ଏ ଯୁଦ୍ଧର ପରିଣତି କ’ଣ?

News Story - Posted on 2017-12-29

ଫେସବୁକ୍, ଟୁଇଟର, ହ୍ୱାଟ୍ସଆପ ଆଦି ଇଣ୍ଟର୍ନେଟ ସୁବିଧାଗୁଡ଼ିକର ସଦବ୍ୟବହାର କରାଗଲେ ସମାଜର ଅନେକ ଉପକାର ହୋଇପାରନ୍ତା । ସତ୍ୟ, ଧର୍ମ ଓ ନ୍ୟାୟର ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଇ ପାରନ୍ତା । ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରିବାରେ ଏହା ଏକ ଚମକ୍ରାର ମାଧ୍ୟମ ହୋଇପାରନ୍ତା । ଏସବୁ ନଭମଂଚ ଜରିଆରେ ଅଜ୍ଞାନ, ଅଶିକ୍ଷା ଓ ଦାରିଦ୍ର୍ୟ ମଧ୍ୟ ଦୂର କରାଯାଇ ପାରିବ । ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ଏହି ନଭମଂଚକୁ ବ୍ୟବହାର କରାଯାଇ ପାରିବ । ଦାରିଦ୍ର୍ୟ ଓ ବେକାରୀ ହଟେଇବା କ୍ଷେତ୍ରରେ ମଧ୍ୟ ଏହାର ସହାୟତା ନିଆଯାଇ ପାରନ୍ତା । ଏପରିକି ଦୁର୍ନୀତି ବିରୋଧୀ ସାମାଜିକ ଲଢ଼େଇରେ ମଧ୍ୟ ଏସବୁ ନଭମଂଚ ଭଲ କାମ କରିପାରିବ । ପୂର୍ବରୁ ଏହାର ପ୍ରମାଣ ଦେଇ ସାରିଛନ୍ତି ଆନ୍ନା ହଜାରେ ଏବଂ ଅରବିନ୍ଦ କେଜ୍ରିୱାଲ । ୨୦୧୨ ମସିହାରେ ସମଗ୍ର ବିଶ୍ୱରେ ଆନ୍ନା ଯେଉଁ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନ ସଂଗଠିତ କରିଥିଲେ ତା’ ପଛରେ ଏଇସବୁ ନଭମଂଚର ଅନେକ ଅବଦାନ ଥିଲା । ଏସବୁ ନଭମଂଚ ନଥିଲେ ଆନ୍ନା ଆନ୍ଦୋଳନ ଏତେ କମ୍ ଦିନ ଭିତରେ ଏତେ ବ୍ୟାପକ ସ୍ତରରେ ପହଂଚି ନଥାନ୍ତା ।

 

ଏସବୁ ନଭମଂଚ ଜରିଆରେ ଗୋଟିଏ ସତକୁ ଭାଇରାଲ କରାଯାଇ ପାରେ । ଆଉ ଗୋଟିଏ ମିଥ୍ୟାକୁ ମଧ୍ୟ ଭାଇରାଲ କରାଯାଇ ପାରେ ।
ଆଜିକାଲି ରାଜନୀତିକ ଦଳଗୁଡ଼ିକ କିନ୍ତୁ ଏସବୁ ନଭମଂଚକୁ ସମାଜ ଗଠନ କ୍ଷେତ୍ରରେ ବ୍ୟବହାର କରୁ ନାହାନ୍ତି । କରୁଛନ୍ତି ଆପଣାର ମିଥ୍ୟାଚାର, ଭ୍ରଷ୍ଟାଚାର ଓ କୁଶାସନ ଉପରୁ ସମାଜର ଦୃଷ୍ଟି ହଟେଇ ଆତ୍ମସୁରକ୍ଷା ଓ ଆତ୍ମପ୍ରଚାର ପାଇଁ । କିଛି ନ୍ୟସ୍ତସ୍ୱାର୍ଥ ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତିକ ଦଳ ବା ସଂଗୋଷ୍ଠୀ ଏସବୁ ସହଜଲଭ୍ୟ ନଭମଂଚ ଜରିଆରେ ସାମାଜିକ କଳୁଷ ଦୂର କରିବା ପରିବର୍ତ୍ତେ ସମାଜକୁ ଅଧିକ ଭ୍ରଷ୍ଟ କରିଚାଲିଛନ୍ତି । ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନର ବାର୍ତ୍ତା ଯେପରି ଭାଇରାଲ ହୋଇଥିଲା ସେଇଥିରୁ ଏସବୁ ନଭମଂଚ ଜରିଆରେ ନିଜର ରାଜନୀତିକ ସ୍ୱାର୍ଥ ହାସଲର ସୁଯୋଗ ଆବିଷ୍କାର କରିଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନତା ପାର୍ଟି । ବିଶେଷ କରି ଗୁଜରାଟର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବ୍ୟବହାର କରି ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲେ । ସୋସିଆଲ ମିଡିଆରେ ତାଙ୍କର ଏବଂ ତାଙ୍କ ଭକ୍ତମାନଙ୍କର ବ୍ୟାପକ ଉପସ୍ଥିତିରୁ ଏହା ବେଶ ସ୍ପଷ୍ଟ ।

 

ମୋଦିଙ୍କର ଭକ୍ତବାହିନୀ ବା ସେମାନଙ୍କ ଭାଷାରେ ସାଇବର୍ ୱାରିଅର ବା ନଭ-ଯୋଦ୍ଧାମାନେ ଚାହିଁଲେ ଭାରତୀୟ ସମାଜରୁ ଦୁର୍ନୀତି, କୁସଂସ୍କାର, ଅନ୍ଧବିଶ୍ୱାସ, ଅଶିକ୍ଷା, ଦାରିଦ୍ର୍ୟ, ବର୍ଣ୍ଣବିଦ୍ୱେଷ, ଅସାମନତା, ଲିଙ୍ଗଭେଦ, ସାଂପ୍ରଦାୟିକ ହିଂସା ଆଦି ଦୂର କରିବା ଦିଗରେ ଫେସବୁକ ଓ ଟୁଇଟର ଆଦି ମାଧ୍ୟମକୁ ବ୍ୟବହାର କରିପାରନ୍ତେ । କିନ୍ତୁ ସେମାନେ ତାହା କରନ୍ତି ନାହିଁ । କେବଳ ମୋଦି ଓ ତାଙ୍କ କଥାର ପ୍ରଚାର ପାଇଁ ସେମାନେ ଏହାକୁ ବ୍ୟବହାର କରିଥାନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଓ ସମର୍ଥକମାନେ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମ୍ିକତାର ପୁନରୁତ୍ଥାନ କଥା କହୁଥିଲେ ହେଁ ଫେସବୁକ୍ ଓ ଟୁଇଟର ଜରିଆରେ ବେଦ, ଉପନିଷଦ ଓ ଶ୍ରୀମଦଭାଗବତ ଗୀତାର କୌଣସି ଶ୍ଳୋକ ଓ ତାହାର ଅର୍ଥ ପ୍ରସାରିତ କରନ୍ତି ନାହିଁ । ସେମାନଙ୍କ ରାଜନୀତିକ ଉଦ୍ଦେଶ୍ୟ ସାଧନ ପାଇଁ ଯାହା ଦରକାର କେବଳ ସେଇଆ କରିଥାନ୍ତି ଏହି ଯୋଦ୍ଧାଗଣ ।

 

ଏମାନଙ୍କଠାରୁ ଏବେ ଅନେକ କିଛି ଶିଖିଲେଣି ଅନ୍ୟ ରାଜନୀତିକ ଦଳ । ସଂପ୍ରତି ଓଡ଼ିଶାର ଶାସକ ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କ ନବୀନ ନିବାସରେ ଆୟୋଜନ କରିଥିବା ଏକ ତାଲିମ କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହୋଇଯାଇଛି । ହଜାର ହଜାର ହ୍ୱାଟ୍ସଆପ ଗୋଷ୍ଠୀ ଗଠନ କରି ବିଜେଡି ସରକାରଙ୍କ ପ୍ରଚାର କରିବା ଥିଲା ଏହି ତାଲିମ ସଭାର ଉଦ୍ଦେଶ୍ୟ । ଫେସବୁକ୍ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ସୁବିଧାକୁ ବ୍ୟବହାର କରି କିପରି ନବୀନବାବୁଙ୍କର ତଥାକଥିତ ‘ଭାବମୂର୍ତ୍ତି’କୁ ଆହୁରି ଭାଇରାଲ କରାଯିବ, ଓଡ଼ିଶା ସରକାର ପ୍ରଚଳନ କରିଥିବା ‘ଭିକ୍ଷା-ସମ’ ଯୋଜନାଗୁଡ଼ିକୁ ଗରୀବ କଲ୍ୟାଣକାରୀ ଭାବେ ଉପସ୍ଥାପିତ କରିବା ଉପରେ ଏବେ ବିଜେଡି ଅଧିକ ଗୁରୁତ୍ୱ ଦେବ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏହି ଉପାୟରେ ଶକ୍ତିଶାଳୀ ହେଉଥିବା ହୃଦବୋଧ କରି ସେମାନଙ୍କ ରାଜ୍ୟ-ବିଜୟକୁ ପ୍ରତିହତ କରିବା ପାଇଁ ନବୀନବାବୁ ସମ୍ଭବତଃ ଏଇ ବାଟରେ ଯିବାକୁ ମନ ବଳାଇଥିବେ ।

 

ଏହିପରି ରାଜନୀତିକ ଦଳଗୁଡ଼ିକ ନିଜର ଧନ ଓ ଜନ ବଳକୁ କାର୍ଯ୍ୟରେ ଲଗେଇ ଫେସବୁକ୍, ଟୁଇଟର ଓ ହ୍ୱାଟ୍ସଆପ୍ ଜରିଆରେ ଭାଷା, ଗଣିତ, ବିଜ୍ଞାନ, ଦର୍ଶନ, ସମ୍ବିଧାନ, ଆଇନ, କୃଷି, କାରିଗରୀ, ଖାଦ୍ୟ ସଂରକ୍ଷଣ, ସାଧୁ ବ୍ୟବସାୟ, ଦକ୍ଷତା ବିକାଶ, ଦାରିଦ୍ର୍ୟ ଦୂରୀକରଣ, ଆର୍ଥିକ ବୈଷମ୍ୟ ବିଘଟନ, ପାଗ ପରିବର୍ତ୍ତନ ବା ବିଶ୍ୱ ତାପନ, ଆଦି ସଂପର୍କରେ ସାମାଜିକ ସଚେତନତା ପ୍ରସାରଣ କଲେ କେମିତି ହୁଅନ୍ତା? ସେମାନେ ତାହା କରିବେ କି? ତାହା କଲେ ଏକ ଉନ୍ନତ ଓ ପ୍ରଗତିଶୀଳ ସମାଜ ଗଠନ ସହଜ ହୁଅନ୍ତା । କିନ୍ତୁ ସେମାନେ ତାହା ନକରି ସୋସିଆଲ ମିଡିଆକୁ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ତାହାର ପରିଣତି ହେବ ଅଧିକ ଦାରିଦ୍ର୍ୟ, ଅଧିକ ଅଶିକ୍ଷା, ଅଧିକ ବୈଷମ୍ୟ, ଅଧିକ ବିଭେଦ ଓ ବିଦ୍ୱେଷ, ଅଧିକ ଘୃଣା, ଅଧିକ ହିଂସା, ଅଧିକ କୁସଂସ୍କାର ଓ ଅନ୍ଧବିଶ୍ୱାସ । ସେମାନେ କ’ଣ ଦେଶ ଓ ସମାଜର ଭଲ କରୁଛନ୍ତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top