ଏକାଠି ହୁଅନ୍ତୁ ଆଂଚଳିକ ଦଳ: ନବୀନ

News Story - Posted on 2017-12-25

ଦେଶରେ ସହଯୋଗମୂଳକ ସଂଘବାଦ ବା କୋଅପରେଟିଭ ଫେଡ଼େରାଲିଜମକୁ ସୁଦୃଢ଼ କରିବା ପାଇଁ ଆଂଚଳିକ ଦଳଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ରହିବା ଉଚିତ ବୋଲି ମତ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ । ତାଙ୍କ ଦଳର ୨୦ଶ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସହଯୋଗମୂଳକ ସଂଘବାଦକୁ ସୁଦୃଢ଼ କରିବା ପାଇଁ ଆଂଚଳିକ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଗୁରୁତ୍ୱପୂର୍ଣ୍ଣ ।

 

ତେବେ ଏଭଳି ଏକ ପ୍ରକ୍ରିୟା ପାଇଁ ତାଙ୍କ ଦଳ ନେତୃତ୍ୱ ନେବକି ବୋଲି ପ୍ରଶ୍ନ ହେବାରୁ ସେ ତାହାକୁ ଏଡ଼ାଇ ଯାଇଛନ୍ତି । ସେ କହିଛନ୍ତି ଯେ ଏକ ଆଂଚଳିକ ଦଳ ହିସାବରେ ଆମ ରାଜ୍ୟ ପାଇଁ ଆମର ଅନ୍ୟ ବହୁ କାମ ରହିଛି । ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ବିବାଦରେ ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ଓଡ଼ିଶାକୁ ସମର୍ଥନ କରିଥିବାରୁ ସେ ସେହି ଦଳର ନେତ୍ରୀ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଧନ୍ୟବାଦ ଜଣେଇଛନ୍ତି । ସଂସଦରେ ବିଜେଡି ସଦସ୍ୟମାନେ ଉଠାଇଥିବା ମହାନଦୀ ଆଲୋଚନା ଦାବିକୁ ତୃଣମୂଳ କଂଗ୍ରେସର ସଦସ୍ୟମାନେ ସମର୍ଥନ କରିଥିଲେ । ସେହିପରି ପୋଲାଭରମ ବିବାଦରେ ଓଡ଼ିଶା ଉଠାଇଥିବା ପ୍ରସଙ୍ଗକୁ ତେଲେଙ୍ଗାନା ସରକାର ସମର୍ଥନ ଘୋଷଣା କରି କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ଅନ୍ୟ କୌଣସି ରାଜ୍ୟର କ୍ଷତି କରିବା ଠିକ ନୁହେଁ ।

 

ବିଭିନ୍ନ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀଙ୍କ ମୁକାବିଲା ପାଇଁ କେନ୍ଦ୍ର ସରକାର ପଠାଉଥିବା ଅର୍ଦ୍ଧସାମରିକ ବାହିନୀ ବାବଦ ଖର୍ଚ୍ଚ ରାଜ୍ୟଗୁଡ଼ିକୁ ଭରଣା କରିବାକୁ କୁହାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ବିରୋଧ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଏହି ଖର୍ଚ୍ଚଭାର ବହନ କରିବା ଉଚିତ । ଏ ସଂପର୍କୀତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ସଂପୂର୍ଣ୍ଣ ଭାବରେ । କେନ୍ଦ୍ର ସରକାର ଏହି ଖର୍ଚ୍ଚ ତୁଲେଇବା ଉଚିତ । ଆମେ ଏ ସଂପର୍କରେ ବିଭିନ୍ନ ମଞ୍ଚରେ ଦାବି କରି ଆସୁଛୁ । ରାଜ୍ୟରେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ପାଇଁ ମୁତୟନ ହୋଇଥିବା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବାବଦରେ ୩ ହଜାର କୋଟି ଟଙ୍କା ପଇଠ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ରାଜ୍ୟକୁ ଦାବି ପଠାଇଛନ୍ତି ।

 

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୫୫୦୦ କୋଟି ଟଙ୍କାର ଋଣ ଉଠାଇବା ସଂପର୍କୀତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଆମେ ଆମ ସୀମା ଭିତରେ ଋଣ ଉଠାଉଛୁ ଏବଂ ଆର୍ôଥକ ଶୃଙ୍ଖଳା ରକ୍ଷା କରିଛୁ । ସେହିପରି ରାଜ୍ୟର ସବୁ ପଂଚାୟତର ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ସବୁ ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ସେ ପୂର୍ବରୁ କେନ୍ଦ୍ର ସରକାରଙ୍କଠାରେ ଦାବି କରିଥିବା କଥା କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୪୩୦୦ ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ସେଠା ଲୋକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା କଷ୍ଟକର ହେଉଛି । ସେ କହିଛନ୍ତି, ଏ ନେଇ ମୁଁ କେନ୍ଦ୍ର ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି । ଏହି ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯାଉଛି ।

 

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପାଣ୍ଠି ଅଭାବ ଯୋଗୁଁ ବର୍ଷବର୍ଷ ଧରି ଅବହେଳିତ ରହି ଆସିଥିବା ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ଓ ମରାମତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ଓଡ଼ିଶାର ଐତିହ୍ୟ ସଂପନ୍ନ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ସୃଷ୍ଠି କରିବେ କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ଆମେ ଏ ବିଷୟରେ ବିଚାରବିମର୍ଶ ଚଳାଇଛୁ ଏବଂ ଖୁବଶୀଘ୍ର ତୁମେ ଏନେଇ ଭଲ ଖବର ପାଇବ ।

 

ସୂଚନାଯୋଗ୍ୟ ଯେ ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜୁ ଜନତା ଦଳର ଏହାର ୨୦ଶ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏ ଉପଲକ୍ଷେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ବାହାରେ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରୁ ପୁରୀ ଯାଏଁ ଓ ସମଗ୍ର ପୁରୀ ସହରରେ ବିଜୁ ଜନତା ଦଳ ଏବଂ ସଭାପତି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ପ୍ରକାର ପୋଷ୍ଟର ସହିତ ରାଜ୍ୟ ସରକାରଙ୍କର ୧୭ ବର୍ଷର ସଫଳତାର ସୂଚନା ସଂପର୍କୀତ ବ୍ୟାନରମାନ ଛାଇ ହୋଇଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top