ପ୍ରଥମ ସହିଦ ଜୟୀ ରାଜଗୁରୁ

News Story - Posted on 2017-12-07

ଶ୍ୱେତା ରାଉତ

ପରାଧୀନ ଭାରତର କଥା । ଦୀର୍ଘ ବର୍ଷ ଧରି ଇଂରେଜମାନଙ୍କ ଅଧୀନରେ ପରାଧୀନତା ଭୋଗୁଥିଲା ଭାରତ । ଏଇ ପରାଧୀନତା ଭାରତୀୟମାନଙ୍କ ମନରେ ସୃଷ୍ଟି କରୁଥିଲା ବିଦ୍ରୋହ । ଇଂରେଜ ନିର୍ମମ ଅତ୍ୟାଚାର, ଅନୀତି ଓ ଦମନ ସେମାନଙ୍କୁ ଅତିଷ୍ଠ କରୁଥିଲା । ମୁକ୍ତି ପାଇଁ ସେମାନେ ତ୍ରାହି ତ୍ରାହି ଡାକୁଥିଲେ । ତେଣୁ ବିଭିନ୍ନ ସ୍ଥାନରେ ଏହି ଅସନ୍ତୋଷ ଛୋଟମୋଟ ବିଦ୍ର୍ରୋହର ରୂପ ନେଉଥିଲା । ଅନ୍ୟପକ୍ଷରେ ଏହିସବୁ ବିଦ୍ରୋହକୁ ଅତି କଠୋର ଭାବେ ଦମନ କରୁଥିଲେ ଅତ୍ୟାଚାରୀ ଇଂରେଜ ସରକାର ।

 

ଆମ ଓଡିଶାରେ ମଧ୍ୟ ସେହି ସମୟରେ କିଛି ଛୋଟବଡ଼ ବିଦ୍ରୋହ ହୋଇଥିଲା । ତନ୍ମଧ୍ୟରୁ ପାଇକ ବିଦ୍ରୋହ ଥିଲା ଏକ ପ୍ରମୁଖ । ଏହି ବିଦ୍ରୋହର ଗୁଂଜରଣ ସମଗ୍ର ଭାରତବର୍ଷରେ ଶୁଣାଯାଇଥିଲା ଏବଂ ଏଥିରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଇଂରେଜ ସରକାର । ଏହି ବିଦ୍ରୋହର ମୁଖ୍ୟ ଥିଲେ ଜୟୀ ରାଜଗୁରୁ । ତାଙ୍କରି ନେତୃତ୍ୱରେ ଏହି ବିଦ୍ରୋହ ବିରାଟ ରୂପ ନେଇଥିଲା, ଯେଉଁଥିରେ ଇଂରେଜମାନେ ଭୟଭୀତ ହୋଇପଡିଥିଲେ । ଶେଷରେ କୂଟକପଟ କରି ଏହି ବିଦ୍ରୋହକୁ ଦମନ କରିବାରେ ଇଂରେଜମାନେ ସଫଳ ହେଲେ ଏବଂ ଜୟୀ ରାଜଗୁରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସହିଦ ଜୟୀ ରାଜଗୁରୁ ଆଜି ବି କୋଟି କୋଟି ଓଡିଆଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ସେହି ମହାନ ସଂଗ୍ରାମୀଙ୍କ ଜୀବନୀ ସଂପର୍କରେ ଆସନ୍ତୁ କିଛି ଜାଣିବା ।

 

ଭାରତର ପ୍ରଥମ ସହିଦ ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ହାରାମଣୀ ଓ ପିତାଙ୍କ ନାମ ଚାନ୍ଦ ରାଜଗୁରୁ । ଜୟୀ ରାଜଗୁରୁଙ୍କ ବାଲ୍ୟ ନାମ ଥିଲା ଜୟକୃଷ୍ଣ ମହାପାତ୍ର । ରାଜଗୁରୁ ବାଲ୍ୟକାଳରୁ ମେଧାବୀ ଛାତ୍ର ଥିଲେ । ଗୋବର୍ଦ୍ଧନ ପୀଠରେ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା ଅର୍ଜନ କରିଥିଲେ । ସେ କେବଳ ରାଜ ପୁରୋହିତ ନଥିଲେ, ସେ ଜ୍ଞାନୀ, ମାନୀ, ନାନା ଶାସ୍ତ୍ର ବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ନିପୂଣ ଗୁଣଗ୍ରାହୀ ରୁପେ ଏତେ ପ୍ରସିଦ୍ଧ ଥିଲେ ଯେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା ଭାବେ ପାଇବା ପାଇଁ ଚେଷ୍ଟିତ ଥିଲେ ।

 

ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ରାଜସଭାରେ ୧୭୮୦ ମସିହାରେ ୪୧ ବର୍ଷ ବୟସ୍କ ଜୟକୃଷ୍ଣ ମହାପାତ୍ର ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରପରୁ ସେ ଜୟୀ ରାଜଗୁରୁ ଭାବେ ପରିଚିତ ହେଲେ । ରାଜା ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦ ଦେବଙ୍କୁ ସିଂହାସନରେ ବସାଇ ରାଜକାର୍ଯ୍ୟ ସେ ନିଜ ହାତକୁ ନେଲେ । ଓଡିଶାରେ ଉତ୍କଳ ରାଜବଂଶର ପ୍ରତିଷ୍ଠା ବଢାଇବା ପାଇଁ ସେ ଅକ୍ଳାନ୍ତ ଉଦ୍ୟମ କରି ବରୁଣାଇଗଡ଼କୁ ସୁଦୃଢ କରିବାକୁ ଲାଗିଲେ । ପାଇକମାନଙ୍କ ମନରେ ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସାଧନା କରିଥିଲେ । ୧୮୦୩ରେ ଇଂରେଜମାନେ ଓଡିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଓ ବଶ୍ୟତା ସ୍ୱୀକାର କରିବାକୁ ଆଦେଶ ପତ୍ର ପଠାଇଲେ ।

 

ଖୋର୍ଦ୍ଧାଗଡ଼ ଅକ୍ତିଆର କରିବାକୁ ଇଂରେଜମାନଙ୍କ ପାଇଁ ଜୟୀ ରାଜଗୁରୁ ମୁଖ୍ୟ ପ୍ରତିବନ୍ଧକ ଥିଲେ । ୧୮୦୪ରେ ଜୟୀ ରାଜଗୁରୁ ଇଂରେଜମାନଙ୍କ ଉପରେ ପ୍ରଥମ ଆକ୍ରମଣ କରିଥିଲେ । ନିଜେ ଅବିବାହିତ ରହି ଖୋର୍ଦ୍ଧାର ପ୍ରତି ଘରୁ ଜଣେ ଜଣେ ସୈନିକ ବାହାର କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଲେ ଜୟୀ ରାଜଗୁରୁ । ସମସ୍ତ ପାଇକମାନଙ୍କୁ ଇଂରେଜ ବିରୁଦ୍ଧରେ ଗରିଲା ଯୁଦ୍ଧକୌଶଳ ଶିକ୍ଷା ଦେବା ପାଇଁ ଆଖଡ଼ାମାନଙ୍କରେ ସେ ସମର ଶିକ୍ଷା ଦେଉଥିଲେ । ଖୋର୍ଦ୍ଧାର ନାବାଳକ ରାଜା ମୁକୁନ୍ଦଦେବଙ୍କୁ ହରାଇ ରାଜ୍ୟ ଅକ୍ତିଆର କରିବା ପରେ ଇଂରେଜମାନେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ସପ୍ତାହ ଧରି ଖୋର୍ଦ୍ଧାଗଡ଼କୁ ଅକ୍ତିଆର କରି ରଖିଲେ । ଇଂରେଜମାନଙ୍କର ସମରସଜ୍ଜା ଦେଖି ଗାଁର ଯୁବଶକ୍ତି, ପାଇକଶକ୍ତି, ଦଳେଇ ଦଳବେହେରାମାନେ, ଟୋକା ବୁଢା, ଝିଅ ବୋହୁଙ୍କଠୁ ଆରମ୍ଭକରି ବୁଢୀମାନଙ୍କ ମନରେ ବିଦ୍ରୋହ ସୃଷ୍ଟିହେଲା । ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବୀର ଖଣ୍ଡାୟତ ପାଇକମାନେ ଖଣ୍ଡା, ତଲୁଆର ଧରି ଇଂରେଜମାନଙ୍କୁ ଆକ୍ରମଣ କରିବାକୁ କୁଦି ପଡିଲେ । କୌଣସି ପ୍ରକାର ଖୋର୍ଦ୍ଧା ଉପରେ ଇଂରେଜମାନଙ୍କର ଆଧିପତ୍ୟ ହେବାକୁ ଦେଲେନାହିଁ । ଜୟୀ ରାଜଗୁରୁ ଇଂରେଜମାନଙ୍କୁ ଅତି କଡ଼ାଭାଷାରେ କହୁଥିଲେ, ‘ଗୋଲାମ ଦଳ ଭାରତ ଛାଡିବାକୁ ପ୍ରସ୍ତୁତ ହୁଅ, ନଚେତ୍ ମୋ ଭସ୍ମରୁ ଶହଶହ, ହଜାର ହଜାର ଜୟୀ ରାଜଗୁରୁ ଜନ୍ମନେବେ ଓ ମାତୃଭୂମିର ମାନରକ୍ଷା ପାଇଁ ତମମାନଙ୍କ ଭଳି ନିର୍ଲଜ୍ଜ ଶତ୍ରୁମାନଙ୍କୁ ଗଳା ଧକ୍କା ଦେଇ ବିତାଡିତ କରିବାକୁ ପଛାଇବେ ନାହିଁ ।’

 

ହେଲେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିବା ଉଦ୍ଦେଶ୍ୟରେ ପୁରୀର ନାବାଳକ ରାଜା ମୁକୁନ୍ଦ ଦେବଙ୍କୁ ଏକଲକ୍ଷ ଟଙ୍କା ଯାଚି ଏକ ନିର୍ଦ୍ଦିଷ୍ଟ ପଥ ଦେଇ ଖୋର୍ଦ୍ଧା ପହଂଚିବାରେ ଇଂରେଜମାନେ ସଫଳ ହୋଇଗଲେ । ଭୀରୁମାନଙ୍କ ପରି ପଛରୁ ପ୍ରହାର କଲାଭଳି ବୀର ପାଇକ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିନେଲେ ଏବଂ ମେଦିନିପୁର ଜେଲକୁ ନେଇ ଅକଥନୀୟ ନିର୍ଯ୍ୟାତନା ଦେଲେ । ଇଂରେଜ ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିବାରୁ ଏବଂ ବହୁ ନରହତ୍ୟା ଅଭିଯୋଗରେ ଜଡିତ ଥିବା ଅପରାଧରେ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ଓଡ଼ିଆ ବୀର ପାଇକ ପୁଅ ଜୟୀ ରାଜଗୁରୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଗଲା । ମେଦିନପୁର ଜେଲ ହତା ଭିତରେ ଥିଲା ଗୋଟେ ବିରାଟ ବରଗଛ । ସେହି ଗଛର ଦୁଇ ଡାଳକୁ ଯୋଡ଼ି ତାଙ୍କର ଦୁଇଗୋଡ଼କୁ ବାନ୍ଧି ଦିଆଯାଇଥିଲା । ତା’ପରେ ଡାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା, ଫଳରେ ଜୟୀ ରାଜଗୁରୁଙ୍କ ଦେହ ଦୁଇଫାଳ ହୋଇ ଯାଇଥିଲା । ସେହି ମହାନ ବୀର ପ୍ରଥମ ସହୀଦ ଜୟୀ ରାଜଗୁରୁଙ୍କ ବୀରତ୍ୱ, ତ୍ୟାଗ, ଦେଶପ୍ରେମ, ବଳୀଦାନ ପାଇଁ ସେ କେବଳ ଓଡିଶାର ନୁହେଁ, ସମଗ୍ର ଭାରତବର୍ଷରେ ଚିର ଅମର ହୋଇରହିଥିବେ । ତାଙ୍କର ସହିଦ ଦିବସରେ ମହାନ୍ ପ୍ରାଣଙ୍କ ଶ୍ରଦ୍ଧାଞ୍ଜଳି । ପ୍ରତିଟି ଓଡିଆ ହୃଦୟରେ ଜୟୀ ରାଜଗୁରୁ ଏକ ଅବିସ୍ମରଣୀୟ ହୋଇ ରହିବେ ।

 

ରାଉତ କମ୍ପେକ୍ସ, କଟକ ରୋଡ, ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top