ଆଲୋଚନା ଭଲ ନା ଟ୍ରିବ୍ୟୁନାଲ?

News Story - Posted on 2018-01-10

ଗୋଲକ ମହାପାତ୍ର

 

ଗତ କିଛିଦିନ ଧରି ମହାନଦୀକୁ ନେଇ ଚାଲିଛି ଅନେକ ତର୍କ, ବିତର୍କ ଓ ବିବାଦ । ଓଡ଼ିଶାର ଶାସକ ଦଳ ଗୋଟିଏ ବାଟରେ ଯାଉଥିବା ବେଳେ ବିରୋଧୀ ଦଳ ଆଉ ଏକ ବାଟରେ ଯାଉଛି । ପୁଣି ଉଭୟ ଦଳ ମିଶି କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଉପରକୁ ଅଯଥାରେ କାଦୁଅ ଫିଙ୍ଗୁଛନ୍ତି । ହେଲେ ମହାନଦୀ ଜଳ ବିବାଦ ସମ୍ପର୍କରେ ସତ୍ୟ ବା ପ୍ରକୃତ ତଥ୍ୟ ପଦାକୁ ଆସିପାରୁନାହିଁ । ଶାସକ ହୁଅନ୍ତୁ କି ବିରୋଧୀ, ସମସ୍ତେ ଜାଣିବା ଦରକାର ନଦୀ କେବେ ସମ୍ପର୍କ ଭାଙ୍ଗେ ନାହିଁ । ନଦୀ ସବୁବେଳେ ସମ୍ପର୍କ ଯୋଡ଼େ । ମହାନ ଦେଶ ଭାରତୀୟ ପରମ୍ପରାରେ ନଦୀକୂଳରେ ସଭ୍ୟତା ଗଢ଼ିଉଠିଛି । ନଦୀ ପାନୀୟ ଜଳ, କୃଷି ପାଇଁ ଜଳ, କଳ କାରଖାନା ପାଇଁ ଜଳ, ଏପରିକି ଗମନାଗମନର ମାଧ୍ୟମ ସାଜିଥାଏ । ନଦୀ ପୁଣ୍ୟସ୍ରୋତା । ଯିଏ ବି ନଦୀଜଳକୁ ଅନ୍ୟର ଅହିତ ପାଇଁ ଅବରୋଧ କରିବ, ସିଏ ଦଣ୍ଡ ପାଇବ । ଭାରତୀୟ ଜନତା ପାର୍ଟି ଏଭଳି ଅନ୍ୟାୟକୁ ବରଦାସ୍ତ କରିବ ନାହିଁ । ଏହା ଦଳର ଆଦର୍ଶ ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ମହାନଦୀ ବିଷୟକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାଁନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଟିଂର ଆୟୋଜନ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳସଂମ୍ପଦ ମନ୍ତ୍ରୀ ଏବଂ ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ବସାଇଲେ । ଏହି ବୈଠକରେ ସ୍ଥିର କରାଗଲା ଯେ ମହାନଦୀ ଜଳ ବିବାଦରର ସମାଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ବିନା ଅନୁମତିରେ ତିଆରି ହୋଇଥିବା ପ୍ରକଳ୍ପ ଗୁଡ଼ିକର ଚିଠା ପ୍ରସ୍ତୁତ ହେବ । ଏଥିରେ ଓଡ଼ିଶା ସରକାର କମିଟିକୁ କୌଣସି ତଥ୍ୟ ପ୍ରଦାନ କଲେନାହିଁ । ଏହାପରେ କେନ୍ଦ୍ରୀୟ ଅନୁଷ୍ଠାନ(ଏନଆଇଏଚ)କୁ ଦାୟିତ୍ୱ ଦିଆଯାଇଥିଲା ମହାନଦୀ ଜଳ ପ୍ରବାହ ବିଶ୍ଳେଷଣ ପାଇଁ, କିନ୍ତୁ ଓଡ଼ିଶା ସରକାର କୌଣସି ସହଯୋଗ କଲେନାହିଁ ।

 

ଆଲୋଚନାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ-କେନ୍ଦ୍ର ସରକାର ଏକ ନିରପେକ୍ଷ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରନ୍ତୁ । ଯେଉଁ କମିଟିରେ ଉଭୟ ରାଜ୍ୟର ଇଞ୍ଜିନିୟର, ଆଡଭୋକେଟ୍, ହାଇଡ୍ରୋଲୋଜିଷ୍ଟ ଏବଂ କୃଷି ବିଶେଷଜ୍ଞ ରହିବେ । ସେମାନେ ଉଭୟ ରାଜ୍ୟର ମହାନଦୀ ଜଳର ସ୍ଥିତି ଏବଂ ଏହା ଉପଯୋଗ ହେଉଥିବା ବିଭିନ୍ନ ମାଧ୍ୟମ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିବେ । କିନ୍ତୁ ଓଡିଶା ସରକାର ଏହି କମିଟି ପାଇଁ ନିଜର ପ୍ରତିନିଧି ମନୋନୀତ କଲେ ନାହିଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଦାବିକୁ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମାନି ନେଇଥିଲେ । କେନ୍ଦ୍ର ସରକାର ଏକ ନୂଆ ଗେଜ୍ ଷ୍ଟେସନ ନିର୍ମାଣ ମାଧ୍ୟମରେ ମହାନଦୀ ଜଳକୁ ସୁନିଶ୍ଚିତ କରିବେ, ଯେପରି ହୀରାକୁଦରେ ବୁନ୍ଦାଏ ଜଳ କମ୍ ହେବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଥିବା ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାର୍ଥ ପ୍ରତି ଅନ୍ୟାୟ କରାଯିବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ଓଡ଼ିଶା ସରକାରଙ୍କୁ । ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁଣି ଦାବି କରିଥିଲେ, ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରିଥିବା ସମସ୍ତ ପ୍ରକଳ୍ପ କାମକୁ ବନ୍ଦ କରନ୍ତୁ । କିନ୍ତୁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ସମ୍ବିଧାନ ଅନୁଯାୟୀ ନଦୀ ଜଳ ଏକ ରାଜ୍ୟ ବିଷୟ ହୋଇଥିବାରୁ କେନ୍ଦ୍ର ଏଥିରେ ହସ୍ତକ୍ଷେପ କରି ପାରିବ ନାହିଁ ।

 

୨୦୧୬ ନଭେମ୍ବର ୧୯ ରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ଟ୍ରିବ୍ୟୁନାଲ ଗଠନ ପାଇଁ ଆବେଦେନ କଲେ । ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ ୧୯୬୫ ଅନୁଯାୟୀ ଯଦି କେନ୍ଦ୍ର ସରକାର ଅନୁଭବ କରନ୍ତି ଆପୋଷ ଆଲୋଚନା ଦ୍ୱାରା ନଦୀଜଳ ବିବାଦ ସମାଧାନ ହୋଇପାରିବ ନାହିଁ ସେତେବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବେ । ତେଣୁ ଏହି ନିୟମ ଅନୁଯାୟୀ ୨୦୧୭ ଫେବୃଆରୀ ୨୮ ମେ ମାସର ୨୨ ତାରିଖରେ ନେଗୋସିଏସନ କମିଟି ଦୁଇଟି ବୈଠକ ଡାକିଲେ । ଏହି ବୈଠକରେ ଓଡିଶା ସରକାର ଯୋଗଦେଲେ ନାହିଁ । ବରଂ ସରକାର ଏ ଦିଗରେ ସୁପ୍ରିମ୍ କୋର୍ଟଙ୍କ ଆଶ୍ରୟ ନେବାକୁ ଉଚିତ ମନେ କରି ୨୦୧୭ ଅଗଷ୍ଟ ୧ ତାରିଖରେ ଆବେଦନ କଲେ । ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଆପୋଷ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ପାଇଁ ଦୁଇ ଦୁଇ ଥର ଡାକିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ବିବାଦ ସମାଧାନ ସମ୍ଭବ ହେଲାନାହିଁ । କିନ୍ତୁ ଓଡିଶା ସରକାର ଏହି କମିଟି ପାଇଁ ନିଜର ପ୍ରତିନିଧି ମନୋନୀତ କଲେ ନାହିଁ । ରାଜ୍ୟ ରାଜ୍ୟ ମଧ୍ୟରେ ଜଳସମ୍ପଦକୁ ନେଇ କୌଣସି ବିବାଦ ଉପୁଜିଲେ କେନ୍ଦ୍ର ସରକାର ଉଭୟ ରାଜ୍ୟର ପ୍ରତିନିଧିଙ୍କୁ ବସାଇ ଆଲୋଚନା ମାଧ୍ୟମରେ ସମାସ୍ୟାର ସମାଧାନ କରିବେ । ଆବଶ୍ୟକ ହେଲେ ୧୯୮୩ ଏମଓଏ ଅନୁସାରେ କେନ୍ଦ୍ର ସରକାର ଜଏଣ୍ଟ କଂଟ୍ରୋଲ ବୋର୍ଡ଼ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

କେବଳ ରାଜନୈତିକ ଅଭିସନ୍ଧି ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ବଦନାମ କରୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ମହାନଦୀକୁ ପ୍ରସଙ୍ଗ କରି ଶାସକ ଦଳ ଏବଂ ତାଙ୍କ ସୁପ୍ରିମୋ ଏଥର ନିର୍ବାଚନୀ ବୈତରଣୀ ପାରି ହେବାକୁ ଚାହୁଁଛନ୍ତି । ଆଉ କହୁଛନ୍ତି, ଆଲୋଚନା ନୁହେଁ, ଆମକୁ ଦରକାର ଟ୍ରିବ୍ୟୁନାଲ । ଟ୍ରିବ୍ୟୁନାଲ ପୁଣି ପୁରୁଣା ପଦ୍ଧତିରେ ଚାଲିଥିବା ଟ୍ରିବ୍ୟୁନାଲ । ଓଡ଼ିଶାବାସୀଙ୍କୁ ଅବଗତ କରିବା ପାଇଁ ଦେଶରେ ନଦୀଜଳ ବିବାଦକୁ ନେଇ ଅତୀତରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଗଠନ ହେବା ପାଇଁ କେତେ ସମୟ ନେଇଛନ୍ତିି ଦେଖନ୍ତୁ । ଦେଶରେ ଗଠନ ହୋଇଥିବା ବିଭିନ୍ନ ଟ୍ରିବ୍ୟୁନାଲ ଯାହା ଗଠନ ହେବା ପାଇଁ ସର୍ବନିମ୍ନ ୧ ବର୍ଷ ୬ ମାସ ସର୍ବାଧିକ ୮ ବର୍ଷ ୪ ମାସ ସମୟ ଲାଗିଛି । ବିବାଦ ତୁଟିବା ପାଇଁ ୭ ବର୍ଷରୁ ୧୨ ବର୍ଷ ସମୟ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ହୋଇଥିବା ୩ଟି ଜଳ ବିବାଦର ଟ୍ରିବ୍ୟୁନାଲ ରାୟକୁ ରାଜ୍ୟମାନେ ସ୍ୱୀକାର କରିଛନ୍ତି । ସେଗୁଡ଼ିକ ହେଲା-ନର୍ମଦା ଟ୍ରିବ୍ୟୁନାଲ; ୧୯୬୯ରେ ଆରମ୍ଭ ହୋଇଥିବା ଏହି ଟ୍ରିବ୍ୟୁନାଲରେ ୧୦ ବର୍ଷ ପରେ ଅର୍ଥାତ ୧୯୭୬ରେ ରାୟ ଆସିଥିଲା । କ୍ରିଷ୍ଣା ଟ୍ରିବ୍ୟୁନାଲ; ୧୯୬୯ରେ ଆରମ୍ଭ ହୋଇଥିବା ଏହି ଟ୍ରିବ୍ୟୁନାଲରେ ୭ ବର୍ଷ ପରେ ଅର୍ଥାତ ୧୯୭୬ରେ ରାୟ ଆସିଥିଲା । ସେହିପରି ଗୋଦାବରୀ ଟ୍ରିବ୍ୟୁନାଲ; ୧୯୬୯ରେ ଆରମ୍ଭ ହୋଇଥିବା ଏହି ଟ୍ରିବ୍ୟୁନାଲରେ ୧୧ ବର୍ଷ ପରେ ଅର୍ଥାତ ୧୯୮୦ରେ ରାୟ ଆସିଥିଲା । ସେହିପରି ମହାଦୟୀ ନଦୀର ଜଳବିବାଦ ମାମଲାରେ ୨୦୦୨ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଆବେଦନ ହୋଇଥିଲା । ହେଲେ ଏହି ଟ୍ରିବ୍ୟୁନାଲ ଗଠନ ପାଇଁ ଲାଗିଥିଲା ୮ ବର୍ଷ ୪ ମାସ, ଅର୍ଥାତ ୨୦୧୦ ନଭେମ୍ବରରେ ଟ୍ରିବ୍ୟୁନାଲ ଗଠନ ହେଲା । ସେହିପରି ବଂଶଧାରା ନଦୀଜଳ ବିବାଦ ପାଇଁ ଆବେଦନ ହୋଇଥିଲା ୨୦୦୬ ଫେବୃଆରୀ ମାସରେ । ଏଥିପାଇଁ ଟ୍ରିବ୍ୟୁନାଲ ଗଠନ ହେଲା ୨୦୧୦ ଫେବୃଆରୀରେ ଅର୍ଥାତ ଏଥିପାଇଁ ୪ ବର୍ଷ ସମୟ ଲାଗିଥିଲା ।

 

ନିକଟରେ କେନ୍ଦ୍ର ସରକାର ସମ୍ବିଧାନରେ ଥିବା ଆନ୍ତଃରାଜ୍ୟ ନଦୀଜଳ ବିବାଦ ଉପରେ ଲୋକସଭାରେ ଏକ ଚିଠା ଆଇନ ଆଗତ କରିଛନ୍ତି । ୨୦୧୭ ମାର୍ଚ୍ଚରେ ଆଗତ ହୋଇଥିବା ଏହି ସଂଶୋଧନ ବିଲରେ ସମଗ୍ର ଦେଶପାଇଁ ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ବ୍ୟବସ୍ଥା ରହିଛି । ରାଜ୍ୟ ନଦୀଜଳ ବିବାଦ (ଆଇଏସଆରଡବ୍ଲୁଡି) ଯଦି ଉଭୟ ରାଜ୍ୟଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯାଏ, ତେବେ ଅଭିଯୋଗଟି ଟ୍ରିବ୍ୟୁନାଲକୁ ଯିବନାହିଁ । ଯଦି କେନ୍ଦ୍ର ସରକାର ଅନୁଭବ କରନ୍ତି ଯେ ପରସ୍ପର ବିପକ୍ଷ ରାଜ୍ୟଦ୍ୱୟଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉନାହିଁ, ତେବେ ଏହି ମାମଲାର ବିଚାର ପାଇଁ ଟ୍ରିବ୍ୟୁନାଲର ସହାୟତା ନିଆଯିବ । ଟ୍ରିବ୍ୟୁନାଲ ନଦୀଜଳ ବିବାଦ ସମ୍ପର୍କରେ ପର୍ଯ୍ୟବେକ୍ଷଣ କରି କେନ୍ଦ୍ର ସରକାରଙ୍କୁ ୨ ବର୍ଷ ଭିତରେ ଦେବ । ୨ ବର୍ଷ ମଧ୍ୟରେ ଯଦି କୌଣସି ସମାଧାନ ନ ହୁଏ ତେବେ କେନ୍ଦ୍ର ସରକାର ଏହି ଅବଧିକୁ ଖୁବ ବେଶୀରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବେ । ଆଲୋଚନାର ୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲକୁ ଦେଇଥିବା ରିପୋର୍ଟ ଉପରେ ବିଚାର କରି ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ଏହାର ଏକ ପ୍ରତ୍ୟୁତ୍ତର ପତ୍ର ପ୍ରେରଣ କରିବେ । ସେହିପରି ୧ ବର୍ଷ ଭିତରେ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ ତାଙ୍କ ରାୟ ଶୁଣାଇବାର ବ୍ୟବସ୍ଥା ରହିଛି । ଆବଶ୍ୟକ ହେଲେ ଏହି ରାୟ ଶୁଣାଇବାର ଅବଧି ମାତ୍ର ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଡିସ୍ପୁଟ୍ ରିଜୋଲୁସନ କମିଟି(ଡିଆରସି) ଗଠନ ହେବ । ଏହି କମିଟିରେ ଏହି ପ୍ରସଙ୍ଗ ଏକସପର୍ଟମାନେ ରହିବେ । ଜଣେ ଚେୟାର ପର୍ସନ ଓ ଜଣେ ଭାଇସ ଚେୟାର ପର୍ସନଙ୍କ ସମେତ ମୋଟ ୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏଇ କମିଟିରେ ଉଭୟ ରାଜ୍ୟର ସମାନ ସଂଖ୍ୟକ ଏକ୍ସପର୍ଟ ଏବଂ କେନ୍ଦ୍ର ସରକାରଙ୍କ ଏକ୍ସପର୍ଟମାନେ ରହିବେ ।

 

ଅନ୍ୟ ପକ୍ଷରେ ଆଇନ୍ ଗୃହୀତ ହେବାପରେ ସବୁ କାର୍ଯ୍ୟରତ ଟ୍ରିବ୍ୟୁନାଲ ଗୁଡିକ ଆପେ ଆପେ ଏଥିରେ ବିଲୀନ ହୋଇଯିବ ଏବଂ ରାଜ୍ୟ ସରକାରଙ୍କ ଆବେଦନ ନୂଆ ଆଇନ ଅନୁସାରେ ଗଠିତ ଟ୍ରିବ୍ୟୁନାଲ ପାଖକୁ ଚାଲିଯିବ । ଏପରି ପରିସ୍ଥିତିରେ ଏବେ ଟ୍ରିବ୍ୟୁନାଲ ଗଠନ କଲେ ତିନିମାସ ମଧ୍ୟରେ ତାହା କିପରି ମହାନଦୀ ବିବାଦ ମିମାଂସାରେ ସହାୟକ ହେବ ତାହା ବୁଝାପଡୁ ନାହିଁ । କେନ୍ଦ୍ର ସରକାରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼, ଉଭୟ ରାଜ୍ୟଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ନା ଟ୍ରିବ୍ୟୁନାଲ ଗଠନ କରି ଏହାର ରାୟ ଶୁଣାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ? ଏଥିରୁ ଗୋଟିକୁ ଆମକୁ ବାଛିବାକୁ ହେବ । ରାଜ୍ୟ ସରକାରଙ୍କ ଟ୍ରିବ୍ୟୁନାଲର ବିଳମ୍ବିତ ପ୍ରକିୟା ମଧ୍ୟରେ ଦୀର୍ଘବର୍ଷ ଧରି ଓଡ଼ିଶାବାସୀଙ୍କୁ ଉପେକ୍ଷିତ ହେବାକୁ ପଡ଼ିବ ନାହିଁ ତ? ଏଥିରୁ ସ୍ପଷ୍ଟ ହୋଇଯାଉଛି ମହାନଦୀକୁ ପ୍ରସଙ୍ଗକରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଶାସକ ଦଳ ଚାହୁଁଛନ୍ତି ବରଂ ଓଡ଼ିଶା କ୍ଷତିଗ୍ରସ୍ତ ହେଉ, କିନ୍ତୁ ଓଡ଼ିଶାବାସୀଙ୍କୁ ଇମୋସ୍ନାଲ ବ୍ଲାକମେଲ କରି ଭୋଟ ମିଳୁଥାଉ । ମହାନଦୀ ଜଳର ୫୩ ପ୍ରତିଶତ ଜଳ ସମୁଦ୍ରରେ ମିଶିଯାଉଛି ବୋଲି ଗତ ବିଧାନସଭାରେ ୨୦୧୭ ଡିସେମ୍ବରରେ ଜଳ ସଂପଦ ମନ୍ତ୍ରୀ ଭାବେ ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି । ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ୨୦୫୧ ସୁଦ୍ଧା ରାଜ୍ୟ ସରକାର ଏହି ଜଳ ସଂରକ୍ଷଣ କରିବାକୁ ସମର୍ଥ ହେବେ ବୋଲି କହିଛନ୍ତି । ତାହେଲେ ମହାନଦୀ ଜଳ ପାଇଁ ଆମକୁ କ’ଣ ୨୦୫୧ ସୁଦ୍ଧା ଅପେକ୍ଷା କରିବାକୁ ପଡ଼ିବ?

ମୋ- ୯୪୩୭୦୧୨୯୩୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top