ବିଜେପି ବନାମ ଶ୍ରୀମଦଭାଗବତଗୀତା

News Story - Posted on 2017-12-15

ସୂର୍ଯ୍ୟମଣି ମିଶ୍ର

 

ବିଜେପି ଦଳର ଉମାଭାରତୀ, ଋତମ୍ଭରାଙ୍କ ଅଗ୍ନିବର୍ଷୀ ଭାଷଣ, ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ କିପରି ଅମର୍ଯ୍ୟାଦିତ କରିଥିଲା ତାହା ଅଯୋଧ୍ୟାର ବାବ୍ରୀ ମସ୍‍ଜିଦ୍‍ ବିଧ୍ୱଂସ ବେଳର ଚିତ୍ରରୁ ସ୍ପଷ୍ଟ ହୋଇଥିଲା ।

 

ନିକଟ ଅତୀତରେ ବିନୟ କଟିଆର ଓ ସାକ୍ଷୀ ମହାରାଜ ଭଳି ଆଉ କେତେଜଣ ବିଜେପି ନେତା ଗୋରକ୍ଷକ, ଲଭ୍‍ ଜିହାଦ ନାମରେ ସାଂପ୍ରଦାୟିକ ସଦଭାବକୁ ଭାଙ୍ଗିବା ଭଳି ମତ-ମନ୍ତବ୍ୟ ଦେଇଛନ୍ତି । ଗୋରକ୍ଷକ ନାମରେ, ଲଭ୍‍ ଜିହାଦ ନାମରେ ଜଣଙ୍କ ପରେ ଜଣଙ୍କୁ ବର୍ବରୋଚିତ ନିର୍ଯାତନା, ଏପରିକି ହତ୍ୟା କରାଯାଉଛି । ଏତାଦୃଶ ହିଂସା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପୁଛି । ଧର୍ମ ନାମରେ ମଣିଷକୁ ମଣିଷ ହତ୍ୟା କରିବା ଭଳି ଘଟଣା ତାହା ତାଳିବାନି ସଂସ୍କରଣକୁ ସୂଚାଇଛି । ସଂଖ୍ୟାରେ ଅଧିକ ଶ୍ରେଷ୍ଠତାର ଦମ୍ଭ, ଅତୀତର ତ୍ରୁଟି ସୁଧାରିବା ନାମରେ କ୍ଷମତା ପାଇଁ କୌରବ ଭୂମିକା ନିର୍ବାହ କରୁଛନ୍ତି ଆତ୍ମଘୋଷିତ ରାଷ୍ଟ୍ରବାଦୀ-ହିନ୍ଦୁତ୍ୱବାହିନୀ । ଭାରତର ହିନ୍ଦୁ ଜନସଂଖ୍ୟାରେ ଅଧିକ, ଅତଏବ ହିନ୍ଦୁଶ୍ରେଷ୍ଠ । ଶେଷ ଅନ୍ୟ ସମସ୍ତ ଧର୍ମର ଏଠାରେ ଇତର । ଏଥିପାଇଁ ହିନ୍ଦୁତ୍ୱବାହିନୀ ଭିନ୍ନ ଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ସଂଗଠନ ନାମ ନେଇ ଦେଶକୁ ହିନ୍ଦୁରାଷ୍ଟ୍ର ଭାବରେ ଘୋଷଣା କରାଯିବା ଆବଶ୍ୟକ ବୋଲି ମତ ଓ ମନ୍ତବ୍ୟ ଦେଉଛନ୍ତି ।

 

ହିନ୍ଦୁତ୍ୱବାହିନୀର ସଦସ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀକୁ ଯେ ଭୁଲିଯାଇଛନ୍ତି ତାହାର ସ୍ପଷ୍ଟ ସୂଚନା ଶ୍ରୀମଦ୍‍ଭଗବତ ଗୀତାର କେତୋଟି ଶ୍ଲୋକ ପ୍ରମାଣ ଦିଏ । ‘କ୍ରୋଧାଭବତି ସମ୍ମୋହଃ ସମ୍ମୋହାତ୍‍ ସ୍ମୃତି ବିଭ୍ରମଃ/ ସ୍ମୃତିଭ୍ରଂଶାଦ୍‍ ବୁଦ୍ଧି ନାଶୋ ବୁଦ୍ଧି ନାଶାତ୍‍ ପ୍ରଣଷ୍ୟତି’(ଗୀତା ଅଧ୍ୟାୟ-୨-ଶ୍ଲୋକ-୬୩) । ଅର୍ଥାତ୍‍ କ୍ରୋଧରୁ ଅବିବେକ ଜାତ ବା ଅତ୍ୟନ୍ତ ମୂଢ ଭାବ ଉତ୍ପନ୍ନ ହୋଇଥାଏ । ଅବିବେକ ବା ମୂଢଭାବରେ ସ୍ମରଣ ଶକ୍ତି ଭ୍ରମିତ ବା ଭ୍ରମ ହୋଇଯାଏ । ସ୍ମୃତି ବିଭ୍ର୍ରମ ହେବାରୁ ବୃଦ୍ଧି ଅର୍ଥାତ୍‍ ଜ୍ଞାନ ଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧିନାଶ ହେବାରୁ ସେହି ବ୍ୟକ୍ତି ନିଜର ସ୍ମୃତିରୁ ତଳକୁ ଖସିପଡେ ବା ବ୍ୟକ୍ତିର ବ୍ୟକ୍ତିତ୍ୱ ନାଶ ହୋଇଥାଏ ।

 

ସଂଘ ଏବଂ ବିଜେପି ପରିବାର ସଦସ୍ୟଙ୍କଠାରୁ କ୍ରୋଧର ଆହ୍ୱାନ ଗୀତା ସ୍ୱୀକୃତ ନୁହେଁ ବା ଭଗବତ ବି·ର ନୁହେଁ ନିଶ୍ଚୟ । ଅଯୋଧ୍ୟାର ଉନ୍ମାଦ ଘଟଣା ପରେ ପରେ ଗୋରକ୍ଷା-ଲଭ୍‍ ଜିହାଦ ନାମରେ ଯେଉଁ ସବୁ ଅସହିଷ୍ଣୁତା ଏବଂ ଅହିଂସାକାଣ୍ଡ ଘଟଣା ଘଟୁଛି ତାହା ପଛରେ ଯେ ହିନ୍ଦୁତ୍ୱ ବାହିନୀର ସଦସ୍ୟଙ୍କ ହାତ ନଥିବା ନେଇ ସଂଘ କି ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଉ ନାହିଁ ।

 

‘ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ/ ମମାତା୍ମ ପର ଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟ ସ୍ୱୟକାଃ (ଗୀତା ଅଧ୍ୟାୟ-୧୬ ଶ୍ଳୋକ-୧୮) ।’ ଅର୍ଥାତ୍‍ ଅହଂକାର, ବଳ, ଗର୍ବ, କାମନା ଓ କ୍ରୋଧାତି ପରାୟଣ ହୋଇ ଅନ୍ୟମାନଙ୍କୁ ନିନ୍ଦା କରୁଥିବା ସେହି ପୁରୁଷ ବା ବ୍ୟକ୍ତିମାନେ ନିଜର ଓ ଅନ୍ୟମାନଙ୍କର ଶରୀରରେ ଅଧିଷ୍ଠିତ ଥିବା ଅନ୍ତର୍ଯ୍ୟାମୀ ରୂପୀ ‘ମୋତେ ହିଁ ଦ୍ୱେଷ କରନ୍ତି’ । ଅନ୍ୟ ଧର୍ମକୁ ନିନ୍ଦା କରିବା, ଘୃଣା ଆଧାରରେ ସଂଗଠିତ କରିବା, ହିନ୍ଦୁତ୍ୱ ମଧ୍ୟରେ ଦ୍ୱେଷ ଭାବ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଏହିପରି- ତାନହଂଦ୍ୱିଷତଃ କ୍ରୁରାନ୍‍ ସଂସାରେଷୁ ନରାଧମାନ୍‍/ କ୍ଷିପାମ୍ୟଜସ୍ରମ ଶୁଭାନାସୁରୀଷ୍ୱେବ ଯୋନିଷୁ (ଗୀତା ଅଧ୍ୟାୟ-୧୬-ଶ୍ଲୋକ-୧୯) । ସେହି ଦ୍ୱେଷ କରୁଥିବା ପାପା·ରୀ ଓ କ୍ରୁରକର୍ମା ନରାଧମମାନଙ୍କୁ ମୁଁ ସଂସାରରେ ବାରମ୍ବାର ଆସୁରୀ ଯୋନିମାନଙ୍କରେ ନିକ୍ଷେପ କରେ ।

 

ହିନ୍ଦୁତ୍ୱବାଦୀ ଉନ୍ମାଦମାନେ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଥିବା ଉପଦେଶର ବିପରୀତ କାର୍ଯ୍ୟ କରିଚାଲିଛନ୍ତି । ଯେଉଁ ବିଜ୍ଞ, ପଣ୍ଡିତ, ଶାସ୍ତ୍ରବିତ୍‍, ନେତା, ପ୍ରବଚକ, ପ୍ରଚାରକ ହିନ୍ଦୁଧର୍ମର ସମୃଦ୍ଧି ଓ ରକ୍ଷା ପାଇଁ ଦାବି କରୁଛନ୍ତି, ସେହିମାନେ ଏହି ଧର୍ମ ପାଳନ ନାମରେ ଦୁରା·ରୀଙ୍କୁ ସତପଥକୁ ଆଣିବା ପାଇଁ ·ହୁଁନାହାନ୍ତି । ବରଂ କ୍ଷମତା ଓ ନିଜର ସୁଖ ପାଇଁ ଏହି ଅପରାଧୀ ତତ୍ତ୍ୱମାନଙ୍କୁ ବ୍ୟବହାର କରୁଛନ୍ତି । ହିନ୍ଦୁ ସମାଜକୁ ଏକାଠି କରବା ପରିବର୍ତ୍ତେ, ଅନ୍ୟ ଧର୍ମକୁ ନିନ୍ଦା ଏବଂ ଅନ୍ୟଙ୍କୁ ଘୃଣାର ଆଧାରରେ ସଂଗଠିତ କରିବାର କାର୍ଯ୍ୟ କରିଚାଲିଛନ୍ତି । ଏ ନେଇ ଷଡ଼ଯନ୍ତ୍ର ରଚନା କରାଯାଉଛି । ପରିଣାମ ହେଉଛି ମଣିଷ ମଣିଷକୁ ଧର୍ମ ଏବଂ ବିଶ୍ୱାସ ନାମରେ ହତ୍ୟା କରୁଛି ।

 

ନକରାତ୍ମକ ଆଧାରକୁ ନେଇ ସ୍ଥାୟୀ ଏବଂ ଆନନ୍ଦ ଦାୟକ ଏକତା ନିର୍ମାଣ କରାଯାଇ ପାରିବ ନାହିଁ । ପାକିସ୍ତାନ ଗଠନ ବା ପ୍ରତିଷ୍ଠା ପଛରେ ଥିଲା ରାଷ୍ଟ୍ରୀୟତା । ମୁସଲମାନଙ୍କ ପ୍ରତି ଘୃଣା । ଇସଲାମର ଶ୍ରେଷ୍ଠତା ପ୍ରତି ଅଭିମାନକୁ ନେଇ ପୃଥକ ରାଷ୍ଟ୍ର ଗଠନ ହେଲା । ଇତିହାସ ପ୍ରମାଣିତ କରିଦେଲା ଯେ ତାହା ଭୁଲଥିଲା ।

 

୧୯୭୧ରେ ପୂର୍ବ-ପଶ୍ଚିମ ପାକିସ୍ତାନ ଭାଙ୍ଗି ଦୁଇଭାଗ ହୋଇଗଲା । ବାଂଲାଦେଶର ଉଦୟ ହେଲା । ଏକ କୁରାନ, ଏକ ପୈଗମ୍ବର । ଏକମାତ୍ର ଇସଲାମ ମାନ୍ୟତା ଏକାଠି ରଖିପାରିଲା ନାହିଁ । ଯେତେବେଳେ କି ଭାରତରେ ସମସ୍ତ ରାଜନୈତିକ, ସାମାଜିକ, ଆର୍ଥିକ ବିକୃତି-ବିବିଧତା ସତ୍ତେ୍ୱ ଆଜିଯାଏ ଏକତା ବଜାୟ ରହିଛି । ପାକିସ୍ଥାନ ନାମରେ ପୃଥକ ରାଷ୍ଟ୍ର ଗଠନ ହେଲା ।

 

ଭାରତ ଦୁଇଭାଗ ହେଲା, ଏହିଦିନ ଥିଲା ୧୫ ଅଗଷ୍ଟ ୧୯୪୭ । ଏହାପରେ ଗୋଆ ଏବଂ ୨ ଦଶକ ପରେ ସିକିମ୍‍ ଭାରତର ଅଂଗ ହୋଇଛି । ଏହାର କାରଣ ଭାରତରେ କୌଣସି ବିଶେଷ ଧର୍ମର ଶ୍ରେଷ୍ଠତାକୁ ସ୍ୱୀକାର ବା ଗ୍ରହଣ କରାଯାଇନାହିଁ । ସର୍ବଧର୍ମ ସମଭାବ, ରାଷ୍ଟ୍ରରେ ଧର୍ମନିରପେକ୍ଷତା ବଜାୟ ରହିଛି । ସଂଘ ଏବଂ ବିଜେପି ଏହି ବିଶେଷତ୍ୱ ଉପରେ ଆଘାତ ଦେଉଛନ୍ତି! ଧାର୍ମିକ ଶ୍ରେଷ୍ଠତାର ଦମ୍ଭକୁ ଆଗକୁ ବଢ଼ାଇ ରାଷ୍ଟ୍ରୀୟ ବା ଜାତୀୟ ଜୀବନରେ ବିଘ୍ନ ସୃଷ୍ଟି କରୁଛନ୍ତି । ସଂଘ ଏବଂ ବିଜେପିର ଅଧିକାଂଶ ନେତାଙ୍କ ମୁହଁରୁ ହିନ୍ଦୁ ଶ୍ରେଷ୍ଠତାର ନାରା ଶୁଭୁଛି ।

 

‘ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋ ଦ୍ୱିଜତେ ଚ ଯଃ/ ହର୍ଷାମର୍ଷଭୟୋଦବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ (ଗୀତା ଅଧ୍ୟାୟ-୧୨, ଶ୍ଳୋକ-୧୫) । ଯାହାଙ୍କ ହେତୁ କୌଣସି ବି ଜୀବ ଉଦବିଗ୍ନ ହୁଏ ନାହିଁ, କି ସେ ନିଜେ ବି କୌଣସି ଜୀବହେତୁ ଉଦବିଗ୍ନ ହୁଅନ୍ତି ନାହିଁ, ତଥା ଯେ ହର୍ଷ, ଅମର୍ଷ, ଭୟ ଓ ଉଦ୍‍ବେଗାଦିରୁ ରହିତ, ସେହି ଭକ୍ତ ମୋର ପ୍ରିୟ ।’

 

ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅନୁଯାୟୀ ସଂଘ-ବିଜେପିର ଆଚରଣ ତାମସୀ ନିଶ୍ଚୟ । ଭକ୍ତିଭାବର ବିପରୀତ । ସଂବିଧାନ, ସଂସଦ, ନ୍ୟାୟପାଳିକା ଏବଂ ରାଷ୍ଟ୍ରୀୟ ଏକତା ପରିଷଦର ନିର୍ଦ୍ଦେଶ ଏବଂ କୋଟିକୋଟି ଦେଶବାସୀଙ୍କ ଭାବନାକୁ ଅନାଦାର କରି ଆସ୍ଥା ନାମରେ ଯେଉଁ ପ୍ରକାର ଜିଦ ବିଜେପି ଏବଂ ସଂଘର ପରିବାରର ସଦସ୍ୟ ପ୍ରଦର୍ଶନ କରୁଛନ୍ତି, ଏହା ଅରାଜକତାର ବାର୍ତ୍ତା ଦେଉଛି ନିଶ୍ଚୟ । ଏହା ଧର୍ମର ଗ୍ଳାନିକୁ ସୂଚାଉଛି । ଯଦିଓ ଜିଦର ଲକ୍ଷ୍ୟ ରାଜନୈତିକ ସ୍ୱାର୍ଥ ନିଶ୍ଚୟ । ସଂପୂର୍ଣ୍ଣ ରାଷ୍ଟ୍ର ଜୀବନକୁ କଷ୍ଟ ଏବଂ ଯନ୍ତ୍ରଣା ଦେବାରେ କି ଆନନ୍ଦ?

 

ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱୀକାର କରୁଥିଲେ ଯେଉଁମାନେ ଦଳ-ସଂଗଠନ ନାମରେ ଏତାଦୃଶ ଭଗବାନଙ୍କ ଉପଦେଶ ବିରୋଧୀ ତାମସିକ ପ୍ରବୃତ୍ତିରେ ଜଡିତ ସେମାନଙ୍କୁ ସାତ୍ତ୍ୱିକ ପଥକୁ ଆଣିବା ଉଚିତ ହେବ । ଗୀତାରେ ଭଗବାନ କହିଛନ୍ତି, ତପ ମୁର୍ଖତାପୂର୍ବକ ଜିଦରେ ଅନ୍ୟର ଅନିଷ୍ଟ କରିବା ପାଇଁ କରାଯାଇଥାଏ । ତପ ତାମସୀ । ଏତାଦୃଶ୍ୟ ପୂଜା ରାକ୍ଷସୀ ପୂଜା ଅଟେ । ଅଯୋଧ୍ୟରେ ଏକାଠି ହୋଇଥିବା କଥିତ ରାମଭକ୍ତଙ୍କର ଏହି ପୂଜା ଥିଲା । ନଚେତ ବାବ୍ରୀ ମସଜିଦ୍‍କୁ ଭଙ୍ଗା ଯାଇନଥାନ୍ତା ।

 

ଧର୍ମନାମରେ-ଗୋମାତାଙ୍କ ନାମରେ ଯେଉଁ ବ୍ୟକ୍ତି ପହଲୁଖାନ୍‍, ଅଖଲାଖ, ଜୁନେଦଙ୍କୁ ହତ୍ୟା କଲେ, ଯେଉଁମାନେ ଗୌରୀ ଲଙ୍କେଶଙ୍କୁ ହତ୍ୟା କଲେ, ନିକଟରେ ଯେଉଁବ୍ୟକ୍ତି ରାଜସ୍ଥାନର ରାଜସମନ୍ଦରରେ ଅଫ୍ରାଜୁଲ୍‍ ନାମକ ଜଣେ ପଚାଶ ବର୍ଷର ମୁସଲିମ୍‍ ଶ୍ରମିକଙ୍କୁ ବର୍ବରୋଚିତ ଭାବେ କୁରାଢ଼ୀରେ ହାଣି ହାଣି ଜୀଅନ୍ତା ପୋଡିଦେଲେ । ଏହା ଗୀତା ବର୍ଣ୍ଣିତ ଧର୍ମ ତ ନୁହେଁ, ବରଂ ବର୍ବରତା । ଏପରି ଚିତ୍ର ମନ୍ଦିର ନିର୍ମାଣ ନାମରେ ବାବ୍ରୀ ମସଜିଦ୍‍ ବିଧ୍ୱଂସ ସମୟର ଚତ୍ରକୁ ପ୍ରଦର୍ଶିତ କରିଥିଲା । ମଣିଷ ରକ୍ତରେ ହୋରି ଖେଳିବାର ଜହ୍ଲାଦ ପ୍ରବୃତ୍ତିକୁ ସୂଚାଇଛି ଏହା । ଧର୍ମ ଏହି ଧାରାରେ ହୋଇପାରେନା । ଈଶ୍ୱରପ୍ରାପ୍ତି ଜପ-ତପ-ମଣିଷ ହତ୍ୟାରେ ସମ୍ଭବ ନୁହେଁ । ହଁ ଏହା ସ୍ୱୀକାର୍ଯ୍ୟ ଯେ ବିଶ୍ୱାସ ଏକ ରୋଗ । ଏହି ରୋଗରେ ପୀଡ଼ିତ ଲୋକ ହିଁ ଅନ୍ୟକୁ କଷ୍ଟ ଦେଇ ଈଶ୍ୱରଙ୍କୁ ପାଇଥିବାର-ପାଇବାର ଇଚ୍ଛା ପ୍ରକାଶ କରନ୍ତି । ଧର୍ମ ନାମରେ ବର୍ବରତା ଚିତ୍ର ଆଜିଦିନରେ ଯେ ଦେଖିବାକୁ ମିଳୁଛି, ତାହା ନୁହେଁ ୧୬ଶ ଶତାବ୍ଦୀରେ ବୈଜ୍ଞାନିକ ଗାଲିଲିଓ ଯେତେବେଳେ କହିଥିଲେ-ପୃଥିବୀ ଘୂରୁଛି ବୋଲି, ସେତେବେଳେ ଚର୍ଚ୍ଚର ପାଦ୍ରୀ ବା ଧର୍ମପ୍ରଚାରକମାନେ ତାଙ୍କୁ ବଞ୍ôଚବାକୁ ଦେଇନଥିଲେ । ଆଜିଦିନରେ ଦାଭୋଲକରଙ୍କ ଭଳି ଏକାଧିକ ସତ୍ୟନିଷ୍ଠ ବ୍ୟକ୍ତିତ୍ୱ ଏହି ଧର୍ମର ଧ୍ୱଜାଧାରୀମାନେ ରାଷ୍ଟ୍ରବାଦ ନାମରେ ହତ୍ୟା କରିଛନ୍ତି ।

 

ବାବ୍ରୀ-ମସଜିଦ୍‍ ଭଳି ଐତିହାସିକ ସାଂସ୍କୃତିକ ଐତିହ୍ୟକୁ ଭାଙ୍ଗିଦେବା ପରେ କେତେ ମନ୍ଦିର-ମସଜିଦ୍‍ ଭଙ୍ଗାଗଲା ତାହାର ହିସାବ ତଥାକଥିତ ହିନ୍ଦୁତ୍ୱବାଦୀଙ୍କ ପାଖରେ ଥିବ ନିଶ୍ଚୟ । କେତେ ଲୋକ ହତ୍ୟାର ଶିକାର ହେଲେ ହିନ୍ଦୁତ୍ୱ ନାମରେ କ୍ଷମତାରେ ଥିବା- କ୍ଷମତାରେ ରହିବାପାଇଁ ଉଦ୍ୟମରତ ନେତାଙ୍କ ପାଖରେ ତଥ୍ୟ ମହୁଜୁଦ ଥିବ । ଏହା ଧର୍ମ ନୁହେଁ, ହିନ୍ଦୁତ୍ୱର ସଂସ୍କୃତି ନୁହେଁ, ଏହାତ ସର୍ବଧର୍ମ-ସମଭାବ ନୁହେଁ ନିଶ୍ଚୟ!
ନିଜେ ନିଜକୁ ହିଁ ଶ୍ରେଷ୍ଠ ମନେକରୁଥିବା ସେହି ଗର୍ବୀ ପୁରୁଷମାନେ ଧନ ଓ ମାନର ମଦରେ ବୁଡି କେବଳ ନାମମାତ୍ର ଯଜ୍ଞଦ୍ୱାରା ମିଥ୍ୟା ଆଡମ୍ବରପୂର୍ବକ ଶାସ୍ତ୍ର ବିଧିରହିତ ଉପାସନା କରନ୍ତି । ‘ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ/ ଅଜ୍ଞାନଂ·ଭିଜାତସ୍ୟ ପାର୍ଥ ସମ୍ପଦ ମାସୁରୀମ୍‍ (ଗୀତା ଅଧ୍ୟାୟ-୧୬ ଶ୍ଲୋକ-୪) ।’ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ହେ ପାର୍ଥ! ଦମ୍ଭ, ଗର୍ବ ଓ ଅଭିମାନ ତଥା କ୍ରୋଧ, କଠୋରତା ଓ ଅଜ୍ଞାନ - ଏସବୁ ହେଉଛି ଆସୁରୀ ସମ୍ପଦ ନେଇ ଜନ୍ମ ହୋଇଥିବା ପୁରୁଷ ବା ବ୍ୟକ୍ତିର ଲକ୍ଷଣ ।

 

ବିଜେପି-ସଂଘ ନିଶ୍ଚୟ ଏହି ଲକ୍ଷଣ ବା ପ୍ରବୃତ୍ତିର ଧ୍ୱଜବାହକ ବୋଲି ଏପରି ଅଭିଯୋଗ ଜୋର୍‍ ଧରିଛି । ଅଯୋଧ୍ୟାରେ ବାବ୍ରୀ ମସ୍‍ଜିଦ୍‍ ଧ୍ୱଂସ ଏବଂ ବିଜୟମୁହାଁ, ଏହାପରେ ମଥୁରା-କାଶୀର ନାରା ଦେଉଥିବାରୁ ଆସୁରିକ ସ୍ୱଭାବକୁ ସୂଚାଉଛି ।

 

ଇଦମଦ୍ୟ ମୟା ଲବ୍‍ଧମିମଂ ପ୍ରାପ୍‍ସ୍ୟେ ମନୋରଥମ୍‍ ......(ଗୀତା-ଅଧ୍ୟାୟ୧୬-ଶ୍ଲୋକ-୧୩) । ଅସୌମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରା ନପି.... (ଗୀତା-ଅଧ୍ୟାୟ ୧୬-ଶ୍ଳୋକ-୧୪) ।

 

କାମ, କ୍ରୋଧ ପରାୟଣ ବ୍ୟକ୍ତି ବିଷୟ ଭୋଗ ପାଇଁ ଭାବନ୍ତି ଯେ ମୁଁ ଆଜି ଏହା ପାଇଗଲି ଓ ଏଥର ମନୋରଥ ପୂର୍ଣ୍ଣ ହୋଇଯିବ । ମୋ ପାଖରେ ଏତିକି ଧନ ଅଛି ଓ ଆହୁରି ଏତକ ଧନ ମଧ୍ୟ ମୋର ହୋଇଯିବ । ସେହି ଶତ୍ରୁ ମୋ ଦ୍ୱାରା ନିହତ ହୋଇଗଲା ଓ ଅନ୍ୟାନ୍ୟ ଶତ୍ରୁମାନଙ୍କୁ ମଧ୍ୟ ମୁଁ ମାରିଦେବି । ମୁଁ ଈଶ୍ୱର ମୁଁ ଐଶ୍ୱର୍ଯ୍ୟବାନ, ମୁଁ ସମସ୍ତ ସିଦ୍ଧିରେ ଯୁକ୍ତ, ବଳବାନ ତଥା ସୁଖୀ ।

 

‘ଅମାନିତ୍ୱମଦମ୍ଭିତ୍ୱମହିଂସା କ୍ଷାନ୍ତିରାର୍ଜବମ୍‍/ ଆ·ର୍ଯ୍ୟୋପାସନଂ ଶୌଚଂ ଶୌର୍ଯ୍ୟତ୍ମବିନିଗ୍ରହଃ (ଗୀତା- ଅଧ୍ୟା-୧୩, ଶ୍ଲୋକ-୭) । ନିଜଠାରେ ନିରଭିମାନରେ ଅଦାମ୍ଭିକତା, ପ୍ରାଣୀମାତ୍ରେକ ସମସ୍ତଙ୍କ ପ୍ରତି ଅହିଂସା, କ୍ଷମାଶୀଳତା, ମନବଚନ ଆଦିରେ ସରଳତା ଶ୍ରଦ୍ଧା-ଭକ୍ତିର ସହିତ ଗୁରୁଙ୍କର ସେବା, ଅନ୍ତଃବାହ୍ୟ ଶୁଦ୍ଧି, ଅନ୍ତଃକରଣରେ ସ୍ଥିରତା ଏବଂ ମନ-ଇନ୍ଦ୍ରିୟ ସହିତ ଶରୀରର ନିଗ୍ରହ ହିଁ ଶ୍ରେଷ୍ଠ ମଣିଷର ପରିଚୟ ।

 

ଯାଢ଼୍ୟୋଭିବନ ବାନସ୍ମୀକୋଅନ୍ୟୋ ଅସ୍ତି ସଦୃଶୋ ମୟା....(ଗୀତା ଅଧ୍ୟାୟ-୧୬, ଶ୍ଳୋକ-୧୫-୧୬) । ମୁଁ ବିରାଟ ଧନୀ ଓ ବିଶାଳ କୁଟୁମ୍ବୀ, ମୋ ସମାନ ଆଉ କିଏ ଅଛି? ମୁଁ ଯଜ୍ଞ କରିବି, ଦାନ ଦେବି ଓ ଆମୋଦପ୍ରମୋଦ କରିବି, ଏପରି ଭାବରେ ଅଜ୍ଞାନରେ ମୋହିତ, ଅନେକ ପ୍ରକାରରେ ଭ୍ରମିତ ଚିତ୍ତ ତଥା ମୋହରୂପୀ ଜାଲରେ ଆବଦ୍ଧ ଓ ବିଷୟ ଭୋଗରେ ଅତ୍ୟନ୍ତ ଆସକ୍ତ ଆସୁର ସ୍ୱଭାବର ଲୋକେ ଅତ୍ୟନ୍ତ ଅପବିତ୍ର ନରକରେ ପଡନ୍ତି ।

 

ହିନ୍ଦୁ ଭଗବାନ, ମୁସ୍‍ଲିମ୍‍ ଭଗବାନ, ଖ୍ରୀଷ୍ଟିଆନ ଭଗବାନଙ୍କର ଭେଦଭାବରେ ଭଗବାନ ଅର୍ଥର ଅନର୍ଥ କରାଯାଇଛି । ଆସ୍ତିକ ସେହି ଯେ ସର୍ବଶକ୍ତିମାନ, ସୃଷ୍ଟିକର୍ତ୍ତା, ସଂ·ଳକ, ସର୍ବବ୍ୟାପୀ ଅବଧାରଣା ପ୍ରତି ଆସ୍ଥା ରଖନ୍ତି । ସାଂପ୍ରଦାୟିକତାର ଭାବନା ଧାର୍ମିକତାକୁ ଭାଙ୍ଗି ଦିଏ । ପୂଜା-ଆରଧନା ନାମ ନେଇ ଈଶ୍ୱରଙ୍କୁ ସଂକୁଚି ପରିଭାଷାର ଗଢ଼ାଯାଉଛି । ମନ୍ଦିର-ମସ୍‍ଜିଦ୍‍ ନାମର ରକ୍ତପାତ ଏବଂ ଘୃଣା ଧାର୍ମିକ ମାନ୍ୟତାର ବିପରୀତ ।

 

‘ଅୟମ ନିଜେ ପରିବେତି ଗଣନା ଲଘୁଚେତସାମ୍‍/ ଉଦାର ଚରିତାନାମ ତୁ ବସୁଧୈବଃ କୁଟୁମ୍ବକମ୍‍ ।’ ଏହାତ ହିନ୍ଦୁ ଧର୍ମର ଶିକ୍ଷା ।
ହିନ୍ଦୁ ଧର୍ମର ଗ୍ରନ୍ଥ ଭଗବତ୍‍ ଗୀତାରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଛନ୍ତି- ମତ୍ତଃ ପରତରଂ ନାନ୍ୟତ୍‍ କିଞ୍ôଚଦସ୍ତି ଧନଞ୍ଜୟ/ ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣାଇବ (ଗୀତା ଅଧ୍ୟାୟ-୭, ଶ୍ଲୋକ-୭) । ହେ ଧନଞ୍ଜୟ! ମୋ ଠାରୁ ଭିନ୍ନ ଅନ୍ୟ କିଛି ବି ପରମ କାରଣ ନାହିଁ, ସୂତାରେ ସୂତାର ମଣିମାନେ ଗୁନ୍ଥିହୋଇଥିବା ପରି ଏହି ସମସ୍ତ ଜଗତ୍‍ ମୋ’ଠାରେ ଗୁନ୍ଥା ହୋଇ ରହିଛି । ଅର୍ଥାତ୍‍ ଏହି ସମଗ୍ର ଜଗତରେ ମୁଁ ଓତଃପ୍ରୋତ ହୋଇ ରହିଛି ।

 

ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟତାକୁ ଭୁଲ ଭାବରେ ପରିଭାଷିତ କରି, ଧର୍ମର ପ୍ରକୃତ ମର୍ମକୁ ଭୁଲି-ଭୁଲାଇ-ଭ୍ରମ ସୃଷ୍ଟି କରି ଧର୍ମ-ଧର୍ମ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରାଯାଉଛି । ଆସ୍ଥା ବା ଶ୍ରଦ୍ଧାର କେନ୍ଦ୍ର ରାଷ୍ଟ୍ରର ପରଧି ବାହାରେ ନୁହେଁ ।

 

ଧର୍ମ ଧାରଣ କରେ, ଲାଳନ-ପାଳନ କରେ, ଭାଙ୍ଗେ ନାହିଁ ଯୋଡେ । କିନ୍ତୁ ହିନ୍ଦୁତ୍ୱ ଚରମପନ୍ଥୀମାନେ ବିଭିନ୍ନ ସଂଗଠନ ନାମରେ ଯେଭଳି ହିଂସା ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିଚାଲିଛନ୍ତି, ସଂଘ ଏବଂ ବିଜେପି ନେତା ହିଂସା, ଅସହିଷ୍ଣୁତା ବିରୋଧରେ ମୁହଁ ଖୋଲୁନାହାନ୍ତି, ତାହା ପ୍ରମାଣିତ କରୁଛି-ଭଗବତ୍‍ଗୀତା ଆଇନାରେ ଏହି ଆତ୍ମଘୋଷିତ ହିନ୍ଦୁବାହିନୀ ଶ୍ରୀକୃଷ୍ଣଙ୍କ ବାଣୀକୁ ପାଳନ କରିବାକୁ ନାରାଜ । ଏହା ଭାରତବର୍ଷ, ଯେଉଁଠି ବିବିଧତା ମଧ୍ୟରେ ଏକତା ବିଶ୍ୱ ପାଇଁ ଆଦର୍ଶ ପାଲଟିଛି, ଆଜି ଯେତେବେଳେ ବିଜେପି ଓ ସଂଘ ପରିବାରର ନେତାମାନେ ଭାରତକୁ ବିଶ୍ୱଗୁରୁ ଭାବେ ତିଆରି କରିବା ପାଇଁ ଲାଗିପଡ଼ିଥିବା ସୂଚାଉଛନ୍ତି, ସେହି ସମୟରେ ଭାରତରେ ତାଲିବାନୀଙ୍କ ଉପସ୍ଥିତି ଦେଖିବାକୁ ମିଳିବା ଓ ଇସ୍‍ଲାମିକ୍‍ ରାଷ୍ଟ୍ର ଭଳି ରାଷ୍ଟ୍ରରେ ଯେଭଳି ଧର୍ମ ଆଧାରରେ ବିଚାର ଚାଲେ, ଭାଟିକାନ୍‍ ସିଟି ନିର୍ଦ୍ଦେଶରେ ଯେପରି ଫତୁଆ ଜାରି ହୁଏ, ଠିକ୍‍ ସେହିଭଳି ଦୃଶ୍ୟ ଏବେ ଦେଶରେ ଦେଖିବାକୁ ମିଳିଛି । ଏହାକୁ ନେଇ କ’ଣ ବିଶ୍ୱଗୁରୁର ମାନ୍ୟତା ମିଳିପାରିବ? କାହିଁକି ଭଗବଦ୍‍ଗୀତା ଆଇନାରେ ଏହି ଆତ୍ମଘୋଷିତ ହିନ୍ଦୁ ବାହିନୀ ଶ୍ରୀକୃଷ୍ଣଙ୍କ ବାଣୀକୁ ପାଳନ କରିବାକୁ ନାରାଜ? ଧର୍ମ ନାମରେ କ୍ଷମତା ହାସଲ ଏକମାତ୍ର ଲକ୍ଷ୍ୟ । ଏହା ରାଷ୍ଟ୍ର ଧର୍ମର ବିରୋଧୀ ନିଶ୍ଚୟ!

ଭୁବନେଶ୍ୱର, ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top