ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ!

News Story - Posted on 2017-12-26

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଖୋଲିବ । ଭଲ କଥା । ଓଡ଼ିଆ ଭାଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ । ଆହୁରି ଭଲ କଥା । ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ହେବ । ଏହା ବି ମନ୍ଦ ନୁହେଁ । କିନ୍ତୁ ବିଶ୍ୱର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାର ଶାସନ କେବେ ଓଡ଼ିଆ ଭାଷାରେ ଚାଲିବ? ଏ ପ୍ରଶ୍ନର ଉତ୍ତର କେବେ ମିଳିବ? ଓଡ଼ିଆରେ ନଥିପତ୍ର ଲେଖୁ ନଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ କି ଦଣ୍ଡ ମିଳିବ? ଏ ପ୍ରଶ୍ନ ଉପରେ କୌଣସି ନିଷ୍ପତ୍ତି ନେଇନାହିଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ।

 

ଶାସନର ୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ମନକୁ ଓଡ଼ିଆ ଭାଷା ଓ ସଂସ୍କୃତି କଥା ଛୁଇଁଛି । ଏହା ଓଡ଼ିଶାବାସୀଙ୍କ ପାଇଁ ବଡ଼ ସୌଭାଗ୍ୟର କଥା । ଗଲା ପଂଚାୟତ ନିର୍ବାଚନ ଫଳାଫଳ ଭିନ୍ନ ପ୍ରକାର ହୋଇଥିଲେ ବୋଧହୁଏ ଏ କଥା ମନକୁ ବିଲକୁଲ ଆସି ନଥାନ୍ତା । ଭାଷା ଆନ୍ଦୋଳନ ଜରିଆରେ ଓଡ଼ିଆ ସ୍ୱାଭିମାନ କିଛି କିଛି ଜାଗୁଥିବା ବୋଧହୁଏ ସେ ଅନୁଭବ କରିଛନ୍ତି । ସେଥିପାଇଁ ଭୋଟ ବଂଚେଇବାକୁ ପୁରୀରେ ତାଙ୍କ ବିଜୁ ଜନତା ଦଳର ବିଂଶ ପ୍ରତିଷ୍ଠା ଦିବସ ଅବସରରେ କ୍ୟାବିନେଟ ବୈଠକ ଡକାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦିଗରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସରକାର ନେଇ ନଥିଲେ । ଓଡ଼ିଆ ପ୍ରିୟ ଓ ସାହିତ୍ୟିକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ତାଙ୍କ ସରକାର ଥିଲାବେଳେ ନେଇନଥିଲେ । ଏଇଆ ଜଣେଇବାକୁ ଯେଉଁ କ୍ୟାବିନେଟ ନିଷ୍ପତ୍ତି ହେଲା ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ । କିନ୍ତୁ ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା କ’ଣ ସାବିତ ହେଉନାହିଁ ଯେ ଓଡ଼ିଶାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ଆଜି ଉପେକ୍ଷିତ ଓ ମୃତପ୍ରାୟ ବୋଲି? ନହେଲେ କାହିଁକି ଏପରି କିଛି ନିଷ୍ପତ୍ତିର ଆବଶ୍ୟକତା ପଡ଼ିଥାନ୍ତା? ତେବେ ଏହି ନିଷ୍ପତ୍ତି ଫଳରେ ଓଡ଼ିଆ ଭାଷା ଓଡ଼ିଶା ଶାସନର ଭାଷା ହୋଇପାରିବ କି?

 

ଧରି ନିଅନ୍ତୁ, ଯାହା ଯେମିତି ଚାଲିଛି ଚାଲୁ । ଅର୍ଥାତ ଓଡ଼ିଶା ଶାସନ ଇଂରାଜୀ ଭାଷାରେ ଚାଲୁ । ଓଡ଼ିଶାରେ ଥିବା ବଡ଼ବଡ଼ ଶିଳ୍ପସଂସ୍ଥାର ପରିଚାଳନା କାର୍ଯ୍ୟ ମଧ୍ୟ ଇଂରାଜୀ ଭାଷାରେ ଚାଲୁ । ଓଡ଼ିଶାର ବଡ଼ବଡ଼ ସହରରେ ଖୋଲିଥିବା ବ୍ୟାବସାୟିକ ସଂସ୍ଥାର କାର୍ଯ୍ୟ ମଧ୍ୟ ଇଂରାଜୀ ଭାଷାରେ ଚାଲୁ । ଓଡ଼ିଶାର ମନ୍ତ୍ରୀ, ବିଧାୟକ, ଅମଲା ଓ ଧନୀ ଲୋକମାନେ ଇଂରାଜୀରେ କଥାବାର୍ତ୍ତା ହୁଅନ୍ତୁ । ଏଭଳି ପରିସ୍ଥିତିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କିଏ କାହିଁକି ଓଡ଼ିଆ ପଢ଼ିବ? ସମସ୍ତେ କ’ଣ ଅଧ୍ୟାପକ ହେବାକୁ ଓଡ଼ିଆ ପଢ଼ିବେ? ଓଡ଼ିଆ ଭାଷା ପଢ଼ି ଇଂରାଜୀରେ ଶାସନ କେମିତି କରିବେ? ସାକ୍ଷାତକାରରେ ଇଂରାଜୀ ଭାଷାରେ ଲିଖିତ ପ୍ରଶ୍ନର ଉତ୍ତର କେମିତି ଦେବେ?

 

ଓଡ଼ିଶା ଶାସନ ଓଡ଼ିଆ ଭାଷାରେ ଚାଲିଲେ ସରକାରଙ୍କୁ ଏତେ ଚିନ୍ତା କରିବା ଦରକାର ନାହିଁ କି ଏତେ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଲୋକେ ନିଜେନିଜେ ଓଡ଼ିଆ ପଢ଼ି ପଣ୍ଡିତ ହେବେ । କାରଣ ସେମାନଙ୍କର ଚାକିରି ଦରକାର । ଓଡ଼ିଶା ଶାସନରେ ମୁକରିର ଥିବା ୪.୫ ଲକ୍ଷ ଲୋକ ଯଦି ଓଡ଼ିଆରେ ଦୈନନ୍ଦିନ ଫାଇଲ ଚାଷ କରିବେ ତେବେ ତାହାର ପ୍ରଭାବ ନିଶ୍ଚୟ ଆଶାୟୀ ପ୍ରାର୍ଥୀଙ୍କ ଉପରେ ପଡ଼ିବ । ସେମାନେ ଓଡ଼ିଆ ଜାଣି ନଥିଲେ ବି କୋଚିଂ ସେଣ୍ଟରରୁ ଓଡ଼ିଆ ଶିଖିପାରିବେ । ଆଜିକାଲି ଡାକ୍ତର, ଇଂଜିନିଅର ଓ ଆଇଏଏସ ହେବାକୁ ଯେମିତି ଶହଶହ କୋଚିଂ ସେଣ୍ଟର ଖୋଲୁଛି ଠିକ ସେହିପରି ଓଡ଼ିଶା ଶାସନ ଓଡ଼ିଆରେ ଚାଲିଲେ ଲୋକେ ସରକାରୀ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ପାଇଁ କୋଚିଂ ସେଣ୍ଟର ଖୋଲିବେ । ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

ଏହା ନକରି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆଉ କିଛି ଅମଲାତାନ୍ତ୍ରିକ କସରତ ସାଧାରଣ ସମ୍ବଳର ଅପବ୍ୟୟ ପାଇଁ ସୁଯୋଗ ସୃଷ୍ଟି କରିବ । ଓଡ଼ିଆ ଭାଷାରେ ଦୋକାନବଜାର ଫଳକ ଲେଖିବା ପାଇଁ କ’ଣ ଗୋଟିଏ କ୍ୟାବିନେଟ ନିଷ୍ପତ୍ତି ଦରକାର ଥିଲା? ମୁଖ୍ୟମନ୍ତ୍ରୀ ଯଦି ବାସ୍ତବରେ ଓଡ଼ିଆ ଭାଷା ପ୍ରତି ନିଷ୍ଠାପର ତେବେ ତାଙ୍କର ଗୋଟିଏ କଡ଼ା ଚିଠିରେ ରାତାରାତି ତାଙ୍କୁ ଭଲ ପାଉଥିବା ଲୋକମାନେ ନିଜନିଜ ଦୋକାନର ଫଳକ ଓଡ଼ିଆରେ ଲେଖି ପକାଇଥାନ୍ତେ । ମୁଖ୍ୟମନ୍ତ୍ରୀ ନିଜେ ବହି କିଣିବା ପାଇଁ କେତେ ଦୋକାନକୁ ଯାଉଛନ୍ତି । ତାଙ୍କ କର୍ମଚାରୀ ଓ କର୍ମୀମାନେ ନିତ୍ୟନୈମିତ୍ତିକ ଭାବେ କେତେ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସଂପର୍କରେ ଆସୁଛନ୍ତି । ସେମାନେ ଚାହିଁଥିଲେ କ’ଣ ରାଜଧାନୀ ଭୁବନେଶ୍ୱରଠୁଁ ଆରମ୍ଭ କରି ଓଡ଼ିଶାର ପ୍ରାୟ ସମସ୍ତ ସହର ଆଜି ଇଂଲଣ୍ଡ କି ଆମେରିକାର କେଉଁ ଗୋଟେଗୋଟେ ଗଳି ପରି ବୋଧ ହେଉଥାନ୍ତା? କେବଳ କ୍ୟାବିନେଟ ନିଷ୍ପତ୍ତିରେ ଯଦି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଓ ସୁରକ୍ଷା ହୋଇପାରୁଥାନ୍ତା ତେବେ ଆଜି ନବୀନବାବୁଙ୍କ କ୍ୟାବିନେଟକୁ ଏପରି ଏକ ନିଷ୍ପତ୍ତି ନେବାକୁ ପଡ଼ୁ ନଥାନ୍ତା । କାରଣ ୧୯୫୪ ମସିହାରୁ କ୍ୟାବିନେଟ ଉତ୍ତରଦାୟୀ ଥିବା ବିଧାନସଭାରେ ଭାଷା ଆଇନ ପ୍ରଣୀତ ହୋଇସାରିଛି । ଏହା ଏଯାଏଁ ଲାଗୁ ହୋଇନାହିଁ । ତାହାର କାରଣ ହେଉଛି ନିଷ୍ଠାର ଅଭାବ ଓ ଇଂରାଜୀ ପ୍ରୀତି ।

 

ଗୋଟେ ଭାଷାର ଲୋକମାନେ ଯେତେବେଳେ ଆପଣାର ସ୍ୱାଭିମାନ ଆପେ ପୋତିଦେବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏଭଳି କ୍ୟାବିନେଟ ନିଷ୍ପତ୍ତି ନିଶ୍ଚୟ ଆମୋଦଦାୟକ ବୋଧ ହେବ । ଏବେ ସେମାନେ ସମସ୍ତେ ମିଶି ନବୀନ ପଟ୍ଟନାୟକଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ ସମ୍ମାନରେ ଭୂଷିତ କଲେ ବି କେହି ଆଶ୍ଚର୍ଯ୍ୟ ପ୍ରକଟ କରିବାର ଆବଶ୍ୟକତା ନାହିଁ, ସେ ଓଡ଼ିଆ ନକୁହନ୍ତୁ ପଛେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top