ହାରକିନ୍, ତେନ୍ତୁଳିଗଛ, ଆଉ ତାସ୍ ପାଲିର ଜୋକର

News Story - Posted on 2016-02-16

-ଏ.ଆର.ଦୀପଂକର ଦାସ

 

ନୀଳଗିରିର ସ୍ବର୍ଣ୍ଣଚୂଡ଼ ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଡୁବୁ ନ ଡୁବୁଣୁ ଆମ ଗାଁ ପୋଖରୀଆଡ଼ିଆରେ ଡିବିରି ଜଳିବ ଇ ଜଳିବ | ଚତୁର୍ମାସିଆ ହେଉ କି ଗୁଳୁଗୁଳିଆ ଗରମ-ଆଠକାଳି ବାରମାସୀ ଟଗର ଗଛମୂଳେ ତାସପାଲି ପଡ଼ିବାଟା ଥୟ | ଯେମିତି ପୃଥିବୀ ଆରମ୍ଭ ହେବାଦିନଠୁଁ ଏଇ ଚଲ୍ ରହିଆସିଛି |

ଟଗର ଗଛଟା ରୁକ ମାଉସୀର | ତା ଗେରସ୍ତ କରୁଣା ବୁଢ଼ା ନଗେଇଥିଲା | ବେଳ ରତରତ ଥିବ ରୁକ୍ ମାଉସୀ ଗଛମୂଳେ ହେଁସ ପାରିଦେବ | ହେଁସ ଉପରେ ବେଙ୍ଗମାର୍କା ଦିଆସିଲି, କଠେ ବିଡ଼ି ରଖି ଡାକ ପକେଇବ ବୋହୂକୁ : ଆଲୋ ମହାରଣା ଝିଅ...ଲୋ ଅଗ୍ଣୀ, କିଆଡ଼େ ଯାଇଚୁ  ମୋ ପିମ୍ପାରେ ତେଲ ଭରିଦେ |

ବିଲରେ ଆଣ୍ଠୁଆବଛା, ସୁର୍କାବଛାବେଳେ ହିଡ଼ କାଟି ଖଇଞ୍ଚା ଘାଟି ବସାଯାଇଥିବାବେଳେ, କରାଣ୍ଡି, ମହୁରାଳି, ତୋଡ଼ି, କଉ ମାଛ ଗଡ଼ିବାଭଳି ଠିକ୍ ସଂଜ ଶଙ୍ଖ ବାଜୁବାଜୁ ଏଠି ପହଞ୍ଚିଯାଆନ୍ତି ବିଦୁଆବୁଢ଼ା, ହୁରିଆ ବୁଢ଼ା, ଦୀନା ସାର୍, ବାୟା, ଠକରା, ଦିବ ବେହେରା | ସମସ୍ତେ ବିଡ଼ି ଟାଣନ୍ତି | ଖେଳନ୍ତି କେବେକେବେ ଏଇ ପୁରୁଖା ଖେଳାଳି ନଥିଲେ ଗଦା ଗିରି, ପୁନିଆ ନନା, ଭଗିଆ, ରଙ୍ଗିଆ ରାଉଳ ଆସି ଖେଳନ୍ତି | ରାତି ଏଗାରଟା, ବାରଟା ତକ୍ ଖେଳ ଚାଲେ | ରଜ ତିନିଦିନ୍ ତ ଚବିଶଘଣ୍ଟା ଖେଳ | ସମସ୍ତଙ୍କ କତୁରୁ ରୁକ୍ ମାଉସୀର ଖେଳ ପ୍ରତି ବେଶୀ ଆଗ୍ରହ,ବେଶୀ ଆକର୍ଷଣ |

ରୁକ୍ ମାଉସୀର ଚାଳ ଛପର ଏକପୁରିଆ ଘରଟା ଗାଁ ମଝିରେ | ଗାଁଟା ବି ଖୁବ୍ ଛୋଟ | ପୋଡ଼ାଡ଼ିହା | ବାଲେଶ୍ବର ସହରର ଉତ୍ତରକୁ କୋଡ଼ିଏ କିଲୋମିଟର ଦୂରରେ ରହିଛି ଏଇ ଗାଁଟା | ନାଁ ଡାକ୍ କିନ୍ତୁ ରୁପ୍ସା | ସେଇଠି ରହିଛି ବାରିପଦା ରାଜାଙ୍କ ଘୋଡ଼ାଶାଳ | ସେଇ ଷ୍ଟେସନରୁ ରେଳପଥ ବାହାରି ବାରିପଦା ହୋଇ ଯାଇଛି ବାଙ୍ଗିରିପୋଷି, ତାଳବନ୍ଧ | ରୁପ୍ସା ଜଂକସନ୍ର ପଶ୍ଚିମପଟ ମୟୂରଭଞ୍ଜ, ବାଁ ପାଖଟା ମୋଗଲବନ୍ଦୀ |

ରୁକ୍ ମାଉସୀ ବିଧବା | ଧଳା କସ୍ତା ପିନ୍ଧେ, ଆଉ ମରଦଙ୍କ ଭଳିଆ ଆଣ୍ଠୁ ପର୍ଯ୍ୟନ୍ତ ଟେକିଦେଇ ଲୁଙ୍ଗି ପରିକା ଗଣ୍ଠି ପକେଇଦିଏ | ଉପର ଦାନ୍ତପାଟିରେ ସାମନା ଦାନ୍ତ ନାହିଁ | ସେଇ ଦାନ୍ତଫାଙ୍କରେ କୁନିଆ ବିଡ଼ି ଟାଣି ଧୂଆଁ ଛାଡ଼େ ଭକ୍ ଭକ୍ କରି, ଆଉ ସବୁବେଳେ କଞ୍ଚା ଦି’ ଅକ୍ଷରିଆ ଆଇଁଷିଆ କଥା କହେ | ଗାଁଟା ଯାକରେ ବୁଢ଼ାଠାରୁ ଛୁଆ ଯାଏ, ସମସ୍ତେ ଡାକନ୍ତି-ମାଉସୀ  ରୁକ୍ ମାଉସୀ | ମାଉସୀ ଆମକୁ ଦେଖିଲେ ଆମେ ପିନ୍ଧିଥିବା ରବର ପ୍ୟାଣ୍ଟକୁ ଆଣ୍ଠୁପାଖକୁ ଖସେଇଦେଇ କହେ : ଦେଖି..ଦେଖି... ତୋ କୁଳି ପାକଳ ହେଲାଣି ନା ନାହିଁ | ତୋ ବା କୁ କହି ଗୁଟେ ବୋହୂଛୁଆ ଆଣତେ ହବ |

ରୁକ୍ ମାଉସୀର ଏ କାଣ୍ଡ କାରଖାନା ଆମକୁ ଜମ୍ମା ପସନ୍ଦ ହୁଏନା | ମୋ ନଗାଦ୍ ବଇଁଶୀ, ହଗିରି, ମଧୁ, ରଂଜନ-ସବୁବେଳେ ବୁଢ଼ୀ ପଛରେ ପଡ଼ିଥାଉ | କେତେବେଳେ ତା ବିଡ଼ି ଚୋରେଇ ନେଉ ତ, କେତେବେଳେ ତା ଭାଡ଼ିରୁ କୁକୁଡ଼ା ଅଣ୍ଡା | କେତେବେଳେ ତା ତାସପାଲି ଚିରିଦେଉ ତ କେତେବେଳେ ତା ବିଛଣାରେ ବାଇଡ଼ଙ୍କ ଗୁଣ୍ଡ ବିଞ୍ଚିଦେଉ | ଦିନେ ରାତିରେ ବୁଢ଼ୀ ଶୋଇଥିଲା, ଆମେ ପାଞ୍ଚଜଣ ଚୁପକିନା ତା ହାରକିନ୍ ନେଇ ପୋଖରୀ ସେପଟେ ବଣିଆସାହିରେ ଥିବା ଚାଳିଶଫୁଟ୍ ଉଚ୍ଚା ତେନ୍ତୁଳି ଗଛଡ଼ାଳରେ ଟାଙ୍ଗିଦେଲୁ | ରାତିରେ ଯେତେବେଳେ ତା ନିଦ ଭାଙ୍ଗିଲା, ତା ହାରକିନ୍ ଗଛ ଉପରେ ଝୁଲୁଥିବାର ଦେଖି ଆମ ସାରା ବଉଁଶକୁ ଗୋଟେ ହେଁସରେ ପକେଇ ସାତପୁରୁଷ ଉଝାଳିଦେଲା | ସକାଳ ହେବା ଯାଏ, ଗାଁ କମ୍ପେଇ ସେ ଏତେ ଗାଳି ଦେଲା ଯେ, ସହିବାଟ ଆମ ଲାଗି ଖୁବ୍ କଷ୍ଟକର ହୋଇପଡ଼ିଲା |

ତହିଁଦିନ ଟୁହୁଟୁହୁ ଚମଜଳା ଖରାବେଳେ ଆମେ ପାଞ୍ଚ୍ ଗାଁମୁଣ୍ଡ ଶେଷ ବଗିଚାପଦାରେ ବସି କିଆକେନ୍ଦା ଆଉ ବଇଞ୍ଚ କୋଳି ଖାଉଥିଲୁ | ରଞ୍ଜନଟା ଟିକେ ତେଢ଼ା, ବଦରାଗୀ ବି | କେନ୍ଦା ଖାଉଖାଉ ସେ କହିଲା, ଶାଲା ବୁଢ଼ୀ, ଗୁଟେ ନବରଙ୍ଗ ନଗେଇଚି | ଆମ ମା-ଭଉଣୀ ନେଇ ଶୁଧୁଚି ରେ | ଚାଲ, ଆଜି ବୁଢ଼ୀକୁ କେଞ୍ଚେ ଦବା... 

କଥାଟା ସଭିଙ୍କ ମନକୁ ଭେଦିଗଲା | ଯୋଜନା ମୁତାବକ ଠିକ୍ ରାତି ଏଗାରଟାରେ ଗାଁ ମଝିରେ ଥିବା ପୁରୁଣା ଝଙ୍କାଳିଆ ବରଗଛମୂଳେ ଠାକୁରାଣୀ ତଳାରେ ପହଞ୍ଚିଲୁ | ମଧୁ ଗଲା, ସରଜମିନ୍ ତଦନ୍ତ ସାରି ଆସି କହିଲା : ବୁଢ଼ୀ ଫ୍ଲାଟ୍ | ଘୁଙ୍ଗୁଡ଼ି ମାରୁଚି ବେ |

ତାସଖେଳରେ ଯେମିତି ନିଶା, ସେମିତି ବି ଖଟଣୀ କରେ ରୁକମାଉସୀ | ଏବେ ସିନା ବିଦ୍ୟୁତରେ ରେଳ ଚାଲିଛି | ୟା ଆଗରୁ ଡ଼ିଜେଲ୍, ତା ଆଗରୁ କୋଇଲାରେ ଷ୍ଟିମ୍ ଇଞ୍ଜିନ୍ ଚାଲୁଥିଲା | ଅମରୀ ଡାଙ୍ଗରେ ପଦ୍ମଫୁଲ ମାର୍କା କୋଡ଼ିଏ ପଇସିଟେ କି ସୁଉକି ବା ଆଠଣୀଟେ ଖୋସି ଚଳନ୍ତାଗାଡ଼ିରେ ଡ୍ରାଇଭର ହାତକୁ ବଢ଼େଇଦେଲେ, ସେ ମନଇଚ୍ଛା କୋଇଲା ବାହିଦିଏ ତଳକୁ, ବେଲ୍ଚାରେ | ତିରିଶ କିଲୋ ଚାଳିଶ, ପଚାଶ କିଲୋ | ରୁକ୍ ମାଉସୀ ଟ୍ରେନରୁ କୋଇଲା କିଣେ, ଆଉ ବସ୍ତାରେ ବାନ୍ଧି ଗୌରାଙ୍ଗ ଜେନା କୋଇଲା ଖଟିରେ ବିକେ | ଫି ସୋମବାର ଓ ଶୁକ୍ରବାର ରୁପ୍ସା ହାଟରେ | ନାଲି ନେଳି ସାକାରିନ୍ଦିଆ ସରବତ ବି ବିକେ ରୁକ୍ ମାଉସୀ | କସିପଦା ଜାଗର ହେଉ କି ଆଗୁରୁ ଗୋହିରା ଉଡ଼ା, ଆଙ୍କୋ ଚନ୍ଦନ ପୂନେଇଁ କି ପଣ୍ଡ୍ରୁଣୀ ଭଗବତୀ ପୂଜା- ଯୋଉଠି ଯାତ୍ରା, ସେଇଠି ଥିବ ରୁକ୍ ମାଉସୀର ସରବତ ଦୋକାନ | 

ଦିନସାରା ଖଟିଖଟି ରାତିରେ ବେଚେତ୍ ହେଇ ଶୋଇପଡ଼େ ସେ | ସେଦିନ ବି ଶୋଇ ପଡ଼ିଥିଲା | ବଇଁଶୀ ପାଖ ବୁଦାମୂଳକୁ ଗଲା ଆଉ ତୋଳି ଆଣିଲା ପାଞ୍ଚୋଟି ବଡ଼ ବଡ଼ ସାରୁପତର | ଏଥର ପାଞ୍ଚଜଣ ଯାକ ସେ ସାରୁପତରରେ ଝାଡ଼ା ଫେରିଲୁ କଷ୍ଟେମଷ୍ଟେ | ସବୁ ଝାଡ଼ାକୁ ମିଶେଇ ଗୋଟେ ବଡ଼ ପୁଟୁଳି କଲୁ | ଅନ୍ୟ ଚାରିଜଣ ଏକଡ଼ ସେକଡ଼ ତକାତକି ହେଲେ | ମୁଁ ଥିର୍କିନା ଗଲି, ଆଉ ବୁଢ଼ୀ ଶୋଇଥିବା ସପ ଉପରେ ସବୁତକ ମାଲ୍ ଥୋଇଦେଇ ଖସି ଆସିଲି | ପରେପରେ ଆମେ ସବୁ ଡ଼ରିଗଲୁ ଭୀଷଣଭାବରେ | ବୁଢ଼ୀର କଣ ହବ | ଗାଳିଫଜିତ୍ କରି ଅଧାରାତିଟାରେ ଗାଁ ହୁଲସ୍ତୁଲ୍ କରଦେବନି ତ ! ଡ଼ରରେ ଡ଼ରିମରି ପାଖ ସିର୍ସା ଗଛ ଆଢ଼ୁଆଳରେ ଲୁଚି ବସିଲୁ | ଡ଼ରିବାଟା ସ୍ବାଭାବିକ୍ ଥିଲା | ଆମର  କାହାର ବୟସ ପନ୍ଦର ବି ଛୁଇଁ ନଥିଲା |

ଅଧଘଣ୍ଟେ ଯାଇନି | ବୁଢ଼ୀ ଯେତେବେଳେ କଡ଼ ଲେଉଟାଇଛି, ପିଚକିନା ତା ପିଠିରେ ନାଗିଚି, ଆଉ ସାରୁପତର ଫାଟିଯାଇ ମସିଣାଯାକ, ତା ଦିହଯାକ ଘୁଅରେ ଜଡ଼ସଡ଼ ହୋଇଯାଇଛି | ତାପରେ ଆଉ ସମ୍ଭାଳେ କିଏ ରୁକ ମାଉସୀକୁ ? ତାର ସେ ଭୀମଭୈରବ ରୂପ, ଆଉ ଗର୍ଜନ ତର୍ଜନ ଆମ ପିଳେହି ପାଣି କରିଦେଲା | ଜୀବନ ବିକଳରେ ଧାଇଁଲୁ ଗାଁ ଶେଷମୁଣ୍ଡକୁ ଆଉ ପିଚୁସଡ଼କ ନାଳୁଆ ପୋଲ ଉପରେ ବସିରହିଲୁ ଚୁପଚାପ୍ | ସମସ୍ତଙ୍କ ଦିହ ଗୋଟାପଣେ ଥରୁଥିଲା | ଗୋଟାପଣେ ଝାଳ ଝରୁଥିଲା |

ତା ପରଦିନ ସିନ୍ଦୂରା ନ ଫାଟୁଣୁ ମୁଁ ଗାଁ ଛାଡ଼ିଦେଲି...ଆଉ ରହିଗଲି ବାହାରେ ବେଶ୍ କିଛିଦିନ |

ଯେଉଁଦିନ ଫେରିଲି ଗାଁକୁ, ଗାଁ ମୁଣ୍ଡରେ ଘର କରି ରହୁଥିବା ଆଉ ଆମ ଗାଁ ଯାତ୍ରାପାର୍ଟିରେ ପରମାନେଣ୍ଟ ମହାଦେବ ଭୂମିକାରେ ଅଭିନୟ କରୁଥିବା ନରସିଂହ ଜେନା ପାଖରୁ ପ୍ରଥମେ ଶୁଣିଲି ଯେ ରୁକ ମାଉସୀ ଚାଲିଗଲା | ଲମ୍ବାଲମ୍ବା ପାହୁଣ୍ଡ ପକେଇ ପହଞ୍ଚିଲି ମୋ ଗାଁର ସେଇ ଚିରପରିଚିତ ପୋଖରୀଆଡ଼ିଆରେ  ରୁକ ମାଉସୀ ଘରପାଖରେ | ଚାରିଆଡ଼େ କାନ୍ଦବୋବାଳି ରୁକ ମାଉସୀର ମଲାଦେହ ପାଖରେ ଘେରି ରହିଥିଲେ, ତା ପାଳକ ପୁଅ ଶାମ, ବୋହୂ ଅଗଣୀ ଆଉ ନାତି ଶଙ୍କୁରୁ, ନାରଣ |

ମୁଁ ଚାହିଁଲି ରୁକ ମାଉସୀକୁ | ମୋତେ ଦେଖି ସତେଯେମିତି ସେ ହସୁଥିଲା ଠୋ ଠୋ ହୋଇ, ଯେମିତି ସେ ହସୁଥିଲା ସବୁବେଳେ | ହସୁ ତ ନଥିଲା, ମୋତେ ଲାଗୁଥିଲା କି ସେ ମୋତେ ଖତେଇ ହଉଚି | ମନେ ପଡ଼ିଯାଉଥିଲା ମୋର ପିଛିଲା କଥା : ତାସ୍, ହାରକିନ୍, ତେନ୍ତୁଳିଗଛ, ସାରୁପତ୍ର, ଘୁଅ, ହଗ୍ରୀ ଆଉ ତାସପାଲିର ଜୋକର... 

ସେପଟେ କେହି ଜଣେ ଘରେ ଶାସ୍ତ୍ରପାଠ କରୁଥିଲା  :

ଭବିଷ୍ୟତି ଯୁଗ କ୍ଷୀଣେ ତଦ୍ ଯୁଗାନ୍ତସ୍ୟ ଲକ୍ଷଣମ୍

ଯଦା ରୌଦ୍ରା ଧର୍ମହୀନା ମାଂସାଦା ପାନପାସ୍ତକ...

ଅର୍ଥାତ୍ ଯେତେବେଳେ ମଣିଷଗଣ କ୍ରୂର ସ୍ବଭାବ ବିଶିଷ୍ଟ, ଧର୍ମହୀନ ଓ ମାଂସାହାରୀ ମଦ୍ୟପ ହେବେ, ସେତେବେଳେ ଯୁଗର ଅନ୍ତିମ ସମୟ ହେଲା ବୋଲି ବୁଝିବାକୁ ପଡ଼ିବ |

ମୋତେ ନିଜକୁ ଖୁବ୍ ଦୋଷୀ ଲାଗିଲା | ପାପୀ ଲାଗିଲା | ଧର୍ମହୀନତାର ଭୂତଗୁଡ଼ାକ ସତେଯେମିତି ଘେରି ଯାଉଥିଲେ ମୋ ଚାରିପାଖରେ  ଡ଼ରିମରି ମୁଁ ଅନେଇଲି ନୀଳଗିରିର ସେଇ ସ୍ବର୍ଣ୍ଣଚୂଡ଼ ପାହାଡ଼ ଆଡ଼େ, କେମିତି କାକୁସ୍ଥ ହୋଇ, ବିକଳ ହୋଇ |

ଆଜି ଏ ବୟସରେ ବି ମୁଁ ଦିନେଦିନେ ସ୍ବପ୍ନ ଦେଖେ ରୁକ ମାଉସୀକୁ | ରାତିରେ ବିଳିବିଳେଇ ଉଠେ | ଚିତ୍କାର କରେ | ସ୍ବପ୍ନ ଭାଙ୍ଗିଯିବାପରେ ଭାବେ, ଯୁଗର ଶେଷ ସମୟ ଆସୁନି ତ !!

 

-ପୋଡ଼ାଡ଼ିହା, ରୁପ୍ସା ଜଂ-28, ବାଲେଶ୍ବର, ମୋବାଇଲ୍ : 8455826322


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top