନ୍ତି। ନିର୍ବାଚନ ପରେ ସରକାର ଗଠନ କରିଥିବା ଦଳ କର୍ପୋରେଟ ହାଉସର ସ୍ୱାର୍ଥ ପୂରଣ ପାଇଁ କାର୍ଯ୍ୟ କରିଥାଏ। ଏଭଳି ଅଭିଯୋଗ ଅମୂଳକ ନୁହେଁ କି ଭିତ୍ତିହୀନ ନୁହେଁ। ଆଜିର ସମ୍ଭାବ୍ୟ ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥାରେ କର୍ପୋରେଟ‍୍‌ ହାଉସର ଚାନ୍ଦା ସଂଗ୍ରହ ପାଇଁ ସାହାଣମେଲା କରାଯିବାର ସମ୍ଭାବନା ଅଧିକ। ଦଳର ସ୍ୱଚ୍ଛତା ନେଇ ଅଧିକ ପ୍ରଶ୍ନ ଉଠିବ।

 

ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରି କରିବା ନାମରେ ନିଜ ଦଳର ବିଜୟ ହାସଲ ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ଉଲ୍ଲଙ୍ଘନ କରିଚାଲିବେ। କର୍ପୋରେଟ‍୍‌ ଜଗତର ମୁନାଫା ଓ ଶୋଷଣ ଆହୁରି ଅଧିକ ବଢିବ, ଯେହେତୁ ଚାନ୍ଦା ନେଇଥିବେ ସରକାରୀ ଓ ବିରୋଧୀ ଦଳ ଏହାକୁ ଦେଖି ଶୁଣି ନିରବ ରହିବେ। ରାଜନୀତିର କର୍ପୋରେଟକରଣ ଅଧିକ ସଶକ୍ତ ହେବ, ସହାୟକ ହେବ ନିର୍ବାଚନୀ ବଣ୍ଡ୍। ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଳିଷ୍ଠ ଓ ସୁନିଶ୍ଚିତ କରିବା ପାଇଁ ସମ୍ଭାବ୍ୟ ଇଲେକ୍ଟ୍ରୋରାଲ‍୍‌ ବଣ୍ଡ୍ କେତେ ସହାୟକ ହେବ ସେ ସଂପର୍କରେ ସମୀକ୍ଷା ଗୁରୁତ୍ୱ ବହନ କରିଛି। କାରଣ ଆଜି ଦିନରେ ପ୍ରମୁଖ ରାଜନୈତିକ ଦଳ ଓ ଏହାର ନେତାଙ୍କ ସମ୍ପତ୍ତି ବୃଦ୍ଧି ଏବଂ ଅଜଣା ସୂତ୍ରରୁ ଅଧିକ ଅର୍ଥ ଆସୁଛି ଚାନ୍ଦା ଭାବରେ। ଏହା ସୂଚାଉଛି ରାଜନୀତିର କର୍ପୋରେଟ‍୍‌ କରଣକୁ ଏବଂ ରାଜନୈତିକ ଦଳର ସ୍ୱଚ୍ଛତା ନେଇ ଉଠୁଥିବା ଅନେକ ପ୍ରଶ୍ନକୁ ନେଇ।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top