ଝାରସୁଗୁଡ଼ା ତୈଳ ଟର୍ମିନାଲ ଲୋକାର୍ପିତ

News Story - Posted on 2017-11-30

ପୂର୍ବ ଭାରତରେ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଅପାର ସମ୍ଭାବନା ଅଛି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତ ବିକାଶ ପ୍ରାଥମିକତାରେ ଏହି ଜିଲ୍ଲା ସମ୍ପୂର୍ଣ ପୂର୍ବ ଭାରତର ବିକାଶରେ ଏକ ପ୍ରମୁଖ ଅଂଚଳ ହୋଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡ଼ାଠାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଣ୍ଡିଆନ ଅଏଲ ଟର୍ମିନାଲ ସମେତ ପାରାଦୀପ- ରାୟପୁର- ରାଂଚି ପାଇପଲାଇନ, ଜଟଣୀର ପରିବର୍ଦ୍ଧିତ ତଥା ଝାଡଖଣ୍ଡର ରାଂଚି ଅଏଲ ଟର୍ମିନାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ପେଟ୍ରୋଲ, ଡିଜେଲ ଓ କିରୋସିନ ସଡ଼କ ମାର୍ଗରେ ପରିବହନ ପରିବର୍ତ୍ତେ ଏହି ପାଇପଲାଇନ ଯୋଗେ ସହଜରେ ଓ କମ ଖର୍ଚରେ ପରିବହନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକାଶର ପ୍ରମୁଖ ମାପଦଣ୍ଡ ମଧ୍ୟରେ ଶକ୍ତିର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । ଝାରସୁଗୁଡାଠାରେ ଏହି ଟର୍ମିନାଲକୁ ପାରାଦୀପ - ରାୟପୁର- ରାଂଚି ପାଇପଲାଇନ ଦ୍ୱାରା ସଂଯୁକ୍ତ କରାଯିବା କାରଣ ଓଡ଼ିଶାର ସମ୍ପୂର୍ଣ ପଶ୍ଚିମାଂଚଳରେ ନିରନ୍ତର ଓ କମ ମୂଲ୍ୟରେ ଇନ୍ଧନ ଯୋଗାଣ ସୁଗମ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖୁବ ଶୀଘ୍ର ଏଚପିସିଏଲ ଓ ବିପିସିଏଲ ଦ୍ୱାରା ଆଉ ଗୋଟିଏ ଅଏଲ ଟର୍ମିନାଲ ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ।

 

୨୮୦୦ କୋଟି ଟଙ୍କା ବ୍ୟୟରେ ପାଇପଲାଇନ ଓ ଟର୍ମିନାଲରେ ଖର୍ଚ ହେଉଥିବା ବେଳେ କେବଳ ଝାରସୁଗୁଡ଼ା ଟର୍ମିନାଲ ପ୍ରକଳ୍ପରେ ୧୪୦ କୋଟି ଟଙ୍କା ଖର୍ଚ ହେଉଛି । ପାରାଦୀପ ପରିବର୍ତ୍ତେ ଝାରସୁଗୁଡ଼ାରୁ ଟ୍ରକ ଯୋଗେ ଓଡିଶାର ପଶ୍ଚିମାଂଚଳ ଜିଲ୍ଲାକୁ ପେଟ୍ରୋଲ, ଡିଜେଲ ଓ କିରୋସିନ ଯିବ । ଏହା ଦ୍ୱାରା ସ୍ଥାନୀୟ ସ୍ତରରେ ଲୋକମାନେ ବ୍ୟବସାୟ ଓ ନିଯୁକ୍ତି ସୁଯୋଗ ପାଇବା ସହ ସ୍ଥାନୀୟ ଅର୍ଥନୀତି ପାଇଁ ଏହା ଦୃଢ଼ ସହାୟକ ହେବ ।

 

ଝାରସୁଗୁଡ଼ାରେ ଓଡ଼ିଶାର ସବୁଠାରୁ ବଡ଼ ତୈଳ ଟର୍ମିନାଲ ପଶ୍ଚିମ ଓଡ଼ିଶା, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଏବଂ ନୂଆପଡ଼ା ଆଦି ୧୦ଟି ଜିଲାରେ ସ୍ୱଚାଳିତ ଇନ୍ଧନ ବିତରଣ ପାଇଁ ବିକାଶର ଏକ ମାଇଲଖୁଂଟ ହେବାକୁ ଯାଉଛି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡ଼ାରେ ୧୪୦ କୋଟି ଟଙ୍କାର ପୁଞ୍ଜି ନିବେଶରେ ସ୍ୱଚାଳିତ ଟର୍ମିନାଲ ରାଜ୍ୟରେ ସୁରକ୍ଷିତ ଏବଂ କୁଶଳୀ ଟିଟି ବଟମର ସୁବିଧା, ସ୍ୱଚାଳିତ ଗୁଣବତା ଏବଂ ମାତ୍ରା ନିୟନ୍ତ୍ରଣ, ସ୍ୱଚାଳିତ, ସିଡ୍ୟୁଲିଂ ଏବଂ ସ୍ୱଚାଳିତ ଟ୍ୟାଙ୍କ ଫାର୍ମ ପ୍ରବନ୍ଧନର ସୁବିଧା ରହିଛି । ସମ୍ପୂର୍ଣ୍ଣ ଟ୍ୟାଙ୍କର କ୍ଷମତା ୪୯୦୦୦ କିଲୋଲିଟର (୨୨ ଦିନ ପାଇଁ), ମୋଟ୍ ୫୫୦ କିଲୋମିଟର ପରିଧି ଭିତରେ ୩୫୦ରୁ ଊଦ୍ଧ୍ୱର୍ ବିକ୍ରୟ କେନ୍ଦ୍ର (୨୪୫ ପେଟୋଲ ପମ୍ପ, ୧୧୪ ଉପଭୋକ୍ତା ଏବଂ ୨୭ଟି ଏସ୍କେଓ ଏଜେନ୍ସୀ)ଙ୍କ ଚାହିଦା ପୂରଣ କରିବା ନିମନ୍ତେ ପ୍ରତିଦିନ ୨୨୦୦ କିଲୋଲିଟର ପେଟ୍ରୋଲ, ଡିଜେଲ ଏବଂ କିରୋସିନ ଯୋଗାଣ କରାଯିବ ।

 

ସେହିପରି ଓଡ଼ିଶାର ଅନଗୁଳ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଫୁଲବାଣୀ, ରାୟଗଡ଼ା, ମାଲକାନଗିରି ଏବଂ କଳାହାଣ୍ଡି ଆଦି ୧୩ଟି ଜିଲାରେ ତୈଳ ଆବଶ୍ୟକତା ଯୋଗାଣ ପାଇଁ ୭୦ କୋଟି ଟଙ୍କା ବ୍ୟୟରେ ଜଟଣୀଠାରେ ତୈଳ ଡିପୋ ନବୀକରଣ ହୋଇ କାର୍ଯ୍ୟକ୍ଷମ ହୋଇଛି । ଏହି ପରିଯୋଜନାରେ ୧୧୦୦ କୋଟି ଟଙ୍କା ପୁଞ୍ଜି ନିବେଶ ଉପରେ ୧୦୬୯ କିଲୋମିଟର ଲମ୍ବ ବିଶିଷ୍ଟ ପାରାଦୀପ-ରାୟପୁର-ରାଂଚି ପାଇପଲାଇନ ମାଧ୍ୟମରେ ଉତ୍ପାଦ ପ୍ରାପ୍ତ ହୋଇଥାଏ ।

 

ଓଡ଼ିଶାର ୩ଟି ପରିଯୋଜନାରେ ଝାରସୁଗୁଡ଼ା, ଜଟଣୀ ତୈଳ ଟର୍ମିନାଲ ଏବଂ ପାରାଦୀପ-ରାୟପୁର ପାଇପଲାଇନ ଓଡ଼ିଶାରେ ମୋଟ ୧୩୧୦ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି ।

 

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ଭାରତରେ ଯିବାକୁ ଥିବା ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ଉତ୍ତର ପ୍ରଦେଶର ଫୁଲପୁରଠାରୁ ବାହାରି ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶା ସମେତ ରାଜ୍ୟ ଦେଇ ଯିବା ବେଳେ ଝାରସୁଗୁଡା ଜିଲ୍ଲା ମଧ୍ୟ ଏଥିରେ ସଂଯୁକ୍ତ ରହିବ । ପାଇପ ଯୋଗେ ଘରକୁ ପାଣି ଆସିବା ପରି ଘର ଘରକୁ ଶସ୍ତା ମୂଲ୍ୟରେ ରୋଷେଇ ଘରେ ଗ୍ୟାସ ପହଂଚା ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡାକୁ ପୂର୍ବରୁ ସାଂସଦ ଭାବରେ ପ୍ରତିନିଧିତ୍ୱ କରି ଝାରସୁଗୁଡାର ବିକାଶ ପାଇଁ ସାମିଲ ରହିଛନ୍ତି । ଝାରସୁଗୁଡାରେ ନୂଆ ରେଳ ଡିଭିଜନ ଦାବି ପରିପ୍ରେକ୍ଷୀରେ ଓଡିଶାର ଯେଉଁ ଯେଉଁ ଅଂଚଳ ପୂର୍ବ ତଟ ରେଳ ଜୋନ ବାହାରେ ରହିଛନ୍ତି ସେ ଅଂଚଳକୁ ନେଇ ଓଡିଶାରେ ନୂଆ ରେଳ ଜୋନ ଖୋଲିବା ସପକ୍ଷରେ ଶ୍ରୀ ପ୍ରଧାନ ମତ ଦେଇଛନ୍ତି । ଖୁବ ଶୀଘ୍ର ଝାରସୁଗୁଡାଠାରେ ଏୟାରପୋର୍ଟ ଲୋକାର୍ପଣ ପାଇଁ ସେ ଆସିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

 

ମୋଦି ସରକାରଙ୍କର ବିକାଶ ମୂଳକ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ବେଳେ ରାଜ୍ୟରେ ମୋଟ କୋଟିଏ ଘରୁ ୨୦ ଲକ୍ଷ ଘରେ ଏଲପିଜି ପହଂଚି ଥିବା ବେଳେ ଏବେ ଏହି ସଂଖ୍ୟା ୫୫ ଲକ୍ଷରେ ପହଂଚିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ରାଜ୍ୟରେ ୧୭ ଲକ୍ଷ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦିଆ ଯାଇଛି । ୨୦୧୭ ଶେଷ ସୁଦ୍ଧା ଆଉ ଗୋଟିଏ ମାସରେ ସବୁ ଗାଁରେ ବିଜୁଳି ପହଂଚିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୦୧୮ ମସିହା ଶେଷ ସୁଦ୍ଧା ସବୁ ଘରେ ବିଜୁଳି ପହଂଚା ଯିବାର ଯୋଜନା ତିଆରି କରା ଯାଇଛି ।

 

ଏହି ଅବସରରେ ଡଃ ପ୍ରଭାସ କୁମାର ସିଂ ମାନ୍ୟବର ସାଂସଦ, ବରଗଡ଼, ଶ୍ରୀ ନବକିଶୋର ଦାସ, ମାନ୍ୟବର ବିଧାୟକ, ଝାରସୁଗୁଡ଼ା, ଶ୍ରୀମତି ରାଧାରାଣୀ ପଣ୍ଡା, ମାନ୍ୟବର ବିଧାୟିକା, ବ୍ରଜରାଜନଗର, ଶ୍ରୀ ସଞ୍ଜିବ ସିଂ ଅଧ୍ୟକ୍ଷ, ଇଣ୍ଡିଆନ ଅଏଲ, ଶ୍ରୀ ବି ଏସ୍ କାନ୍ତ ନିର୍ଦ୍ଦେଶକ (ଏମ୍୍) ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶ୍ରୀ ପ୍ରୀତୀଶ ଭରତ, ସିଜିଏମ୍, ଆଇଓସିଏଲ, ଓଡିଶା ରାଜ୍ୟ କାର୍ଯ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top