ଆମ ଛେଳି, ଆମେ ମାରିବୁ!

News Story - Posted on 2017-12-08

ଅନେକ ସମୟରେ କୋର୍ଟରେ କୌଣସି ମାମଲା ବିଚାରାଧୀନ ଥିଲେ ସେହି ବିଷୟରେ ବିଧାନସଭାରେ ଆଲୋଚନା କରାଯାଇ ପାରିବ ନାହିଁ ବୋଲି ସରକାରରେ ଥିବା ଦଳର ନେତାମାନେ ଯୁକ୍ତି କରିଥାନ୍ତି । ଏହି ଯୁକ୍ତିରେ ଓଡ଼ିଶାର ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି ଆଦି ମହାଲୁଟ୍ ନେଇ ରାଜ୍ୟ ବିଧାନସଭାରେ କେତେ ଥର ଆଲୋଚନା ଏଡ଼ାଇ ଦିଆଯାଇଛି । କିନ୍ତୁ ଏବେ ମହାନଦୀ ପ୍ରସଙ୍ଗ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିଲେ ମଧ୍ୟ ଡିସେମ୍ବର ୬ ତାରିଖରେ ବିଧାନସଭାରେ ଆଲୋଚନା ହେଲା । ନେତା ଓ ଦଳଗୁଡ଼ିକର ସ୍ୱାର୍ଥ ପାଇଁ କିଭଳି ପ୍ରସଙ୍ଗ ଓ ସମୟ ବଦଳିଗଲେ ଯୁକ୍ତି ବି ବଦଳିଯାଏ ଏହା ତାହାର ଏକ ଉଜ୍ଜ୍ୱଳ ଉଦାହରଣ । ବିଧାନସଭାରେ ଆଲୋଚନା ହେଲେ ଯେ ସୁପ୍ରିମ କୋର୍ଟଙ୍କ ବିଚାର ବଦଳିଯିବ ତାହା ବିଧାୟକମାନେ ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ । ତଥାପି ଏହାକୁ ନେଇ ପୂରା ଗୋଟେ ଦିନ ଆଲୋଚନା ହେଲା ଓ ଆଉ ଗୋଟେ ଦିନ ଆଲୋଚନା ଦାବିରେ ଗୃହ ଅଚଳ ରହିଛି ।

 

ମହାନଦୀ ଦିନେ ଶୁଖିଯିବ ନିଶ୍ଚୟ । ତାହା ଛତିଶଗଡ଼ ଯୋଗୁଁ ହେଉ ବା ନହେଉ, ଓଡ଼ିଶା ପାଇଁ ହେବ । ମହାନଦୀ ଅବବାହିକାରେ ବୃଦ୍ଧି ପାଉଥିବା ଶିଳ୍ପ ଓ ସହର ଯୋଗୁଁ ହେବ । ପାଗ ପରିବର୍ତ୍ତନ ଯୋଗୁଁ ହେବ । ସରକାରମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ହେବ । ସେତେବେଳେ ଓଡ଼ିଶା ସରକାର ଓ ମାନ୍ୟବର ବିଧାୟକମାନେ କାହାକୁ ଦୋଷ ଦେବେ? ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ତଥ୍ୟ ରଖି କହିଛନ୍ତି ଯେ ମହାନଦୀର ୫୩ ପ୍ରତିଶତ ଜଳ ଓଡ଼ିଶାରେ ବିନିଯୋଗ ନହୋଇ ସମୁଦ୍ରକୁ ବହି ଯାଉଛି । ତେବେ ଏଥିପାଇଁ କ’ଣ ଛତିଶଗଡ଼ ଦାୟୀ? ଏ ଜଳକୁ ସଂରକ୍ଷିତ ରଖି ଓଡ଼ିଶାବାସୀଙ୍କର ବିଭିନ୍ନ କାର୍ଯ୍ୟରେ ଲଗେଇବାକୁ ଓଡ଼ିଶା ସରକାରଙ୍କୁ କେଉଁ ଛତିଶଗଡ଼ ବା କେନ୍ଦ୍ର ସରକାର ମନା କରିଛନ୍ତି କି? ଏ ଜଳ ସଂରକ୍ଷିତ ରହିଲେ ମହାନଦୀ ଶୁଖିଯିବ କି?

 

ମହାନଦୀ ପଠାରେ ସରକାର ସହର ଗଢ଼ିବେ । ଜମି ସବୁ ପ୍ରଭାବଶାଳୀ ଲୋକମାନଙ୍କୁ ବାଣ୍ଟିଦେବେ । ସେମାନେ ସେଠାରେ ବଡ଼ ବଡ଼ ଘର କରିବେ । ସେମାନଙ୍କ ଘର ଅଳିଆ ମହାନଦୀରେ ପଡ଼ିବ । ନଦୀ ଗର୍ଭ ପୋତି ହେବ । ନଦୀର ଜଳ ଧାରଣ କ୍ଷମତା କମିବ । ଏଥିପାଇଁ କିଏ ଦାୟୀ? ଅବବାହିକାରେ ଗଢ଼ି ଉଠିଥିବା ସହର ଓ ଶିଳ୍ପର ଆବର୍ଜନା ମଧ୍ୟ ମହାନଦୀରେ ପଡ଼ିବ । ପକେଇବେ ନିଜେ ସରକାର ନହେଲେ ସରକାରଙ୍କୁ ଅନୁମୋଦନ କ୍ରମେ ଶିଳ୍ପ ଓ ପୌର ସଂସ୍ଥା । ନଦୀ ପ୍ରଦୂଷିତ ହେବ । ଧାର ଶୁଖିଯିବ । କ’ଣ ନା ଛତିଶଗଡ଼ ଦାୟୀ! ଏହା ରାଜନୀତିକ ଛଳନା ବ୍ୟତିତ ଆଉ କ’ଣ?

 

ଓଡ଼ିଶାକୁ ନପଚାରି ବା ଓଡ଼ିଶାର ଅନୁମତି ନନେଇ ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ଏତେଗୁଡ଼େ ପ୍ରକଳ୍ପ କରିବା ଅବଶ୍ୟ ଅନ୍ୟାୟ । କିନ୍ତୁ ଏହି ଅନ୍ୟାୟର ପ୍ରତିବାଦ କରିବାର ବାଟ କ’ଣ ନିଜ ଲୋକଙ୍କୁ ଭୁଆଁ ବୁଲାଇବା? ସରକାର ତ ସୁପ୍ରିମ କୋର୍ଟ ଯାଇଛନ୍ତି । ସେଇଠି ଯୁକ୍ତି କରୁ ନାହାନ୍ତି? ସୁପ୍ରିମ କୋର୍ଟ ଯଦି ରାୟ ଦେବେ ଯେ ମହାନଦୀ ଟ୍ରିବ୍ୟୁନାଲ ଗଢ଼, ତେବେ କେନ୍ଦ୍ର ସରକାର ମାନିବାକୁ ବାଧ୍ୟ ହେବେ ନା ନାହିଁ?
ସେଥିପାଇଁ ତଥ୍ୟ ଓ ଯୁକ୍ତି ଦରକାର । ରାଜନୀତିକ ବକବାସି ନୁହେଁ ।

 

ଓଡ଼ିଶାର ଲକ୍ଷାଧିକ କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍ ହେଲା । ସୁପ୍ରିମ କୋର୍ଟରେ ଓଡ଼ିଶାକୁ ଭଲ ପାଉଥିବା କେତେ ଜଣ କେସ୍ କଲେ । ଓଡ଼ିଶା ସରକାର କିନ୍ତୁ କେସକୁ ବିରୋଧ କଲେ । କହିଲେ ସିବିଆଇ ତଦନ୍ତ ଦରକାର ନାହିଁ । ଚିଟ୍ ଫଣ୍ଡ ଦୁର୍ନୀତି ହେଲା । ଲୋକେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟ ଗଲେ । ଓଡ଼ିଶା ସରକାର ତା’କୁ ବି ବିରୋଧ କଲେ । ଖଣି ଓ ଚିଟ ଫଣ୍ଡ ଦୁର୍ନୀତିରେ ଓଡ଼ିଶାବାସୀଙ୍କର ଲାଭ ହୋଇଛି ନା କ୍ଷତି? କେତେ ରାଜନୀତିକ ଦଳ ଏହାକୁ ନେଇ କୋର୍ଟ ଯାଇଛନ୍ତି? କେତେ ସ୍ୱେଚ୍ଛାସେବୀ ସଂଗଠନ ଏହା ବିରୋଧରେ ପ୍ରତିବାଦ କରିଛନ୍ତି? ଦିଲ୍ଲୀରେ ଯାଇଁ ଧାରଣା ଦେଇଛନ୍ତି?

 

ଆମେ ପାଳିଥିବା ଛେଳିକୁ ଆମେ ମାରି ଖାଇବୁ । କିନ୍ତୁ ସେଇ ଛେଳିକୁ ଯଦି ଅନ୍ୟ କେହି ଟେକାଟିଏ ପକାଏ ଆମେ ରାଗିପାଚି ଲାଲ ହୋଇଯାଉ । ତା’କୁ ଗାଳି ଫଜିତ କରୁ । ମହାନଦୀ ନେଇ ଏଇ ମାନସିକତାର ଉପରକୁ ଉଠିପାରି ନାହାନ୍ତି ଆମର ନେତାକୂଳ । ଓଡ଼ିଶାବାସୀଙ୍କୁ ଅନ୍ତତଃ ଅନ୍ଧାରରେ ନରଖିବା ପାଇଁ ସେମାନେ କୁହନ୍ତୁ, ଆମ ସରକାର କ’ଣ ଓଡ଼ିଶା ଭିତରେ ମହାନଦୀର ଯେତିକି ଅଂଶ ଅଛି ତାହାର ଉପଯୁକ୍ତ ସଂରକ୍ଷଣ କରୁଛନ୍ତି? ତା’ ଜଳର ସୁରକ୍ଷା ଓ ଉପଯୁକ୍ତ ବିନିଯୋଗ କରାଯାଉଛି? କେବଳ ମହାନଦୀ ନୁହେଁ, ଅନ୍ୟ ନଦୀଗୁଡ଼ିକର ସୁରକ୍ଷା ଓ ବିକାଶ ଦିଗରେ ଆମେ କି କାର୍ଯ୍ୟ କରିଛେ? ଏସବୁ ବିଷୟରେ ଆଲୋଚନା ହେଲେ ଓଡ଼ିଶାବାସୀ ଉପକୃତ ହେବେ । କୌଣସି ରାଜ୍ୟ ବା ଦଳ ବିରୋଧରେ ଅସୂୟାପ୍ରବଣ ମାନସିକତା ନେଇ ନିଜ ରାଜ୍ୟର ସମ୍ବଳ ନଷ୍ଟ କଲେ ତାହା କାହାରି ହିତରେ ଲାଗିବ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top