ରାଜ୍ୟର ୪ ଶିଳ୍ପାଞ୍ଚଳ ଅତ୍ୟନ୍ତ ପ୍ରଦୂଷିତ

News Story - Posted on 2017-12-12

ଓଡ଼ିଶାର ଅନୁଗୁଳ-ତାଳଚେର, ଇବ୍ ଉପତ୍ୟକା ଓ ଝାରସୁଗୁଡ଼ା ଅଞ୍ଚଳ ଅତ୍ୟନ୍ତ ପ୍ରଦୂଷିତ ଅଞ୍ଚଳ ଭାବେ ଘୋଷିତ ହୋଇଥିବା ବେଳେ ପାରାଦୀପ ଅଞ୍ଚଳ ଅତି ପ୍ରଦୂଷିତ ଘୋଷିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ କମ୍ପ୍ରେହେନସିଭ୍ ଏନଭିରନମେଣ୍ଟାଲ୍ ପଲ୍ୟୁସନ୍ ଇଣ୍ଡେକ୍ସ (ସେପି) ଭିତ୍ତିରେ ଏଭଳି ଚିହ୍ନଟ କରାଯାଇଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହା ସ୍ୱୀକାର କରିଛନ୍ତି ।


ଅତ୍ୟନ୍ତ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନିତ ତାଳଚେର-ଅନୁଗୁଳ, ଇବ୍ ଉପତ୍ୟକା ଓ ଝାରସୁଗୁଡ଼ା ଆଦି ସ୍ଥାନରେ ପ୍ରଦୂଷଣ ମାତ୍ରା କମାଇବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍ ଚଳାଯିବା ଫଳରେ ପ୍ରଦୂଷଣ ମାତ୍ରା କମୁଛି ବୋଲି ମନ୍ତ୍ରୀ କହିଛନ୍ତି । ଏହିସବୁ ଅଞ୍ଚଳରେ ଚିହ୍ନଟ କରାଯାଇଥିବା ଖିଲାପକାରୀ ଖଣି ଓ ଶିଳ୍ପସଂସ୍ଥାମାନଙ୍କୁ ନୋଟିସ୍ କରାଯାଇଛି । ଏମିତିକି ଝାରସୁଗୁଡ଼ାରେ ଥିବା ବେଦାନ୍ତର ସ୍ମେଲଟର୍, ତାପଜ ବିଦ୍ୟୁତ କେନ୍ଦ୍ର ଆଦିକୁ ବନ୍ଦ କରିବା ପାଇଁ ମଧ୍ୟ ଜଳ ଓ ବାୟୁ ପ୍ରଦୂଷଣ ଆଇନର ବିଭିନ୍ନ ଧାରାରେ ଗତ ସେପ୍ଟେମ୍ବର ମାସରେ ନୋଟିସ୍ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ଏହି କାରଖାନାଗୁଡ଼ିକର ପାଉଁଶ ପୋଖରୀ ବନ୍ଧ ଭାଙ୍ଗିବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

 

ସେହିପରି ସମ୍ବଲପୁର ଜିଲ୍ଲାର ଲପଙ୍ଗା ଅଞ୍ଚଳରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡର କଠିନ ବର୍ଜ୍ୟବସ୍ତୁ ଯୋଗୁ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ଘଟୁଥିବାରୁ ଏହି ସଂସ୍ଥା ଉପରେ ୩୨୫.୧୫ ଲକ୍ଷ ଟଙ୍କାର ପ୍ରଦୂଷଣ ଲେଭି ପୈଠ ପାଇଁ ଗତ ଜୁଲାଇ ମାସରେ ନିର୍ଦ୍ଦେଶ ଦିଆଯାଇଛି । ଅନୁରୂପ ଭାବେ ସମ୍ବଲପୁର ଜିଲ୍ଲାର ରେଙ୍ଗାଳୀ ଅଞ୍ଚଳରେ ଥିବା ସାମ୍ ମେଟାଲିକ୍ସ ଓ ଏନର୍ଜି ଲିମିଟେଡ ଅନଧିକୃତ ଭାବେ କଠିନ ବର୍ଜ୍ୟବସ୍ତୁ ଛାଡ଼ୁଥିବାରୁ ଜଳ ଓ ବାୟୁ ପ୍ରଦୂଷଣ ଆଇନ ଆଧାରରେ ଏହି କମ୍ପାନୀ ଉପରେ ମଧ୍ୟ ୪୫ ଲକ୍ଷ ୬୦ ହଜାର ଟଙ୍କାର ପ୍ରଦୂଷଣ ଲେଭି ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସୂ·ଇଛନ୍ତି ।

 

ଭୁବନେଶ୍ୱର, କଟକ ଓ ରାଉରକେଲା ଭଳି ସହର ସମେତ ରାଜ୍ୟର କେତେକ ନଗରାଞ୍ଚଳ ଓ ଶିଳ୍ପାଞ୍ଚଳରେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ଘେନି ବିଧାୟକ ଶ୍ରୀ ରାୟ ପ୍ରଶ୍ନ ଉଠାଇବା ସହିତ ଏହାର ପ୍ରତିକାର ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଜାଣିବାକୁ ·ହିଁଥିଲେ । ଏହାର ଉତ୍ତରରେ ପରିବେଶ ମନ୍ତ୍ରୀ କହିଛନ୍ତି ଯେ କଟକ ଓ ରାଉରକେଲା ସମେତ ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ରାଉରକେଲା, ଭୁବନେଶ୍ୱର, କଟକ, ଅନୁଗୁଳ, ରାଜଗାଙ୍ଗପୁର, ପାରାଦୀପ, ନାଲ୍କୋ ନଗର, ତାଳଚେର, ଝାରସୁଗୁଡ଼ା, କଳିଙ୍ଗନଗର ଆଦିରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ଜଣାପଡ଼ିଛି ।

ରାଉରକେଲା ନିକଟରେ ବ୍ରାହ୍ମଣୀ, ଭୁବନେଶ୍ୱର ନିକଟରେ କୁଆଖାଇ, ଦୟା ଓ ଗଙ୍ଗୁଆ ଏବଂ କଟକ ନିକଟରେ ମହନଦୀ ଓ କାଠଯୋଡ଼ିର ଜଳ ପ୍ରଦୂଷିତ ଥିବା ମନ୍ତ୍ରୀ ସ୍ୱୀକାର କରିବା ସହିତ ଏ ସବୁ ଅଞ୍ଚଳରେ ନର୍ଦ୍ଦମା ଜଳକୁ ବିଶୋଧିତ କରାଯାଇ ନଦୀକୁ ଛାଡ଼ିବା ଲାଗି ସ୍ୱେରେଜ୍ ବୋର୍ଡ ସହାୟତାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଳ ଓ ବାୟୁ ପ୍ରଦୂଷଣ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଜନସାଧାରଣଙ୍କ ଜୀବନର ସୁରକ୍ଷା ଲାଗି ସରକାର ଅଗ୍ରାଧିକାର ଭିତ୍ତିରେ ପ୍ରତିକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଥିବା ବେଳେ ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି ଯେ ଭୁବନେଶ୍ୱର, କଟକ ଓ ରାଉରକେଲା ସହରମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା ଦିଲ୍ଲୀ ତୁଳନାରେ ଢେର୍ କମ ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top