ବିକଳ୍ପ ନାହିଁ କାହିଁକି? ଅଛି, ବୁଝନ୍ତୁ!

News Story - Posted on 2017-12-25

ସରଳ କୁମାର ଦାସ

 

ଆମେ ଆଗାମୀ ଦଶ ବର୍ଷ ଭିତରେ ଭାରତ ବର୍ଷର ଚେହେରା ବଦଳାଇ ଦେବୁ, ଏହା ଥିଲା ୨୦୧୪ ନିର୍ବାଚନ ଜିତିବା ପରେ ବରୋଦାଠାରେ ଆୟୋଜିତ ବିଜୟ ଉତ୍ସବରେ ମୋଦିଙ୍କ ଦମ୍ଭୋକ୍ତି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଡବଲ ହେବ, ୨୦୨୨ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ ଟ୍ରେନ ଚାଲିବ, ୨୦୨୨ ସୁଦ୍ଧା ଦେଶର କୋଡିଏଟି ବିଶ୍ବିଦ୍ୟାଳୟ ବିଶ୍ବସ୍ତରୀୟ ହେବ ଆଦି ମୋଦିଙ୍କ ଅନେକ ଘୋଷଣାରେ ୨୦୨୨କୁ ଲକ୍ଷ୍ୟ ବର୍ଷ ବୋଲି ଉଲ୍ଲେଖ କରାଯାଇଥିବାରୁ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ, ୨୦୨୨ର ବିଶେଷତ୍ବ କ’ଣ ? ୨୦୨୨ରେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ ହେଉଥିବା ଗୋଟିଏ କାରଣ ହୋଇପାରେ। କିନ୍ତୁ ଦେଶବାସୀ ତ ସରକାରଙ୍କୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି, ଅର୍ଥାତ ୨୦୧୯ରେ ନିର୍ବାଚନ ହୋଇ ନୂଆ ସରକାର ଗଠନ ହେବ। ମୋଦି ସରକାର ଏହି ୨୦୧୯ ସୁଦ୍ଧା ଯାହା କରି ପାରିବେ, ତାହା କହିବା କଥା। ତାଙ୍କ ପରେ ଯିଏ ଆସିବ, ସେ ପରବର୍ତ୍ତୀ ଲକ୍ଷ୍ୟ ଧାର୍ଯ୍ୟ କରିବ, ମୋଦି କାହିଁକି କରୁଛନ୍ତି ? ହୁଏତ ମୋଦି ଓ ଭାରତୀୟ ଜନତା ପାର୍ଟିର ଉତ୍ସାହୀ କର୍ମୀମାନେ ଦୃଢ ନିଶ୍ଚିତ ଯେ ୨୦୧୯ରେ ସେ ପୁଣି ଥରେ କ୍ଷମତାକୁ ଫେରିବେ, ଆଉ ତାଙ୍କ ଏହି ଅତି ଆତ୍ମବିଶ୍ବାସର ଅନ୍ୟତମ କାରଣ ହେଉଛି, ଟିନା ଫାକ୍ଟର (ଦେଆର ଇଜ୍ ନୋ ଅଲଟରନେଟିଭ ସଂକ୍ଷିପ୍ତ ରୂପ ଟି.ଆଇ.ଏନ.ଏ.) ବା ବିକଳ୍ପ ନାହିଁ। କାହିଁକି ଲୋକେ ପୁଣି ଥରେ ମୋଦିଙ୍କୁ ଭୋଟ ଦେବେ ବୋଲି ପଚାରିଲେ, ଉତ୍ତର ପାଇବେ, ଆଜିକା ତାରିଖରେ ତାଙ୍କୁ ଟକ୍କର ଦେଲା ଭଳି ଜାତୀୟ ସ୍ତରରେ ତାଙ୍କ ସମକକ୍ଷ ଆଉ କେଉଁ ନେତା ଅଛନ୍ତି କି, ଯାହା ଉପରେ ଲୋକେ ବିଶ୍ବାସ କରିପାରିବେ?

 

ଭାରତରେ ଟିନା ଫାକ୍ଟର ସମ୍ପକର୍କୀତ ଆଲୋଚନା ରାଜନୈତିକ ପୃଷ୍ଠଭୂମିରେ କେନ୍ଦ୍ରିତ ଥିବା ବେଳେ ବିଦେଶରେ ଏହାର ପ୍ରୟୋଗ ପ୍ରାୟତଃ ରାଜନୈତିକ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ହୋଇଥାଏ। ଅବଶ୍ୟ ଭାରତୀୟ ଶେୟାର ବଜାରରେ ମଧ୍ୟ କାଁ ଭାଁ ଶେୟାର କିଣାବିକା ପ୍ରସଙ୍ଗରେ ଏହାର ପ୍ରଯୋଗ ଦେଖିବାକୁ ମିଳେ। ଊନ୍ନବିଂଶ ଶତାବ୍ଦୀରେ ବ୍ରିଟିଶ ଦାର୍ଶନିକ ହର୍ବଟ ସ୍ପେନସର ପ୍ରଥମେ ଏହି ଉକ୍ତିର ପ୍ରୟୋଗ କରିଥିଲେ। ସ୍ପେନସରଙ୍କ ବିଚାରରେ ବୈଷୟିକ ଓ ସାମାଜିକ ଅଗ୍ରଗତି ସମାଜର ସବୁ ସମସ୍ୟାର ସମାଧାନରେ ସହାୟକ ହେବ। ପୁଞ୍ଜିବାଦ, ମୁକ୍ତ ବଜାର ଓ ଗଣତନ୍ତ୍ରର ସମାଲୋଚକମାନଙ୍କୁ ତାଙ୍କର ଉତ୍ତର ଥିଲା, ଦେଆର ଇଜ୍ ନୋ ଅଲଟରନେଟିଭ, ଆଉ କୌଣସି ବିକଳ୍ପ ନାହିଁ। ବିଂଶ ଶତାବ୍ଦୀର ଅଶୀ ଦଶକରେ ବୈଶ୍ବିକ ପୁଞ୍ଜିବାଦ, ମୁକ୍ତ ବଜାର, ମୁକ୍ତ ବ୍ୟବସାୟର ଦୃଢ ସମର୍ଥକ ପ୍ରାକ୍ତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର ବଜାର ଅର୍ଥବ୍ୟବସ୍ଥାର କୌଣସି ବିକଳ୍ପ ନାହିଁ ବୋଲି ବାରମ୍ବାର ମତ ଦେଇ ଏହାକୁ ସ୍ଳୋଗାନ ଆକାରରେ ବ୍ୟବହାର କରିଥିବାରୁ କେହି କେହି ତାଙ୍କୁ ଥଟ୍ଟାରେ ଟିନା ଥାଚର ମଧ୍ୟ କହୁଥିଲେ।

 

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଭଳି ଜଣେ ବିଶାଳ ବ୍ୟକ୍ତିତ୍ବ ସତର ବର୍ଷ ଧରି ଶାସନ କରିଥିଲେ ଏବଂ ତାଙ୍କ ଜୀବିତାବସ୍ଥାରେ ଅନେକେ ପ୍ରଶ୍ନ କରୁଥିଲେ ଆଫଟର୍ ନେହରୁ ହୁ ବା ନେହରୁଙ୍କ ପରେ କିଏ ଆଉ ଦେଶକୁ ଚଳାଇ ପାରିବ? ସ୍ବାଧୀନ ଭାରତରେ ବିକଳ୍ପ ହୀନତାର ତାହା ହିଁ ଥିଲା ପ୍ରଥମ ଦୃଷ୍ଟାନ୍ତ। ତେବେ ତାଙ୍କ ପରେ ଶାସ୍ତ୍ରୀ ନେତୃତ୍ବ ନେଇ ନିଜର ସ୍ବତନ୍ତ୍ର ଛାପ ଛାଡିଗଲେ। ବିଭିନ୍ନ ସମୟରେ ଜାତୀୟ ରାଜନୀତିରେ ଉଠିଥିବା ଏହି ପ୍ରଶ୍ନର ଉତ୍ତର ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରୁ ଭିନ୍ନ ଭିନ୍ନ ଢଙ୍ଗରେ ମିଳିଛି। ଶାସ୍ତ୍ରୀଙ୍କ ଅନ୍ତେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ କ୍ରମଶଃ ବିଶାଳ ହୋଇଗଲା। ତାଙ୍କ ନିଧନ ପରେ ପ୍ରଣବ ମୁଖାର୍ଜୀଙ୍କ ନାମ ଚର୍ଚ୍ଚା ହୋଇଥିଲେ ମଧ୍ୟ ରାଜୀବ ଗାନ୍ଧୀଙ୍କ ନିକଟକୁ ସାବଲୀଳ ଭାବେ ନେତୃତ୍ବ ହସ୍ତାନ୍ତରିତ ହୋଇଥିଲା। ସମଗ୍ର କଂଗ୍ରେସ ଶାସନ କାଳରେ ବିକଳ୍ପ ହୀନତା ଏକ ପ୍ରସଙ୍ଗ ଭାବେ ଉଭା ହୋଇନାହିଁ, କାରଣ ନେତୃତ୍ବ ଏକ ନିର୍ଦ୍ଦିଷ୍ଟ ପରିବାର ପାଖରେ ରହି ଆସିଛି ବା ତାଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଛି। କେବଳ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ, ସୋନିଆ ଗାନ୍ଧୀ ରାଜନୀତିରେ ସକ୍ରିୟ ନଥିବା ସମୟରେ, ଏହି ବିକଳ୍ପ ହୀନତାର ଆଭାସ ମିଳିଥିଲା। ଆଶ୍ଚର୍ଯ୍ୟ ହେବାକୁ ହୁଏ, ଶେଷ ପର୍ଯ୍ୟନ୍ତ ନିର୍ବାଚନଠାରୁ ନିଜକୁ ଦୂରେଇ ରଖିଥିବା ପି.ଭି. ନରସିଂହ ରାଓଙ୍କ ପାଖକୁ ଆସିଲା ନେତୃତ୍ବ, ଅତି ଅନପେକ୍ଷିତ ଢଙ୍ଗରେ। ୨୦୦୪ରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀତ୍ରୁ ଓହରି ଯିବା ପରେ ତାଙ୍କ ମନୋନୀତ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବରେ ଶାସନ ଭାର ଗ୍ରହଣ କରିଥିଲେ।

 

ଜରୁରୀକାଳୀନ ପରିସ୍ଥିତି ପରେ ଦେଶରେ ପ୍ରତିଷ୍ଠିତ ପ୍ରଥମ ଅଣକଂଗ୍ରେସ ସରକାରରେ ବିକଳ୍ପ ହୀନତା ଅପେକ୍ଷା ବିକଳ୍ପ ପ୍ରାବଲ୍ୟ ହୋଇଥିଲା ମୁଖ୍ୟ ସମସ୍ୟା, କାରଣ ଜୟପ୍ରକାଶ ନାରାୟଣ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଲା ପରେ, ନେତୃତ୍ବ ନେବା ପାଇଁ ଥିଲେ ଅନେକ ଉଚ୍ଚାଭିଳାଷୀ ନେତା। ତିନି ବର୍ଷ ମଧ୍ୟରେ ପ୍ରଥମେ ମୋରାରଜୀ ଦେଶାଈ ଓ ପରେ ଚରଣ ସିଂହ ଶାସନଭାର ଗ୍ରହଣ କରିଥିଲେ ମଧ୍ୟ ବିକଳ୍ପ ହୀନତା ପ୍ରସଙ୍ଗ ଚର୍ଚ୍ଚାର ପରିଧିରେ ନଥିଲା। ବୋଫୋର୍ସ ପ୍ରସଙ୍ଗରେ ରାଜୀବ ଗାନ୍ଧୀଙ୍କ ପରାଜୟ ପରେ ବିକଳ୍ପ ହୀନତା ପ୍ରଶ୍ନ ଉଠି ପାରିଥା’ନ୍ତା। ପ୍ରଧାନମନ୍ତ୍ରୀ ପଦ ପାଇଁ ଚନ୍ଦ୍ରଶେଖର ଆଶାୟୀ ଥିବା ସତ୍ତ୍ବେ ବୋଫୋର୍ସ ପ୍ରସଙ୍ଗକୁ ଲୋକଲୋଚନରେ ବଡ କରି ତୋଳିଥିବା ବିଶ୍ବନାଥ ପ୍ରତାପ ସିଂହ ହୋଇଥିଲେ ନେତୃତ୍ବ ନେବା ପାଇଁ ସ୍ବାଭାବିକ ପସନ୍ଦ ଓ ତାଙ୍କ ନେତୃତ୍ବରେ ଗଢା ହୋଇଥିଲା ଦେଶର ପ୍ରଥମ ନ୍ୟାସନାଲ ଫ୍ରଣ୍ଟ ମେଣ୍ଟ ବା ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର। ମାତ୍ର ପରେ ଏହି ସରକାରର ପତନ ଘଟାଇ କଂଗ୍ରେସ ସମର୍ଥନରେ ଚନ୍ଦ୍ରଶେଖର ହୋଇଥିଲେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ତେବେ ସଂଖ୍ୟାଧିକ ଛୋଟ ଦଳ ଏକତ୍ରିତ ହୋଇ ୟୁନାଇଟେଡ ଫ୍ରଣ୍ଟ ସରକାର (୧୯୯୬-୯୮) ଗଠନ କରିବା ବେଳେ ନେତୃତ୍ବ ପ୍ରସଙ୍ଗ ବେଶ ଚର୍ଚ୍ଚିତ ହୋଇଥିଲା ଓ ପ୍ରଥମେ ଦେବେଗୌଡା ଏବଂ ପରେ ଗୁଜରାଲ ଏହାର ନେତୃତ୍ବ ନେଇଥିଲେ। ସେତେବେଳେ ଏହି ୧୩ ଦଳିଆ ମେଣ୍ଟ ସରକାରକୁ ବ୍ୟଙ୍ଗ କରି ବାଜପେୟୀ କହିଥିଲେ, ଏ କି ପ୍ରକାର ସରକାର? ଏ କଥା କହିଲା ବେଳେ ସେ ହୁଏତ ଆଦୌ ଭାବି ନଥିବେ ଯେ ଦିନେ ତାଙ୍କୁ ଏକ ୨୨ ଦଳିଆ ମେଣ୍ଟର ନେତୃତ୍ବ ନେବାକୁ ହେବ। କେହି କଳ୍ପନା କରି ନଥିବେ ଯେ ଏକ-ଦଳୀୟ ଶାସନ ବ୍ୟବସ୍ଥାର ଅବସାନ ଘଟି ମେଣ୍ଟ ସରକାର ଭାରତୀୟ ରାଜନୀତିର ସ୍ଥାୟୀ ବାସ୍ତବତାରେ ପରିଣତ ହେବ ଓ ଅଂଶୀଦାର ଦଳଗୁଡିକୁ ସାଙ୍ଗରେ ନେଇ ଚାଲିବାର ଗୁଣଟି ନେତା ପାଇଁ ଅପରିହାର୍ଯ୍ୟ ହୋଇପଡିବ। ପରିସ୍ଥିତି ଚକ୍ରରେ ଦେବେଗୌଡା, ଗୁଜରାଲ, ମନମୋହନଙ୍କ ପରି ନେତାମାନେ ଆକସ୍ମିକ ଭାବେ ପ୍ରଧାନମନ୍ତ୍ରୀ ହୋଇ ପାରିଥିବା ବେଳେ ଯୋଗ୍ୟତା ଥାଇ ମଧ୍ୟ ବିଭିନ୍ନ କାରଣରୁ ପ୍ରଣବ ମୁଖାର୍ଜୀ, ଜ୍ୟୋତି ବସୁ ଓ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ଦକ୍ଷ ନେତାମାନେ ନେତୃତ୍ବ ନେବା ସମ୍ଭାବନାର ନିକଟତର ହୋଇ ମଧ୍ୟ ସୁଯୋଗରୁ ବଞ୍ଚିତ ହୋଇଛନ୍ତି।

 

ଓଡିଶା ରାଜନୀତିରେ ସର୍ବାଧିକ ସମୟ ପାଇଁ କ୍ଷମତାରେ ଥିବା କଂଗ୍ରେସ ଦଳର ନେତୃତ୍ବ ପ୍ରସଙ୍ଗରେ ହାଇକମାଣ୍ଡ ନିର୍ଣ୍ଣାୟକ ନିଷ୍ପତ୍ତି ନେଉଥିବାରୁ ଦଳ ପାଇଁ ବିକଳ୍ପ ହୀନତା ପ୍ରଶ୍ନ ହୋଇନାହିଁ। ତା’ଛଡା କଂଗ୍ରେସ ଦଳର ଯେଉଁ ଦଶ ଜଣ ଓ ଅଣ କଂଗ୍ରେସ ଦଳର ଯେଉଁ ପାଞ୍ଚ ଜଣ ଶାସନ ଦାୟିତ୍ବ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ନବୀନ ପଟ୍ଟନାୟକଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ବ ହୋଇଥିବାରୁ ବିକଳ୍ପ ହୀନତା ପ୍ରସଙ୍ଗ ହୋଇନାହିଁ। ଓଡିଶାରେ ଲିଗାସି (ଉତ୍ତରାଧିକାର) ଆଧାରରେ ନେତା ଚୟନର ପ୍ରଥମ ଦୃଷ୍ଟାନ୍ତ ହେଉଛନ୍ତି ନବୀନ ପଟ୍ଟନାୟକ।

               

ଶାସନ ପରିବର୍ତ୍ତନ ପ୍ରସଙ୍ଗ ଉଠିଲେ ଓଡିଶାରେ ମଧ୍ୟ ବିଜୁ ଜନତା ଦଳର ନେତାମାନେ ଛାଏଁ କହନ୍ତି, ଚାରି ଚାରି ଥର ଶାସନ କରିଥିବା ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଲା ଭଳି ଆଉ କିଏ ନେତା ଅଛି ? ଲୋକେ ପରିବର୍ତ୍ତନ ଚାହୁଁଛନ୍ତି, ହେଲେ କାହା ଉପରେ ଭରସା କରିବେ, ନେତୃତ୍ବ କିଏ ନେବ ବୋଲି ଅନେକ ରାଜନୈତିକ ସମୀକ୍ଷକ ମଧ୍ୟ ପ୍ରଶ୍ନ ପଚାରିଥା’ନ୍ତି। ଅର୍ଥାତ ସେହି ଟିନା ଫାକ୍ଟର ବା ବିକଳ୍ପର ଅଭାବ। ଗାଁଠାରୁ ସହର ପର୍ଯ୍ୟନ୍ତ ଖଟିମାନଙ୍କରେ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ବିକଳ୍ପ ନେଇ ଆଲୋଚନା ହୁଏ। କିଏ କହେ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଅନ୍ୟ କେଉଁ ନେତାଙ୍କ ପାଖରେ ଦଳକୁ ଏକଜୁଟ କରି ରଖିବାର ସାମର୍ଥ୍ୟ ନଥିବାରୁ ଦଳ ଭାଙ୍ଗିଯିବ। ଏପରିକି ଏହି ଆଶଙ୍କାକୁ ଭିତ୍ତିହୀନ ବୋଲି ମନେ କରୁ ନଥିବା କିଛି ଦଳୀୟ ନେତା ବେଳ ହୁଁ ସାବଧାନ ହେବା ନ୍ୟାୟରେ ସେଭଳି ପରିସ୍ଥିତିରେ ତାଙ୍କ ପୁତୁରା ଓ ଭଉଣୀଙ୍କଠାରେ ଦଳକୁ ନେତୃତ୍ବ ଦେବାର ସମ୍ଭାବନା କଥା ଦରାଣ୍ଡନ୍ତି। ଅନ୍ୟ ପକ୍ଷରେ ନବୀନଙ୍କର ବିକଳ୍ପ ନାହାନ୍ତି କଥାକୁ ଗ୍ରହଣ କରି ପାରୁ ନଥିବା ପ୍ରମୁଖ ବିରୋଧୀ ଦଳଗୁଡିକ ବିକଳ୍ପ ହୀନତାର ଲାଭ ବିଜେଡି ଦଳକୁ ମିଳୁଛି ବୋଲି ଅସ୍ବୀକାର କରୁ ନଥିବାରୁ ଲୋକଙ୍କ ସମ୍ମୁଖରେ ଗ୍ରହଣଯୋଗ୍ୟ ଚେହେରାଟିଏ ପ୍ରସ୍ତୁତ କରିବାକୁ ତତ୍ପର ଅଛନ୍ତି।

 

ଶାସକ ଦଳର କେହି ବିକଳ୍ପ ନାହିଁ ବୋଲି କହିଲେ ସେଥିରୁ ଅହଙ୍କାରର ଆଭାସ ମିଳୁଥିବା ବେଳେ ସାଧାରଣ ଲୋକଟିଏ ସେହି ଏକା କଥା କହିଲେ ସେଥିରୁ ତା’ର ଅସହାୟତାର ସ୍ବର ଶୁଭିଥାଏ। ତାକୁ ଯଦି ପଚରାଯାଏ, ବିକଳ୍ପ ନାହିଁ, କିନ୍ତୁ ବିକଳ୍ପ ଦରକାର କି ନାହିଁ,  ସେ ବିକଳ୍ପ ଆବଶ୍ୟକ ବୋଲି ଦୃଢ କଣ୍ଠରେ କହିବ। ଅର୍ଥାତ, ନେତାର ବିକଳ୍ପ ପାଉ ନଥିବା ଲୋକଟି ପ୍ରକୃତ ପକ୍ଷେ ନୀତିର ବିକଳ୍ପ ଖୋଜୁଥାଏ। ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ବେକାରୀ ଭଳି ତା’ ଜୀବନ-ଜୀବିକା ସହ ଜଡିତ ମୁଖ୍ୟ ପ୍ରସଙ୍ଗଗୁଡିକୁ ଅଣଦେଖା କରି ପ୍ରମୁଖ ରାଜନୈତିକ ଦଳଗୁଡିକ ଯେତେବେଳେ ଭିନ୍ନ ଗୌଣ ପ୍ରସଙ୍ଗ ଆଡକୁ କଥା ବୁଲାଇଥା’ନ୍ତି, ସେତେବେଳେ ସେ ଅଣନିଃଶ୍ାସୀ ହୋଇ ବିକଳ୍ପ ଖୋଜିଥାଏ। ଓଡିଶା ପ୍ରସଙ୍ଗରେ ପର୍ଯ୍ୟାଲୋଚନା କଲେ ନେତୃତ୍ବ ଯେ କେବଳ ପ୍ରମୁଖ ତିନି ଦଳ ଭିତରୁ ଆସିବ, ତା’ର କିଛି ମାନେ ନାହିଁ। ଏମାନଙ୍କ ଭିନ୍ନ ଓଡିଶାରେ ଥିବା ଅନ୍ୟ ଦଳଗୁଡିକଙ୍କର ମଧ୍ୟ କିଛି କିଛି ପ୍ରଭାବ ରହିଛି। ସେମାନଙ୍କ ମଧ୍ୟରେ ଆମ ଓଡିଶା, ସମୃଦ୍ଧ ଓଡିଶା, ଉତ୍କଳ ଭାରତ, ସମତାକ୍ରାନ୍ତି ଦଳ, କଳିଙ୍ଗ ସେନା ଭଳି ବ୍ୟକ୍ତିକୈନ୍ଦ୍ରିକ ଆଞ୍ଚଳିକ ଦଳଗୁଡିକରେ କିଛି ପ୍ରଭାବଶାଳୀ ନେତା ଅଛନ୍ତି। ତେବେ ଅତୀତରେ ଜାଗ୍ରତ ଓଡିଶା, ଜନମୋର୍ଚ୍ଚା, ଓଡିଶା ଗଣ ପରିଷଦ ଭଳି ବ୍ୟକ୍ତିକୈନ୍ଦ୍ରିକ ଆଞ୍ଚଳିକ ଦଳଗୁଡିକ ଓଡିଶା ରାଜନୀତିରେ ଆଖିଦୃଶିଆ ଛାପ ଛାଡି ସଫଳ ହୋଇଥିବାର ନଜିର ନାହିଁ। ଅନ୍ୟ ପକ୍ଷରେ ଏଇ କେଇ ବର୍ଷ ତଳେ ବେଶ ଚଳଚଞ୍ଚଳ ଥିବା ନୀତି ଆଧାରିତ ସାମ୍ୟବାଦୀ ବିଚାରଧାରାର ଦଳଗୁଡିକ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ପ୍ରଭାବ ଯଥେଷ୍ଟ ହ୍ରାସ ପାଇଛି। ପୁଣି ଥରେ ନିଜ ସ୍ଥିତି ଜାହିର କରିବା ପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସହ ଏକଜୁଟ ହୋଇ ଲୋକଙ୍କ ବିଶ୍ବାସଭାଜନ ହେବାର ଆବଶ୍ୟକତା ରହିଛି।

 

ଅନ୍ୟ ପକ୍ଷରେ ଅନ୍ୟ କେତେକ ରାଜ୍ୟରେ ସକ୍ରିୟ ଥିବା ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ଏନସିପି, ଜେଡିୟୁ ଭଳି କେତେକ ଦଳଙ୍କର ଓଡିଶାରେ ଉପସ୍ଥିତି ଥିଲେ ମଧ୍ୟ ସମଗ୍ର ରାଜ୍ୟରେ ସ୍ଥିତି ସୁଦୃଢ ଥିବା ପରି ମନେ ହୁଏନାହିଁ। ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ, ସୁନ୍ଦରଗଡ ଜିଲ୍ଲାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କିଛିଟା ପ୍ରଭାବ ପରିଲକ୍ଷିତ ହୁଏ, ଅନ୍ୟତ୍ର ନୁହେଁ। ପୁନଶ୍ଚ, ଓଡିଶାର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକଙ୍କ ସମସ୍ୟା ସହ ଯୋଡି ହୋଇ ଆମ୍ ଆଦମୀ ପାର୍ଟି ଏକ ଭିନ୍ନ ଧରଣର ରାଜନୈତିକ ଆଭିମୁଖ୍ୟ ସହ ନିଜର ଗ୍ରହଣୀୟତା ଓ ବିସ୍ତାରକୁ ବଢାଇବା ପାଇଁ ଉଦ୍ୟମ କରୁଛି। ପ୍ରମୁଖ ଦଳଗୁଡିକର ପ୍ରଭାବଶାଳୀ ଅସନ୍ତୁଷ୍ଟ ନେତାଙ୍କର ଭବିଷ୍ୟତର କାର୍ଯ୍ୟପନ୍ଥା ଓ ଅପେକ୍ଷାକୃତ ଛୋଟ ଦଳଗୁଡିକର କାର୍ଯ୍ୟକ୍ରମ ଓ ଭୂମିକା, ହୁଏତ ଆଗାମୀ ଦିନରେ ନୂତନ ନେତୃତ୍ବର ସ୍ବରୂପ ନିର୍ଦ୍ଧାରଣ କରିପାରେ। ଏ କ୍ଷେତ୍ରରେ ଅସନ୍ତୁଷ୍ଟ ଚାଷୀ ଓ ପ୍ରତାରିତ ଚିଟଫଣ୍ଡ ଜମାକାରୀଙ୍କ ରୋଷ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

 

ଉତ୍ତର କୋରିଆ ଭଳି ଏକଚ୍ଛତ୍ରବାଦ ଶାସନ ବ୍ୟବସ୍ଥାରେ ବିକଳ୍ପ ନଥାଏ ବା ବିକଳ୍ପ କଥା ଆଲୋଚନା କରିବାର ଦୁଃସାହସ ମଧ୍ୟ କେହି କରନ୍ତି ନାହିଁ। କିନ୍ତୁ ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବିକଳ୍ପର ଅଭାବ କଥାଟି କହିବା ହିଁ ଗଣତନ୍ତ୍ରର ପରିପନ୍ଥୀ। ଗଣତନ୍ତ୍ରର ଅନ୍ୟ ନାମ ସମ୍ଭାବନା। ଗଣତାନ୍ତ୍ରିକ ପ୍ରକ୍ରିୟାରୁ ହିଁ ବିକଳ୍ପ ବାହାରେ, ପରିସ୍ଥିତି ଚକ୍ରରେ ସମସ୍ତଙ୍କୁ ଆଚମ୍ବିିତ କଲା ଭଳି ନେତା ସୃଷ୍ଟି ହୁଅନ୍ତି। ନହେଲେ ରାଜନୈତିକ ଅନୁଭବଶୂନ୍ୟ କେଜରୀୱାଲ ନିର୍ବାଚନୀ ରାଜନୀତିରେ ପୋଖତ ଖେଳାଳୀଙ୍କୁ ମାତ ଦେଇ ବିପୁଳ ସଂଖ୍ୟାଗରିଷ୍ଠତା ସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ସମ୍ଭବ ହୋଇ ନଥା’ନ୍ତା। ଜନାଦେଶକୁ ସମ୍ମାନ ଜଣାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାକୁ ତତ୍ପର ହେବା ଉଚିତ। କେହି ଭ୍ରମରେ ରହିବା ଅନୁଚିତ ଯେ ଟିନା ଫାକ୍ଟର ବା ବିକଳ୍ପ ହୀନତା ଆଧାରରେ ପ୍ରତିଶ୍ରୁତି ପୂରଣ ନ କରି ମଧ୍ୟ ଲୋକଙ୍କ ଭୋଟ ହାତେଇ ହେବ, କାରଣ ବିକଳ୍ପହୀନ ସ୍ଥିତିଠାରୁ ବ୍ୟବସ୍ଥାବିରୋଧୀ ଲହରୀ ଅଧିକ ଶକ୍ତିଶାଳୀ। 

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର- ୭୫୧୦୧୨

ମୋ- ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top