‘୮୦,୦୦୦ କୋଟି ଟଙ୍କା ପାଇଛି ବିଜେପି’

News Story - Posted on 2017-12-15

ଏନଡିଏ ସରକାରଙ୍କ ତିନି ବର୍ଷର କାର୍ଯ୍ୟକାଳ ଭିତରେ ଭାରତବର୍ଷ ଏସିଆ ମହାଦେଶର ସବୁଠୁଁ ଦୁର୍ନୀତିଗ୍ରସ୍ତ ଦେଶରେ ପରିଣତ ହୋଇଛି ବୋଲି ସମାଲୋଚନା କରିଛନ୍ତି ସମାଜସେବୀ ଆନ୍ନା ହଜାରେ । ଗତ ୫ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି ବିଭିନ୍ନ ଶିଳ୍ପପତିଙ୍କଠାରୁ ୮୦ ହଜାର କୋଟି ଟଙ୍କାର ଚାନ୍ଦା ଉଠାଇଛି ବୋଲି ମଧ୍ୟ ଆନ୍ନା ଅଭିଯୋଗ କରିଛନ୍ତି ।

 

ଟ୍ରାନ୍ସପ୍ୟାରେନ୍ସି ଇଣ୍ଟର୍ନେସନାଲର ସର୍ଭେ ଭିତ୍ତିରେ ଫର୍ବସ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଉଦ୍ଧାର କରି ଆନ୍ନା କହିଛନ୍ତି ଯେ ଏସିଆ ମହାଦେଶରେ ଭାରତ ସବୁଠୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ବୋଲି ମୁଁ କହୁନାହିଁ, ଫର୍ବସ ପତ୍ରିକା କହିଛି । ଏନଡିଏ ସରକାରଙ୍କ ତିନି ବର୍ଷର ଶାସନ କାଳ ଭିତରେ ଦେଶ ଏହି ଉପଲବ୍ଧି ହାସଲ କରିଛି । ଗତ ୫ ମାସ ଭିତରେ ଶାସକ ବିଜେପି ଦଳ ୮୦ ହଜାର କୋଟି ଟଙ୍କାର ଚାନ୍ଦା ଉଠାଇଛି । ଆନ୍ନା କହିଛନ୍ତି ଯେ ଗୋଟିଏ ନୂଆ ସରକାର କ୍ଷମତା ନେବା ପରେ ସେ ୩ ବର୍ଷ ଧରି ନୀରବ ଥିଲେ । କାରଣ ନୂଆ ସରକାରକୁ କିଛି ସମୟ ଦରକାର । କିନ୍ତୁ ଏ ସରକାର ଉପା ସରକାରକୁ ବଳିଗଲା । ଉପା ସରକାର ଏକ ଦୁର୍ବଳ ଜନ ଲୋକପାଳ ଆଇନ ପ୍ରଣୟନ କରିଥିଲେ । ମୋଦି ସରକାର ଏହାକୁ ଆହୁରି ଦୁର୍ବଳ କରିଦେଇଛନ୍ତି ।

 

ସେ କହିଛନ୍ତି ଯେ ଉପା ସମୟର ଲୋକପାଳ ଆଇନରେ ଅଫିସରମାନେ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ ମୋଦି ସରକାର ଏହାକୁ ଉଠାଇ ଦେଇଛନ୍ତି । ସେହିପରି ପୂର୍ବ ଆଇନରେ ବ୍ୟବସ୍ଥା ଥିଲା ଯେ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭାଂଶର ୭.୫ ପ୍ରତିଶତ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଇପାରିବେ । କିନ୍ତୁ ମୋଦି ସରକାରଙ୍କ ସଂଶୋଧନ ଅନୁସାରେ କମ୍ପାନୀଗୁଡ଼ିକ ଯେତେପାର ସେତେ ଚାନ୍ଦା ଦେଇପାରିବେ । ଏହା ଦୁର୍ନୀତି ପାଇଁ ସାହାଣ ମେଲା ବୋଲି ସେ କହିଛନ୍ତି ।

 

ଲୋକପାଳ ନିଯୁକ୍ତି ନେଇ ଗତ ତିନି ବର୍ଷରେ ପ୍ରଧାନମନ୍ତ୍ରୀଙ୍କୁ ସେ ୩୨ ଥର ଚିଠି ଲେଖିଲେଣି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଫିସ ଥରେ ହେଲେ ବି ଉତ୍ତର ଦେଇନାହିଁ ବୋଲି ଗୁରୁତର ଅଭିଯୋଗ କରିଛନ୍ତି ଦୁର୍ନୀତି ବିରୋଧୀ ଆନ୍ଦୋଳନର କର୍ଣ୍ଣଧାର ଆନ୍ନା ହଜାରେ । ଜନ ଲୋକପାଳ ଦାବିରେ ସେ ଆସନ୍ତା ବର୍ଷ ମାର୍ଚ୍ଚ ୨୩ ତାରିଖରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବେ । ଏହି ଆନ୍ଦୋଳନରେ ସେ ପୁଣି ଥରେ ଦେଶବାସୀଙ୍କୁ ସଂପୃକ୍ତ କରିବେ । ଏହି ଉଦ୍ଦେଶ୍ୟ ନେଇ ସେ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top