ଶିଳ୍ପ ପ୍ରୀତି - ବାକି ୧୧ ହଜାର କୋଟି

News Story - Posted on 2017-12-04

ବଡ଼ ବଡ଼ ଶିଳ୍ପ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୧୧ ହଜାର କୋଟି ଟଙ୍କାର ରାଜସ୍ୱ ବାକି ପଡ଼ିଛି । ଅନ୍ୟ ଖିଲାପୀକାରୀଙ୍କୁ ମିଶାଇଲେ ଏହାର ପରିମାଣ ଢେର୍ ଅଧିକ ହେବ । କେବଳ ଯେଉଁ ସଂସ୍ଥାଗୁଡ଼ିକ ଉପରେ କୋଟିଏ ଟଙ୍କାରୁ ଅଧିକ ରାଜସ୍ୱ ବାକି ପଡ଼ିଛି ତାହାର ହିସାବ ଆଧାରରେ ଏହି ତଥ୍ୟ ଜଣାପଡ଼ିଛି । ଏ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ପ·ରିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଠାରୁ ଏହି ସୂଚନା ମିଳିଛି ।

 

ସର୍ବଶେଷ ସରକାରୀ ହିସାବ ଅନୁଯାୟୀ ଶିଳ୍ପ ସଂସ୍ଥା, ଖଣି ପଟ୍ଟାଦାର, ବ୍ୟବସାୟିକ ପ୍ରତିଷ୍ଠାନ, ଠିକାଦାର, ଅନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଉପରେ କେଉଁ ବିଭାଗର କେତେ ପରିମାଣର ଟିକସ, ରାଜସ୍ୱ ଓ ଜରିମାନା ଆଦି ବାକି ପଡ଼ିଛି ଏବଂ ଏଥିମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେଉଁ ସବୁ ସଂସ୍ଥା ଜଡ଼ିତ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ ରଖିଥିଲେ । ରାଜ୍ୟ ସରକାରଙ୍କୁ ଏହି ଅର୍ଥ ନ ଦେବା ପାଇଁ କେଉଁମାନେ ଅଦାଲତରେ ମାମଲା ରୁଜୁ କରି ରହିତାଦେଶ ଆଣିଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ ।

 

ଏହାର ଉତ୍ତରରେ ବିଭିନ୍ନ ରାଜସ୍ୱ ଆଦାୟକାରୀ ବିଭାଗମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଯେଉଁମାନଙ୍କ ଉପରେ ୧ କୋଟି ବା ତଦୁର୍ଦ୍ଧ ରାଜସ୍ୱ ବକେୟା ପଡ଼ିଛି ତାହାର ତଥ୍ୟ ଅର୍ଥମନ୍ତ୍ରୀ ରଖିଛନ୍ତି । ତାଙ୍କ ସୂଚନାନୁଯାୟୀ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ରାଜସ୍ୱ ବାକି ରଖିଥିବା ୧୩୪ଟି ସଂସ୍ଥା ଠାରୁ ରାଜ୍ୟ ସରକାରଙ୍କର ୪୫୮୦ କୋଟି ୭୮ ଲକ୍ଷ ଟଙ୍କାର ବାଣିଜ୍ୟ କର ପାଇବାକୁ ଅଛି । ଏମାନଙ୍କ ମଧ୍ୟରୁ ଯେଉଁ ସଂସ୍ଥାଗୁଡ଼ିକ ଉପରେ ୧୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବାଣିଜ୍ୟ କର ବାକି ପଡ଼ିଛି ସେଗୁଡ଼ିକ ମଧ୍ୟରେ ଅଛନ୍ତି ବେଦାନ୍ତ, ସାରଦା ମାଇନ୍ସ, ଜିନ୍ଦଲ, ବିର୍ଲା ଟାୟାରସ୍, ଆଇଭିଆର୍ସି, ରମେଶ ପ୍ରସାଦ ସାଓ, ଗୋଳାବାରୁଦ କାରଖାନା, ଟାଟା ଷ୍ଟିଲ୍, ରାଉରକେଲା ଇସ୍ପାତ କାରଖାନା, ଭୂଷଣ ଷ୍ଟିଲ୍, ଆଓଟି ଇନର୍ଜି, ସିମେନ୍ସ ଲିମିଟେଡ୍ ପ୍ରମୁଖ । ବାଣିଜ୍ୟ କର କ୍ଷେତ୍ରରେ ସାରଦା ମାଇନ୍ସ ଉପରେ ୬୮୬ କୋଟି ଟଙ୍କ ବାକି ପଡ଼ିଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଉପରେ ୨୩୬ କୋଟି ଟଙ୍କା ଅନାଦେୟ ହୋଇ ରହିଛି । ବେଦାନ୍ତ ଉପରେ ୨୦୨ କୋଟି ଟଙ୍କାର ବାଣିଜ୍ୟ କର ବାକି ଗଡ଼ୁଥିବା ବେଳେ ଜିନ୍ଦଲ ଷ୍ଟେନ୍ଲେସ୍ ଉପରେ ୧୦୬ କୋଟି, ବିର୍ଲା ଟାୟାରସ୍ ଉପରେ ୧୦୦ କୋଟି ମଧ୍ୟ ଗଡ଼ୁଛି ।

 

ସେହିପରି କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ଜଳ କର ବାକି ରଖିଥିବା ୭୬ଟି ସଂସ୍ଥାଠାରୁ ରାଜ୍ୟ ସରକାର ୨୬୧୮ କୋଟି ୫୪ ଲକ୍ଷ ଟଙ୍କା ପାଇବାକୁ ଅଛି । ଭାରତ ସରକାରଙ୍କ ଉଦ୍ୟୋଗ ନାଲ୍କୋ ଉପରେ ୭୩୧ କୋଟି ଟଙ୍କାର ଜଳକର ବାକି ପଡ଼ିଥିବା ବେଳେ ସେବା କାଗଜକଳ ଉପରେ ୪୨୬ କୋଟି, ବଲାରପୁର ଇଣ୍ଡଷ୍ଟ୍ରୀଜ୍ ଉପରେ ୨୪୫ କୋଟି ଓ ଝାରସୁଗୁଡ଼ାର ଦକ୍ଷିଣ-ପୂର୍ବ ରେଳପଥ ଶାଖା ଉପରେ ୨୦୨ କୋଟି ଟଙ୍କା ଗଡ଼ୁଛି ।

 

ଅର୍ଥମନ୍ତ୍ରୀ ଦେଇଥିବା ତାଲିକା ହିସାବ ଅନୁଯାୟୀ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ବିଦ୍ୟୁତ୍ ଶୁଳ୍କ ବାକି ରଖିଥିବା ୪୨ଟି ସଂସ୍ଥାଠାରୁ ରାଜ୍ୟ ସରକାର ୧୪୩୯ କୋଟି ଟଙ୍କା ପାଇବା କଥା । ଏମାନଙ୍କ ମଧ୍ୟରେ ଇମ୍ଫା ଗ୍ରୁପ୍ ଉପରେ ସର୍ବାଧିକ ୪୪୫ କୋଟି ଟଙ୍କା ବାକି ପଡ଼ିଥିବା ବେଳେ ଭୂଷଣ ପାୱାର ଓ ଷ୍ଟିଲ୍ କମ୍ପାନୀ ଉପରେ ୧୦୦ କୋଟି ଟଙ୍କା ଏବଂ ରାଉରକେଲା ଇସ୍ପାତ କାରଖାନା ଉପରେ ୨୬୩ କୋଟି ଟଙ୍କା ଗଡ଼ୁଛି । ସେ ପୁଣି ଉଲ୍ଲେଖ କରିଛନ୍ତି ଯେ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ଖଣି ରାଜସ୍ୱ ବାକି ରଖିଥିବା ୯ଟି ସଂସ୍ଥାଙ୍କ ଠାରୁ ୧୮୫୩ କୋଟି ୪୭ ଲକ୍ଷ ଟଙ୍କା ପାଇବାକୁ ଅଛି । କେବଳ ମହାନଦୀ କୋଲ୍ ଫିଲ୍ଡସ ଠାରୁ ପ୍ରାୟ ୧୩୩୦ କୋଟି ଟଙ୍କା ଖଣି ରାଜସ୍ୱ ଆକାରରେ ରାଜ୍ୟ ସରକାରଙ୍କ ପ୍ରାପ୍ୟ ରହିଛି ।

 

ଯୋଡ଼ାର ଟିସ୍କୋ ଉପରେ ୩୩୪ କୋଟି ଟଙ୍କାର ଖଣି ରାଜସ୍ୱ ବାକି ପଡ଼ିଥିବା ବେଳେ ନାଲ୍କୋ ଉପରେ ୯୫ କୋଟି, ଉକ୍ରଳ ଆଲୁମିନା ଉପରେ ୧୭ କୋଟି ଟଙ୍କା ପଡ଼ିରହିଛି । ଏହାଛଡ଼ା ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ଉପରେ ୬୧ କୋଟି ଟଙ୍କାର ଅବକାରୀ ରାଜସ୍ୱ ଏବଂ ଜଙ୍ଗଲ ଉନ୍ନୟନ ନିଗମ ଓ ଅନ୍ୟାନ୍ୟ ଠିକାଦାରଙ୍କ ଉପରେ ଜଙ୍ଗଲ ଉନ୍ନୟନ ଟିକସ ବାବଦରେ ୫୨ କୋଟି ଟଙ୍କା ବାକି ଗଡ଼ୁଛି । ତେବେ ମନ୍ତ୍ରୀଙ୍କ ପ୍ରଦତ୍ତ ଏହି ତାଲିକାରେ କୋଟିଏ ଟଙ୍କାରୁ କମ୍ ରାଜସ୍ୱ ଖିଲାପୀଙ୍କ ଉପରେ ମୋଟ୍ କେତେ ବାକି ଅଛି ତାହା ଉଲ୍ଲେଖ କରାଯାଇନାହିଁ । ଏହାଛଡ଼ା ଖଣି ଜରିମାନା ଆକାରରେ ଯେତେ ଅର୍ଥ ଦାବି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଦର୍ଶାଯାଇନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top