ଗଣମାଧ୍ୟମର ଗଣ-ରୋଗ!

News Story - Posted on 2018-01-07

ଗୋଟେ ୧୬ ପୃଷ୍ଠିଆ ଖବରକାଗଜର ଉତ୍ପାଦନ ଖର୍ଚ୍ଚ ଖଣ୍ଡ ପ୍ରତି ୬-୭ ଟଙ୍କା । କିନ୍ତୁ ଏହାର ବିକ୍ରିମୂଲ୍ୟ ଏହାର ପ୍ରାୟ ଅଧା । ରାଜ୍ୟର ପ୍ରାୟ ସମସ୍ତ ୧୬ ପୃଷ୍ଠିଆ ଖବରକାଗଜ ଏଇ ଦରରେ ବିକ୍ରି ହୋଇଥାଏ । କୋଡ଼ିଏ ପୃଷ୍ଠିଆ ଖବରକାଗଜ ଏବେ ୫ ଟଙ୍କା ଦରରେ ଚାଲିଛି । ଏହାର ଉତ୍ପାଦ ଖର୍ଚ୍ଚ ଖଣ୍ଡ ପ୍ରତି ୬-୮ ଟଙ୍କା ହିସାବ କରାଯାଉଛି । ବିକ୍ରିମୂଲ୍ୟରୁ ପୁଣି କମିଶନ କଟିଯାଏ । ପ୍ରକାଶକ ସଂସ୍ଥା ପାଖକୁ ବାସ୍ତବରେ ଫେରେ ଉତ୍ପାଦନ ଖର୍ଚ୍ଚର ହାରାହାରି ୪୦ ପ୍ରତିଶତ । ଏଥିରେ ଲାଭ କାହିଁ? ଖାଲି କ୍ଷତି ହିଁ କ୍ଷତି । ଏହା ଏପରି ଏକ ବ୍ୟବସାୟ ଯେଉଁଥିରେ ଯେତେ ବିକ୍ରି ସେତେ କ୍ଷତି । ଯଦି ଗୋଟେ ୧୬ ପୃଷ୍ଠିଆ ଖବରକାଗଜର ପ୍ରସାରଣ ୧ ଲକ୍ଷ ତେବେ ଏହାର ପ୍ରତିଦିନ କ୍ଷତି ପରିମାଣ ୩-୪ ଲକ୍ଷ ହେବାକୁ ବାଧ୍ୟ । ଏ ହିସାବ ଅନୁସାରେ ଖବରକାଗଜ ଚାଲିବ କେମିତି? ପୃଥିବୀରେ ଏମିତି କୌଣସି ନିବେଶକ ଅଛନ୍ତି ଯିଏ ପ୍ରତିଦିନ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହି ଖବରକାଗଜ ପ୍ରକାଶ କରିବେ?

 

ଖବରକାଗଜର ଆୟ କହିଲେ ପାଠକ ଦେୟ ଓ ବିଜ୍ଞାପନ । ପାଠକ ଦେୟରେ ତ କ୍ଷତି ହିଁ କ୍ଷତି । ବିଜ୍ଞାପନରୁ ଏହି କ୍ଷତି ଭରଣା କରି ଖବରକାଗଜ ପ୍ରକାଶ ପାଏ । ତେଣୁ ପରୋକ୍ଷରେ ବିଜ୍ଞାପନଦାତା ଖବରକାଗଜକୁ ନିୟନ୍ତ୍ରଣ କରିଥାଏ । ଏହା ଏକ କଠୋର ସତ୍ୟ । ବିଜ୍ଞାପନରୁ ଆବଶ୍ୟକ ପାଣ୍ଠି ମିଳୁ ନଥିଲେ ଅନ୍ୟ କୌଣସି ବାଟରୁ ପ୍ରକାଶକ ସଂସ୍ଥା ଅର୍ଥ ଆଣି ଖବରକାଗଜ ପ୍ରକାଶ କରିଥାନ୍ତି । ଯେଉଁ ଲୋକ ପ୍ରଚ୍ଛଦପଟରେ ଥାଇ ଟଙ୍କା ଯୋଗାଇ ଦିଅନ୍ତି ତାଙ୍କର ମଧ୍ୟ ଖବରକାଗଜ ଉପରେ ନିୟନ୍ତ୍ରଣ ରହିଥାଏ ।

 

ପୃଥିବୀର ଅନ୍ୟ କୌଣସି ଉତ୍ପାଦ ଉତ୍ପାଦନ ଖର୍ଚ୍ଚରୁ କମ୍ ଦରରେ ବିକ୍ରି ହୁଏ ନାହିଁ । ବରଂ ଏମିତି ଅନେକ ଜିନିଷ ଅଛି ଯାହାର ଉତ୍ପାଦନ ମୂଲ୍ୟ ଉପରେ ୧୦-୩୦୦ ପ୍ରତିଶତ ଲାଭ ଯୋଡ଼ି ବିକ୍ରିମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ । ସେଥିରେ ଅବଶ୍ୟ ବିଜ୍ଞାପନ ଖର୍ଚ୍ଚ ମିଶିଥାଏ ।

 

ଖବରକାଗଜର ଅର୍ଥନୀତିଠାରୁ ଟେଲିଭିଜନ ମାଧ୍ୟମ ଆହୁରି ଜଟିଳ । ସାଧାରଣ ଲୋକ ଟେଲିଭିଜନ ଖବର ଦେଖିବାକୁ ଯେତିକି ଟଙ୍କା ଖର୍ଚ୍ଚ କରନ୍ତି ତା’ଠାରୁ ଢେର ଗୁଣ ଅଧିକ ଟଙ୍କା ଏହି ଖବର ସଂଗ୍ରହ ଓ ପ୍ରସାରଣରେ ଖର୍ଚ୍ଚ ହୋଇଥାଏ । ତେଣୁ ଟିଭି ମିଡିଆ ମଧ୍ୟ ବିଜ୍ଞାପନ ଉପରେ ନିର୍ଭରଶୀଳ । ଏଭଳି ପରିସ୍ଥିତିରେ ଟିଭି ମିଡିଆ ବି ଚାଲେ କେମିତି?

 

କେବଳ ରେଡିଓ ଓ ଡିଜିଟାଲ ମିଡିଆ ଟିକେ କମ୍ ବ୍ୟୟ ଦରକାର କରେ । ତଥାପି, ଖର୍ଚ୍ଚ ଅନୁସାରେ ପାଠକ/ଦର୍ଶକଙ୍କଠାରୁ ମୂଲ୍ୟ ମିଳେ ନାହିଁ ।
ନିବେଶ ଓ ଆଦାୟର ଏହି ଫାଙ୍କ ଭିତରେ ଗଣମାଧ୍ୟମ ଅସୁସ୍ଥ ହେବାକୁ ବାଧ୍ୟ । ସରଳ ହିସାବରେ ଗଣମାଧ୍ୟମର ଆର୍ଥିକ ସ୍ୱାସ୍ଥ୍ୟ ସବୁବେଳେ ଖରାପ । କିନ୍ତୁ ଏଇ ଆର୍ଥିକ ଅସୁସ୍ଥି ଦୂର କରିବାକୁ ନିଦାନ ହିସାବରେ ଯାହା ବ୍ୟବହୃତ ହୁଏ ତାହାର ଅନେକ ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ଥାଏ । ଅନେକ ସମୟରେ ମୂଳ ବ୍ୟାଧିଠାରୁ ନିଦାନଜନିତ ବ୍ୟାଧି ଅଧିକ ଉକ୍ରଟ ହୋଇଯାଏ ।

 

ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଏଭଳି ଅସୁସ୍ଥି ଲାଗି ରହିବା କୌଣସି ପ୍ରକାର ଗଣତାନ୍ତ୍ରିକ ସମାଜ ପାଇଁ ଶୁଭଲକ୍ଷଣ ନୁହେଁ । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହାର କୌଣସି ସାମ୍ବିଧାନିକ ସ୍ୱୀକୃତି ନଥିଲେ ବି ସଚରାଚର ସମସ୍ତେ ଆଶା କରନ୍ତି ଯେ ଗଣମାଧ୍ୟମ ଜରିଆରେ ଗଣତନ୍ତ୍ରର ଦୋଷଦୁର୍ବଳତା ସଂପର୍କରେ ଜନଚେତନା ଜାଗ୍ରତ କରାଯାଇ ପାରିବ ଓ ଜନଚେତନା ଗଣତନ୍ତ୍ରକୁ ସୁସ୍ଥ ଓ ସୁଦୃଢ଼ କରିପାରିବ । ଗଣମାଧ୍ୟମ ଜରିଆରେ ଏହ ଜରିଆରେ ଜନଗଣଙ୍କ ସମସ୍ୟା ସଂପର୍କରେ ସରକାରଙ୍କୁ ଚେତାଇ ଦିଆଯାଇ ପାରେ । ଏହା ଜନଗଣଙ୍କର ମୁଖପତ୍ର ଭାବେ କାର୍ଯ୍ୟ କରିପାରେ । ଶାସନ ଓ ପ୍ରଶାସନରେ ହେଉଥିବା ଦୁର୍ନୀତି, ବ୍ୟାବସାୟିକ କମ୍ପାନୀମାନଙ୍କର ଠକେଇ ଓ ରାଜନୀତିକ, ଆର୍ଥନୀତିକ ଏବଂ ସାମାଜିକ ଭ୍ରଷ୍ଟାଚାର ସଂପର୍କରେ ଗଣମାଧ୍ୟମ ଅନୁସନ୍ଧାନମୂଳକ ଏବଂ ନିରପେକ୍ଷ ଅନୁଶୀଳନ ଭିତ୍ତିକ ଖବର ଓ ଆଲେଖ୍ୟମାନ ପ୍ରକାଶ କଲେ ତାହା ଜନଚେତନାକୁ ଆନ୍ଦୋଳିତ କରେ । ଚେତନାର ଆନ୍ଦୋଳନ ସାମାଜିକ ଓ ରାଜନୀତିକ ସ୍ତରରେ ସଂଗଠିତ ହେଲେ ସମାଜରେ ପରିବର୍ତ୍ତନ ଆସେ ।

 

ଏବେ କିନ୍ତୁ ଅଧିକାଂଶ ଦେଶରେ ଏପରି ହେଉନାହିଁ । ଗଣତନ୍ତ୍ରରେ ଗଣମାଧ୍ୟମ ତାହାର ଗୁରୁତ୍ୱ ହରେଇଛି । ସଂପୂର୍ଣ୍ଣ ନହେଲେ ବି ଅନେକ ମାତ୍ରାରେ ଗଣମାଧ୍ୟମର ଗୁରୁତ୍ୱ ହ୍ରାସ ପାଇଛି । ଗଣମାଧ୍ୟମକୁ ଆଉ କୌଣସି ନେତା, ରାଜନୀତିକ ଦଳ, ପ୍ରଶାସକ, ଶାସନ କଳ, ବ୍ୟବସାୟୀ, କଂପାନୀ ଗୁରୁତ୍ୱ ଦେଉ ନାହାନ୍ତି । ବରଂ, ଏହିସବୁ ଜଗତର ଲୋକମାନେ ବିଭିନ୍ନ ବାଟରେ ଗଣମାଧ୍ୟମକୁ ନିୟନ୍ତ୍ରିତ କରୁଛନ୍ତି-କେତେବେଳେ ଦୁସ୍ଥ ଗଣମାଧ୍ୟମକୁ ଆର୍ôଥକ ପ୍ରୋତ୍ସାହନ ଦେଇ ତ କେତେବେଳେ ସିଧାସଳଖ ଗଣମାଧ୍ୟମ ପ୍ରତିଷ୍ଠା କରି । ଆଜିକାଲି ବିଭିନ୍ନ ବ୍ୟାବସାୟିକ କମ୍ପାନୀ ଓ ରାଜନୀତିକ ଦଳ ସହିତ ବ୍ୟକ୍ତିମାନେ ଗଣମାଧ୍ୟମ ବ୍ୟବସାୟରେ ପ୍ରବେଶ କରିବା ପଛରେ ଉଦ୍ଦେଶ୍ୟ ହେଉଛି ଏଇଆ ।

 

ଏହା ରୋଗ ଦୂର କରିବାର ନିଦାନ ନୁହେଁ । ରୋଗକୁ ଲୁଚେଇ ପକାଇବାର ଏକ ପନ୍ଥା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top