ମିମାଂସା କରିବ କିଏ?

News Story - Posted on 2018-01-09

ପ୍ରଦୀପ ପ୍ରଧାନ

 

ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଏବଂ ଫଇସଲା କରିବେ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାନାମା ବିଭିନ୍ନ ସ୍ତରରେ ଭ୍ରୁକୁଂଚନ ସୃଷ୍ଟି କରିଛି । କେତେକ ଏହାକୁ ଅନ୍ୟ ଏକ ଠକାମି ବୋଲି ଚିତ୍ରଣ କରିଛନ୍ତି । କାରଣ ରାଜ୍ୟରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଅଭିଯୋଗ ମିମାଂସା ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ଲୋକପ୍ରିୟ ନ କରି ଅନ୍ୟ ଏକ ପ୍ରକ୍ରିୟା ଆରମ୍ଭ କରିବା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ । ସୋସିଆଲ ମିଡ଼ିଆରେ ଗାଁ ଲୋକମାନେ କିପରି ଅଭିଯୋଗ କରିବେ ଏବଂ ମୁଖ୍ୟମନ୍ତ୍ରୀ କିପରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା ଭବିଷ୍ୟତ କହିବ । କିନ୍ତୁ ରାଜ୍ୟରେ ପ୍ରଚଳିତ ଜନବିରୋଧୀ ଅଭିଯୋଗ ଶୁଣାଣି ବ୍ୟବସ୍ଥାରେ ସଂସ୍କାର ଜରୁରୀ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ରାଜ୍ୟରେ ସାଧାରଣ ଲୋକଙ୍କର ଅଭିଯୋଗ ଶୁଣାଣି ଫଇସଲା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ନାହିଁ । ଅମଲାମାନଙ୍କ ମର୍ଜି ଉପରେ ଜନସାଧାରଣ ଅଭିଯୋଗ ଶୁଣାଣିର ଫଳାଫଳ ନିର୍ଭର କରେ । ପ୍ରଚଳିତ ବ୍ୟବସ୍ଥାରେ କେଉଁ ଅଭିଯୋଗର କେତେଦିନ ମଧ୍ୟରେ ଶୁଣାଣି ଓ ଫଇସଲା ହେବ, ତାହାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ପୁଣି ଯଦି ଜଣେ ଅଧିକାରୀ ତାଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ଶୁଣାଣି ନ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏହାର ମଧ୍ୟ କିଛି ନୀତିନିୟମ ନାହିଁ । ଫଳରେ ରାଜ୍ୟର ବିଭିନ୍ନ ବ୍ଲକ ଏବଂ ଜିଲ୍ଲାସ୍ତରରେ ଅଭିଯୋଗଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହୁଛି, ଶୁଣାଣି ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବିଭିନ୍ନ ସରକାରୀ ଦପ୍ତରରେ ଅଭିଯୋଗକାରୀଙ୍କୁ ସେମାନଙ୍କ ଅଭିଯୋଗର ପ୍ରାପ୍ତି ସ୍ୱୀକାର ରସିଦ ମଧ୍ୟ ଦିଆଯାଏ ନାହିଁ । ସେମାନଙ୍କ ଅଭିଯୋଗ ଉପରେ ଯଦି ବା କିଛି କାର୍ଯ୍ୟାନୁଷ୍ଠାନ ହୁଏ, ଉକ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅଭିଯୋଗକାରୀଙ୍କୁ ଦଆଯାଏ ନାହିଁ ।

 

ସେଥିପାଇଁ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ୍ୟାୟ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିଥାଏ ଏବଂ ସରକାରୀ ଅଧିକାରୀଙ୍କୁ କାକୁତି ମିନତି ହୋଇ ଅନୁରୋଧ କରିବାର ଦେଖିବାକୁ ମିଳିଥାଏ । ସେହିପରି ରାଜ୍ୟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଏହାର ନାମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରକୋଷ୍ଠକୁ କେବେ ବି ଯାଆନ୍ତି ନାହିଁ କି ଲୋକମାନଙ୍କର ଅଭିଯୋଗ ଶୁଣନ୍ତି ନାହିଁ । ଏହି ଅଭିଯୋଗ ପ୍ରକୋଷ୍ଠରେ ନିଯୁକ୍ତ କିଛି ସରକାରୀ ଅଧିକାରୀ ଲୋକମାନଙ୍କଠାରୁ ଅଭିଯୋଗ ଶୁଣାଣି କରନ୍ତି ଏବଂ କମ୍ପୁଟରରୁ ବାହାରୁଥିବା ପ୍ରାପ୍ତି ସ୍ୱୀକାର ରସିଦ ପ୍ରଦାନ କରିବା ସହ ଅଭିଯୋଗଟି ଯେଉଁ କାର୍ଯ୍ୟାଳୟ ସହିତ ସମ୍ପୃକ୍ତ ତାହାକୁ ଉକ୍ତ କାର୍ଯ୍ୟାଳୟକୁ ପଠାଇ ଦିଅନ୍ତି । ଅଭିଯୋଗକାରୀ ନ୍ୟାୟ ପାଇଲେ କି ନାହିଁ, ମୁଖ୍ୟମନ୍ତ୍ରୀ ବା ଏହି ଅଧିକାରୀମାନେ ଏହାର କୌଣସି ଖୋଜଖବର ରଖିନଥାନ୍ତି ।

 

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବା ଏବଂ ନିଷ୍ଠାର ସହ ଏହାର ସମାଧାନ କରିବା ରାଷ୍ଟ୍ରର ଦାୟିତ୍ୱ । ଶାସନ ବ୍ୟବସ୍ଥା ଜନସାଧାରଣଙ୍କ ନାମରେ ଚାଲେ । ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାଧାରଣ ଜନତା ହିଁ ଦେଶର ମାଲିକ । ସେମାନଙ୍କୁ ସୁରକ୍ଷିତ ରଖିବା ଏବଂ ସେବା ଯୋଗାଇ ଦେବା ସରକାରଙ୍କ କର୍ତ୍ତବ୍ୟ । ସେଥିପାଇଁ ଲକ୍ଷଲକ୍ଷ ସରକାରୀ କର୍ମ·ରୀ ନିଯକ୍ତି ଦିଆଯାଇଛି । ଲୋକମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଥାନ୍ତି ଏବଂ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ପଂଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଯଦି ସାଧାରଣ ଲୋକେ ଉକ୍ତ ଯୋଜନାରୁ ବଂଚିତ ହୁଅନ୍ତି ବା ଯୋଜନା କାର୍ଯ୍ୟନ୍ୱୟନରେ ଦୁର୍ନୀତି, ଅନିୟମିତତା ହୁଏ, ତେବେ ସେମାନଙ୍କର ବିକାଶ ବାଧାପ୍ରାପ୍ତ ହୁଏ ।

 

ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ଅଭିଯୋଗ କରିବେ । ଯଦି ଅଭିଯୋଗ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ନହୁଏ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ ନାହିଁ । ଦୁର୍ନୀତି ଆହୁରି ବଢିବ । ସାଧାରଣ ଲୋକେ ଆହୁରି କ୍ଷତିଗ୍ରସ୍ତ ହେବେ । ଯାହାକି ଆମ ରାରଜ୍ୟରେ ଘଟିଚାଲିଛି । ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ଆବଣ୍ଟନରେ ଦୁର୍ନୀତି, ମଧ୍ୟାହ୍ନ ଭୋଜନରୁ ଶିଶୁମାନେ ବଂଚିତ ହେବା, ଆଇସିଡ଼ିଏସ୍ ଯୋଜନାରେ ଛତୁଆ ଜାଲିଆତି, ଏନଆରଇଜିଏ କାମରେ ବ୍ୟାପକ ଠକାମି, ଶ୍ରମିକମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା, ରେସନ କାର୍ଡ଼ ଜାଲିଆତି, ଗରିବ ଲୋକଙ୍କୁ ଚାଉଳ ନଦେବା, ବିଧବା ଭତ୍ତା ଆବଣ୍ଟନରେ ଜାଲିଆତି ଇତ୍ୟାଦି ଭୟଙ୍କର ରୂପ ଧାରଣ କରୁଛି । ଏଥି ସମ୍ପର୍କୀତ ଅଭିଯୋଗ ବର୍ଷ ବର୍ଷ ଧରି ଶୁଣାଣି ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯଦିବା କ୍ୱଚିତ କେତେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହା ବହୁ ବିଳମ୍ବରେ ହୁଏ ।

 

ସାଧାରଣ ଲୋକେ ବିଶେଷ ଉପକୃତ ହୋଇନଥାନ୍ତି । ରାଜ୍ୟରେ ଏହି ଅଭିଯୋଗ ମିମାଂସା ବ୍ୟବସ୍ଥାର ବିଫଳତା ଯୋଗୁ ଶାସନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି, ହରିଲୁଟ୍ ବଢ଼ି ବଢ଼ି ଚାଲିଛି ଏବଂ ରାଜ୍ୟରେ ଏକ ପ୍ରକାର ପ୍ରାଶାସନିକ ଅରାଜକତା ସୃୃଷ୍ଟି ହୋଇଛି । ଲୋକମାନଙ୍କର ପ୍ରଶାସନ ଉପରେ ଆସ୍ଥା ତୁଟିଯାଉଛି ।

 

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନ ମଧ୍ୟରେ ଅଭିଯୋଗ ଫଇସଲା ବ୍ୟବସ୍ଥା ରହିଛି । ଉପଯୁକ୍ତ ନିୟମାବଳିର ଅଭାବ ଯୋଗୁ ଏହି ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ସରକାରୀ ଉଦାସୀନତା ମଧ୍ୟ ଅନୁରୂପ ଭାବରେ ଦାୟୀ । ଉଦାହରଣ ସ୍ୱରୂପ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ହିତାଧିକାରୀମାନଙ୍କର ଅଭିଯୋଗ ଫଇସଲା ପାଇଁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ଜିଲ୍ଲା ଅଭିଯୋଗ ମିମାଂସା ଅଧିକାରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡ଼ିଆରଡ଼ିଏ)ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜିଲ୍ଲା ଅଭିଯୋଗ ମିମାଂସା ଅଧିକାରୀ ଭାବେ ନାମିତ କରିଛନ୍ତି । ଉକ୍ତ ଅଧିକାରୀଙ୍କ ଉପରେ ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାମ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ନ୍ୟସ୍ତ । ପୁଣି ତାଙ୍କୁ ଜିଲ୍ଲାର ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କୀତ ଅଭିଯୋଗର ଶୁଣାଣି ଦାୟିତ୍ୱ ଦେବା କେତେଦୂର ଯଥାର୍ଥ? ଉକ୍ତ କାର୍ଯ୍ୟ ନିର୍ବାହ ତାଙ୍କ ଦ୍ୱାରା ସମ୍ଭବ ନୁହେଁ । ପୁଣି ତାଙ୍କ ନିକଟକୁ ଆସୁଥିବା ଅଭିଯୋଗର ଫଇସଲା ପାଇଁ ନିୟମାବଳିରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ । ଫଳରେ ଅଭିଯୋଗଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହିଥିବାର ଦେଖିବାକୁ ମିଳୁଛି ।

 

ସେହିପରି ସୂଚନା ଅଧିକାର ଆଇନ ଅଧୀନରେ ଥିବା ଅଭିଯୋଗ ଶୁଣାଣି ବ୍ୟବସ୍ଥା ରାଜ୍ୟରେ ଦୟନୀୟ ସ୍ଥିତିରେ ରହିଛି । ଆଇନ ଅନୁଯାୟୀ ଜଣେ ଆବେଦନକାରୀ ଜନ ସୂଚନା ଅଧିକାରୀଙ୍କଠାରୁ ସୂଚନା ନ ପାଇଲେ, ସେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଥମ ଅପିଲ କରିବ । ପ୍ରଥମ ଅପିଲ କର୍ତ୍ତୃପକ୍ଷ ୩୦ରୁ ୪୫ ଦିନ ମଧ୍ୟରେ ଶୁଣାଣି କରି ଫଇସଲା କରିବେ । କିନ୍ତୁ ପ୍ରଥମ ଅପିଲ କର୍ତ୍ତୃପକ୍ଷ କେଉଁ ପ୍ରକ୍ରିୟାରେ ଶୁଣାଣି କରିବେ, ଏହାର କୌଣସି ବ୍ୟବସ୍ଥା ରାଜ୍ୟ ନିୟମାବଳିରେ କରାଯାଇ ନାହିଁ । ଫଳରେ ଏହି ଅପିଲ କର୍ତ୍ତୃପକ୍ଷମାନେ ମନଇଚ୍ଛା ଶୁଣାଣି କରୁଛନ୍ତି । ଅନେକ ସମୟରେ କୌଣସି ଶୁଣାଣି ନ କରି ଅପିଲଟିକୁ ଖାରଜ କରିଦେଇଛନ୍ତି । ପ୍ରଥମ ଅପିଲ ସ୍ତରରେ କେସଗୁଡ଼ିକ ଫଇସଲା ନହେବା ଯୋଗୁ ରାଜ୍ୟ ସୂଚନା କମିଶନରେ କେସ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ କମିଶନରେ ୧୧୦୦୦ କେସ୍ ଫଇସଲା ନହୋଇ ପଡ଼ିରହିଛି । ଗୋଟିଏ ଗୋଟିଏ କେସ୍ ଦାଖଲ ହେବାର ତିନି ବର୍ଷ ପରେ ଶୁଣାଣି ହେଉଛି । ସରକାରୀ ଉଦାସୀନତା ଏବଂ ଚକ୍ରାନ୍ତ ଯୋଗୁ ସୂଚନା ଅଧିକାର ଆଇନ ଉପରୁ ଲୋକଙ୍କର ଆସ୍ଥା ତୁଟିଯାଉଛି ।

 

ଅନେକ କ୍ଷେତ୍ରରେ ଦେଖାଯାଉଛି, ଲୋକମାନେ ନିଜ ଅଭିଯୋଗର ସ୍ଥିିତି ଏବଂ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାଯ୍ୟ ନେଉଛନ୍ତି । ଦାଖଲ ହେଉଥିବା ଅଭିଯୋଗର ସ୍ଥିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ, ଯଦି ନାହିଁ, କାରଣ କ’ଣ, ଅଭିଯୋଗର ତଦନ୍ତ ପାଇଁ କେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ଇତ୍ୟାଦି ସମ୍ପର୍କୀତ ସୂଚନା ସମ୍ପୃକ୍ତ କାର୍ଯ୍ୟାଳୟକୁ ମଗାଯାଇଛି । ସୂଚନା ଆଇନ ଅନୁଯାୟୀ ୩୦ ଦିନ ମଧ୍ୟରେ ସୂଚନା ପ୍ରଦାନ ବାଧ୍ୟତାମୂଳକ ହୋଇଥିବାରୁ ସମ୍ପୃକ୍ତ ସରକାରୀ ଅଧିକାରୀ କାର୍ଯ୍ୟାଳୟ ବାଧ୍ୟ ହୋଇ ଅଭିଯୋଗର ତଦନ୍ତ କରି ତଥ୍ୟ ଦେବାକୁ ବାଧ୍ୟ ହେଉଛନ୍ତି । ଅଭିଯୋଗ ଫଇସଲା କ୍ଷେତ୍ରରେ ସୂଚନା ଅଧିକାର ଆଇନ ଜନ ସାଧାରଣଙ୍କ ହାତରେ ଏକ ପ୍ରମୁଖ ଅସ୍ତ୍ର ହୋଇଯାଇଛି ।

 

ଯାହାହେଉ, ରାଜ୍ୟରେ ଲୋକମାନଙ୍କର ଅଭିଯୋଗ ଶୁଣାଣି ଏବଂ ଫଇସଲା ପାଇଁ ଏକ ବଳି ଆଇନର ଆବଶ୍ୟକତା ରହିଛି । ଅଭିଯାଗକାରୀଙ୍କୁ ଅଭିଯୋଗର ପ୍ରାପ୍ତି ସ୍ୱୀକାର ରସିଦ ଦେବାଠାରୁ ଆରମ୍ଭ କରି ଅଭିଯୋଗ ଶୁଣାଣି ଏବଂ ଫଇସଲାର ନିର୍ଦ୍ଦିଷ୍ଟ ସମୟସୀମା, ଅଧିକାରୀଙ୍କ ଦାୟିତ୍ୱ, ଅଭିଯୋଗର ଶୁଣାଣିରେ ଅବହେଳା କରିଥିବା ଅଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ବିଧିବଦ୍ଧ ବ୍ୟବସ୍ଥା ରହିବା ଉଚିତ । ସରକାରୀ ଅଧିକାରୀଙ୍କ ଉପରେ ଉତ୍ତର ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ । ଏହାଦ୍ୱାରା ଲୋକମାନେ ଠିକ ସମୟରେ ନ୍ୟାୟ ପାଇପାରିବେ । ସେମାନଙ୍କର ପ୍ରଶାସନ ଉପରେ ଭରସା ରହିବ । ଶାସନ ବ୍ୟବସ୍ଥା ସୁଶୃଙ୍ଖଳିତ ହୋଇପାରିବ । ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବ । ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥା ନ କରି ଯେପରି ଅସାଧୁ ଅମଲାମାନଙ୍କ ବୋଲକରା ହୋଇ ସୋସିଆଲ ମିଡ଼ିଆରେ ଅଭିଯୋଗ ଫଇସଲା କରାଯିବ ବୋଲି ପ୍ରଚାର କରୁଛନ୍ତି, ତାହା ବାସ୍ତବରେ ପ୍ରଚାରରେ ହିଁ ରହିଯିବ । ଲୋକମାନଙ୍କର ବାସ୍ତବ ସମସ୍ୟାର ସମାଧାନ ହେବ ନାହିଁ । ମୁଖ୍ୟମନ୍ତ୍ରୀ ଏ ଦିଗରେ ଚିନ୍ତା କରିବା ଉଚିତ ।

 

ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ
ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top