ଧର୍ମରହିତ ହିନ୍ଦୁସ୍ଥାନ!

News Story - Posted on 2018-01-09

ସୂର୍ଯ୍ୟମଣି ମିଶ୍ର

 

ଧର୍ମ ଯୋଡେ଼, ଭାଙ୍ଗେ ନାହିଁ। କିନ୍ତୁ ଆଜି ଧର୍ମରୁ ସୃଷ୍ଟି ବର୍ଣ୍ଣ ବ୍ୟବସ୍ଥା ସମାଜକୁ ଭାଗ ଭାଗ କରିବାରେ ସ୍ଥାନେ ସ୍ଥାନେ ଅଭାବନୀୟ ଦୃଶ୍ୟ ଦେଖାଉଛି। ଧର୍ମ ଜୀବନଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା କଥା। କିନ୍ତୁ ଆଜି ଧର୍ମ ଅଭାବରେ ଦେଖିବାକୁ ମିଳୁଛି ପ୍ରେମର ବିଯୁକ୍ତିକରଣ। ଜୀବନ ଏକ ଯାତ୍ରା, ଲୋକ ଗାଡ଼ି ଭଳି, ପ୍ରେମ-ବନ୍ଧୁତା-ସଂପର୍କ ଏହାର ଟାୟାର‍୍‌। ଆଜି ଗାଡ଼ିର ଟାୟାର‍୍‌ ପଙ୍କଚର‍୍‌ ଭଳି ସଂପର୍କ ଛିଡ଼ିଯାଉଛି। ଟାୟାର‍୍‌ ଫାଟିଲେ ଦୁର୍ଘଟଣାଗ୍ରସ୍ତ ହୁଏ କାର‍୍‌। ବ୍ୟବହାର ଓ ସଂସ୍କାର ଜୀବନରେ ଆଧ୍ୟାତ୍ମିକ ଚେତନା ଉପରେ ଉପଲବ୍ଧି ଆଣିଥାଏ। ଜୀବନରୂପୀ ଗାଡ଼ିର ଚାଳକ ଯଦି ଧର୍ମ ଓ ଜୀବନ ରୂପୀ ଗାଡ଼ିକୁ କୁଶଳତାର ସହ ନିୟନ୍ତ୍ରଣ କରିପାରିବ ତ ଏହାର ପରିଣତିରେ ଜୀବନ ଦୁର୍ଘଟଣାଗ୍ରସ୍ତ ହେବ ନାହିଁ।

 

ଆଜି ମହାରାଷ୍ଟ୍ର, ଗୁଜୁରାଟରୁ ମଧ୍ୟପ୍ରଦେଶ ଯାଏ ଧର୍ମରୁ ସୃଷ୍ଟି ଜାତି ବ୍ୟବସ୍ଥାରେ ପୀଡ଼ିତବର୍ଗ ନିଆଁ ଜାଳୁଛନ୍ତି। ବର୍ଷ ବର୍ଷର ଶୋଷଣ, କଷଣ ଓ ନିର୍ଯାତନାର ଅନ୍ତ ପାଇଁ ବ୍ରାହ୍ମଣ ଓ ବ୍ରାହ୍ମଣବାଦକୁ ଦାୟୀକରି ନିଆଁଜଳା ଓ ନିଆଁଗିଳା କାଣ୍ଡ ଭିଆଯାଉଛି। ଏହା ତ ଧର୍ମ ନୁହେଁ? ପୁଣି ହିନ୍ଦୁତ୍ୱର କଥା। ହିନ୍ଦୁ ଏକ ଧର୍ମ ବୋଲି ସହଜରେ ଗ୍ରହଣ କରିବା ଭୁଲ ହେବ। କାରଣ ସନ୍ଥ ତୁଳସୀ ଦାସଙ୍କ ଜନ୍ମ ୧୫୫୧ରେ ହୋଇଥିଲା। ତାଙ୍କ ତିରୋଧାନ ୧୬୨୩। ସେ ପ୍ରସିଦ୍ଧ ରାମଚରିତ ମାନସ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ କେଉଁଠି ହିନ୍ଦୁ ଶବ୍ଦ ସେ ବ୍ୟବହାର କରିନାହାନ୍ତି। ଏବେ ଆହୁରି ଏକ ପ୍ରଶ୍ନ ଅଧିକ ଭାବେ ଅନେକଙ୍କୁ ଆନ୍ଦୋଳିତ କରୁଛି। ମୁସଲମାନ ଭାରତ ଆସିବା ପୂର୍ବରୁ ହିନ୍ଦୁ ଶାସନ ଥିଲା। ପରେ ମୁସଲମାନ ୫୦୦ ବର୍ଷ ଧରି ଏବଂ ଏହା ପରେ ବ୍ରିଟିଶ‍୍‌ ୨୦୦ ବର୍ଷ ଧରି ଭାରତକୁ ଶାସନ କଲେ। ଧର୍ମ ଆଧାରରେ ଏହି ଶାସନକୁ ଏବେ ମନେପକାଯାଉଛି। ଏହି ଶାସନ ବେଳର ଅତ୍ୟାଚାରକୁ ନେଇ ସ୍ମୃତି ଦିବସ ପାଳନ କରାଯାଉଛି। ଗତକାଲି ଯେଉଁମାନେ ମାର୍କ୍ସବାଦର ଦୀକ୍ଷା ନେଇ ଧର୍ମକୁ ଅଫିମ ବୋଲି କହୁଥିଲେ, ଆଜି ସେମାନଙ୍କ ମଧ୍ୟରୁ ଏକରୁ ଅଧିକ ତତ୍ତ୍ୱବିଦ‍୍‌ମାନେ ଧର୍ମର ପଣ୍ଡାମାନଙ୍କ ପାଖରେ ହାଜର।

 

ହିନ୍ଦୁ ରାଜନୀତି ବର୍ଣ୍ଣ ବ୍ୟବସ୍ଥାକୁ ନେଇ ଗଢ଼ି ଉଠିଛି। ଏହି ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ନୁହେଁ, ଲାଲ‍୍‌ସଲାମ‍୍‌ ସହ ଜୟ ଭୀମ‍୍‌ ନାରା ଦେଇ ବର୍ଣ୍ଣ ବ୍ୟବସ୍ଥାକୁ କାଏମ‍୍‌ ରଖିବା ପାଇଁ ସହାୟକ ହେଉଛନ୍ତି ଆଜିର ମାର୍କ୍ସବାଦୀ। ଏହା ତ ଧର୍ମ ନୁହଁ କମ୍ୟୁନିଷ୍ଟଙ୍କର? ଆଜି ହିନ୍ଦୁ ଗୌରବ, ପ୍ରାଚୀନ ଭାବ, ପ୍ରାଚୀନ ସଂସ୍କୃତି, ମହାନ ସଂସ୍କୃତି, ଦେଶରେ ହଜାରେ ଭଗବାନ, ହଜାରେ ଦେବତା, ହଜାରେ ଧାର୍ମିକ ମାନ୍ୟତା, ହଜାରେ ପରମ୍ପରା, ଗାଈକୁ ମାଆର ସମ୍ମାନ ଦେଉଥିବା ଦେଶ ହେଉଛି, ଆମ ଦେଶ। ଏହି ଆମ ଦେଶର କେରଳ, ପଶ୍ଚିମବଙ୍ଗ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୋଆରେ ହିନ୍ଦୁ ଗୋମାଂସ ଖାଆନ୍ତି। ବିବିଧତା ତ ଆମ ସଂସ୍କୃତି। ଏହାକୁ ଭାଙ୍ଗିବା ପାଇଁ ଗୋ’ସୁରକ୍ଷା ନାଁରେ ଅଭିଯାନ କାହିଁକି? ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମଧ୍ୟରେ ଶହେରୁ ଅଧିକ ଜାତି। ଏହାକୁ କାଏମ‍୍‌ ରଖିବା ଧର୍ମ ନା ଭାଙ୍ଗିବା ହେଉଛି ଧର୍ମ? ନା ରାଜନୀତି ନାଁରେ ଜାତିକୁ ଆଧାର କରି ଚାଲିଛି ଶକ୍ତି ପରୀକ୍ଷା।

 

୧୯୮୦ ଦଶକ ଆରମ୍ଭରେ କୁଖ୍ୟାତ ଚୋର ହାଜି ମସ୍ତାନ‌ଙ୍କ ଦ୍ୱାରା ଦଳିତ-ମୁସଲମାନ ସୁରକ୍ଷା ମହାସଙ୍ଘ ଗଠନ ହୋଇଥିଲା। ଆଜି ଦିନରେ ଏଭଳି ଏକତାର କଥା କହୁଥିବା ନେତା ବି ସୃଷ୍ଟି ହେଲେଣି। ଦେଶକୁ ଯୋଡ଼ିବା, ସଶକ୍ତ କରିବା, ମଣିଷ-ମଣିଷ ଭିତରେ ସଦ‍୍‌ଭାବନାକୁ ପ୍ରତିଷ୍ଠା କରିବା ପାଇଁ ଏଭଳି ଅଭିଯାନ ତ ନୁହେଁ ନିଶ୍ଚୟ! ଏହା ବି ଧର୍ମ ନୁହେଁ। ପୁଞ୍ଜିବାଦର ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଓ ପ୍ରସାରିତ କରିବା ପାଇଁ ଧର୍ମ ଏବେ ବେପାରର ପଣ୍ୟ ହୋଇଛି। କ୍ଷମତା ହାସଲ ପାଇଁ ଧର୍ମ ବି ବଡ଼ ଅସ୍ତ୍ର।

 

ଧର୍ମ ସଂପର୍କରେ ସମୀକ୍ଷା କଲେ, ବାସ୍ତବରେ ଆମେ କ’ଣ ଭାରତୀୟ ଧାର୍ମିକ? ଏକ ପ୍ରତିଶତ ଲୋକ ପ୍ରକୃତରେ ଧାର୍ମିକ ନୁହଁନ୍ତି। ଆମେ ପ୍ରାୟ ସମସ୍ତେ ନହେଲେ ବି ୯୦ ପ୍ରତିଶତରୁ ଅଧିକ ସାଂପ୍ରଦାୟିକ ପ୍ରଜାତିର ପ୍ରାଣୀ। ଜାତିଗତ ଏବଂ ସାଂପ୍ରଦାୟିକ ଦୌଡ଼ରେ ଆମେ ସମସ୍ତେ ଦୌଡ଼ୁଛନ୍ତି। ଏହାର ବଳୟରେ ବନ୍ଦୀ ହେବାର ପ୍ରୟାସରତ। ବୁଦ୍ଧ ଭାରତରେ ଜନ୍ମ ହୋଇଥିଲେ। କିନ୍ତୁ ହିନ୍ଦୁ ବୌଦ୍ଧ ସମୁଦାୟ ସହ ଜଡ଼ିତ ନହୋଇ ସନାତନୀ ହୋଇଥିଲେ। ଏଥିପାଇଁ ଭାରତରେ ବୁଦ୍ଧଙ୍କ ସମ୍ମାନ କମ‍୍‌ ଥିଲା। କିନ୍ତୁ ବୁଦ୍ଧ ବିଦେଶୀଙ୍କ ହୃଦୟକୁ ଜୟ କରିଥିଲେ। ଭାରତର ଲୋକ ପ୍ରଥମେ ସନାତନୀ, ପରେ ବିଦେଶୀ ସାଂପ୍ରଦାୟିକ। କିନ୍ତୁ ବିଦେଶୀ ଲୋକ ସାଂପ୍ରଦାୟିକତାରୁ ମୁକ୍ତ। ଭାରତର ଲୋକ ସାଂପ୍ରଦାୟିକତାକୁ ଆପଣେଇଲେ। ଚୀନ‍୍‌ ଲୋକମାନେ ବୁଦ୍ଧଙ୍କୁ ଆପଣେଇ ସମାନତାର ମନ୍ତ୍ର ଗାଇଲେ। ଭାରତୀୟ ଲୋକଙ୍କର ବିଦେଶୀ ଦ୍ରବ୍ୟ ଭାରି ପସନ୍ଦ, ସ୍ୱଦେଶୀ ଦ୍ରବ୍ୟ ଏଲର୍ଜି। ବିଦେଶୀ ଫେଶନକୁ ଆପଣେଇବାରେ ସବୁଠୁ ଆଗରେ, ଆଉ ସାଂପ୍ରଦାୟିକତାକୁ ନେଇ ବଳ କସାକସି ଜୋର‍୍‌। ଧର୍ମ ରକ୍ଷା ପାଇଁ କାହିଁ କେତେ ତଲ‍୍‌ୱାର‍୍‌ ଅବା ତ୍ରିଶୂଳ ଉଠୁଛି। ଏବେ ଆଉ ବ୍ରହ୍ମା, ବିଷ୍ଣୁ, ଶିବ ନୁହଁନ୍ତି, ପ୍ରତିଦିନ ନେତା-ବାବାମାନଙ୍କୁ ଧର୍ମର ଦୂତ ଭାବେ ପୂଜା କରାଯାଉଛି।

 

ଦେଶରେ ଏବେ ମୋଦିବାଦୀ, ଆମ୍ୱେଦକରବାଦୀ, ମାଓବାଦୀ, ଆତଙ୍କବାଦୀ, ନକ୍ସଲବାଦୀ, ବ୍ରାହ୍ମଣବାଦୀଙ୍କ ସଂଖ୍ୟା ବି କମ‍୍‌ ନୁହେଁ। ଆମେ ଭାରତୀୟ ବୋଲି ନିଜକୁ ପରିଚୟ ଦେଉନାହୁଁ, ବରଂ ଆମେ ବିଜେପି, କଂଗ୍ରେସୀ, ବିଜେଡି, ସମାଜବାଦୀ, ବହୁଜନ ସମାଜବାଦୀ,  ବହୁଜନ, ଦଳିତବାଦୀ, ଆମେ ସାମ୍ୟବାଦୀ ବୋଲି ବରଂ ଅଧିକ ଭାବେ ପରିଚୟ ଦେବାକୁ ପସନ୍ଦ କରୁଛୁ। ଏହା ତ ସନାତନୀ ନୁହେଁ? ହିନ୍ଦୁ, ମୁସ‍୍‌ଲିମ‍୍‌, ଖ୍ରୀଷ୍ଟିୟାନ‍୍‌, ଶିଖ୍, ବୌଦ୍ଧ, ଜୈନ ଭାବରେ ଭାଗ ଭାଗ। ନେତାଙ୍କୁ ନିଜର ସର୍ବସ୍ୱ ଭାବେ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ଓ ଗର୍ବିତ। ଭାଷଣର କୋଳାହଳରେ ଏବେ ଭାରତ। ଆମେ ଭାରତୀୟ, ଏବେ ଏପରି ନେତାଙ୍କୁ ପସନ୍ଦ କରୁଛୁ, ଯେଉଁ ନେତା ରାଷ୍ଟ୍ର ଓ ନାଗରିକଙ୍କ ଠାରୁ ଜାତିବାଦ ଏବଂ ସାଂପ୍ରଦାୟିକତାକୁ ଅଧିକ ଭାବେ  ଦେଖନ୍ତି, ଜାତିଗତ ରାଜନୀତିକୁ ଆଗକୁ ବଢ଼ାଇବାରେ ଯିଏ ପ୍ରମୁଖ ଭୂମିକା ନିଭାନ୍ତି, ଭାଷଣ ଜାତିମୁକ୍ତ ନୁହେଁ କି ସାଂପ୍ରଦାୟିକତା ମୁକ୍ତ ନୁହେଁ! ଏହା ତ ମାନବ ଧର୍ମ ନୁହେଁ?

 

ପ୍ରାଚୀନ କାଳରେ ଧାର୍ମିକ  ଥିଲା ପରିଚୟ। କିନ୍ତୁ ଏବେ ସାଂପ୍ରଦାୟିକତା ଏବଂ ଜାତିବାଦୀ ହେଉଛି ବଡ଼ ପରିଚୟ। ସ୍ୱାର୍ଥୀ, ପରପୀଡ଼କ ପ୍ରଜାତିର ପ୍ରାଣୀ ହେବା ପାଇଁ ଗର୍ବର ସହ ନିଜର ଧର୍ମ ଓ ଜାତିର ପରିଚୟ ଦେଇଚାଲିଛୁ। ଏହାକୁ ନେଇ ଦେଶ ଭାଗ ହେଲା। ଏହାକୁ ନେଇ ୧୯୪୭ ପରଠାରୁ ଆଜି ଦିନ ଯାଏ ଲକ୍ଷାଧିକ ଲୋକ ପ୍ରାଣ ହରାଇଛନ୍ତି। କୋଟିଏ ପରିବାର ବାସହରା ହୋଇଛନ୍ତି। ତଥାପି  ଏହି ସାଂପ୍ରଦାୟିକ ଓ ଜାତିବାଦୀ ନେତା ହେବାପାଇଁ ଆମ ଭିତରେ ପ୍ରତିଯୋଗିତା କମିନି ବରଂ ବଢ଼ୁଛି। ଏହା ତ ନିଶ୍ଚୟ ଧର୍ମବିରୋଧୀ! କାରଣ ଧର୍ମ ସମାନତାର ବାର୍ତ୍ତା ଦିଏ। ପ୍ରେମ ଓ ସଂହତିର କଥା କହିଥାଏ। ଆଜି ଏପରି ଏକ ଦିନ ଦେଇ ଆମେ ଗତି କରୁଛନ୍ତି, ପ୍ରତିଦିନ ଧର୍ମ, ଜାତି ନାଁଆରେ ଆତଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ନେତାଙ୍କ ପାଇଁ ଭୋଟ ବ୍ୟାଙ୍କ ହୋଇଛି ଏହି ସାଂପ୍ରଦାୟିକତା ଓ ଜାତିବାଦ।

 

ଆଜି ଆମେ କେହି ଚାହୁଁନୁ ଅନ୍ୟର ସୁଖ, ସମୃଦ୍ଧି, ଗାଁର ବିକାଶ। ବରଂ ସାଂପ୍ରଦାୟିକତାର ଆଖଡ଼ାସ୍ଥଳର ବିକାଶ ପାଇଁ ଦେହ, ମନ, ପ୍ରାଣକୁ ସମର୍ପି ଦେଉଛୁ। ସାଂପ୍ରଦାୟିକତାର ରକ୍ଷା ପାଇଁ ବ୍ୟସ୍ତ। ମନ୍ଦିର, ମସ‍୍‌ଜିଦ‍୍‌, ଗୀର୍ଜା ନିର୍ମାଣ ପାଇଁ ପ୍ରତିଯୋଗିତା। ଗଣେଶ, ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରି ମଥାରେ ତିଳକ ଲଗାଇବା ପାଇଁ, ବାବା-ମାତାଙ୍କ ଆଶ୍ରମରେ ପହଞ୍ଚି ଅନୁଗାମୀ ହେବା ପାଇଁ ଇଚ୍ଛାଶକ୍ତି ବ୍ୟକ୍ତ କରୁଛୁ। କିଏ ଅଲେଖ ଟୁଙ୍ଗୀ ତ ଆଉ କିଏ ବାବା-ମାତାଙ୍କ ଆଶ୍ରମର ଶାଖା ଖୋଲିବା ପାଇଁ ସମର୍ପିତ ହେଉଛନ୍ତି। ଅସଲରେ କିନ୍ତୁ ଏହା ତ ଧର୍ମ ନୁହେଁ? କାରଣ ଧର୍ମରେ ସ୍ପୃଶ୍ୟ, ଅସ୍ପୃଶ୍ୟ ଭେଦଭାବ ନଥାଏ। ମଣିଷ ସମସ୍ତେ ସମାନ, ଏକା ପାଣି ଏକା ପବନରେ ବଞ୍ଚନ୍ତି, ତେବେ ଆଜି ଦିନରେ ଯେଭଳି ଧର୍ମ ନାମରେ ସାଂପ୍ରଦାୟିକତା ଓ ଜାତିବାଦ ଉଗ୍ର ରୂପ ଧାରଣ କରିଛି, ସେହି ସମୟରେ ଆମେ ଭାରତୀୟ ବାସ୍ତବରେ କ’ଣ ଧାର୍ମିକ ବୋଲି ଦାବି କରିବା ଯୁକ୍ତିଯୁକ୍ତ କି? ସମୀକ୍ଷା ଲୋଡ଼ା। ଏହା ନହେଲେ ବିଶ୍ୱଗୁରୁ ହେବାର ଦୌଡ଼ରେ ଥିବା ଭାରତ ଏକ ଘୃଣ୍ୟ ସାଂପ୍ରଦାୟିକତା ଓ ଜାତିବାଦର ଦେଶ ବୋଲି ପରିଚିତ ହେବା ଆଉ ବେଶି ଡେରି ନାହିଁ ବୋଲି ସ୍ୱୀକାର କରିବା ଉଚିତ ହେବ ନିଶ୍ଚୟ।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top